ସମ୍ବଲପୁର : ଗ୍ରୀଷ୍ମ ଋତୁରେ ଯେବେ ବିଦ୍ୟୁତ୍ର ସର୍ବାଧିକ ଆବଶ୍ୟକତା ରହିଛି ସେତେବେଳେ ଜଳାଭାବରୁ ଏକପ୍ରକାର ବନ୍ଦ ହେବାକୁ ବସିଛି ହୀରାକୁଦ ଜଳବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର। ହୀରାକୁଦ ପାଣିରେ ପରିଚାଳିତ ବୁର୍ଲା ଓ ଚିପିଲିମା ଜଳବିଦ୍ୟୁତ୍ କେନ୍ଦ୍ରରୁ ଗତ ୨୪ ଘଣ୍ଟାରେ (ଶୁକ୍ରବାର ସକାଳ ୮ଟାରୁ ଶନିବାର ସକାଳ ୮ଟା) ମାତ୍ର ୧୭.୫୮୩ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦିତ ହୋଇଛି। ଏହି ସମୟ ଭିତରେ ବିଦ୍ୟୁତ୍ ଉତ୍ପାଦନ ପାଇଁ ହୀରାକୁଦ ଜଳଭଣ୍ଡାରରୁ ସେକେଣ୍ଡ ପିଛା ହାରାହାରି ମାତ୍ର ୭୧୪ ଘନଫୁଟ୍ (କ୍ୟୁସେକ୍) ଜଳ ଛଡ଼ା ଯାଇଥିଲା। ବୁର୍ଲା ଜଳବିଦ୍ୟୁତ୍ କେନ୍ଦ୍ରର ଉତ୍ପାଦନ କ୍ଷମତା ୨୭୫.୫ ମେଗାୱାଟ୍ ହୋଇଥିବା ବେଳେ ଚିପିଲିମାର ୭୨ ମେଗାୱାଟ୍। କିନ୍ତୁ ଗତ ୨୪ ଘଣ୍ଟାରେ ଉଭୟ କେନ୍ଦ୍ରରେ ଯଥାକ୍ରମେ ୪.୩୭୫ ମେଗାୱାଟ୍ ଓ ୧୩.୨୦୮ ମେଗାୱାଟ୍ ହାରାହାରି ବିଦ୍ୟୁତ୍ ଉତ୍ପାଦିତ ହୋଇଛି। ୩୪୭.୫ ମେଗାୱାଟ୍ ବିଶିଷ୍ଟ ରାଜ୍ୟର ଏହି ପ୍ରମୁଖ ଜଳବିଦ୍ୟୁତ୍ କେନ୍ଦ୍ରରୁ ଏବେ ମୋଟ କ୍ଷମତାର ମାତ୍ର ୫% ବିଦ୍ୟୁତ୍ ଉତ୍ପାଦନ ହେଉଛି। ଗତ କିଛି ଦିନ ହେଲା ଏହି ଦୁଇ କେନ୍ଦ୍ରରେ ଜଳବିଦ୍ୟୁତ୍ ଉତ୍ପାଦନ ଲଗାତାର ଭାବେ ଖସି ଚାଲିଛି। ମୌସୁମୀ ସମୟରେ ଯେବେ ହୀରାକୁଦରେ ପାଣି ଉଛୁଳୁ ଥାଏ ସେ ସମୟରେ ବି ଏହି ଜଳବିଦ୍ୟୁତ୍ କେନ୍ଦ୍ର ଦ୍ବୟ ନିଜ କ୍ଷମତା ଅନୁଯାୟୀ ବିଦ୍ୟୁତ୍ ଉତ୍ପାଦନ କରିପାରି ନଥାନ୍ତି। ପୁଣି ଆଷାଢ଼ ମାସରେ ଏଭଳି ଚିତ୍ର ପରିସ୍ଥିତିକୁ ଚିନ୍ତାଜନକ କରିଦେଇଛି। ସମସ୍ତ ୟୁନିଟ୍ ଠିକ୍ ସତ୍ତ୍ବେ ହୀରାକୁଦରୁ ଜଳଯୋଗାଣ ହ୍ରାସ ଯୋଗୁ ଉତ୍ପାଦନ ଏକ ପ୍ରକାର ଠପ୍ ହେବା ସ୍ଥିତିକୁ ଆସି ଯାଇଛି।
/sambad/media/post_attachments/wp-content/uploads/2022/06/hira-ddd-300x150.jpg)
ହୀରାକୁଦ ଜଳସ୍ତର ଆଗୁଆ ଖସିବା କାରଣରୁ ଏଥର ବିଦ୍ୟୁତ୍ ଉତ୍ପାଦନ ପାଇଁ ଜଳଯୋଗାଣକୁ ନିୟନ୍ତ୍ରିତ କରା ଯାଉଥିବା ଜଣାପଡ଼ିଛି। ଅନ୍ୟ ବର୍ଷ ଜୁନ୍ ୨୫ ତାରିଖ ବେଳକୁ ହୀରାକୁଦ ଜଳସ୍ତର ୬୦୦ ଫୁଟ୍କୁ ଖସିଥାଏ। କିନ୍ତୁ ଏଥର ଜୁନ୍ ୧୦ ତାରିଖରୁ ଏହା ୬୦୦ ଫୁଟ୍ ସ୍ତରରେ ପହଞ୍ଚି ଯାଇଛି। ଡ୍ୟାମ୍ କର୍ତ୍ତୃପକ୍ଷ ଏହି ୬୦୦ ଫୁଟ୍ ଜଳସ୍ତରକୁ ବଜାୟ ରଖି ଯାହା ଇନ୍ଫ୍ଲୋ ଆସୁଛି ସେହି ଅନୁଯାୟୀ ପାଣି ବିଦ୍ୟୁତ୍ ଉତ୍ପାଦନ ପାଇଁ ପାୱାର୍ ଚାନେଲ୍କୁ ଛାଡ଼ୁଛନ୍ତି। ରବି ଧାନ ଅମଳ ଆରମ୍ଭ ହେବା ଦିନଠୁ ଜଳସେଚନ ପାଇଁ ଉଦ୍ଦିଷ୍ଟ କେନାଲ୍ଗୁଡ଼ିକରେ ପାଣି ବନ୍ଦ ରହିଛି। ତେବେ ଚଳିତ ବର୍ଷ ତାପଜ ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ହେବା କାରଣରୁ ଏପ୍ରିଲ୍ ଓ ମେ ମାସରେ ଜଳବିଦ୍ୟୁତ୍ କେନ୍ଦ୍ରଗୁଡ଼ିକ ଉପରେ ଅଧିକ ଚାପ ପଡ଼ିଥିଲା। ହୀରାକୁଦ ଜଳଭଣ୍ଡାରରୁ ଅପେକ୍ଷାକୃତ ଅଧିକ ପାଣି ଛାଡ଼ି ବୁର୍ଲା ଓ ଚିପିଲିମା କେନ୍ଦ୍ରରୁ ସାମାନ୍ୟ ଅଧିକ ବିଦ୍ୟୁତ୍ ଉତ୍ପାଦନ କରା ଯାଇଥିଲା। ତେଣୁ ସେହି କାରଣରୁ ହୀରାକୁଦ ଜଳସ୍ତର ଆଗୁଆ ଖସି ଯାଇଥିବା କହାଯାଉଛି।
ଅପରପକ୍ଷରେ ଚଳିତ ବର୍ଷ ଜଳସେଚନ ପାଇଁ ବର୍ତ୍ତମାନ ସୁଦ୍ଧା ହୀରାକୁଦରୁ ବାହାରୁଥିବା ବରଗଡ଼ ଓ ଶାସନ କେନାଲ୍ ଖୋଲାଯାଇ ନାହିଁ। ଏହି କେନାଲ୍ ଦ୍ବୟରେ ପାଣି ଛାଡ଼ିବାକୁ ହେଲେ ହୀରାକୁଦ ଜଳସ୍ତର ୬୦୦ ଫୁଟ୍ ରହିବା ଆବଶ୍ୟକ। ୬୦୦ ଫୁଟ୍ରୁ ଜଳସ୍ତର କମିଲେ କେନାଲ୍ ପାଣିରେ ବେଗ ରହିବ ନାହିଁ ଓ ତାହା ଶେଷ ମୁଣ୍ଡରେ ପହଞ୍ଚି ପାରିବ ନାହିଁ। ତେଣୁ ଖରିଫ୍ ଚାଷ ଆରମ୍ଭ ହେଲା ବେଳକୁ ବର୍ଷା ହୋଇ ଜଳସ୍ତର ନବଢ଼ିଲେ କେନାଲ୍ ପାଣି ଛାଡ଼ିବାରେ ସମସ୍ୟା ହୋଇପାରେ। ସେହି କାରଣରୁ ଜଳସେଚନ ବିଭାଗ ଏବଂ ଓଡ଼ିଶା ଜଳବିଦ୍ୟୁତ୍ ନିଗମ କର୍ତ୍ତୃପକ୍ଷ ଆଲୋଚନା କରି ଜଳବିଦ୍ୟୁତ୍ କେନ୍ଦ୍ରକୁ ପାଣି ଛାଡ଼ିବା ନିୟନ୍ତ୍ରିତ କରୁଥିବା ଜଣାପଡ଼ିଛି।
/sambad/media/post_attachments/wp-content/uploads/2022/01/hirakud-dam-final-300x152.jpg)
ଏ ସଂପର୍କରେ ଓଡ଼ିଶା ଜଳ ବିଦ୍ୟୁତ୍ ନିଗମର ମୁଖ୍ୟ ମହାପ୍ରବନ୍ଧକ ଦେବାଶିଷ ମିଶ୍ରଙ୍କ କହିବା ହେଲା, ବୁର୍ଲା ଜଳବିଦ୍ୟୁତ୍ କେନ୍ଦ୍ରର ୭ରୁ ୬ଟି ଓ ଚିପିଲିମାର ୩ଟି ଯାକ ୟୁନିଟ୍ ସଚଳ ଅଛି। ବୁର୍ଲାର ଅନ୍ୟ ୟୁନିଟ୍ଟି ବି ଶୀଘ୍ର କାର୍ଯ୍ୟକ୍ଷମ ହୋଇଯିବ। କିନ୍ତୁ ଜଳସେଚନ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଏବେ ପାୱାର୍ ଚାନେଲ୍କୁ ଜଳ ନିଷ୍କାସନ ନିୟନ୍ତ୍ରଣ କରାଯାଇଛି। କାରଣ ମୌସୁମୀ ବର୍ଷାରୁ କେବେ ଜଳଭଣ୍ଡାରକୁ ପାଣି ଆସିବ ତାହା ନିର୍ଦ୍ଦିଷ୍ଟ ଭାବେ କହି ହେବ ନାହିଁ। ତେଣୁ ବର୍ତ୍ତମାନ ଜଳସ୍ତର ୬୦୦ ଫୁଟ୍ ଥିବାରୁ କେନାଲ୍ ଖୋଲିବା ପାଇଁ ସେହିସ୍ତର ବଜାୟ ରଖିବା ଜରୁରି। ଯେବେ ତାପଜ ବିଦ୍ୟୁତ୍ ଉତ୍ପାଦନେର ସମସ୍ୟା ଥିଲା ଆମେ ଅଧିକ ବିଜୁଳି ଉତ୍ପାଦନ କରିଥିଲୁ। ଏବେ ତାପଜ କ୍ଷେତ୍ର ସ୍ବାଭାବିକ ହୋଇଛି, ତେଣୁ ଆମର ଉତ୍ପାଦନ ହ୍ରାସ ପାଇଥିଲେ ବି ବିଶେଷ ସମସ୍ୟା ନାହିଁ। ବର୍ଷା ପାଣି ଆସିବା ମାତ୍ରେ ହୀରାକୁଦରୁ ଜଳବିଦ୍ୟୁତ୍ ଉତ୍ପାଦନ ବି ସ୍ବାଭାବିକ ହୋଇଯିବ ବୋଲି ଶ୍ରୀ ମିଶ୍ର ଆଶା ପ୍ରକାଶ କରିଛନ୍ତି।
/sambad/media/post_attachments/wp-content/uploads/2022/06/hirakud-dddd-300x272.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/hiraku-dddd.jpg)