ସମ୍ବଲପୁର: ଏବେଠୁ କମିଲାଣି ମହାନଦୀର ଜଳ ପ୍ରବାହ। ଛତିଶଗଡ଼ ସରକାର ମହାନଦୀ ଉପରେ ଗଢ଼ିଥିବା ନିଜର ବ୍ୟାରେଜ୍‌ଗୁଡ଼ିକରେ ଏଥର ଆଗୁଆ ଗେଟ୍‌ ପକାଇବା ଆରମ୍ଭ କରିବା ପରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ହୀରାକୁଦ ଜଳଭଣ୍ଡାରରୁ ଗତ ବର୍ଷ ତୁଳନାରେ ଏବେ ବହୁତ କମ୍ ପାଣି ପ୍ରବେଶ କରୁଛି।

Advertisment

ଓଡ଼ିଶାର ଜୀବନରେଖା ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ର ମନମୁଖୀ ବ୍ୟାରେଜ୍‌ ନିର୍ମାଣ ଯୋଗୁଁ ଅଣମୌସୁମୀ ସମୟରେ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ହାର କମିବାରେ ଲାଗିଛି। ହୀରାକୁଦ ଜଳଭଣ୍ଡାର ମହାନଦୀ ଓ ଏହାର ଉପନଦୀଗୁଡ଼ିକ ଉପରେ ନିର୍ଭର କରିଥାଏ। ହୀରାକୁଦ ଜଳଭଣ୍ଡାର କ୍ୟାଚ୍‌ମେଣ୍ଟ ଅଂଚଳର ପାଖାପାଖି ୯୦ ପ୍ରତିଶତ ଛତିଶଗଡ଼ରେ ରହିଥିବା ବେଳେ ବାକି ଅଂଚଳ ଓଡ଼ିଶାରେ ରହିଛି। ମୌସୁମୀ ଋତୁ (ଜୁନ୍‌ରୁ ଅକ୍‌ଟୋବର)ରେ ହୀରାକୁଦକୁ ଯେତିକି ପାଣି ଆସିଥାଏ, ଅଣମୌସୁମୀ ଋତୁ (ନଭେମ୍ବରରୁ ମେ)ରେ ତା’ ଠାରୁ ଯଥେଷ୍ଟ କମ୍‌ ପାଣି ଜଳଭଣ୍ଡାରକୁ ପ୍ରବେଶ କରିଥାଏ। ଓଡ଼ିଶାକୁ ମହାନଦୀର ପ୍ରବେଶ ସ୍ଥଳଠାରୁ ଅଳ୍ପ କିଛି ଦୂରରେ ଛତିଶଗଡ଼ ସୀମାରେ ରହିଛି କଲ୍‌ମା ବ୍ୟାରେଜ୍‌। ହୀରାକୁଦ ଜଳଭଣ୍ଡାର ଉପର ମୁଣ୍ଡରେ ମହାନଦୀର କଲ୍‌ମା ବ୍ୟାରେଜର ଉପରେ ସାରାଡ଼ିହ, ବସନ୍ତପୁର, ମିରୋନି, ସିଉରି ନାରାୟଣ, ସମୋଦା ଆଦି ୫ଟି ବ୍ୟାରେଜ୍‌ ରହିଛି।

ଛତିଶଗଡ଼ ସରକାର କଲମା ଉପରେ ଥିବା ବ୍ୟାରେଜ୍‌ଗୁଡ଼ିକର ପ୍ରାୟତଃ ଗେଟ୍‌ ବନ୍ଦ କରିଦେଲେଣି। ସାରାଡ଼ିହ ବ୍ୟାରେଜର ୮୧ଟି ଗେଟ୍‌ ମଧ୍ୟରୁ ଆଜି ମାତ୍ର ୬ଟି ଗେଟ୍‌ ଖୋଲାଥିବା ବେଳେ ଅନ୍ୟ ୭୫ଟି ଗେଟ୍‌ ବନ୍ଦ ରହିଛି। ପ୍ରାୟ ୧ କିଲୋମିଟର ୯୮ ମିଟର ଦୈର୍ଘ୍ୟ ବିଶିଷ୍ଟ କଲ୍‌ମା ବ୍ୟାରେଜରେ ଆଜି ୧ ମିଟର ଉଚ୍ଚତାରେ ପାଣି ରହିଛି। ୬୬ଟି ଗେଟ୍‌ ବିଶିଷ୍ଟ ଏହି ବ୍ୟାରେଜରେ ଅକ୍ଟୋବର ୧୫ ପରେ ଗେଟ୍‌ ପଡ଼ିବା ଆରମ୍ଭ ହୋଇଥାଏ। ଅକ୍ଟୋବର ଶେ‌ଷ ସୁଦ୍ଧା ଛତିଶଗଡ଼ ପ୍ରାୟତଃ ସବୁ କଲ୍‌ମାର ସବୁ ଗେଟ୍ ବନ୍ଦ କରିଦେଇଥାଏ। ୮ଟି ଶିଳ୍ପାନୁଷ୍ଠାନକୁ ଜଳଯୋଗାଣ ନିମନ୍ତେ ଛତିଶଗଡ଼ ସରକାର ଚୁକ୍ତି କରିଥିବାରୁ ବ୍ୟାରେଜର ଗେଟ୍‌ ପକେଇଥାନ୍ତି। ଆଉ ଗେଟ୍ ପକାଇବା ସାଂଘାତିକ ଭାବେ ଜଳପ୍ରବାହ ହ୍ରାସ ପାଇଥାଏ। ତ‌େବେ, ଛତିଶଗଡ଼ ସରକାର ଏଥର ଆଗୁଆ ବ୍ୟାରେଜଗୁଡ଼ିକର ଗେଟ୍‌ ପକାଇବା ଆରମ୍ଭ କରିଥିବାରୁ ମହାନଦୀରେ ଜଳପ୍ରବାହ କରିଛ। ଗତ ବର୍ଷ ୧୪ ଅକ୍ଟୋବର ଦିନ ୫୧,୦୪୮ କ୍ୟୁସେକ୍ ପାଣି ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରୁଥିଲା। ହେଲେ, ଆଜି ସକାଳ ୯ଟାରେ ୨୩,୭୬୧ କ୍ୟୁସେକ୍ ପ୍ରବେଶ କରୁଥିବା ବେଳେ ସନ୍ଧ୍ୟାରେ କିନ୍ତୁ ମାତ୍ର ୪୫୧୬ କ୍ୟୁସେକ୍ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ କରୁଥିବା ବିଭାଗୀୟ ସୂତ୍ରର ଜଣାପଡ଼ିଛି। ଅପରପକ୍ଷରେ ଜଳଭଣ୍ଡାରର ଜଳସ୍ତର ୬୨୯.୪୭ ଫୁଟ୍ ରହିଛି।