ହୀରାକୁଦ ଜଳ ପରିଚାଳନା ସମନ୍ବୟ ବୈଠକ: ଡିସେମ୍ବରରୁ ସ୍ଥିର ହେବ ଉପର ମୁଣ୍ଡ ଡ୍ୟାମ୍‌ର ରୁଲ କର୍ଭ, ଆକ୍ସନ ପ୍ଲାନ୍‌

ଅଗଷ୍ଟରୁ ଛତିଶଗଡ଼ ନିଜ ଜଳଭଣ୍ଡାର ନ ଭରିବାକୁ ଅନୁରୋଧ କଲା ଓଡ଼ିଶା

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ଥିବା ଜଳଭଣ୍ଡାର ଗୁଡ଼ିକର ରୁଲ କର୍ଭ ଓ ଜରୁରୀ ଆକ୍ସନ ପ୍ଲାନ୍‌ର ବିସ୍ତୃତ ସୂଚନା ଡିସେମ୍ବର ସୁଦ୍ଧା ଦେବ ଛତିଶଗଡ଼। ହୀରାକୁଦ ଜଳଭଣ୍ଡାର ଜଳ ପରିଚାଳନାରେ ସମନ୍ବୟ ରକ୍ଷା ପାଇଁ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଜଳଭଣ୍ଡାରର ସୁରକ୍ଷା ପାଇଁ ଛତିଶଗଡ଼ ପକ୍ଷରୁ କେତେ ଗଛ ଲଗାଯାଇଛି ସେ ସମ୍ପର୍କରେ ତଥ୍ୟ ପ୍ରଦାନ କରିବାକୁ ଓଡ଼ିଶା ପକ୍ଷରୁ ଅନୁରୋଧ କରାଯାଇଛି।

ହୀରାକୁଦ ଜଳଭଣ୍ଡାର ପରିଚାଳନାରେ ସମନ୍ବୟ ରକ୍ଷା ପାଇଁ ବିଳମ୍ବରେ ହେଲେ ବି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଯାଇଛି। କୋଭିଡ୍ ପରିସ୍ଥିତି କାରଣରୁ ଏଥର ଅନଲାଇନରେ ବୈଠକ ଓ ଆଲୋଚନା ହୋଇଥିଲା। ଓଡ଼ିଶା ଜଳସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ଜ୍ୟୋତି ରଥ, ହୀରାକୁଦ ମୁଖ୍ୟ ବନ୍ଧ ତଥା ମହାନଦୀ ଅପର୍‌ ବେସିନ୍‌ର ମୁଖ୍ୟ ଯନ୍ତ୍ରୀ ସୁନୀଲ ନାୟକ, ସିଡବ୍ଲୁସି ନିର୍ଦେଶକଙ୍କ ସମେତ ଜଳ ସମ୍ପଦ ବିଭାଗର ଉଭୟ ରାଜ୍ୟର ପଦସ୍ଥ ଅଧିକାରୀଙ୍କ ଉପସ୍ଥିତିରେ ଏହି ଆଲୋଚନା ହୋଇଥିଲା।  ଏହି ଅବସରରେ ପ୍ରଥମେ ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ଛତିଶଗଡ଼ରେ ଥିବା ବିଭିନ୍ନ ଡ୍ୟାମରୁ ଜଳ ନିଷ୍କାସନ, ଡ୍ୟାମର ସ୍ଥିତି, ବର୍ଷା, ଗତ ବର୍ଷ ଡ୍ୟାମ୍‌ ଗୁଡ଼ିକ ଠିକ ଭାବରେ କାର୍ଯ୍ୟ କରିଥିଲା କି ନାହିଁ, ଗେଟର କାର୍ଯ୍ୟ କୁଶଳତା ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା। ଅଗଷ୍ଟ ମାସ ଶେଷ ବେଳକୁ ଛତିଶଗଡ଼ରେ ଥିବା ହୀରାକୁଦ ଉପରମୁଣ୍ଡ ଡ୍ୟାମ ଗୁଡ଼ିକରେ ପୂର୍ଣ୍ଣ କ୍ଷମତାରେ ଜଳ ରଖାଯାଏ। ଏହା ଓଡ଼ିଶା ପାଇଁ ବିପଜ୍ଜନକ। ତେଣୁ ଅଗଷ୍ଟ ମାସରେ ଡ୍ୟାମଗୁଡ଼ିକରେ ଏତେ ଅଧିକ ପାଣି ନ ରଖି ନିଷ୍କାସିତ କରି ଦେବା ପାଇଁ ଓଡ଼ିଶା ପକ୍ଷରୁ ଅନୁରୋଧ କରାଯାଇଥିଲା।

ହୀରାକୁଦ ସମେତ ସମସ୍ତ ଝଳଭଣ୍ଡାର ଗୁଡ଼ିକ ପୋତି ହୋଇ ପଡ଼ୁଛି। ଏତେ ମାଟି କାଢିବା ସହଜ କାର୍ଯ୍ୟ ନୁହେଁ। ଗଛ ଲଗାଇବା ହିଁ ଏହାର ଏକମାତ୍ର ସମାଧାନ। ଛତିଶଗଡ଼ ପକ୍ଷରୁ ଏହା ଉପରେ କଣ ସବୁ ପଦକ୍ଷେପ ନିଆଯାଇଛି, ସେନେଇ ଆଲୋଚନା ହୋଇଥିଲା। ଏହାକୁ ନେଇ ତଥ୍ୟ ଭିତ୍ତିକ ରିପୋର୍ଟ ପ୍ରଦାନ ପାଇଁ ଛତିଶଗଡ଼ର ଜଳସମ୍ପଦ ବିଭାଗକୁ ଅନୁରୋଧ କରାଯାଇ ଥିଲା। ହୀରାକୁଦ ଜଳଭଣ୍ଡାରର ରୁଲ କର୍ଭ ଓ ଜରୁରୀ ଆକ୍ସନ ପ୍ଲାନ ରହିଛି। ଛତିଶଗଡ଼ର ରବିଶଙ୍କର ଡ୍ୟାମ, ବେଙ୍ଗୋ ଡ୍ୟାମର ଜରୁରୀ ଆକ୍ସନ୍‌ ପ୍ଲାନ ରହିଛି। ଡିସେମ୍ବର ସୁଦ୍ଧା ଛତିଶଗଡ଼ ଏ ସମ୍ପର୍କରେ ଓଡ଼ିଶାକୁ ଜଣାଇବ। ରୁଲ କର୍ଭ ନଥିବା ଜଳଭଣ୍ଡାର ଗୁଡ଼ିକର ରୁଲ୍‌ କର୍ଭ ପ୍ରସ୍ତୁତ କରିବା ପାଇଁ ଓଡ଼ିଶା ପକ୍ଷରୁ ପରାମର୍ଶ ଦିଆ ଯାଇଥିଲା। ଏହି ଅବସରରେ ହୀରାକୁଦ ଜଳ ପରିଚାଳନା ନେଇ ଛତିଶଗଡ଼ ପକ୍ଷରୁ ଆବଶ୍ୟକ ସୂଚନା ପ୍ରଦାନ ସମ୍ପର୍କରେ ମଧ୍ୟ ଜଳଭଣ୍ଡାରର ମୁଖ୍ୟ ଯନ୍ତ୍ରୀଙ୍କୁ ପଚାରାଯାଇ ଥିଲା। ଉଭୟ ରାଜ୍ୟ ମଧ୍ୟରେ ସୂଚନା ଆଦାନ ପ୍ରଦାନ ବର୍ଷ ତମାମ ଜାରି ରଖିବା ଉପରେ ଉଭୟ ପକ୍ଷ ଗୁରୁତ୍ବ ଦେଇଥିଲେ। ୨୦୧୮ ମସିହାରେ ଗୋଟିଏ ଦିନରେ ସମ୍ବଲପୁରରେ ୬୨୨ ମିଲିମିଟର ବର୍ଷା ହୋଇଥିଲା। ସେହି ବର୍ଷ ବୁର୍ଲାରେ ୫୮୨ ମିଲିମିଟର ବର୍ଷା ହୋଇଥିଲା। ୧୯୮୨ ମସିହାରେ ସେହି ଭଳି ବିପଜ୍ଜନକ ସ୍ଥିତି ସୃଷ୍ଟି ହୋଇଥିଲା। ଏଭଳି ସ୍ଥିତିରେ ଉଭୟ ରାଜ୍ୟ ମଧ୍ୟରେ ସମନ୍ବୟ ରକ୍ଷାର ଆବଶ୍ୟକତା ଜରୁରୀ ବୋଲି ଅଧିକାରୀମାନେ କହିଥିଲେ।

ସମ୍ବନ୍ଧିତ ଖବର