ବଢୁଛି ମହାନଦୀର ଜଳସ୍ତର: ହୀରାକୁଦ ଜଳଭଣ୍ଡାରରୁ ଗେଟ୍‌ ଖୋଲିଲେ ସ୍ଥିତି ଭୟଙ୍କର ହେବ!

ଭୁବନେଶ୍ୱର: ମହାନଦୀର ଜଳସ୍ତର ବଢୁଛି। ହୀରାକୁଦ ଜଳଭଣ୍ଡାରରୁ ବୁଧବାର ଜଳ ନିଷ୍ପାସନ ହେବ। ଏହା ପରେ ମହାନଦୀର ଜଳସ୍ତର ଆହୁରି ବୃଦ୍ଧି ପାଇବ। ସୂଚନା ଅନୁସାରେ ମଙ୍ଗଳବାର ରାତି ୯ଟା ସୁଦ୍ଧା ଖଇରମାଳ ଦେଇ ୧୧ ଲକ୍ଷ ୩ ଶହ କ୍ୟୁସେକ ଓ ବରମୁଳ ଦେଇ ୫ ଲକ୍ଷ ୮୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ସେହିପରି ମୁଣ୍ଡଳୀ ଦେଇ ୧ ଲକ୍ଷ ୪୦ ହଜାର ୯୦୩ କ୍ୟୁସେକ ଜଳ ପ୍ରବାହିତ ହେଉଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି, ସୋନପୁର, କନ୍ଧମାଳ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି। କର୍ଲାମୁଣ୍ଡା ବ୍ଲକରେ ସର୍ବାଧିକ ୬୦୮ ମିମି ବର୍ଷା ରେକର୍ଡ କରାଯାଇଛି। ବର୍ଷା ଓ ସମ୍ଭାବ୍ୟ ବନ୍ୟା ନେଇ ସ୍ୱତନ୍ତ୍ର ରିଲିଫ କମିସନର ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।  ରାଜ୍ୟରେ ବର୍ଷା ଓ ବନ୍ୟା ଯୋଗୁଁ ମୋଟ୍‌ ୯ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ସେ କହିଛନ୍ତି। ସାତ ଜିଲ୍ଲାର ୧୯ଟି ବ୍ଲକ ଓ ୧୩୪ଟି ଗାଁ ପ୍ରଭାବିତ ହୋଇଛି। ସେହିପରି ୨ଟି ବ୍ଲକରେ ୪୦୦ରୁ ଅଧିକ ମିମି ବର୍ଷା, ୪ଟି ବ୍ଲକରେ ୩୦୦ରୁ ୪୦୦ ମିମି ବର୍ଷା, ୪୦ଟି ବ୍ଲକରେ ୧୦୦ରୁ ୨୦୦ ମିମି ବର୍ଷା ରେକର୍ଡ କରାଯାଇଛି।

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓଡ୍ରାଫ ଟିମ୍‌ ମୁତୟନ କରାଯାଇଛି। ବଲାଙ୍ଗୀରକୁ ଏନଡିଆରଏଫ ଟିମ୍‌ ପଠାଇବାକୁ ନିଷ୍ପତ୍ତି ହୋଇଥିବା ବେଳେ ୧୧୫ଟି ସ୍ଥାନରେ ବନ୍ୟା ପୀଡ଼ିତ ଲୋକଙ୍କୁ ମାଗଣାରେ ଖାଦ୍ୟ ଦିଆଯାଉଛି। କନ୍ଧମାଳ ଏନ୍‌ଏଚ୍‌-୫୯ ନିକଟ ରାସ୍ତାର ପୁନଃନିର୍ମାଣ ହୋଇଛି।

 

ସମ୍ବନ୍ଧିତ ଖବର