ଭୁବନେଶ୍ବର: ହୀରାକୁଦ ଜଳଭଣ୍ଡାରରୁ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ଦିଗରେ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ନୂତନ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ପଞ୍ଜୁରୀ ମାଛ ଚାଷ ସହ ଜାଆଁଳ ଗଚ୍ଛିତ ରଖିବାକୁ ଜଳଭଣ୍ଡାରରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ଭବିଷ୍ୟତରେ ଏହି ମାଛ ଉତ୍ପାଦନ ବୃଦ୍ଧି ପାଇବାକୁ ଥିବାରୁ ବସନ୍ତପୁରଠାରେ ଏକ ସମନ୍ବିତ ଆକ୍ବା ପାର୍କ ପ୍ରତିଷ୍ଠା କରିବାକୁ ରୂପରେଖ ପ୍ରସ୍ତୁତ ହୋଇଛି। ୧୪୦ ଏକର ପରିମିତ ଜମିରେ ଏହି ପାର୍କ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିସହ ଏକ ସାଧାରଣ ସୁବିଧା କେନ୍ଦ୍ର ଓ ରାଜୀବ ଗାନ୍ଧୀ ଜଳଜୀବ କେନ୍ଦ୍ର ସହିତ ଅନୁବନ୍ଧିତ ହୋଇ ଏକ ଅନୁବଂଶିକି ଗୁଣ ବିକଶିତ ଟିଲାପିଆ ଜାଆଁଳ ଉତ୍ପାଦନ କେନ୍ଦ୍ର ମଧ୍ୟ ବୋମାଲୋଈ ସରକାରୀ ମତ୍ସ୍ୟ ଜାଆଁଳ ଉତ୍ପାଦନ କେନ୍ଦ୍ରଠାରେ ନିର୍ମାଣଧୀନ ରହିଛି। ବର୍ତ୍ତମାନ ଜଳଭଣ୍ଡାରରୁ ଉତ୍ପାଦିତ ହେଉଥିବା ୮ଟି ପ୍ରଜାତିର ମାଛ ଆଞ୍ଚଳିକ ବଜାର ସହିତ ଭୁବନେଶ୍ବର, କଲିକତା ଓ ରାୟପୁର ବଜାରରେ ବିକ୍ରି ହେଉଛି।

Advertisment

ଏବେ ଭୁବନେଶ୍ବର, କଲିକତା, ରାୟପୁର ଯାଉଛି
ବସନ୍ତପୁରଠାରେ ହେବ ସମନ୍ବିତ ଆକ୍ବା ପାର୍କ
୧୪୦ ଏକର ପରିମିତ ଜମି ଚିହ୍ନଟ

