ହୀରାକୁଦ: ଆଜି ସପ୍ତମ ହୀରାକୁଦ ଲୋକ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାରଙ୍କ ନୃତ୍ୟଗୀତରେ ଲୋକ ଝୁମି ଉଠିଥିଲେ।
ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହୋତ୍ସବ ପାଇଁ ଆଜି ସକାଳେ ଶକ୍ତି ମନ୍ଦିରରୁ ଶୋଭାଯାତ୍ରାରେ ବାହାରି ସୁବାସ ମୈଦାନରେ ପହଂଚି ଥିଲା। ସନ୍ଧ୍ୟାରେ ମୁଖ୍ୟ ଅତିଥି ବରଗଡ଼ ସାଂସଦ ସୁରେଶ ପୂଜାରୀ ଓ ହିଣ୍ଡାଲକୋର କ୍ଲଷ୍ଟର ମୁଖ୍ୟ କୈଳାଶନାଥ ପାଣ୍ଡେ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ପ୍ରଭାସ ଡନସେନା, ହୀରାକୁଦ ହିଣ୍ଡାଲକୋର ମାନବ ସମ୍ବଳ ମୁଖ୍ୟ କ୍ରିଷ୍ଣା ପାଢ଼ୀ, ସ୍ମେଲଟର ମୁଖ୍ୟ ଦେବାଶିଷ ମଲିକ, ଏଫଆର୍ପିର ମୁଖ୍ୟ ସୌମିତ୍ର ରାୟ, ଏଫ୍ଆର୍ପିର ଇଆର୍ ମୁଖ୍ୟ ଦୀପକ ମହାନ୍ତି, ସତ୍ୟଚନ୍ଦ୍ର ଦାଶ, ସନ୍ଦୀପ କୁମାର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଏକ ସ୍ମରଣିକାର ଉନ୍ମୋଚନ କରାଯାଇଥିଲା।
ଉଦ୍ଘାଟନୀ ସଭାରେ କଳା ସଂସ୍କୃତି କ୍ଷେତ୍ରରେ ଅବଦାନ ପାଇଁ ଗୁରୁ ରଞ୍ଜନ ସାହୁ ଏବଂ ସେବା ପାଇଁ ଡାକ୍ତର ଶଙ୍କର ରାମଚନ୍ଦନୀଙ୍କୁ ସମ୍ମାନିତ କରାଗଲା l ସୁଶ୍ରୀତା ପାଣିଗ୍ରାହୀ ଓ ଶ୍ରୀମନ୍ତ ବେହେରା ଲୋକଗୀତ ପରିବେଷଣ କରିଥିଲେ। ସୋନପୁରର ଶାଶ୍ବତ ତ୍ରିପାଠୀ ସମ୍ବଲପୁରୀ ଲୋକନୃତ୍ୟ ‘ରୁମ୍କୁ ଝୁମାନା’, ବିକି ହଜାରିକା ଓ ଦଳ ‘ବିହୁ’ ନୃତ୍ୟ, ଗୋବିନ୍ଦ ତିୱାରି ଓ ଦଳ ରାଜସ୍ଥାନୀ ଲୋକନୃତ୍ୟ ‘ଭବାଇ’, ମଥୁରାର ଗିର୍ରାଜ କ୍ରୀଷ୍ଣା ସାଂସ୍କୃତିକ କଳା ସମିତି ‘ମୟୂର‘ ନୃତ୍ୟ, ହୀରାକୁଦର ଥିମ୍ କ୍ରିଏସନ୍ ସମ୍ବଲପୁରୀ ଲୋକନୃତ୍ୟ, ମୁମ୍ବାଇର ଅର୍ଥବ ବେଦ ପରମ୍ପରା କଳା ମଂଚ ‘ଲାବଣୀ’ ନୃତ୍ୟ ଏବଂ ଟିଟିଲାଗଡ଼ର ଏକ୍ ତାରା କଳା ପରିଷଦ ଢାପ୍ ନୃତ୍ୟ ପରିବେଷଣ କରିଥିଲେ। ସବୁ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।