ସମ୍ବଲପୁର : ଓଡ଼ିଶାର ଜୀବନରେଖା ମହାନଦୀ ଉପରେ ଥିବା ହୀରାକୁଦ ଜଳଭଣ୍ଡାର ଜଳ ନିୟନ୍ତ୍ରଣ ଏକ ପ୍ରକାର ଛତିଶଗଡ଼ ସରକାରଙ୍କ ମର୍ଜି ଉପରେ ନିର୍ଭର କରୁଛି। କେଉଁ ବର୍ଷ ଅଧିକ ପାଣି ଛାଡ଼ୁଛି ତ କେଉଁ ବର୍ଷ ପୁଣି କମ୍‌ ଛାଡ଼ୁଛି। ତେବେ, ହୀରାକୁଦ ଜଳଭଣ୍ଡାରକୁ ଗତ ୨୦୨୧ ମସିହାରେ ଜଳପ୍ରବାହ ସାଂଘାତିକ ଭାବେ ହ୍ରାସ ପାଇଥିଲା। ଗତ ୬୨ ବର୍ଷର ହାରାହାରି ଜଳପ୍ରବାହ ଅନୁପାତରୁ ୨୬ ପ୍ରତିଶତ ଜଳ ହୀରାକୁଦ ଜଳଭଣ୍ଡାରକୁ କମ୍ ଆସିଥିବା ଜଣାପଡ଼ିଛି।

Advertisment

ହୀରାକୁଦ ଜଳଭଣ୍ଡାର କ୍ୟାଚ୍‌ମେଣ୍ଟ ଏରିଆର ପାଖାପାଖି ୯୦ ପ୍ରତିଶତ ଛତିଶଗଡ଼ରେ ରହିଥିବା ବେଳେ ବାକି ଅଂଚଳ ଓଡ଼ିଶାରେ ରହିଛି। ହୀରାକୁଦ ଜଳଭଣ୍ଡାରକୁ ମୌସୁମୀ ଋତୁରେ (ଜୁନ୍‌ରୁ ଅକ୍ଟୋବର ମାସ)ରେ ଅଧିକ ପାଣି ଆସିଥିବା ବେଳେ ଅଣମୌସୁମୀ ଋତୁରେ (ନଭେମ୍ବରରୁ ମେ)ରେ ତାଠାରୁ ଜଳ ପ୍ରବାହ ଜଳଭଣ୍ଡାରକୁ ବହୁତ ହ୍ରାସ ପାଇଥାଏ। ଜଳ ସଂପଦ ବିଭାଗର ତଥ୍ୟ କହୁଛି, ଗତ ୧୯୫୮ରୁ ୨୦୨୦ ମସିହା ମଧ୍ୟରେ ମୌସୁମୀ ଋତୁରେ ହୀରାକୁଦ ଜଳଭଣ୍ଡାରକୁ ବାର୍ଷିକ ହାରାହାରି ୨୪.୪୪୯ ନିୟୁତ ଏକର ଫୁଟ୍ ଜଳପ୍ରବାହ ହୋଇଥିଲା। ୨୦୨୧ ମସିହାରେ କିନ୍ତୁ ଏହାର ମାତ୍ର ୭୪ ପ୍ରତିଶତ ଅର୍ଥାତ ୧୮.୧୦୮ ନିୟୁତ ଏକର ଫୁଟ୍ ଜଳ ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରିଥିଲା। ଏହି ୬୨ ବର୍ଷ ମଧ୍ୟରେ ହୀରାକୁଦ ଜଳଭଣ୍ଡାରକୁ ୧୯୬୧ ମସିହାରେ ସର୍ବାଧିକ ୭୧.୪୧୯ ନିୟୁତ ଏକର ଫୁଟ୍ ପାଣି ଆସିଥିବା ବେଳେ ୨୦୦୦ ମସିହାରେ ବର୍ଷାଭାବ ଯୋଗୁ ସର୍ବନିମ୍ନ ମାତ୍ର ୮.୨୮୭ ନିୟୁତ ଏକର ଫୁଟ୍ ପାଣି ପ୍ରବେଶ କରିଥିଲା।

publive-image WordPress.com

୨୦୨୦ ମସିହାରେ କିନ୍ତୁ ଏହି ୬୨ ବର୍ଷର ହାରାହାରି ଜଳପ୍ରବାହଠାରୁ ଅଧିକ ପାଣି ଆସଥିଲା। ଏହି ବର୍ଷ ୩୦ ନିୟୁତ ୮୩୮ ଏକର ଫୁଟ୍ ଅଧିକ ପାଣି ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରିଥିଲା। ଗତ ୨୦୨୨ ମସିହାରେ ମୌସୁମୀ ଋତୁରେ ଜଳପ୍ରବାହ ୨୬.୬୬୬ ନିୟୁତ ଏକର ଫୁଟ୍‌ ରହିଛି। ସେହିପରି ଗତ ୨୦୧୯-୨୦ ଅଣମୌସୁମୀ ଋତୁରେ ୧.୯୪୯ ନିୟୁତ ଏକର ଫୁଟ ଜଳ ଆସିଥିବା ବେଳେ ୨୦୨୦-୨୧ ବର୍ଷରେ ତାହା କମିଯାଇ ୧.୧୮୫ରେ ସୀମିତ ରହିଥିଲା। ଗତ ୨୦୨୧-୨୨ ବର୍ଷରେ ଅଣମୌସୁମୀ ଋତୁରେ ୧.୬୫୩ ନିୟୁତ ଏକର ଫୁଟ୍ ଜଳ ହୀରାକୁଦ ଜଳଭଣ୍ଡାରକୁ ଆସିଛି। ସେହିପରି ୨୦୨୨-୨୩‌ରେ ମାର୍ଚ୍ଚ ସୁ୍‌ଦ୍ଧା ୦.୭୫୨ ନିୟୁତ ଏକର ଫୁଟ ଜଳ ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରିଛି।

ଛତିଶଗଡ଼ ସରକାର ନିଜ ଆବଶ୍ୟକତା ମୁତାବକ ବ୍ୟାରେଜଗୁଡ଼ିକରେ ପାଣି ସଂରକ୍ଷିତ ରଖିବା ପରେ ଏକ ପ୍ରକାର ବଳକା ପାଣିକୁ ମହାନଦୀରେ ଓଡ଼ିଶା ପାଇଁ ଛାଡ଼ୁଛନ୍ତି। ମୌସୁମୀ ଋତୁରେ ହୀରାକୁଦ କ୍ୟାଚମେଣ୍ଟ ଏରିଆରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ପ୍ରାକ୍‌ ସୂଚନା ମିଳିବା ପରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଥାଏ। ଏଭଳି ସ୍ଥିତିରେ ଛତିଶଗଡ଼ ସରକାର ଅଚାନକ ବ୍ୟାରେଜଗୁଡ଼ିକର ସବୁ ଗେଟ୍ ଖୋଲି ଦେଇ ଓଡ଼ିଶା ପାଇଁ ବିପଦ ସୃଷ୍ଟି କରିବାକୁ ପଛାଉ ନାହାନ୍ତି। ଅନ୍ୟପଟେ ଅଣମୌସୁମୀ ଋତୁରେ ମହାନଦୀର ଜଳସ୍ରୋତକୁ ଏକ ପ୍ରକାର ନିଜ ନିୟନ୍ତ୍ରଣ‌ରେ ରଖି ଛତିଶଗଡ଼ର ବ୍ୟାରେଜଗୁଡ଼ିକରେ ପାଣି ଉଛୁଲିଛି। ଅନ୍ୟପଟେ ତଳମୁଣ୍ଡରେ ଓଡ଼ିଶା ଭାଗରେ ଥିବା ମହାନଦୀ ଶୁଖିଲା ପଡ଼ିଛି। ମହାନଦୀରେ ଗାଂଗରେଲ ଡ୍ୟାମ୍‌ରୁ ପାଣିକୁ ତାନ୍ଦୁଲା ଡ୍ୟାମ୍‌କୁ ପଠାଯିବା ନେଇ ଛତିଶଗଡ଼ ସରକାର ଯୋଜନା ରଖିଛନ୍ତି। ଏହା କାର୍ଯ୍ୟକାରୀ ହେଲେ ଓଡ଼ିଶାର ଜୀବନରେଖା ମହାନଦୀ ଆଗାମୀ ଦିନରେ ବର୍ଷା ଋତୁରେ ବି ଶୁଖିଲା ପଡ଼ିବା ଆଶଙ୍କା ସୃଷ୍ଟି ହୋଇଛି। ଆଉ ଏଭଳି ହେଲେ ଓଡ଼ିଶାବାସୀଙ୍କୁ ଭୟଙ୍କର ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ।