ସମ୍ବଲପୁର: ହୀରାକୁଦ ଜଳଭଣ୍ଡାର ଥିବା ସମ୍ବଲପୁର ଜିଲ୍ଲାରେ ରବିରେ ମାତ୍ର ୨୩ ପ୍ରତିଶତ ଜମି ଜଳସେଚିତ ହୋଇପାରୁଛି। ସେଥିରେ ପୁଣି ଧନକଉଡ଼ା ଏବଂ ମାନେଶ୍ବର ବ୍ଲକ୍‌ ବ୍ୟତୀତ ଅନ୍ୟ ୭ ବ୍ଲକ୍‌ ଶୁଖିଲା ପଡ଼ୁଛି। ଏଥିଯୋଗୁଁ ଅଣଧାନ ବିଶେଷ କରି ଚିନାବାଦାମ, ପରିବା, ଫୁଲ, ଫଳ, ଲଙ୍କା ଭଳି ଚାଷ ବାଧାପ୍ରାପ୍ତ ହେଉଛି। ସମସ୍ତ ପ୍ରକାର ଭିତ୍ତିଭୂମି ଥାଇ ମଧ୍ୟ ପରିବା ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇପାରି ନାହିଁ। ଚାଷ ସମୟରେ ଜିଲ୍ଲାର ୧୦୦୭ରୁ ୬୯ ଉଠାଜଳସେଚନ ଅଚଳ ହୋଇପଡ଼ିଛି।

Advertisment

କୃଷି ବିଭାଗର ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲାରେ ୧ ଲକ୍ଷ ୯୩ ହଜାର ୬୭୪ ହେକ୍ଟର ଚାଷ ଜମି ରହିଛି। ଖରିଫରେ ୧ ଲକ୍ଷ ୩୭୬ ହେକ୍ଟର ଏବଂ ରବିରେ ୪୪ ହଜାର ୨୩୫ ହେକ୍ଟର ଜମିରେ ଚାଷ କରାଯାଇଛି। ଖରିଫରେ ମଧ୍ୟ ଜଳସେଚନ ବ୍ୟବସ୍ଥା ଏତେ ଉତ୍ସାହଜନକ ନୁହେଁ। ଏଠାରେ ମାତ୍ର ୫୨% ଜଳସେଚିତ ହେଉଥିବା ନେଇ ବିଭାଗ କହିଛି। କିନ୍ତୁ ଚାଷୀଙ୍କ ଅନୁସାରେ, ଜଳସେଚନ ହାର ଆହୁରି କମ। ବର୍ଷା ଉପରେ ହିଁ ଜିଲ୍ଲାର ସମୁଦାୟ କୃଷି ବ୍ୟବସ୍ଥା ନିର୍ଭରଶୀଳ। ରବିରେ ପ୍ରକୃତି ସହାୟକ ହେଉନଥିବାରୁ ଚାଷଜମି ପଡ଼ିଆ ପଡ଼ୁଛି। ଅଣଧାନ ଫସଲ ବିଶେଷ କରି ପରିବା ଚାଷରେ ଜିଲ୍ଲାର ସ୍ଥିତି ଅତ୍ୟନ୍ତ ନିରାଶାଜନକ। ଏଠାରେ ରବିରେ ମାତ୍ର ୨୧ ହଜାର ୧୧୩ ହେକ୍ଟର ଜମିରେ ଡାଲିଜାତୀୟ, ୯୬୦ ହେକ୍ଟରରେ ମକା, ୧୨୦ ହେକ୍ଟରରେ ଗହମ ଏବଂ ମିଲେଟ୍‌, ୧୬ ହଜାର ୨୨୭ ହେକ୍ଟରରେ ପରିବା, ୫୨ ହେକ୍ଟରରେ ଆଖୁ ଓ ଗୋଖାଦ୍ୟ ଚାଷ ହୋଇଛି। ୭୦୦ ଏକରରେ ଆଳୁ ଏବଂ ୩୪୬ ଏକରରେ ଫୁଲ ଚାଷ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲେ ମଧ୍ୟ ଏହା ପୂରଣ ହୋଇ ନାହିଁ।

୭ ବ୍ଲକ୍‌ ଶୁଖିଲା, ୬୯ ଉଠାସେଚ ପ୍ରକଳ୍ପ ଅଚଳ
ଆଳୁ, ଫୁଲ ଚାଷରେ ବି ଲକ୍ଷ୍ୟ ପୂରଣ ହେଲାନି

 ଆଳୁ ମାତ୍ର ୪୨୫ ଏକର ଏବଂ ଫୁଲ ୯୯ ଏକରରେ ଚାଷ ହୋଇ ପାରିଛି। ତନ୍ତୁଜାତୀୟ ଫସଲ ଜିଲ୍ଲା‌ରେ ହୁଏ ନାହିଁ। ରେଙ୍ଗାଲି ବ୍ଲକ୍‌ ଖିଣ୍ଡାର ଚାଷୀ ସୁବାସ ବିଶ୍ବାଳଙ୍କ କହିବାନୁଯାୟୀ ହୀରାକୁଦ ଜଳଭଣ୍ଡାର ଏଠାରେ ଥିଲେ ସୁଦ୍ଧା ଖରିଫରେ ଜମିକୁ ପାଣି ମାଡ଼େ ନାହିଁ। ଗତ ଖରିଫରେ ବର୍ଷା ହେଲାନି ବୋଲି ସବୁ ଫସଲ ନଷ୍ଟ ହୋଇଗଲା। କ୍ଷତିପୂରଣ ମଧ୍ୟ ମିଳିଲା ନାହିଁ। ତେଣୁ ରବିରେ ଚାଷଜମି ପଡ଼ିଆ ପଡ଼ୁଛି। ରୋଜଗାର ପାଇଁ ଏଠାକାର ଚାଷୀ ଏବେ ଶ୍ରମିକ ପାଲଟି ସାରିଛନ୍ତି। ମାନେଶ୍ବର ବ୍ଲକ୍‌ ହୁମା ଏବଂ ବରଗାଁ ପଞ୍ଚାୟତର ଚାଷୀମାନେ ଅଭିଯୋଗ କରିଛନ୍ତି, ପୂର୍ବରୁ ପୁଡ଼ାପରା, ପାଞ୍ଚଫୁଟ, କରଞ୍ଜୁଲା, କନବାର, ବାଲପୁର, ଗୌଡ଼ପାଲି, ଭୈରୋପାଲି, ଗ୍ରୀଣ୍ଡୋଲାପାଲି, ଦଶପୁରରେ ଡାଳୁଅ ଚାଷ ହେଉଥିଲା। କିନ୍ତୁ, କେନାଲର ଭିତ୍ତିଭୂମି ଅଭାବରୁ ଶେଷମୁଣ୍ଡକୁ ପାଣି ପହଞ୍ଚୁ ନାହିଁ। ଶାସନ କେନାଲ ତଳମୁଣ୍ଡର ୮୦ କିଲୋମିଟର ପର୍ଯ୍ୟନ୍ତ ପାଣି ପହଞ୍ଚି ପାରୁନଥିବା ନେଇ ପାଣି ପଞ୍ଚାୟତ ଚାଷୀମାନେ ସାଂସଦଙ୍କ ନିକଟରେ ଅଭିଯୋଗ କରିଥିଲେ। ବାମରା ବ୍ଲକ୍‌ର ଚାଷୀମାନଙ୍କ ଅନୁସାରେ, ରବିରେ ଚାଷ ହୋଇ ପାରେନାହିଁ। ଉଠାଜଳସେଚନ ପ୍ରକଳ୍ପ ଓ ନଳକୂଅ ଅଚଳ। କେବଳ ନିର୍ଦ୍ଦିଷ୍ଟ ଗୋଟିଏ ବ୍ଲକ୍‌ ନୁହେଁ, ସମୁଦାୟ ଜିଲ୍ଲାରେ ଚାଷ ସ୍ଥିତି ପ୍ରାୟ ଏମିତି।