କଟକ: କଟକର ଐତିହାସିକ ବାଲିଯାତ୍ରା ଆୟୋଜନ ପାଇଁ ପୂର୍ବରୁ ରାଜ୍ୟ ସରକାର ୨ କୋଟି ଟଙ୍କା ପ୍ରଦାନ କରୁଥିଲେ। କିନ୍ତୁ ଚଳିତ ବର୍ଷଠାରୁ ବାଲିଯାତ୍ରା ପାଇଁ ୧୦ କୋଟି ଟଙ୍କା ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିରୁ ୫ କୋଟି ଟଙ୍କା ଦିଆସରିଥିବା ବେଳେ ଅବଶିଷ୍ଟ ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ବାଲିଯାତ୍ରାକୁ ଉଦ୍ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନନ୍ଦିକେଶରୀ ପଠାର ବିକାଶ କରାଯାଇ ସେଠାକୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରାଯିବ। ଆସନ୍ତା ବାଲିଯାତ୍ରା ପୂର୍ବରୁ ଏହି କାର୍ଯ୍ୟ ସରିବ। ସାବରମତୀ ଢାଞ୍ଚାରେ ମହାନଦୀ ରିଭର୍ ଫ୍ରଣ୍ଟ ନିର୍ମାଣ କରାଯିବ। ମହାନଦୀ ରିଭର୍ ଫ୍ରଣ୍ଟ ପାଇଁ ରାଜ୍ୟ ସରକାର ୨ଶହ କୋଟି ଟଙ୍କା ବ୍ୟୟବରାଦ କରିଥିବା ବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏଥି ପାଇଁ ୩୮କୋଟି ପ୍ରଦାନ କରାଯାଇଛି। କଟକ ବାଲିଯାତ୍ରାକୁ ଓଡ଼ିଶାର ଅସ୍ମିତା, ବୀରତ୍ବ, ସାହସିକତା, କଳା, ସଂସ୍କୃତି ତଥା ନୈବାଣିଜ୍ୟର ପ୍ରତୀକ ଭାବେ ବର୍ଣ୍ଣନ କରି ମୁଖ୍ୟମନ୍ତ୍ରୀ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସଂପର୍କରେ ସୂଚନା ଦେଇଥିଲେ। କଟକ, ଭୁବନେଶ୍ବର, ଖୋର୍ଦ୍ଧା, ବାଙ୍କିକୁ ସଂଯୋଗ କରୁଥିବା ୧୧୧ କିଲୋମିଟର ରାସ୍ତା ୬ଲେନ୍ ବିଶିଷ୍ଟ ହେବ ବୋଲି ଘୋଷଣା କରିଥିଲେ।
ବାଲିଯାତ୍ରା ଓଡ଼ିଆ ଅସ୍ମିତା, ନୌବାଣିଜ୍ୟ ପରମ୍ପରାର ପ୍ରତୀକ: ମୁଖ୍ୟମନ୍ତ୍ରୀ
ଆଗାମୀ ଦିନରେ କଟକ ନୌବାଣିଜ୍ୟ ସଂଗ୍ରହାଳୟରେ ଏକ ବୋଇତ ପ୍ରତିଷ୍ଠା କରାଯିବ। କଟକରେ ତାରକସି ହବ୍ ପାଇଁ ୧୦କୋଟି ଅନୁଦାନ ଦିଆଯାଇଥିବା ବେଳେ ନୂତନ ଜିଲ୍ଲାପାଳ କାର୍ଯ୍ୟାଳୟ ପାଇଁ ୯୪କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ। ବାଲିଯାତ୍ରା ରାଷ୍ଟ୍ରୀୟ ମାନ୍ୟତା ପାଇଥିବା ବେଳେ ୟୁନେସ୍କୋ ମାନତ୍ୟ ପାଇଁ ରାଜ୍ୟ ସରକାର ଓ ୟୁନେସ୍କୋ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ବାରବାଟୀ ଦୁର୍ଗ ଓ ଗଡ଼ଖାଇ ଉନ୍ନତୀକରଣ ପାଇଁ ଡିପିଆର୍ ପ୍ରସ୍ତୁତି ଚାଲିଥିବା ବେଳେ କଟକର ଶହେ ବର୍ଷ ପୁରୁଣା ବା ଶହେ ବର୍ଷ ପାଖାପାଖି ହୋଇଥିବା ୫ଟି ବିଦ୍ୟାଳୟକୁ ଐତିହ୍ୟ ବିଦ୍ୟାଳୟର ମାନ୍ୟତା ଦିଆଯାଇ ଏହାର ବିକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାଲିଯାତ୍ରା ସ୍ମରଣିକା ଉନ୍ମୋଚନ କରିବା ସହ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିଥିଲେ।
ବାଲିଯାତ୍ରା ତଳପଡ଼ିଆସ୍ଥିତ ଗଣକବି ବୈଷ୍ଣବ ପାଣି ମଞ୍ଚରେ ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାଜ୍ୟ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସମ୍ମାନିତ ଅତିଥି ଭାବେ ସାଂସଦ ଭର୍ତ୍ତୃହରି ମହତାବ, ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ବାରବାଟୀ-କଟକ ବିଧାୟିକା ସୋଫିଆ ଫିରଦୋସ, ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ବାଳ, ଉନ୍ନୟନ କମିସନର ଅନୁ ଗର୍ଗ, କେନ୍ଦ୍ରାଞ୍ଚଳ ଆର୍ଡିସି ଗୁହା ପୁନମ ତାପସ କୁମାର, ସ୍ବତନ୍ତ୍ର ଅତିଥି ଭାବେ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ଇନା ଏଚ୍ କୃଷ୍ଣମୂର୍ତ୍ତି, ପୁଲିସ କମିସନର ଏସ୍. ଦେବଦତ୍ତ ସିଂହ ଯୋଗ ଦେଇଥିଲେ। କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏଡିଏମ୍ ଶିବ ଟପୋ ଧନ୍ୟବାଦ ଅର୍ପଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/06/addgazvcvvc-2025-11-06-01-49-42.jpg)