ସମ୍ବଲପୁର: ଅଣ ମୌସୁମୀ ସମୟରେ ପାଣି ରୋକୁଛି ଛତିଶଗଡ଼। ଫଳରେ ମହାନଦୀ ଶୁଖିଲା ପଡ଼ୁଛି ଓ ରାଜ୍ୟରେ ଉତ୍କଟ ଜଳାଭାବ ଦେଖାଦେଉଛି। ଏବେ ମୌସୁମୀ ସମୟରେ ଛତିଶଗଡ଼ର କାରନାମା ଓଡ଼ିଶାକୁ ବିପଦକୁ ଟାଣି ନେଇଛି। ଛତିଶଗଡ଼ରେ କ୍ରମାଗତ ବର୍ଷା କାରଣରୁ ବନ୍ୟା ସ୍ଥିତି ଜଟିଳ ରୂପ ଧାରଣ କରୁଛି। ସେଠାକାର ସବୁ ନଦୀ ଏବେ ଫୁଲି ରହିଛି। ମହାନଦୀର ଜଳସ୍ତର କ୍ରମାଗତ ଭାବେ ବଢ଼ି ଚାଲିଥିବା ବେଳେ ଏହାର ତଟରେ ଥିବା ଗାଁଗୁଡ଼ିକର ତଳି ଅଂଚଳକୁ ଖାଲି କରାଯାଉଛି। ସେଠାର ଜଳଭଣ୍ଡାର ଗୁଡିକରେ ଅସମ୍ଭାଳ ସ୍ଥିତି ଉପୁଜିବା କାରଣରୁ ଛତିଶଗଡ଼ ମହାନଦୀରେ ପାଣି ଛାଡ଼ିବା ଆରମ୍ଭ କରିଛି। ପାଖାପାଖି ୬ଲକ୍ଷ କ୍ୟୁସେକ୍ ଜଳ ସେକେଣ୍ଡ ପ୍ରତି ମହାନଦୀକୁ ଛଡ଼ାଯାଉଛି। ଏହି କାରଣରୁ ହୀରାକୁଦ ଜଳଭଣ୍ଡାର ପ୍ରତି ଚାପ ବଢ଼ିବାରେ ଲାଗିଛି। ଆଗକୁ ପୁଣି ଗୋଟିଏ ଲଘୁଚାପ ଆସୁଥିବା କାରଣରୁ ବିପଦ
ଦ୍ବିଗୁଣିତ ହୋଇଛି। ଏହାର ପରିଣାମ ଏବେ ଓଡ଼ିଶା ଭୋଗିବ। ଏମିତି ଯେ ଆସନ୍ତା ସପ୍ତାହେ ଯାଏ ମହାନଦୀ ଫୁଲିକି ରହିବ ଓ ତଳିଆ ଅଞ୍ଚଳରେ ଲୋକେ ନାହିଁ ନଥିବା ଦୁର୍ଦଶା ଭୋଗିବେ।
ଛତିଶଗଡ଼ ସ୍ଥିତି ଅନୁଧ୍ୟାନ କରିବା ପରେ ଜଣାପଡ଼ୁଛି ଯେ ଗତ ୧୪ ଓ ୧୫ ତାରିଖ ଦିନ ଛତିଶଗଡ଼ର ରାଜନନ୍ଦଗାଁଓ, ରାୟପୁର ସହିତ ଅନ୍ୟ କିଛି ଜିଲ୍ଲାରେ ମଧ୍ୟମଧରଣର ବର୍ଷା ହୋଇଥିଲା। ପାଣିପାଗ ବିଭାଗ ପକ୍ଷରୁ ୧୬ ଓ ୧୭ ତାରିଖ ପାଇଁ ‘ହାଇ ଆଲର୍ଟ’ ଜାରି କରାଯାଇଥିଲା। ଏହି ବର୍ଷା ସେଠାକାର ଅଧିକାଂଶ ଅଞ୍ଚଳକୁ ଜଳାର୍ଣ୍ଣବ କରି ରଖିଛି। ପରିମାଣ କମିଲେ ବି ଆଜି ବର୍ଷା ଜାରି ରହିଛି। ଆସନ୍ତାକାଲି ଆଡ଼କୁ ବର୍ଷା କମିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପ୍ରାକ୍ ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବଢ଼ିଚାଲିଥିବାରୁ ଜାଂଜଗୀର-ଚାମ୍ପା ଏବଂ ରାୟଗଡ଼ ଜିଲ୍ଲାର ନଦୀ ତଟରେ ଥିବା ଗାଁଗୁଡ଼ିକର ବନ୍ୟା ସ୍ଥିତି ନେଇ ସ୍ବତନ୍ତ୍ର ଭାବେ ନିରୀକ୍ଷଣ କରିବା ଏବଂ ସୁରକ୍ଷା ଉପାୟ ସୁନିଶ୍ଚିତ କରିବାପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ସବୁଠାରୁ ବଡ କଥା ହେଲା, ପ୍ରବଳ ବର୍ଷା ଯୋଗୁ ରାୟପୁର, ଦୁର୍ଗ ଓ ବସ୍ତର ଅଂଚଳରେ ଥିବା ଜଳସେଚନ ପ୍ରକଳ୍ପ ଓ ଅନ୍ୟ ଜଳଭଣ୍ଡାରଗୁଡ଼ିକର ଜଳସ୍ତର କ୍ରମାଗତ ଭାବେ ବଢ଼ି ଚାଲିଛି। ଏସବୁ ଜଳଭଣ୍ଡାରରୁ ପାଣି ଛଡ଼ାଯିବା କାରଣରୁ ମହାନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଧମତରୀ ଜିଲ୍ଲାରେ ଥିବା ରବିଶଙ୍କର ଜଳଭଣ୍ଡାର(ଗଂଗରେଲ)ରେ ୫୨ ହଜାର କ୍ୟୁସେକ୍, ସୋଣ୍ଡୁର ଜଳଭଣ୍ଡାରୁ ୫ ହଜାର କ୍ୟୁସେକ୍, ସିକାସେର୍ ଜଳଭଣ୍ଡାରରୁ ୧୩ ହଜାର ୪୦୦ କ୍ୟୁସେକ୍ ଏଭଳି ସର୍ବମୋଟ ୭୦ ହଜାର ୪୦୦ କ୍ୟୁସେକ୍ ପାଣି ମହାନଦୀରେ ଛଡ଼ାଯାଉଛି। ସେହିପରି ଶିବନାଥ ନଦୀରେ ନିର୍ମିତ ମୋଂଗରା ବ୍ୟାରେଜ, ସୁଖା ନାଳା ବ୍ୟାରେଜ ଓ ଘୁମରିୟା ବ୍ୟାରେଜରୁ ୭୦ ହଜାର କ୍ୟୁସେକ ପାଣି ଶିବନାଥ ନଦୀରେ ଛଡ଼ାଯାଇଛି। ଓଡ଼ିଶା ସୀମାନ୍ତରେ ଥିବା ଛତିଶଗଡ଼ ଶେଷ ବ୍ୟାରେଜ କଲ୍ମାରୁ ସର୍ବାଧିକ ୭ ଲକ୍ଷ କ୍ୟୁସେକ ପାଣି ଛଡ଼ାଯିବାର ବ୍ୟବସ୍ଥା ଥିବା ବେଳେ ଏବେ ଏଠାରୁ ୬ ଲକ୍ଷ କ୍ୟୁସେକ୍ ପାଣି ଛଡ଼ାଯାଉଥିବା ଜଣାପଡ଼ିଛି।
ସମ୍ବଲପୁର: ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ଅନ୍ୟ ବର୍ଷ ତୁଳନାରେ ଏଥର ଜଳପ୍ରବେଶ ବି ବଢ଼ିଛି। ସ୍ଥିତି ଏମିତି ହୋଇଛି ଯେ ଏପର୍ଯ୍ୟନ୍ତ ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ହେବାକୁ ଥିବା ହାରାହାରି ବାର୍ଷିକ ବୃଷ୍ଟିପାତର ୭୬.୨୨ ପ୍ରତିଶତ ବର୍ଷା ହୋଇସାରିଛି। ବିଶେଷଜ୍ଞଙ୍କ କହିବା ଅନୁସାରେ, ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ଯେତିକି ବର୍ଷା ହୋଇଥାଏ, ସବୁ ପାଣି ମହାନଦୀକୁ ନିଷ୍କାସନ ହେବାକୁ ପାଖାପାଖି ୬ ଦିନ ସମୟ ଲାଗିଥାଏ। ତେଣୁ ଜଳଭଣ୍ଡାରକୁ ଏହା ପ୍ରବେଶ କରିବାକୁ ଆଉ କିଛି ସମୟ ଲାଗିବ। ହୀରାକୁଦ ଜଳଭଣ୍ଡାର କ୍ୟାଚ୍ମେଣ୍ଟ ଏରିଆର ପାଖାପାଖି ୯୦ ପ୍ରତିଶତ ଛତିଶଗଡ଼ରେ ରହିଥିବା ବେଳେ ବାକି ଅଂଚଳ ଓଡ଼ିଶାରେ ରହିଛି। ହଁସଦେଓ, ଜଙ୍କ, ଅପର୍ ଜଙ୍କ, ଶିଓନାଥ ଭଳି କେତେକ ନଦୀ ଛତିଶଗଡ଼ର ବିଭିନ୍ନ ସ୍ଥାନରେ ମହାନଦୀ ସହିତ ମିଶିଛି। ଏପଟେ ଓଡ଼ିଶାର କେଲୋ, ଭେଡନ ଓ ଇବ୍ ଆଦି ନଦୀର ଜଳ ପୁଣି ହୀରାକୁଦ ଜଳଭଣ୍ଡାରକୁ ପଶୁଛି। ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ହାରାହାରି ବାର୍ଷିକ ବୃଷ୍ଟିପାତ ୧୧୧୫ ମିଳିମିଟର ହେଉଥିବା ବେଳେ ଏଥର ହାରହାରି ୮୪୯.୮୫ ମିଳି ମିଟର ବର୍ଷା ହୋଇସାରିଛି। ଅର୍ଥାତ ଏହାର ୭୬. ୨୨ ପ୍ରତିଶତ ବର୍ଷା ହୋଇସାରିଲାଣି।
ମହାନଦୀରେ ୧୯୬୧ ମସିହାରେ ସର୍ବାଧିକ ୧୫.୦୫ ଲକ୍ଷ କ୍ୟୁସେକ୍ ପାଣି ଆସିଥିବା ବେଳେ ଏବେ କିନ୍ତୁ ଛତିଶଗଡ଼ର ଶେଷ ଜଳ ନିଷ୍କାସନ ପଥ କଲମା ବ୍ୟାରେଜରେ ୬ କ୍ୟୁସେକ୍ ପାଣି ମହାନଦୀରେ ଛଡ଼ାଯାଇଛି। ଏହା ବ୍ୟତୀତ କେଲୋ ଓ ଇବ୍ ନଦୀରେ ସର୍ବାଧିକ ୨.୩୦ ଲକ୍ଷ କ୍ୟୁସେକ୍ ପାଣି ହୀରାକୁଦ ପ୍ରବେଶ ରେକର୍ଡ ଥିବା ବେଳେ ଏଥର ୨ ଲକ୍ଷ କ୍ୟୁସେକ୍ ପାଣି ପ୍ରବେଶ କରିଛି। ଯେତିକି ଆଶା କରାଯାଉଥିଲା, ତାଠାରୁ ଅଧିକ ବର୍ଷା ହେବା କାରଣରୁ ହୀରାକୁଦ ଅଧିକ ଜଳପ୍ରବେଶ କରିଥିଲା। ବନ୍ୟା ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଖୋଲାଯାଇଥିବା ୩୪ଟି ଗେଟ୍ରୁ ୮ଟି ଗେଟ୍ ବନ୍ଦ ରଖାଯାଇଥିଲା। ତେବେ, ଜଳସ୍ତର କ୍ରମାଗତ ଭାବେ ବଢ଼ି ଚାଲିଥିବାରୁ ହୀରାକୁଦ ଜଳଭଣ୍ଡାରର ସୁରକ୍ଷାକୁ ଦୃ୍ଷ୍ଟିରେ ରଖି ଆଜି ପୁଣି ୩ଟି ପର୍ଯ୍ୟାୟରେ ଅଧିକ ଗେଟ୍ ୧୪ଟି ଗେଟ୍ ଖୋଲଯାଇଛି। ସ୍ଲୁଇସ୍ ଗେଟ୍ ଓ ପାୱାର ଚାନେଲଦେଇ ସର୍ବମୋଟ ୬,୬୯,୨୨୪ କ୍ୟୁସେକ୍ ପାଣି ମହାନଦୀରେ ଛଡ଼ାଯାଇଥିବା ବେଳେ ଆସନ୍ତାକାଲି ବୁଧବାର ରାତି ୮ଟାରେ ଏହା ବଡ଼ମୂଳ ଏବଂ ଗୁରୁବାର ସକାଳ ୮ଟାରେ ମୁଣ୍ଡଳି ନିକଟରେ ପହଂଚିବା ନେଇ ଆକଳନ କରାଯାଇଛି।