ସମ୍ବଲପୁର: ମୌସୁମୀ ଏଥର ଧୋକାଦେଉଛି। କେବଳ ଓଡ଼ିଶା ନୁହେଁ, ଉପର ମହାନଦୀ ଅବବାହିକାରେ ବି ନିଆଣ୍ଟିଆ ବର୍ଷା ହୋଇଛି। ବର୍ଷାଭାବର ପ୍ରଭାବ ହୀରାକୁଦ ଜଳଭଣ୍ଡାର ଉପରେ ପଡ଼ିଛି। ଗତ ବର୍ଷ ତୁଳନାରେ ଆଜି ସନ୍ଧ୍ୟାରେ ହୀରାକୁଦ ଜଳଭଣ୍ଡାରରେ ୧୩.୬୫ ଫୁଟ୍ କମ୍ ପାଣି ରହିଛି।

Advertisment

ସୂଚନା ଅନୁସାରେ, ଗତ ୯ ଜୁଲାଇ ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୦୧.୧୦ ଫୁଟ୍ ରହିଥିଲା। ଜଳସେଚନ ଓ ବିଦ୍ୟୁତ୍ ଉତ୍ପାଦନ ପାଇଁ ଆବଶ୍ୟକ ପାଣି କେନାଲ ଓ ପାୱାର ଚାନେଲକୁ ଛଡ଼ାଯିବା ଫଳରେ ଜଳସ୍ତର ହ୍ରାସ ପାଇବାରେ ଲାଗିଥିଲା। ଅବଶ୍ୟ ଦୁଇଦିନ ହେଲା ଜଳସ୍ତର ସାମାନ୍ୟ ବୃଦ୍ଧି ପାଉଛି। ଆଜି ସନ୍ଧ୍ୟାରେ ଜଳସ୍ତର ୬୦୦.୮୩ ଫୁଟ୍‌ରେ ପହଂଚିଛି। ଜଳଭଣ୍ଡାରକୁ ୮,୭୨୨ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ଜଳସେଚନ, ବିଦ୍ୟୁତ୍ ଉତ୍ପାଦନ ସହିତ ଶିଳ୍ପକୁ ଜଳଯୋଗାଣ ନିମନ୍ତେ ୨୦, ୩୯୦ କ୍ୟୁସେକ୍ ପାଣି ଛଡ଼ାଯାଉଛି।

ଗତ ବର୍ଷ ଆଜିର ତାରିଖରେ ଅର୍ଥାତ ୨୧ ଜୁଲାଇ ସନ୍ଧ୍ୟାରେ ଜଳଭଣ୍ଡାରର ଜଳସ୍ତର ୬୧୩.୫୮ ଫୁଟ୍‌ ରହିଥିଲା। ଅର୍ଥାତ, ଗତ ବର୍ଷ ତୁଳନାରେ ଏବେ ଜଳସ୍ତର ୧୨.୬୫ ଫୁଟ୍ କମ୍ ରହିଛି। ଗତ ବର୍ଷ ୨୩ ଜୁଲାଇ ଦିନ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଥିଲା। ବର୍ତ୍ତମାନ ଯାହା ସ୍ଥିତି ରହିଛି, ଉପର ମହାନଦୀ ଅବବାହିକାରେ ଭଲ ବର୍ଷା ନହେଲେ ଜୁଲାଇ ମାସରେ ଏଥରର ବନ୍ୟା ଜଳ ନିଷ୍କାସନ ପାଇଁ ହୀରାକୁଦ ଜଳଭଣ୍ଡାରର ଗେଟ୍ ଖୋଲାଯିବା ସମ୍ଭାବନା କ୍ଷୀଣ। ରାଜ୍ୟ ସରକାରଙ୍କ ଜଳସଂପଦ ବିଭାଗର ରୁଲ୍‌ କର୍ଭ ଅନୁଯାୟୀ, ୬୩୦ ଫୁଟ୍ ଶୀର୍ଷ କ୍ଷମତା ଥିବା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଜୁଲାଇ ମାସରେ ୬୦୫ରୁ ୬୧୦ ଫୁଟ୍ ମଧ୍ୟରେ ରଖାଯିବା କଥା। ହୀରାକୁଦ ଜଳଭଣ୍ଡାର କ୍ୟାଚ‌୍‌ମେଣ୍ଟ ଅଂଚଳ ୮୩୪୦୦ ବର୍ଗକ‌ିଲୋମିଟର ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିବା ବେଳେ ଏହାର ୯୦ ପ୍ରତିଶତ ଅଂଚଳ ଛତିଶଗଡ଼ରେ ରହିଛି।

ଉପର ମୁଣ୍ଡ‌ରେ ଭଲ ବର୍ଷା ହେଲେ ଶୁଖିଲା ପଡ଼ିଥିବା ମହାନଦୀ ଫୁଲି ଉଠିବା ସହିତ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ଘଟିଥାଏ। ଓଡ଼ିଶାର ଜୀବନରେଖା ମହାନଦୀରେ ଏବେ ଜଳ ପ୍ରବାହ କମ୍ ରହିବା କାରଣରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତରରେ ଆଶାନୁରୂପ ବୃଦ୍ଧି ଘଟୁନାହିଁ। ଛତିଶଗଡ଼ ସରକାର ଓଡ଼ିଶାର ସୀମାନ୍ତରେ ଥିବା ନିଜ କଲ୍‌ମା ବ୍ୟାରେଜର ସବୁ ୬୬ଟି ଯାକ ଗେଟ୍‌ ଖୋଲା ରଖିଛନ୍ତି। ତଥାପି, ହୀରାକୁଦ ଜଳଭଣ୍ଡାର ଅଂଚଳରେ ବହୁ ଅଂଚଳ ଏବେ ଶୁଖିଲା ପଡ଼ିଛି। ଜଳଭଣ୍ଡାରର ଅନେକ ଅଂଚଳରେ ଗାଈଗୋରୁ ଚରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି।