ହୀରାକୁଦ ମୁଖ୍ୟ ପାଇପ୍ ଜାମ୍, ସମ୍ବଲପୁର ସହରକୁ ଜଳଯୋଗାଣ ବାଧାପ୍ରାପ୍ତ

ସମ୍ବଲପୁର/ହୀରାକୁଦ: ସମ୍ବଲପୁର ସହରକୁ ଜଳଯୋଗାଣ ବାଧାପ୍ରାପ୍ତ ହୋଇଛି। ହୀରାକୁଦର ଜଳଯୋଗାଣ ପ୍ରକଳ୍ପ ନିକଟରେ ମୁଖ୍ୟ ପାଇପ୍‌ ଲାଇନ୍‌ ଜାମ୍ ହୋଇଯିବା କାରଣରୁ ଏହି ସମସ୍ୟା ସୃଷ୍ଟି ହୋଇଛି। ଶନିବାରଠୁ ଆଉ ଟୋପାଏ ବି ପାଣି ସମ୍ବଲପୁରକୁ ଆସିପାରୁ ନାହିଁ। ଗତକାଲିଠୁ ଲାଗିଥିଲେ ବି ଜନସ୍ବାସ୍ଥ୍ୟ ବିଭାଗ ସମସ୍ୟା କେଉଁଠି ହୋଇଛି ଧରିପାରୁ ନାହାନ୍ତି। ଫଳରେ ସେମାନେ ବାଧ୍ୟ ହୋଇ ଅଗ୍ନିଶମ ବିଭାଗର ସାହାଯ୍ୟ ଲୋଡ଼ିଛନ୍ତି। ତେବେ କେବେ ସମସ୍ୟା ସୁଧୁରିବ ଓ ଜଳଯୋଗାଣ ସ୍ବାଭାବିକ ହେବ ତାହା କେହି କହିପାରୁ ନାହାନ୍ତି। ତେଣୁ ଆଗାମୀ ଦିନେ ଦୁଇଦିନ ସମ୍ବଲପୁରବାସୀଙ୍କୁ ଜଳକଷ୍ଟ ଭୋଗିବାକୁ ପଡ଼ିପାରେ ବୋଲି ଆଶଂକା କରାଯାଉଛି।

ହୀରାକୁଦ ଜଳଭଣ୍ଡାରରୁ ସମ୍ବଲପୁର ସହରକୁ ସିଧାସଳଖ ପାନୀୟ ଜଳ ଯୋଗାଣ ଆରମ୍ଭ ହେବା ଦିନଠୁ ଆଜି ପର୍ଯ୍ୟନ୍ତ କେବେ ଏଭଳି ବଡ଼ ଧରଣର ସମସ୍ୟା ସୃଷ୍ଟି ହୋଇନଥିବା କହାଯାଉଛି। ହୀରାକୁଦ ଜଳଭଣ୍ଡାରର ଯେଉଁ ସ୍ଥାନରୁ ସମ୍ବଲପୁର ଓ ହୀରାକୁଦ ସହର ପାଇଁ ପାଣି ଉଠାଯାଏ ସେଠାରେ ପାଇପ୍‌ ମୁହଁରେ ଏକ ଜାଲି ଲଗା ଯାଇଥାଏ। ଉକ୍ତ ଜାଲି ସଢ଼ି ଯାଇଥିବାରୁ ୨ ବର୍ଷ ତଳେ ବଦଳା ଯାଇଥିଲା। ତେବେ ନିକଟରେ ବନ୍ୟା ବେଳେ ଉକ୍ତ ଜାଲିଟି ପାଇପ୍‌ରୁ ବାହାରି ଯାଇଥିବା କହାଯାଉଛି। ଫଳରେ ବନ୍ୟା ଜଳରେ କିଛି ବୃହତାକାର କଠିନ ଆବର୍ଜନା ଭାସି ଆସି ପାଇପ୍‌କୁ ଚୋକ୍ କରି ଦେଇଥିବା ଅନୁମାନ କରାଯାଉଛି। ଏହି ପାଇପ୍‌ଟି କିଛି ବାଟ ଆସିବା ପରେ ହୀରାକୁଦ ଓ ସମ୍ବଲପୁର ପାଇଁ ଦୁଇ ଭାଗ ହୋଇଛି। ସମ୍ବଲପୁର ପାଇଁ ଆସୁଥିବା ପାଇପ୍‌ଟିରେ କିଛି ବାଟ ପରେ ରହିଥିବା ଚାମ୍ବର (ମ୍ୟାନ୍‌ ହୋଲ୍) ଯାଞ୍ଚ କଲା ବେଳକୁ ସେ ପର୍ଯ୍ୟନ୍ତ ପାଣି ଆସୁ ନାହିଁ। ଅର୍ଥାତ୍‌ ସେହି ମଝିରେ କେଉଁଠି ପାଇପ୍ ଜାମ୍ ହୋଇଥିବା କହାଯାଉଛି। ତେବେ ଜଣେ ମଣିଷ ଆରାମରେ ଯାଇ ପାରିବା ଭଳି ବୃହତ୍‌ ପାଇପ୍‌ କିଭଳି ଜାମ୍ ହେଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଜନସ୍ବାସ୍ଥ୍ୟ ବିଭାଗ ତ୍ରୁଟି ଧରିପାରି ନଥିବାବେଳେ ଅଗ୍ନିଶମ ବିଭାଗର ସାହାଯ୍ୟ ନେଇଛି। ସୋମବାର ଅଗ୍ନିଶମ ବିଭାଗ ଘଟଣାସ୍ଥଳକୁ ଯାଇ ପାଇପ୍ ଯାଞ୍ଚ କରିବେ ବୋଲି ଜଣା ପଡ଼ିଛି।

ଅପରପକ୍ଷରେ ରବିବାର ଏହି କାରଣରୁ ସମ୍ବଲପୁର ସହରରେ ଜଳଯୋଗାଣ ବାଧାପ୍ରାପ୍ତ ହୋଇଛି। ପୂର୍ବରୁ ଷ୍ଟକ୍‌ରେ ଯାହା ପାଣି ଥିଲା ତାକୁ ଭାଗବଣ୍ଟା କରି ବିଭିନ୍ନ ଅଞ୍ଚଳକୁ ଦିଆଯାଉଛି ବୋଲି ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଗୁଲସନ୍ କୁମାର ସାହୁ କହିଛନ୍ତି। ସୋମବାର ସମସ୍ୟାର ସମାଧାନ ହୋଇଯିବ ଓ ତା’ପରେ ଜଳଯୋଗାଣ ସ୍ବାଭାବିକ ହେବ ବୋଲି ସେ କହିଛନ୍ତି। ରବିବାର ଜଳଯୋଗାଣ ବାଧାପ୍ରାପ୍ତ ହେବା ନେଇ ସହରରେ ମାଇକ୍‌ ଯୋଗେ ପ୍ରଚାର କରାଯାଇଛି। ଅନେକ ଅଞ୍ଚଳରେ ଗୋଟିଏ ଓଳି ପାଣି ଆସିଥିବାବେଳେ ଅନେକ ପଡ଼ାକୁ ଆଦୌ ପାଣି ଆସି ନାହିଁ। ଆଉ ଦିନେ ଅଧେ ଏହି ସମସ୍ୟା ଲାଗି ରହିଲେ ପାଣି ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହେବାର ଆଶଂକା ରହିଛି।

ସମ୍ବନ୍ଧିତ ଖବର