ସମ୍ବଲପୁର: ଚଳିତ ଋତୁରେ ପ୍ରଥମଥର ପାଇଁ ହୀରାକୁଦ ଜଳଭଣ୍ଡାର ଏହାର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍ ସ୍ପର୍ଶ କରିଛି। ଦିନ ୩ଟା ବେଳେ ହୀରାକୁଦ ପାଣି ୬୩୦ ଫୁଟ୍ ଛୁଇଁ ଥିଲା। ମଙ୍ଗଳବାରରୁ ସମସ୍ତ ଗେଟ୍ ବନ୍ଦ କରା ଯାଇଥିବାରୁ ବୁଧବାର ଜଳଭଣ୍ଡାର ସର୍ବୋଚ୍ଚ ସ୍ତର ଛୁଇଁଥିଲା। ଅପରପକ୍ଷେ ଜଳପ୍ରବେଶ ବି ହ୍ରାସ ପାଇଛି। କିନ୍ତୁ ମଙ୍ଗଳବାର ରାତିରୁ ଓପିଟିସିଏଲ୍ର କଣ୍ଟାପାଲି ଫିଡର୍-୨ରେ ସମସ୍ୟା କାରଣରୁ ବୁର୍ଲା ଜଳ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରର ୨ଟି ୟୁନିଟ୍ରୁ ବିଦ୍ୟୁତ୍ ଉତ୍ପାଦନ ବନ୍ଦ କରାଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରରୁ ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ (ଓଏଚ୍ପିସି) ପାୱାର୍ ଚାନେଲ୍ ଜରିଆରେ ଯେତିକି ପାଣି ନେବା କଥା ସେତିକି ନେଇପାରୁ ନାହିଁ। ସେହି କାରଣରୁ ଜଳସ୍ତର ୬୩୦ ଫୁଟ୍ରେ ସ୍ଥିର ରଖିବା ପାଇଁ ବୁଧବାର ରାତି ୮ଟା ବେଳେ ହୀରାକୁଦର ପୁଣି ଗୋଟିଏ ଗେଟ୍ ଖୋଲା ଯାଇଛି। ଗେଟ୍ ଖୋଲିବା ପାଇଁ ସଂଧ୍ୟା ୬ଟାରୁ ସାଇରନ୍ ବାଜିବା ଆରମ୍ଭ ହୋଇଥିଲା।
ଓପିଟିସିଏଲ୍ କର୍ତ୍ତୃପକ୍ଷ ଫିଡର୍ ସଜାଡ଼ିବାରେ ଲାଗିଛନ୍ତି। ଏହା ଠିକ୍ ହେବା ପରେ ବୁର୍ଲା ପାୱାର୍ ହାଉସ୍ ପୁଣି ପୂର୍ଣ୍ଣ କ୍ଷମତାରେ ବିଦ୍ୟୁତ୍ ଉତ୍ପାଦନ କରିବ ଓ ଜଳଭଣ୍ଡାରରୁ ପାଣି ଯୋଗାଇ ଦିଆଯିବ ବୋଲି ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ପକ୍ଷରୁ କହାଯାଇଛି। ଓଏଚ୍ପିସିର ମୁଖ୍ୟ ମହାପ୍ରବନ୍ଧକ ଦେବାଶିଷ ମିଶ୍ର କହିଛନ୍ତି ଯେ ଆମର ୭ଟି ଯାକ ୟୁନିଟ୍ ଠିକ୍ ଅଛି ଓ ୬ଟିରୁ ବିଦ୍ୟୁତ୍ ଉତ୍ପାଦନ ଜାରି ରହିଛି। ଓପିଟିସିଏଲ୍ ଫିଡର୍ରେ ସମସ୍ୟା କାରଣରୁ ଗୋଟିଏ ୟୁନିଟ୍ରୁ ସାମୟିକ ଭାବେ ଉତ୍ପାଦନ ବନ୍ଦ ରହିଛି। ହୀରାକୁଦ ଅପର୍ ବେସିନ୍ ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି ଯେ ଯେହେତୁ ଜଳଭଣ୍ଡାରରେ ୬୩୦ ଫୁଟ୍ ପାଣି ଭରି ଯାଇଛି, ତେଣୁ ଆମେ ଏହା ଉପରକୁ ପାଣି ରଖିପାରିବୁ ନାହିଁ। ପାୱାର୍ ଚାନେଲ୍ରେ ଗତକାଲି ପର୍ଯ୍ୟନ୍ତ ଯେତିକି ପାଣି ଛଡ଼ା ଯାଉଥିଲା ସେତିକି ଜାରି ରହିଥିଲେ ଗେଟ୍ ଖୋଲିବାକୁ ପଡ଼ି ନଥାନ୍ତା। କିନ୍ତୁ ଯେହେତୁ ସେଠି କିଛି ସମସ୍ୟା ହେଲା ଓ ଜଳ ନିୟନ୍ତ୍ରିତ କରିବାକୁ ପଡ଼ିଲା ତେଣୁ ଗୋଟିଏ ଗେଟ୍ ଖୋଲା ଯାଇଛି। ଉକ୍ତ ସମସ୍ୟା ସୁଧୁରିଲେ ପୁଣି ଗେଟ୍ ବନ୍ଦ କରି ପାୱାର୍ ଚାନେଲ୍କୁ ପାଣି ଛଡ଼ାଯିବ ବୋଲି ଶ୍ରୀ ସାହୁ କହିଛନ୍ତି।
ବୁଧବାର ରାତି ୯ଟା ବେଳେ ହୀରାକୁଦ ଜଳସ୍ତର ୬୩୦ ଫୁଟ୍ରେ ସ୍ଥିର ଥିଲା। ସେହି ସମୟରେ ଜଳଭଣ୍ଡାରକୁ ହାରାହାରି ୪୬,୪୭୯ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ସମାନ ପରିମାଣର ଜଳ ନିଷ୍କାସିତ ହେଉଥିଲା। ସ୍ପିଲ୍ୱେ’ ବାମ ପାର୍ଶ୍ବର ଗୋଟିଏ ଗେଟ୍ ଦେଇ ୧୬,୪୪୦ କ୍ୟୁସେକ୍, ପାୱାର୍ ଚାନେଲ୍ ଦେଇ ୨୫,୧୧୦ କ୍ୟୁସେକ୍, ବରଗଡ଼ ମୁଖ୍ୟ କେନାଲ୍ ଦେଇ ୩,୯୫୫ କ୍ୟୁସେକ୍, ଶାସନ ମୁଖ୍ୟ କେନାଲ ଦେଇ ୬୩୦ କ୍ୟୁସେକ୍, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରି ଦେଇ ୧୦୮ କ୍ୟୁସେକ୍, ଶିଳ୍ପ ସଂସ୍ଥା ପାଇଁ ୨୩୬ କ୍ୟୁସେକ୍ ପାଣି ଛଡ଼ା ଯାଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ଉପର ମୁଣ୍ଡରେ ୮.୫୦ ମିଲିମିଟର୍ ଓ ତଳ ମୁଣ୍ଡରେ ୦.୦୫ ମିମି ନାମମାତ୍ର ବର୍ଷା ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ। ଉଲ୍ଲେଖଯୋଗ୍ୟ ଯେ ଗତ ୨୪ ଘଣ୍ଟା ଅର୍ଥାତ୍ ମଙ୍ଗଳବାର ସକାଳ ୮ଟାରୁ ବୁଧବାର ସକାଳ ୮ଟା ମଧ୍ୟରେ ହୀରକୁଦ ଜଳଭଣ୍ଡାରରୁ ପାୱାର୍ ଚାନେଲ୍ରେ ହାରାହାରି ୩୩,୫୪୪ କ୍ୟୁସେକ୍ ଜଳ ଛଡ଼ା ଯାଇଥିଲା। ସେହି ସମୟ ମଧ୍ୟରେ ବୁର୍ଲା ପାୱାର୍ ହାଉସ୍ରୁ ହାରାହାରି ୨୫୭ ମେଗାୱାଟ୍ ଓ ଚିପିଲିମା ପାୱାର୍ ହାଉସ୍ରୁ ୬୦.୭୯୨ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦିତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/15-23.jpg)