ଭୁବନେଶ୍ବର: ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲା ପହଲଗାମରେ ଗତମାସ ୨୨ ତାରିଖରେ ଆତଙ୍କବାଦୀ ଆକ୍ରମଣ ଓ ମେ’ ୭-୮ ତାରିଖ ରାତିରେ ପାକିସ୍ତାନ ସମେତ ପାକ୍‌ ଅଧୀକୃତ କଶ୍ମୀରର ୯ଟି ସ୍ଥାନରେ ଭାରତର ‘ଅପରେସନ୍‌ ସିନ୍ଦୁର’ ପରେ ଉତ୍ତେଜନା ପ୍ରକାଶ ପାଇଛି। ଏହି ଉତ୍ତେଜନା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦେଖାଯାଇଛି। ଏହି କାରଣରୁ ଉଭୟ ଦେଶ ମଧ୍ୟରେ କିଛି କଟକଣା ଲାଗୁ ହୋଇଛି, ଯେଉଁଥିରେ ଭାରତୀୟ ରେଳବାଇ ମଧ୍ୟ ଯୋଡ଼ି ହୋଇଯାଇଛି। ରେଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଦେଶର ଆସନ୍ତା ୧୫ ତାରିଖ ପାଇଁ ୧୧ଟି ଟ୍ରେନ୍‌କୁ ବାତିଲ ଏବଂ ୯ଟି ଟ୍ରେନ୍‌କୁ ଆଂଶିକ ବାତିଲ କରିଦିଆଯାଇଛି। ଏହି ଆଂଶିକ ବାତିଲ ତାଲିକାରେ ହୀରାକୁଦ ଏକ୍ସପ୍ରେସ୍‌ ସାମିଲ ରହିଛି। 

Advertisment

ପୂର୍ବତଟ ରେଳପଥ ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁସାରେ ହୀରାଖଣ୍ଡ ଏକ୍ସପ୍ରେସ୍‌କୁ ଆଂଶିକ ବାତିଲ କରିଦିଆଯାଇଛି। ଏହି ଅନୁସାରେ ହୀରାକୁଦ ଏକ୍ସପ୍ରେସ୍‌ ଅମୃତସର ଯାଏଁ ଗଡ଼ିବନି। ଏହି ଟ୍ରେନ୍‌ କେବଳ ବିଶାଖାପାଟଣାରୁ ଦିଲ୍ଲୀ ଯାଏଁ ଚାଲିବ।  

ବିଶାଖାପାଟଣା-ଅମୃତସର ହୀରାକୁଦ୍ ଏକ୍ସପ୍ରେସ୍ (୨୦୮୦୭) ସପ୍ତହରେ ୩ ଦିନ (ମଙ୍ଗଳବାର, ଶୁକ୍ରବାର ଓ ଶନିବାର) ପରିଚାଳିତ ହୋଇଥାଏ। ଏହି ଟ୍ରେନ୍  ବିଶାଖାପାଟଣା ଠାରୁ ଅମୃତସର ମଧ୍ୟରେ ୪୪ଟି ଷ୍ଟେସନରେ ଅଟକି ଥାଏ। ପୂର୍ବତଟ ରେଳପଥ ଦ୍ବାରା ପରିଚାଳିତ ଏହି ଟ୍ରେନ୍ ପାଇଁ ଓଡ଼ିଶାରେ ବ୍ରହ୍ମପୁର, ଛତ୍ରପୁର, ବାଳୁଗାଁ, ଖୋର୍ଦ୍ଧାରୋଡ୍, ଭୁବନେଶ୍ବର, ଢେଙ୍କାନାଳ, ତାଳଚେର, ଅନୁଗୁଳ, ରେଢ଼ାଖୋଲ, ସମ୍ବଲପୁର ସିଟି, ଝାରସୁଗୁଡ଼ାରୋଡ୍ ଓ ବ୍ରଜରାଜନଗର  ଷ୍ଟେସନ୍‌ରେ ରହିଣୀ ବ୍ୟବସ୍ଥା ରହିଛି।  

 

ସୂଚନାଯୋଗ୍ୟ, ଗତମାସ ୨୨ ତାରିଖରେ ଦକ୍ଷିଣ କଶ୍ମୀର ମନୋରମ ପର୍ଯ୍ୟଟନ ସ୍ଥଳ ପହଲଗାମରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ଘଟିଥିଲା। ଏହି ଆକ୍ରମଣରେ ଜଣେ ବିଦେଶୀ ପର୍ଯ୍ୟଟକଙ୍କ ସମେତ ମୋଟ୍‌ ୨୬ ଜଣଙ୍କର ମୃତ୍ୟୁ ଘଟିଥିଲା, ଯେଉଁଥିରେ ୨ ଜଣ ଓଡ଼ିଆ ମଧ୍ୟ ଥିଲେ। ଏହାପରେ ଭାରତ ସରକାର ‘ଅପରେସନ ସିନ୍ଦୂର’ ଅଭିଯାନ ଆରମ୍ଭ କରିଥିଲେ। ଭାରତୀୟ ବାୟୁସେନା ଗତ ୭-୮ ତାରିଖ ମଧ୍ୟ ରାତ୍ରିରେ ପାକିସ୍ତାନ ଏବଂ ପାକ୍‌ ଅଧିକୃତ କଶ୍ମୀରରେ ଥିବା ଆତଙ୍କବାଦୀଙ୍କ ୯ଟି ଆଡ୍ଡାକୁ ଧ୍ବଂସ କରିଥିଲା। ସେବେ ଠାରୁ ଉଭୟ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ପାକିସ୍ତାନୀ ଡ୍ରୋନ୍‌ ଓ ମିସାଇଲ୍‌କୁ ଭାରତର ବୀର ସୈନିକମାନେ କଡ଼ା ଜବାବ ଦେଉଛନ୍ତି। 

Indian Railways | East Coast Railways | Hirakud Express