ଝାରସୁଗୁଡ଼ା: ବସୁନ୍ଧରା ଯୋଜନାରେ ଝାରସୁଗୁଡ଼ା ଓ ଲଖନପୁର ବ୍ଲକ୍ର ଭୂମିହୀନ ପରିବାରଙ୍କୁ ଉପମୁଖ୍ୟମନ୍ତ୍ରୀ ଏବଂ ରାଜସ୍ୱ ମନ୍ତ୍ରୀଙ୍କ ଦ୍ୱାରା ଘରଡ଼ିହ ଜମିପଟ୍ଟା ବଣ୍ଟନ କରାଯାଇଛି। ଜିଲ୍ଲା ଖଣିଜ ପାଣ୍ଠି ପ୍ରେକ୍ଷାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଝାରସୁଗୁଡ଼ାର ୭୧ ଓ ଲଖନପୁରର ୪୯ ପରିବାରକୁ ଘରଡ଼ିହ ଜମିପଟ୍ଟା ବଣ୍ଟନ କରିଛନ୍ତି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ବିକଶିତ ଓଡ଼ିଶା ଓ ଉତ୍କର୍ଷ ଓଡ଼ିଶାର ସ୍ୱପ୍ନ ପୂରଣ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ। କୌଣସି ବ୍ୟକ୍ତି ମୁଣ୍ଡ ଉପରେ ଛାତଘରରୁ ବଞ୍ଚିତ ହେବେ ନାହିଁ। ଚାଷୀଙ୍କୁ ଧାନ କ୍ୱିଣ୍ଟାଲ୍ ପିଛା ୩୧୦୦ ଟଙ୍କା, ମହିଳା ସଶକ୍ତୀକରଣ ପାଇଁ ସୁଭଦ୍ରା ଯୋଜନା ଏବଂ ବାସଚ୍ୟୁତଙ୍କୁ ଘରଡ଼ିହ ଜମିପଟ୍ଟା ଯୋଗାଇବା ପ୍ରତିଶ୍ରୁତିବଦ୍ଧତାର ପରିଚୟ।
ଜମିପଟ୍ଟା ପାଇବା ପରେ ଅସୁବିଧାରେ ଥିବା ଲୋକମାନଙ୍କ ଅନେକ ଦିନର ଆଶା ପୂରଣ ହୋଇପାରିଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଥିଲେ। ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀ ବସୁନ୍ଧରା ଯୋଜନା ସରକାରଙ୍କ ଅନ୍ୟାନ୍ୟ ମହତ୍ତ୍ୱପୂର୍ଣ୍ଣ ଯୋଜନା ମଧ୍ୟରୁ ଅନ୍ୟତମ ବୋଲି ଉଲ୍ଲେଖ କରିଥିଲେ। ଏଥିସହ ହୀରାକୁଦ ନଦୀବନ୍ଧ ପାଇଁ ବାସଚ୍ୟୁତ ପରିବାର ଏବଂ ବସୁନ୍ଧରା ଯୋଜନାରେ ସବୁ ଯୋଗ୍ୟ ହିତାଧିକାରୀଙ୍କୁ ୨୦୨୪ ଶେଷ ସୁଦ୍ଧା ଜମି ଯୋଗାଇ ଦିଆଯିବ ବୋଲି କହିଥିଲେ। ରାଜ୍ୟରେ ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ ସହାୟତା ଯୋଗାଇବା କ୍ଷେତ୍ରରେ ଝାରସୁଗୁଡ଼ା ଆଗରେ ବୋଲି ରାଜସ୍ବ ମନ୍ତ୍ରୀ କହିଥିଲେ।
ଝାରସୁଗୁଡ଼ା ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇଏଏସ୍ ପ୍ରୋବେସନର୍ ସର୍ବାନନ ସି., ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରବୀର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) କିଶୋର ଚନ୍ଦ୍ର ସ୍ୱାଇଁ, ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ଝାରସୁଗୁଡ଼ା ତହସିଲଦାର ସଦାକର କୁମ୍ଭାର, ଲଖନପୁର ତହସିଲଦାର ପ୍ରସନ୍ନ ପଟେଲ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପୁଣ୍ୟବତୀ ହେଲେନ ଖେସଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଏବଂ ରାଜସ୍ବ ମନ୍ତ୍ରୀ ଜିଲ୍ଲା କାର୍ଯ୍ୟାଳୟକୁ ଅଭିଯୋଗ ତଥା ଅନ୍ୟାନ୍ୟ ସେବା ପାଇଁ ଆସୁଥିବା ମହିଳାମାନଙ୍କ ଉଦ୍ଦେଶ୍ୟରେ ସ୍ଥାପିତ କ୍ରେଚ୍ ସେଣ୍ଟର ‘କଳିକା’ ପରିଦର୍ଶନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/11/25/iQGpNOQyOj4b6SheEE0L.jpg)