ପୁରୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୌସେନା ଦିବସରେ ମୁଖ୍ୟଅତିଥି ଭାବେ ଯୋଗ ଦେବା ପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ବୁଧବାର ପୂର୍ବାହ୍ଣରେ ସମଙ୍ଗ ଅସ୍ଥାୟୀ ହେଲିପ୍ୟାଡ୍ଠାରେ ପହଞ୍ଚିବା ପରେ ଶ୍ରୀସେତୁ ଓ ଜଗନ୍ନାଥବଲ୍ଲଭ ପାର୍କିଂ ସେଣ୍ଟର ଦେଇ ସିଂହଦ୍ବାରଠାରେ ପହଞ୍ଚିଥିଲେ। ତେବେ ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ବଡ଼ଦାଣ୍ଡରେ ଅପେକ୍ଷାରତ ଶ୍ରଦ୍ଧାଳୁଙ୍କୁ ଭେଟି ସେ କରମର୍ଦ୍ଦନ କରିବା ପରେ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। ସାଥୀରେ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପୁରୀ ସାଂସଦ ସମ୍ବିତ ପାତ୍ର।
ରାଷ୍ଟ୍ରପତି ସିଂହଦ୍ବାର ସମ୍ମୁଖରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ଆଦ୍ୟସେବକ ମହାରାଜା ଗଜପତି ଦିବ୍ୟସିଂହ ଦେବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସମେତ ବରିଷ୍ଠ ସେବାୟତମାନେ ତାଙ୍କୁ ସ୍ୱାଗତ କରିଥିଲେ। ରତ୍ନ ସିଂହାସନରେ ମୁଣ୍ଡ ରଖି ମହାମହିମ ଭାବବିହ୍ୱଳ ହୋଇପଡ଼ିଥିଲେ। ବିମଳା ମନ୍ଦିର ଓ ଲକ୍ଷ୍ମୀ ମନ୍ଦିରକୁ ଯାଇ ମା’ଙ୍କ ସାନ୍ନିଧ୍ୟଲାଭ କରିବା ସହ ଶ୍ରୀମନ୍ଦିର ଭିତର ବେଢ଼ା ପରିକ୍ରମା କରିଥିଲେ। ଦର୍ଶନ ସାରି ଫେରିବା ସମୟରେ କୌଳିକ ପଣ୍ଡାଙ୍କ ଖାତାରେ ଦସ୍ତଖତ ମଧ୍ୟ କରିଥିଲେ। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ତାଙ୍କୁ ମହାପ୍ରଭୁଙ୍କ ଫଟୋଚିତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଜଣେ ସାଧାରଣ ଭକ୍ତ ଭାବେ ମହାମହିମ ୨୦୨୨ ନଭେମ୍ବର ୧୦ ତାରିଖରେ କାର୍ରୁ ଓହ୍ଲାଇ ବଡ଼ଦାଣ୍ଡରେ ଚାଲିଚାଲି ଯିବା ସହ ଅପେକ୍ଷାରତ ଜନସାଧାରଣଙ୍କୁ ଭେଟିଥିଲେ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଆଜି ମହାପ୍ରଭୁଙ୍କ ନିକଟରେ ସଅଳ ନୀତି ସଂପନ୍ନ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/05/R8XpLjFDqLMETebwetKt.jpg)