୨୪ରେ ହୀରାକୁଦର ବନ୍ୟା ଜଳ ନିଷ୍କାସନ

ସମ୍ବଲପୁର : ଆସନ୍ତା ୨୪ ତାରିଖରେ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ ବୋଲି ହୀରାକୁଦ ମୁଖ୍ୟବନ୍ଧ ନିର୍ବାହୀ ଯନ୍ତ୍ରୀ ଚିନ୍ମୟ ରାଉତ ସୂଚନା ଦେଇଛନ୍ତି। ଗୁରୁବାର ସନ୍ଧ୍ୟା ୬ଟାରେ ହୀରାକୁଦର ଜଳସ୍ତର ୬୦୫.୯୧ କ୍ୟୁସେକ ରହିଥିବା ବେଳେ ଜଳଭଣ୍ଡାରକୁ ୧,୫୧,୦୦ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ପାଓ୍ଵାର ଚାନେଲ ଓ କେନାଲ ଜରିଆରେ ୧୧,୫୬୭ କ୍ୟୁସେକ ନିଷ୍କାସିତ ହେଉଛି। ଆସନ୍ତା ୨୪ ତାରିଖ ଦିନ ଜଳସ୍ତର ୬୦୯/୬୧୦ ଫୁଟ୍‌ ମଧ୍ୟରେ ରହିବା ସମ୍ଭାବନା ରହିଛି ବୋଲି ନିର୍ବାହୀ ଯନ୍ତ୍ରୀ ଇଂ.ରାଉତ କହିଛନ୍ତି। କଲ୍‌ମା ବ୍ୟାରେଜର ସବୁ ୬୬ଟି ଯାକ ଗେଟ୍‌ ଖୋଲି ଦେଇଛି। ଫଳସ୍ୱରୂପ ମହାନଦୀରେ ଜଳପ୍ରବାହ ବଢ଼ିବା ସହ ହୀରାକୁଦ ଜଳଭଣ୍ଡାରକୁ ଅଧିକ ଜଳ ପ୍ରବେଶ କରୁଛି। ଗତ ୨୦୧୭ରେ ୨୩ ଜୁଲାଇ ଦିନ ସେହି ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଥିଲା।

ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍‌ ହୋଇଥିବାରୁ ଏଥିରେ ସର୍ବାଧିକ ୧୩୦ ଫୁଟ୍‌ ଉଚ୍ଚତା ପର୍ଯ୍ୟନ୍ତ ପାଣି ରହିପାରିବ। ଜଳ ନିଷ୍କାସନ ପାଇଁ ଜଳଭଣ୍ଡାରର ୬୪ଟି ସ୍ଲୁଇସ୍‌ ଗେଟ୍‌ ଓ ୩୪ଟି କ୍ରେଷ୍ଟ ଗେଟ୍‌ ରହିଛି। ହୀରାକୁଦର ସର୍ବମୋଟ୍‌ ୯୮ଟି ଗେଟ୍‌ ମଧ୍ୟରୁ ୨୦ ସେପ୍‌ଟେମ୍ବର ୧୯୮୦ରେ ସର୍ବାଧିକ ୮୮ଟି ଗେଟ୍‌ (୫୫ଟି ସ୍ଲୁଇସ୍‌ ଗେଟ୍‌ ଓ ୩୦ଟି କ୍ରେଷ୍ଟ ଗେଟ୍‌) ଖୋଲା ଯାଇଥିବା ଜଣାପଡ଼ିଛି। ଏହା ପରେ ୧୮ ଜୁଲାଇ ୨୦୦୧ ରେ ୫୨ଟି ସ୍ଲୁଇସ୍‌ ଗେଟ୍‌, ୨୮ ଅଗଷ୍ଟ ୨୦୦୩ରେ ୫୪(୪୮ଟି ସ୍ଲୁଇସ୍‌ ଗେଟ୍‌ ଓ ୬ଟି କ୍ରେଷ୍ଟ ଗେଟ୍‌) ଖୋଲାଯାଇଥିଲା। ଆଉ ୧୦ ସେପ୍‌ଟେମ୍ବର ୨୦୧୧ରେ ୫୯ଟି ଗେଟ୍‌ ଖୋଲାଯାଇଥିଲା।

ସମ୍ବନ୍ଧିତ ଖବର