ହୀରାକୁଦର ୧୫ଟି ଗେଟରେ ଛଡ଼ାଯାଉଛି ପାଣି : ତଳମୁଣ୍ଡରେ କମିଲା ଜଳସ୍ତର

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଜଳସ୍ତର ହ୍ରାସ ପାଇବା ପରେ ୧୫ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ଶୁକ୍ରବାର ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୩ ଦଶମିକ୍ ସାତ ୧୨ ଫୁଟ୍ ରହିଛି । ଜଳଭଣ୍ଡାର ମଧ୍ୟକୁ ୩ଲକ୍ଷ ୧୭ ହଜାର ୫୨୨ ଘନଫୁଟ ପାଣି ପ୍ରବେଶ କରୁଛି । ସେହିପରି ୧୫ଟି ଗେଟ୍ ଦେଇ ଜଳଭଣ୍ଡାରରୁ ୨ଲକ୍ଷ ୫୧ହଜାର ୨୪୨ ଘନଫୁଟ୍ ଜଳ ନିଷ୍କାସିତ ହେଉଛି । ଅର୍ଥାତ ଗତକାଲିଠାରୁ ଆଜି ହୀରାକୁଦ ଡ୍ୟାମରୁ କମ୍ ପାଣି ଛଡାଯାଉଛି । ଫଳରେ ମହାନଦୀର ତଳମୁଣ୍ଡରେ ଜଳସ୍ତର କମିଛି । ତେବେ କେତେକ ସ୍ଥାନରେ ପଛୁଆ ପାଣି ଆସି ଗାଁ ଭିତରେ ପଶିଛି । ବାଙ୍କିର ଗୋଳାଗଣ୍ଡ ପଞ୍ଚାୟତର ବିଲିତେନ୍ତୁଳିଆ ବରହମପୁରା ପଞ୍ଚାୟତର କିଛି ଗାଁରେ ପାଣି ପଶିଛି । ଫଳରେ ଲୋକମାନେ ଏକପ୍ରକାର ଜଳବନ୍ଦୀ ହୋଇ ରହିଛନ୍ତି । ଶହ ଶହ ଏକର ଚାଷ ଜମିରେ ପାଣି ପଶିବା ଯୋଗୁଁ ଫସଲ ନଷ୍ଟ ହୋଇଛି ।

ହୀରାକୁଦ ଡ୍ୟାମର ଗେଟ୍ ବନ୍ଦ ହେଉଛି, ତଳିଆ ଅଂଚଳଗୁଡିକରେ ବନ୍ୟାପାଣି ହ୍ରାସ ପାଉଛି । ଲୋକେ ଜଳବନ୍ଦୀ ଅବସ୍ଥାରୁ ଧିରେ ଧିରେ ମୁକୁଳୁଛନ୍ତି । ହେଲେ ସବୁଠୁ କ୍ଷତିଗ୍ରସ୍ତ ହୋଇଛି କୃଷି କ୍ଷେତ୍ର । ବନ୍ୟାପାଣି ମାଡିଯାଇଥିବା ବିଭିନ୍ନ ଜିଲ୍ଲାରେ ଶହ ଶହ ହେକ୍ଟର ଚାଷ ଜମି ଏବେବି ପାଣ ଭିତରେ ବୁଡିରହିଛି । ଅନୁଗୁଳ ଜିଲ୍ଲା ଟିକରପଡା ଓ ଆଠମଲ୍ଲିକ ଅଂଚଳ ଅଧିକ ପ୍ରଭାବିତ ହୋଇଛି । ଟିକରପଡା ଅଂଚଳର ଗଂଇଦି, ବେହେରାସାହି, ମାଝିପଡା, ଟିକରପଡା ଗାଁଗୁଡିକର ସବୁ ଚାଷ ଜମିରେ ଏବେ ବି ବନ୍ୟା ପାଣି ଲହଡି ଭାଙ୍ଗୁଛି । ସାତକୋଶିଆ ଗଣ୍ଡ ନିକଟରେ ଥିବା ୫ଟି ଗାଁ ଭିତରକୁ ବନ୍ୟାପାଣି ପଶିଆସିଥିବାରୁ କୁମ୍ଭୀର ଓ ଅନ୍ୟ ଜଳଜୀବଙ୍କ ଆତଙ୍କରେ ଅଛନ୍ତି ଗାଁ ଲୋକ । ଆଠମଲ୍ଲିକ ଅଂଚଳରେ ପୁରୁନାମାନିତ୍ରୀ ଓ ଜାମୁଡିହିରେ ବନ୍ୟା ଯୋଗୁ ବ୍ୟାପକ ଫସଲ ନଷ୍ଟ ହୋଇଛି ।

ସମ୍ବନ୍ଧିତ ଖବର