ସମ୍ବଲପୁର : କରୋନା କଟକଣା କାରଣରୁ ବନ୍ଦ ରହିଥିବା ହୀରାକୁଦ ରୋପ୍-ୱେ ଦୀର୍ଘ ୭ ମାସ ପରେ ଶନିବାର ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଛି। ପ୍ରଥମ ଦିନରେ ୧୩୨ ଜଣ ପର୍ଯ୍ୟଟକ ରୋପ୍-ୱେରେ ଯାତ୍ରା କରି ହୀରାକୁଦ ଦର୍ଶନର ମଜା ନେଇଛନ୍ତି। ଏହି ସମୟରେ କରୋନା କଟକଣାକୁ ମଧ୍ୟ ପାଳନ କରାଯାଉଛି। ସମ୍ବଲପୁର ମହାନଗର ନିଗମ(ଏସ୍ଏମ୍ସି) କମିସନର୍ ଅନିରୁଦ୍ଧ ପ୍ରଧାନ, ପ୍ରବର୍ତ୍ତନ ଅଧିକାରୀ ଶୁଭଙ୍କର ମହାନ୍ତି ପ୍ରମୁଖଙ୍କ ଉପସ୍ଥିତିରେ ରୋପ୍ ୱେ ପୁନଃଚଳାଚଳର ଶୁଭାରମ୍ଭ ହୋଇଛି। ଆଜି ଚଳାଚଳ ପୂର୍ବରୁ ରୋପ-ୱେ କୋଚ୍ଗୁଡ଼ିକୁ ସାନିଟାଇଜ୍ କରାଯାଇଥିଲା।
ଏସ୍ଏମ୍ସି ପ୍ରବର୍ତ୍ତନ ଅଧିକାରୀଙ୍କ ସୂଚନା ଅନୁଯାୟୀ ରୋପ୍ ୱେ ସପ୍ତାହରେ ସାତ ଦିନ ଚାଲୁ ରହିବ। ପ୍ରତିଦିନ ସକାଳ ୧୦ ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହା ଚାଲିବ। ଛୁଟି ଦିନରେ ବି ଏହା ବନ୍ଦ ରହିବ ନାହିଁ କି ମଧ୍ୟାହ୍ନ ଭୋଜନ ବିରତି ରହିବ ନାହିଁ। ସାମାଜିକ ଦୂରତାକୁ ନଜରରେ ରଖି ଏବେ ଅଧା ସଂଖ୍ୟକ ଯାତ୍ରୀଙ୍କୁ ନେଇ ଏହା ଚାଲୁ ରହିବ। ଜଣକ ପିଛା ଟିକେଟ ଦର ୫୦ ଟଙ୍କା ରହିଛି।
ଅନ୍ଲକ୍ ପରେ ଏବେ ପ୍ରାୟ ସବୁ ପର୍ଯ୍ୟଟନକ୍ଷେତ୍ର ଖୋଲୁଥିବା ବେଳେ ରୋପ୍-ୱେ ବନ୍ଦ ଥିବାରୁ ଅସନ୍ତୋଷ ଦେଖା ଦେଇଥିଲା। ତେବେ ରୋପ୍-ୱେ ତାର ଉପରେ ଗଛଡାଳ ପଡ଼ିଯାଇଥିବାରୁ ସେଗୁଡ଼ିକୁ ନକାଟିବା ଯାଏ ରୋପ୍-ୱେ କାର୍ଯ୍ୟକ୍ଷମ ହୋଇପାରିବନି ବୋଲି କୁହାଯାଇଥିଲା। ଏନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ତତ୍ପରତା ପ୍ରଦର୍ଶନ କରାଯାଇ ଡାଳଗୁଡ଼ିକ କଟାଯିବା ସହ ଶୁକ୍ରବାର ଏହାକୁ ପରୀକ୍ଷାମୂଳକ ଭାବେ ଚାଲୁ କରାଯାଇଥିଲା। ସୂଚନାଯୋଗ୍ୟ ୨୦୧୯ ନଭେମ୍ବର ୨୮ ତାରିଖରେ ରୋପ୍-ୱେ କାର୍ଯ୍ୟକ୍ଷମ ହୋଇଥିଲା। ଏହି ୪୦୦ ମିଟରର ରୋପ୍-ୱେ ହୀରାକୁଦ ଜଳଭଣ୍ଡାର ପାର୍ଶ୍ବ ଜବାହାର ଉଦ୍ୟାନରୁ ଗାନ୍ଧୀ ମିନାରକୁ ସଂଯୋଗ କରୁଛି ଯାହା ୧୦ ମିନିଟ ସମୟ ନେଇଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/ropeway.jpg)