ଭଲ ବର୍ଷା ନହେଲେ ସ୍ଥିତି ସାଂଘାତିକ: ନିଆଣ୍ଟିଆ ବର୍ଷା ଯୋଗୁ ହୀରାକୁଦ ପ୍ରଭାବିତ

ସମ୍ବଲପୁର : ଚଳିତ ବର୍ଷ ନିଆଣ୍ଟିଆ ବର୍ଷାରେ ହୀରାକୁଦ ଜଳଜଭଣ୍ଡାର ପ୍ରଭାବିତ ହୋଇଛି। ଜୁଲାଇ ଓ ଅଗଷ୍ଟ ମାସରେ ହୀରାକୁଦ ଜଳଭଣ୍ଡାରକୁ ହାରାହାରି ଜଳ ପ୍ରବେଶ ମାତ୍ରାଠାରୁ ବହୁତ କମ୍ ପରିମାଣର ଜଳ ପ୍ରବେଶ କରିଛି।

ହୀରାକୁଦଠାରେ ମହାନଦୀ ଶଯ୍ୟା (ବେଡ୍‌ ଲେବଲ) ସମୁଦ୍ର ପତ୍ତନରୁ ୫୦୦ ଫୁଟ୍‌ ଉଚ୍ଚତାରେ ରହିଛି। ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍‌ ହୋଇଥିବାରୁ ଏଥିରେ ସବାର୍ଧିକ ୧୩୦ ଫୁଟ୍‌ ଉଚ୍ଚତା ପର୍ଯ୍ୟନ୍ତ ପାଣି ରହିପାରିବ। ହୀରାକୁଦ ଜଳଭଣ୍ଡାର କ୍ୟାଚ୍‌ମେଣ୍ଟ ଏରିଆର ପାଖାପାଖି ୯୦ ପ୍ରତିଶତ ଛତିଶଗଡ଼ରେ ରହିଥିବା ବେଳେ ବାକି ଅଂଚଳ ଓଡ଼ିଶାରେ ରହିଛି। ମହାନଦୀରେ ଅନେକ ଛୋଟ ନଦୀନାଳ ମିଶିଛି। ଚଳିତ ବର୍ଷ ଆଶାନୁରୂପ ଭଲ ବର୍ଷା ନହେବାରୁ ସାରା ରାଜ୍ୟରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ଦେଖାଦେଲାଣି। ପାଣି ଅଭାବରୁ ଅଣଜଳସେଚିତ ଅଚଂଳରେ ଜମି ଫାଟି ଆଁ କଲାଣି। ହୀରାକୁଦ ଜଳଭଣ୍ଡାରରେ ସ୍ଥିତିରେ ସୁଧାର ନଆସିଲେ ଚଳିତ ବର୍ଷ ହୀରାକୁଦ କମାଣ୍ଡ ଏରିଆ (ସେଚାଞ୍ଚଳ)ର ଧାନ ଚାଷ ବି ପ୍ରଭାବିତ ହେବା ଆଶଙ୍କା ପ୍ରକାଶ ପାଇଛି।

Photo: The New Indian Express

ତଥ୍ୟ ଅନୁସାରେ, ୧୯୫୮ ମସିହା ପରବର୍ତ୍ତୀ ସମୟର ହୀରାକୁଦ ଜଳଭଣ୍ଡାରକୁ ହାରାହାରି ଜଳ ପ୍ରବେଶ ମାତ୍ରା ଦେଖିଲେ ମୌସୁମୀ ଋତୁରେ( ଜୁନ୍‌ରୁ ଅକ୍ଟୋବର ମଧ୍ୟରେ) ୨୪. ୪୪୯ ମିଲିୟନ ଏକର ଫୁଟ୍ ଜଳ ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରିଥାଏ। ଅଗଷ୍ଟ ୨୨ ତାରିଖ ସୁଦ୍ଧା ହାରାହାରି ୬.୬୭୨ ମିଲିୟନ ଏକର ଫୁଟ୍ ଜଳ ପ୍ରବେଶ କରିଛି। ଅର୍ଥାତ ଏପର୍ଯ୍ୟନ୍ତ ମାତ୍ର ୨୭ ପ୍ରତିଶତ ଜଳ ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରିଛି। ଜୁନ୍ ମାସରେ ହାରହାରି ୦.୯୦୪ ମିଲିୟନ ଏକର ଫୁଟ ଜଳ ପ୍ରବେଶ କରିଥିବା ବେଳେ ଚଳିତ ବର୍ଷ ୧.୦୪୦ ମିଲିୟନ ଏକର ଫୁଟ୍ ଜଳ ପ୍ରବେଶ କରିଥିଲା। ଜୁନ୍ ମାସରେ ଅଧିକ ଜଳ ପ୍ରବେଶ କରିଥିବା ବେଳେ ଜୁଲାଇ ଓ ଅଗଷ୍ଟ ମାସ (ଏପର୍ଯ୍ୟନ୍ତ)ରେ କିନ୍ତୁ ଯଥାକ୍ରମେ ମାତ୍ର ୬୯ ପ୍ରତିଶତ ଓ ୨୬ ପ୍ରତିଶତ ଜଳ ପ୍ରବେଶ କରିଛି। ଜୁଲାଇ ମାସରେ ୫.୪୮୯ ଜାଗାରେ ମାତ୍ର ୩.୨୨୨ ମିଲିୟନ ଏକର ଫୁଟ୍ ଏବଂ ଅଗଷ୍ଟ ମାସରେ ୯.୩୯୩ ମିଲିୟନ ଏକର ଫୁଟ୍ ଜଳ ହୀରାକୁଦ ଜଳଭଣ୍ଡାରକୁ ଆସିଛି।

ବିଶେଷଜ୍ଞଙ୍କ ମତ ଅନୁସାରେ, ମୌସୁମୀ ଋତୁରେ ଜଳଭଣ୍ଡାରର ଉପର ମୁଣ୍ଡରେ ହାରାହାରି ୧୧୧୪.୧୭ ମିମି ବର୍ଷା ହୋଇଥାଏ। ଚଳିତ ବର୍ଷ ଏପର୍ଯ୍ୟନ୍ତ ୭୪୭.୭୮ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଅର୍ଥାତ ୬୭ ପ୍ରତିଶତ ବର୍ଷା ହୋଇଛି। ଉପର ମୁଣ୍ଡର ସବୁ ଅଂଚଳରେ ଭଲ ବର୍ଷା ‌ହେଲେ ହୀରାକୁଦ ଜଳ ପ୍ରବେଶ ମାତ୍ରା ବଢ଼ିଥାଏ। ଏଥର ଉପର ମୁଣ୍ଡରେ ବିକ୍ଷିପ୍ତ ବର୍ଷା ହୋଇଛି। ଉପର ମୁଣ୍ଡର କେଉଁ ଅଂଚଳରେ ବର୍ଷା ହୋଇଛି ତ କେଉଁଠି ନାହିଁ। ଫଳରେ ବର୍ଷାଜଳ ମହାନଦୀକୁ ଯେତିକି ଆସିବା କଥା ଆସିପାରି ନାହିଁ। ଏହାର ପ୍ରଭାବ ହୀରାକୁଦ ଜଳଭଣ୍ଡାର ଜଳସ୍ତର ଉପ‌ରେ ପଡ଼ିଛି। ଉଲ୍ଲେଖଯୋଗ୍ୟ, ଆଜି ସନ୍ଧ୍ୟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୬.୧୯ ଫୁଟ୍ ରହିଛି। ୨୧ ଅଗଷ୍ଟରେ ଜଳସ୍ତରର ସର୍ବାଧିକ ୬୨୧ ଫୁଟ୍ ରହିବା କଥା। କିନ୍ତୁ ବର୍ତ୍ତମାନ ତା’ ଠାରୁ କମ୍ ପାଣି ରହିଛି। ଚଳିତ ବର୍ଷ ଜୁଲାଇ ମାସରେ ଜଳସ୍ତର ୬୧୦ ଫୁଟ୍ ରହିଥିବା ବେଳେ ବନ୍ୟାଜଳ ନିଷ୍କାସନ କରାଗଲା। ଏହା ପରେ ଭଲ ବର୍ଷା ଅଭାବରୁ ଜଳଭଣ୍ଡାରକୁ ଜଳ ପ୍ରବେଶ ମାତ୍ରା ହ୍ରାସ ପାଇବାରୁ ଜଳସ୍ତର ଯେମିତି ବଢ଼ିବା କଥା ଆଉ ବଢ଼ିପାରିନାହିଁ।

ସମ୍ବନ୍ଧିତ ଖବର