ଅନିଶ୍ଚିତତାରେ ହୀରାକୁଦ ଜଳଭଣ୍ଡାର ପରିଚାଳନା ବୈଠକ : ତାରିଖ ଧାର୍ଯ୍ୟ ପାଇଁ ବନ୍ଧ ସୁରକ୍ଷା କମିଟିକୁ ଚିଠି

ସମ୍ବଲପୁର : ଲକ୍‌ଡାଉନ୍‌ ଯୋଗୁଁ ଏବେ ବି ଅନିଶ୍ଚିତତା ମଧ୍ୟରେ ହୀରାକୁଦ ଜଳଭଣ୍ଡାର ପରିଚାଳନା କମିଟି ବୈଠକ। ବନ୍ୟା ନିୟନ୍ତ୍ରଣ ପାଇଁ ପ୍ରତି ବର୍ଷ ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ ଏହି ବୈଠକ ହୋଇଥାଏ। ଚଳିତ ବର୍ଷ କେବେ ବୈଠକ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥିର ହୋଇ ପାରି ନାହିଁ। ମୁଖ୍ୟଯନ୍ତ୍ରୀ ସୁନୀଲ ନାଏକ କହିଛନ୍ତି, ହୀରାକୁଦ ଜଳ ଭଣ୍ଡାର ଜଳ ପରିଚାଳନା ବୈଠକ ପାଇଁ ବନ୍ଧ ସୁରକ୍ଷା କମିଟିକୁ ଚିଠି ଲେଖାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଉତ୍ତର ଆସି ନାହିଁ। ଲକ୍‌ଡାଉନ୍‌ ଯୋଗୁଁ ସମସ୍ତ କାର୍ଯ୍ୟାଳୟ ପ୍ରାୟତଃ ଠପ୍‌ ରହୁଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି।

ହୀରାକୁଦ ଜଳଭଣ୍ଡାରର ପରିଚାଳନା ପାଇଁ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ସମନ୍ବୟର ନିତାନ୍ତ ଆବଶ୍ୟକତା ରହିଛି। ପ୍ରତି ବର୍ଷ ବର୍ଷା ଋତୁ ଆରମ୍ଭରୁ ଉଭୟ ରାଜ୍ୟ ମଧ୍ୟରେ ସମନ୍ବୟ ରକ୍ଷା ପାଇଁ ଏହି ବୈଠକ ବସିଥାଏ। ଏହା ଗୋଟିଏ ବର୍ଷ ଓଡ଼ିଶା ଓ ପର ବର୍ଷ ଛତିଶଗଡ଼ରେ ଅନୁଷ୍ଠିତ ହୁଏ। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡର ବର୍ଷା ତଥା ବଙ୍ଗୋ, ରବିଶଙ୍କର ସମେତ ଛତିଶଗଡ଼ରେ ସ୍ଥିତ ବ୍ୟାରେଜ୍‌ ପରିଚାଳନା ହୀରାକୁଦ ଜଳଭଣ୍ଡାରର ଜଳସ୍ତରକୁ ପ୍ରଭାବିତ କରିଥାଏ। ତେଣୁ ଉପର ମୁଣ୍ଡର ବର୍ଷା ଓ ଉକ୍ତ ଜଳଭଣ୍ଡାରଗୁଡ଼ିକରେ ପାଣିର ପ୍ରବେଶ-ନିଷ୍କାସନ ସଂପର୍କରେ ଛତିଶଗଡ଼ କର୍ତ୍ତୃପକ୍ଷ ପୂର୍ବରୁ ସୂଚନା ଦେଲେ, ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ ସେହି ଅନୁଯାୟୀ ଜଳଭଣ୍ଡାର ପରିଚାଳନା ସମ୍ପର୍କରେ ନିଷ୍ପତ୍ତି ନେଇଥାଆନ୍ତି। ଜଳଭଣ୍ଡାରକୁ ପୋତି ଦେଉଥିବା ପଟୁ ମାଟିକୁ ନେଇ ମଧ୍ୟ ପ୍ରତିବର୍ଷ ଆଲୋଚନା ହୁଏ। ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ଛତିଶଗଡ଼ରେ ଅଳ୍ପ ବ୍ୟବଧାନରେ ୬ ବ୍ୟାରେଜ୍‌ ନିର୍ମାଣ ଯୋଗୁଁ ତଳମୁଣ୍ଡ ଓଡ଼ିଶାର ଲୋକେ ଗୁରୁତର ପ୍ରଭାବିତ ହୋଇଥିବା ନେଇ ଅଭିଯୋଗ ହୋଇଛି। ବର୍ତ୍ତମାନ ମଧ୍ୟ ଏହି ମାମଲା ନ୍ୟାୟାଳୟରେ ବିଚାରାଧୀନ ରହିଛି। ଏହି ଜଳଭଣ୍ଡାରର ଜଳ ପରିଚାଳନା ପାଇଁ ଉଭୟ ରାଜ୍ୟ ମଧ୍ୟରେ ସମନ୍ବୟ କେତେ ଗୁରୁତ୍ବପୂର୍ଣ୍ଣ ଏଥିରୁ ସ୍ପଷ୍ଟ।

କିଛି ବିଶେଷଜ୍ଞଙ୍କ ଅନୁସାରେ, ବର୍ତ୍ତମାନ ପାଣିପାଗ ଯେଉଁଭଳି ପରିବର୍ତ୍ତନ ହେଉଛି, ମାସ ଯାକ ଆବଶ୍ୟକ ବୃଷ୍ଟିପାତ ନ ହୋଇ ଗୋଟିଏ ଦିନରେ ପ୍ରବଳ ବର୍ଷା ହେଉଛି। ୨୦୧୮ରେ ଗୋଟିଏ ଦିନରେ ୬୦୮ ମିମି ବର୍ଷା ହୋଇଥିଲା। ୨୦୧୪ ମସିହା ଅଗଷ୍ଟ ମାସରେରେ ମଧ୍ୟ ଗୋଟିଏ ଦିନରେ ରେକର୍ଡ ବର୍ଷା ହୋଇଥିଲା। ଉଭୟ ରାଜ୍ୟ ମଧ୍ୟରେ ସମନ୍ବୟ ରହିଥିଲେ ବଡ଼ ବିପର୍ଯ୍ୟୟରୁ ରକ୍ଷା ମିଳେ। ବର୍ଷାରେ ଛତିଶଗଡ଼ରେ ସ୍ଥିତ ବ୍ୟାରେଜ୍‌ଗୁଡ଼ିକ ପାଣି ଛାଡ଼ିବାକୁ ବାଧ୍ୟ। ମାତ୍ର ଏହାର ନିର୍ମାଣ ଅତ୍ୟନ୍ତ ତ୍ରୁଟିପୂର୍ଣ୍ଣ ରହିଛି। ଅତି କମ୍‌ ଦୂରତା ମଧ୍ୟରେ ଉପରମୁଣ୍ଡରେ ୬ଟି ବ୍ୟାରେଜ୍‌ ରହିଥିବାରୁ ବର୍ଷା ଦିନରେ ସବୁ ବ୍ୟାରେଜରେ ପାଣି ଭର୍ତ୍ତି ହୋଇଗଲେ, ଅନେକ ଗାଁ ଜଳମଗ୍ନ ହେବାର ଆଶଙ୍କା ରହିଛି। ଯାହାକି ବନ୍ଧ ସୁରକ୍ଷାକୁ ପ୍ରଭାବିତ କରିବ। ଏଥିଯୋଗୁଁ ମଧ୍ୟ ଉଭୟ ରାଜ୍ୟ ମଧ୍ୟରେ ଜଳପରିଚାଳନା ବୈଠକ ଗୁରୁତ୍ବପୂର୍ଣ୍ଣ। ହୀରାକୁଦକୁ କେତେ ପାଣି ଆସୁଛି। ଉପମୁଣ୍ଡରେ କେତେ ବର୍ଷା ହେବ, ଛତିଶଗଡ଼ ବର୍ଷ ରିଲିଜ କରୁଛି କି ନାହିଁ ସେ ନେଇ ତଥ୍ୟ ସହିତ ବୈଠକର ଆବଶ୍ୟକତା ରହିଛି। ଆହୁରି ମଧ୍ୟ ହୀରାକୁଦ ଜଳଭଣ୍ଡାର ଯୋଗୁଁ ୨ ରାଜ୍ୟ ଆମ୍ନା-ସାମ୍ନାରେ ଥିବାରୁ ସେମାନଙ୍କ ମଧ୍ୟରେ ଉପଯୁକ୍ତ ସମନ୍ବୟର ଆବଶ୍ୟକତା ବୃଦ୍ଧି ପାଇଛି। ପ୍ରତିବର୍ଷ ଓଡ଼ିଶା କିମ୍ବା ଛତିଶଗଡ଼ରେ ଏହି ବୈଠକ ହୁଏ। ୨୦୧୮ ମସିହାରେ ବୁର୍ଲା, ୨୦୧୯ ମସିହାରେ ରାୟପୁରରେ ବୈଠକ ହୋଇଥିଲା। କୋଭିଡ୍‌ ସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଅନ୍‌ଲାଇନ୍‌ରେ ବୈଠକ ହେବ। ଏହା ସତ୍ତ୍ବେ ବୈଠକର ତାରିଖ କାହିଁକି ଶୀଘ୍ର ନିର୍ଧାରିତ କରାଯାଉ ନାହିଁ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର