ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଜଳ ପରିଚାଳନାକୁ ନେଇ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ଥିବା ସତ୍ତ୍ବେ ଗତ ୨୦ ତାରିଖ ଦିନ ଖୋଲାଥିବା ସମସ୍ତ ୧୦ଟି ବନ୍ଦ କରି ହୀରାକୁଦ ଜଳଣ୍ଡାରରୁ ମହାନଦୀକୁ ବନ୍ୟାଜଳ ନିଷ୍କାସନ ବନ୍ଦ କରିଦିଆଗଲା। କେଉଁ ଆଧାରରେ ଏପରି ନିଷ୍ପତ୍ତି ବନ୍ଧ କର୍ତ୍ତୃପକ୍ଷ ନେଲେ, ତାହା ବୁଝାପଡୁନାହିଁ। ଗତ ୨୦ ତାରିଖ ମଧ୍ୟାହ୍ନ ୧୨ଟାରେ ଜଳସ୍ତର ୬୨୮ ଫୁଟ ଅତିକ୍ରମ କରିଥିଲା। ସେବେ ବର୍ଷା ଲାଗି ରହିଥିଲା। ଜଳଭଣ୍ଡାରକୁ ଜଳପ୍ରବେଶ ହାର ୧ ଲକ୍ଷ ୩୬ ହଜାର ୮୩ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ସତ୍ତ୍ବେ ବନ୍ୟାଜଳ ନିଷ୍କାସନ ପୂର୍ଣ୍ଣ ଭାବେ ବନ୍ଦ କରିବା ଏକ ବଡ଼ ଭୁଲ ତଥା ବିପଦପୂର୍ଣ୍ଣ ପଦକ୍ଷେପ ବୋଲି ଅବସରପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ ରବୀନ୍ଦ୍ର କୁମାର ପଣ୍ଡା ଏକ ବିବୃତିରେ କହିଛନ୍ତି। ସେହି ସମୟରେ ଜଳଭଣ୍ଡାର ପୂର୍ଣ୍ଣ ଭର୍ତ୍ତି ହେବା ପାଇଁ ମାତ୍ର ପାଖାପାଖି ୦.୩୨ ନିୟୁତ ଏକର ଫୁଟ ( ଭର୍ତ୍ତି ହେବା ପାଇଁ ଦିନକରେ ପାଖପାଖି ୧ ଲକ୍ଷ ୬୦ ହଜାର କ୍ୟୁସେକ୍ ବନ୍ୟା ଜଳ ପ୍ରବେଶର ସଂରକ୍ଷଣର ଆବଶ୍ୟକ ଥିଲା) କ୍ଷମତା ବାକି ଥିଲା।

Advertisment

ଯଦି ୨୦ ତାରିଖ ସନ୍ଧ୍ୟାରେ ଭେଡେନ-ଇବ୍‌ ଅବବାହିକା ତଥା ଜଳଭଣ୍ଡାରର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ତଥା ଝାରସୁଗୁଡ଼ା, କୁଚିଣ୍ଡା, ସୁନ୍ଦରଗଡ଼, ବରଗଡ଼ରେ ଭଲ ବର୍ଷା ହୋଇଥାନ୍ତା, ତେବେ ୨୧ ତାରିଖ ଭୋର ସକାଳ ସୁଦ୍ଧା ହୀରାକୁଦ ଜଳଭଣ୍ଡାର ପୂର୍ଣ୍ଣ ଭାବେ ଭର୍ତ୍ତି ହେବାର ବହୁତ ସମ୍ଭାବନା ରହିଥିଲା। କାରଣ ହେଲା, ଭେଡ଼େନ ନଦୀର ବନ୍ୟା ଜଳ ୬ ଘଣ୍ଟା ଓ ଇବ୍‌ ନଦୀ ବନ୍ୟାଜଳ ୯ ଘଣ୍ଟାରେ ହୀରାକୁଦ ଜଳଭଣ୍ଡାରକୁ ପହଞ୍ଚି ଯାଇଥାଏ। ସୌଭାଗ୍ୟର କଥା ହେଲା ଯେ ସେପରି ପରିସ୍ଥିତି ସୃଷ୍ଟି ହେଲା ନାହିଁ। ପୁଣି ଗତ ୧୯ ତାରିଖରୁ ଅନ୍ୟ କେତେକ ଜିଲ୍ଲା ସହ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ତଥା ବରଗଡ଼ ଜିଲ୍ଲାରେ ଲଘୁଚାପଜନିତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପାଣିପାଗ ବିଭାଗ ଆକଳନ କରିଥିଲା। ଏପରି ପରିସ୍ଥିତିରେ ବନ୍ୟା ଜଳ ନିଷ୍କାସନ ସଂପୂର୍ଣ୍ଣ ବନ୍ଦ କରିବା ହୀରାକୁଦ ବନ୍ଧ କର୍ତ୍ତୃପକ୍ଷଙ୍କ ବଡ଼ ଭୁଲ ନିଷ୍ପତ୍ତି ବୋଲି କହାଯିବ।