ବିଭାଗର ସୂଚନା ଅନୁଯାୟୀ ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡା ରାଜସ୍ବ ଜିଲ୍ଲାର ୫୫ କିମି ଦୀର୍ଘ ଓ ୧୫ କିମି ପ୍ରସ୍ଥରେ ପରିବ୍ୟାପ୍ତ ହୀରାକୁଦ ଜଳଭଣ୍ଡାର ମତ୍ସ୍ୟ ଉତ୍ପାଦନରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏଠାରେ ୨୦ଟି ମଧୁର ଜଳ ମାଛ ପରିବାରର ୮୬ ପ୍ରଜାତିର ମାଛ ମିଳୁଥିବା ବେଳେ ଏଥିରେ ୨୪ ପ୍ରଜାତିର ପ୍ରମୁଖ ଅର୍ଥନୈତିକ ମୂଲ୍ୟର ମାଛ ମିଳନ୍ତି। ସେଥିମଧ୍ୟରେ ମୁଖ୍ୟ ଓ ଗୌଣ କାର୍ପ ଶିକାରୀ ମାଛର ବିଭିନ୍ନ ପ୍ରଜାତି, ଅନ୍ୟାନ୍ୟ ମାଛ ଓ ଚିଙ୍ଗୁଡ଼ି ଅନ୍ତର୍ଭୁକ୍ତ ରହିଛି। ଏହା ଉପରେ ପ୍ରାୟ ୫ ହଜାର ମତ୍ସ୍ୟଜୀବୀ ସେମାନଙ୍କର ଜୀବନ ଜୀବିକା ପାଇଁ ନିର୍ଭରଶୀଳ। ଜଳଭଣ୍ଡାରରେ ମତ୍ସ୍ୟ ଜାଆଁଳ ଗଚ୍ଛିତ କରିବା କାର୍ଯ୍ୟକ୍ରମରେ ଗତ ତିନି ବର୍ଷରେ ଯଥାକ୍ରମେ ୯୪.୮୨ ଲକ୍ଷ, ୯୪.୪୦ ଲକ୍ଷ ଓ ୭୭.୯୯ ଲକ୍ଷ ବଡ଼ ଜାଆଁଳ ଜଳଭଣ୍ଡାରରେ ଗଚ୍ଛିତ କରାଯାଇଛି। ବିଭିନ୍ନ ଯୋଜନାର ସଫଳ ରୂପାୟନ ଓ ସହାୟତାର ସୁଯୋଗଗୁଡ଼ିକର ସୁବିନିଯୋଗ ମାଧ୍ୟମରେ କେବଳ ସମ୍ବଲପୁର ଜିଲ୍ଲାର ଜଳଭଣ୍ଡାରରେ ମାଛ ଉତ୍ପାଦନ ୨୦୨୧-୨୨ରେ ୭୩୪୩ ମେଟ୍ରିକ୍‌ ଟନ୍‌ରୁ ୨୦୨୨-୨୩ରେ ୧୩,୮୯୯ ମେଟ୍ରିକ୍‌ ଟନ୍‌କୁ ବୃଦ୍ଧି ପାଇଛି।

ସେହିପରି ଜଳଭଣ୍ଡାରରେ ପଞ୍ଜୁରୀ ମାଛଚାଷ ପ୍ରଥମ କରି ହୀରାକୁଦରେ ହୋଇଥିଲା। ଗତ ୩ବର୍ଷ ମଧ୍ୟରେ ୧୦୦୦ ବର୍ଗ ମିଟର ଜଳ ଭାଗକୁ ଏକକ ସବ୍‌ ଜୋନ୍‌ ହିସାବରେ ଗ୍ରହଣ କରାଯାଇ ଲିଜ୍ ମାଧ୍ୟମରେ ମୋଟ ୪୨୫ଟି ସବ୍‌ ଜୋନ୍ ଓ ୨୨ଟି ଜୋନ୍ ହୋଇଛି। ଏଥିପାଇଁ ଆଗ୍ରହୀ ୩୦୧ ଉଦ୍ୟୋଗୀ ଦରଖାସ୍ତ କରିଛନ୍ତି। ଏହି ପଞ୍ଜୁରୀ ମାଛଚାଷ ଉଦ୍ୟୋଗୀମାନେ ଏବେ ସୁଦ୍ଧା ୧୦୦ କୋଟିରୁ ଅଧିକ ଟଙ୍କା ବ୍ୟକ୍ତିଗତ ପୁଞ୍ଜିନିବେଶ କରିସାରିଲେଣି। ଆଗରୁ ସମସ୍ତ ସବ୍‌ଜୋନ୍‌ ବ୍ୟବହୃତ କରି ୪୦୦ କୋଟି ନିବେଶ କରିବାକୁ ଲକ୍ଷ୍ୟ ରଖିଛନ୍ତି। କେବଳ ହୀରାକୁଦ ଜଳଭଣ୍ଡାରରୁ ୪୦ ହଜାର ମେଟ୍ରିକଟନ୍‌ ମଧୁର ଜଳ ମାଛ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। ଏହାଦ୍ବାରା ମଧୁର ଜଳ ମାଛ ଉତ୍ପାଦନ ଅଭିବୃଦ୍ଧି, ଆତ୍ମନିର୍ଭରଶୀଳତା, ମୁଣ୍ଡପିଛା ମତ୍ସ୍ୟ ପୁଷ୍ଟିସାର ହାରରେ ବୃଦ୍ଧି, ମୁଣ୍ଡପିଛା ଆୟ ବୃଦ୍ଧି, ଅଧିକ କର୍ମଦିବସ ସୃଷ୍ଟି ଓ ଜୀବନଜୀବିକାର ଉନ୍ନତି ହୋଇପାରିବ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି।