ସୀମାରେ ବନ୍ଧା ପଡ଼ିଛି ପୁଅର ଶବ; ସହଯୋଗ ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ବୃଦ୍ଧା ମା’

କେନ୍ଦୁଝର : ସୀମାରେ ବନ୍ଧା ପଡିଛି ପୁଅର ଶବ। ଆଉ ଏପଟେ ସହଯୋଗ ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ବିଧବା ବୃଦ୍ଧା ମା’। ନିଜ ପେଟ ପୋଷିବା ସହିତ ମା’ ମୁହଁରେ ଗଣ୍ଡେ ଦାନା ଦେବା ପାଇଁ ସୁଦୂର ବେଙ୍ଗାଲୁର ଯାଇଥିବା ପୁଅ ତ ଫେରିଲା ନାହିଁ ଫେରିଲା ଶବ। ତାହା ପୁଣି ଓଡ଼ିଶା ସୀମାରେ ବନ୍ଧା ପଡ଼ିଥିବାରୁ ମା’ର ବିକଳ ପ୍ରାଣ ଆଉ ସହି ପାରିଲା ନାହିଁ। ସିଧା ଜିଲ୍ଲାପାଳଙ୍କୁ ଗୁହାରି କରିବାକୁ ବାହାରି ପଡ଼ିଲେ। ଗୁହାରି ଶୁଣି ଜିଲ୍ଲାପାଳ ଶ୍ରମ ଅଧିକାରୀଙ୍କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ସିଙ୍କୁଳାବାହାଳ ଗ୍ରାମ‌ରେ।

ସିଙ୍କୁଳାବାହାଳ ଗ୍ରାମର ମନୋଜ ନାୟକ (୩୨)। ୨ ବର୍ଷ ପୂର୍ବେ ଦାଦନ ଖଟିବା ପାଇଁ ବେଙ୍ଗାଲୁରକୁ ଯାଇଥିଲେ । ସେଠାରେ କାମଧନ୍ଦା କରି ଯାହା ରୋଜଗାର କରନ୍ତି ସେଥିରେ ନିଜେ ଚଳିବା ସହିତ ଘରେ ଥିବା ତାଙ୍କର ବୃଦ୍ଧା ମା’ ଚିନା ନାୟକ (୬୫), ମାନସିକ ବିକୃତ ତାଙ୍କ ବଡଭାଇ, ଭାଉଜ ଏବଂ ତାଙ୍କର ୨ ଝିଅଙ୍କ ପାଇଁ ଟଙ୍କା ପଠାନ୍ତି । ସେହି ଅର୍ଥରେ ତାଙ୍କ ପରିବାର କଷ୍ଟେମଷ୍ଟେ ଚଳିଯାଏ। ୪ ତାରିଖରେ ହଠାତ୍ ମନୋଜଙ୍କ ମୃତ୍ୟୁ ଖବର ‌ଘରେ ପହଞ୍ଚିଥିଲା। ଶବ ଗାଁକୁ ପଠାଇବା ପାଇଁ ଆମ୍ବୁଲାନ୍ସ ଭଡା ବାବଦକୁ ୭୦ ହଜାର ଟଙ୍କା ଦାବି କରାଯାଇଥିଲା। ଓଳିଏ ଖାଇ ଆର ଓଳି ଉପାସ ରହୁଥିବା ପୁଅର ଶବକୁ ଆଣିବାକୁ ଏତେ ଟଙ୍କା ଯୋଗାଡ଼ କରିବା ଅସମ୍ଭବ ଥିବାରୁ ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ। ଏହି ଖବର ଜଣାପଡ଼ିବା ପରେ ଜଗମୋହନପୁରରେ ରହୁଥିବା ପଶ୍ଚିମ ଓଡିଶା କିନ୍ନର ସଂଘର ଉପ ସଭାପତି ମହାମାୟା ମା’ ସହଯୋଗ ପାଇଁ ଆଗେଇ ଆସିଥିଲେ। ନିଜେ ଆର୍ଥିକ ସହାୟତା କରିବା ସହିତ ଗାଁ ଲୋକଙ୍କୁ ବୁଝାସୁଝା କରି ୪୦ ହଜାର ଟଙ୍କା ଯୋଗାଡ଼ କରି ପଠାଇଥିଲେ। ଅବଶି‌ଷ୍ଟ ଟଙ୍କା ଦେବାକୁ କହିଥିଲେ। ଆମ୍ବୁଲାନ୍ସ ମାଲିକ ୪୦ ହଜାର ଟଙ୍କାରେ ଓଡିଶା ସୀମା ଇଚ୍ଛାପୁର ପାଖପାଖିକୁ ଶବକୁ ନେଇଯିବାକୁ କହିଥିଲେ। ଆଉ ବାଙ୍ଗାଲୋରରୁ ଇଚ୍ଛାପୁର ପହଞ୍ଚିବା ମଧ୍ୟରେ ଅବଶି‌ଷ୍ଟ ଟଙ୍କା ଦେଲେ ସେ ଶବକୁ ସିଙ୍କୁଳାବାହାଳ ତାଙ୍କ ଘରକୁ ଶବ ପହଞ୍ଚାଇବେ। ନଚେତ ଇଚ୍ଛାପୁର ନିକଟରେ ଶବକୁ ଛାଡିଦେବେ ବୋଲି ଆମ୍ବୁଲାନ୍ସ ମାଲିକ କହିଥିଲେ ବୋଲି ମନୋଜଙ୍କ ପରିବାର ଲୋକ ପ୍ରକାଶ କରିଛନ୍ତି।

ଅବଶିଷ୍ଟ ୩୦ ହଜାର ଟଙ୍କା କେଉଁଠୁ ଆଣି ଦେବେ ସେହି ଚିନ୍ତାରେ ଥିବା ବେଳେ ମହାମାୟ ମା’ ମନୋଜଙ୍କ ପରିବାର ଲୋକଙ୍କୁ ସାଙ୍ଗରେ ଧରି ଜିଲ୍ଲାପାଳଙକ ପାଖରେ ପହଞ୍ଚିଛନ୍ତି। ଜିଲ୍ଲାପାଳ ଆଶିଷ ଠାକରେଙ୍କୁ ସାକ୍ଷାତ କରି ଘଟଣା ସଂପର୍କରେ ଅବଗତ କରାଇବା ପରେ ଜିଲ୍ଲାପାଳ ତୁରନ୍ତ ଏ ସଂପର୍କରେ ପଦକ୍ଷେପ ନେବାକୁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରମ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଚାଲିଛି । ଆଉ ସହାୟତା ମିଳିବାର ଆଶା ରହିଛି ବୋଲି ମହାମାୟ ମା’ ପ୍ରକାଶ କରଛନ୍ତି । ଏଥିସହିତ ମହାମାୟା ମା’ ଏବଂ ମନୋଜଙ୍କ ପରିବାର ଲୋକ ଦାବି କରିଛନ୍ତି ଯେ, ମନୋଜ ତାଙ୍କ ପରିବାର ଏକମାତ୍ର ରୋଜଗାରିଆ ଥିଲେ । ତାଙ୍କ ମୃତ୍ୟୁ ପରେ ସମସ୍ତେ ଅସହାୟ ହୋଇପଡିଛନ୍ତି । ‌ଏପରିକି ତାଙ୍କ ଶବ ସତ୍କାର କରିବାରର ମଧ୍ୟ ସାମର୍ଥ୍ୟ ନାହିଁ । ତେଣୁ ଏହି ୭୦ ହଜାର ଟଙ୍କା ପ୍ରଶାସନ ପ୍ରଦାନ କରିବା ସହିତ ମନୋଜ କାମ କରୁଥିବା କମ୍ପାନିରୁ କ୍ଷତିପୁରଣ ତାଙ୍କ ପରିବାରକୁ ଯୋଗାଇ ଦେବାକୁ ଦାବି ଜଣାଇଛନ୍ତି

ସମ୍ବନ୍ଧିତ ଖବର