ମହାନଦୀର ଉପର ଓ ତଳ ମୁଣ୍ଡରେ ବର୍ଷା ଟ୍ରେଣ୍ଡ୍‌ ଅନୁସାରେ ୨୧ ତାରିଖ ଠୁ ହୀରାକୁଦକୁ ବନ୍ୟା ଜଳ ପ୍ରବେଶ ହାର ଧୀରେ ଧୀରେ ବୃଦ୍ଧି ପାଇବାକୁ ଲାଗିଥିଲା। ଏଭଳି ସ୍ଥିତିରେ ପୁଣି ବନ୍ୟା ଜଳ ନିଷ୍କାସନ ପାଇଁ ୨୧ ତାରିଖ ଅପରାହ୍‌ଣ ୪ଟାରୁ ୬ଟି ଗେଟ୍‌ ଖୋଲିବାକୁ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ବାଧ୍ୟ ହୋଇଥିଲେ। ୨୧ ସନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୯.୩୧ ଫୁଟରେ ପହଞ୍ଚିଥିଲା। ଗତ ୨୦ ତାରିଖ ସବୁ ଗେଟ୍‌ ବନ୍ଦ କରିଥିବା ବେଳେ ପୁଣି ୨୧ ତାରିଖ ଅପରାହ୍‌ଣ ୪ଟାରେ ୬ଟି ଗେଟ୍ ଖୋଲିବାକୁ ଆଦେଶ ଦେବାକୁ ପଡ଼ିଲା, ଏଥିରୁ ପ୍ରମାଣିତ ଯେ ବନ୍ଧ କର୍ତ୍ତୃପକ୍ଷଙ୍କ ଠିକ୍ ଭାବେ ଆକଳନ କରି ପାରୁନାହାନ୍ତି ବୋଲି ଇଂ. ପଣ୍ଡା କହିଛନ୍ତି। ଏ ସଂକ୍ରାନ୍ତରେ ମୁଖ୍ୟଯନ୍ତ୍ରୀ ତଥା ଉପର ମହାନଦୀ ଅବବାହିକା ପରିଚାଳକ ଇଂ. ଆନନ୍ଦ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ୧୯ ତାରିଖ ଦିନ ଭାରତୀୟ ପାଣିପାଗ ବିଭାଗ ଯେତିକି ବର୍ଷା ପାଇଁ ଆକଳନ କରିଥିଲା, ତାଠାରୁ ଯଥେଷ୍ଟ କମ୍ ବର୍ଷା ହୋଇଥିଲା। ତେଣୁ, ତା ପରବର୍ତ୍ତୀ ଦିନଗୁଡ଼ିକରେ ବି ସେଭଳି ବର୍ଷା ହେବ ବୋଲି ଆମେ ଧରି ନେଇଥିଲୁ। ଏପଟେ ରୁଲ୍ କର୍ଭ ଅନୁସାରେ, ୨୧ ସେପ୍‌ଟେମ୍ବରରେ ଜଳସ୍ତର ସର୍ବନିମ୍ନ ୬୨୯.୫ ଫୁଟ୍ ରଖାଯିବାକୁ ଧାର୍ଯ୍ୟ ହୋଇଛି। ତେଣୁ, ୨୦ ତାରିଖ ଦିନ ସବୁ ଗେଟ୍ ବନ୍ଦ ରଖାଯାଇଥିଲା ବୋଲି ଇଂ. ସାହୁ କହିଛନ୍ତି।