ଭଞ୍ଜନଗର : ଚଳିତ ମାସ ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭଞ୍ଜନଗରର ଐତିହାସିକ ଠାକୁରାଣୀ ଯାତ୍ରା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପ୍ରତି ତିନିବ‌ର୍ଷକୁ ଥରେ ଏହି ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ କୋଭିଡ କଟକଣା ଯୋଗୁଁ ୬ ବର୍ଷ ପରେ ଚଳିତବର୍ଷ ଏହି ଯାତ୍ରା ହେଉଥିବାରୁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧି ପାଇବାରେ ଲାଗିଛି। ଆଉ ମା’ଙ୍କୁ ସ୍ବାଗତ କରିବାକୁ ସହର ସଂପୂର୍ଣ୍ଣ ଭାବେ ନୂଆ ରୂପରେ ସଜେଇ ହୋଇଥିବା ସହ ଆଧ୍ୟାତ୍ମିକମୟ ପରିବେଶ ସୃଷ୍ଟି ହୋଇଛି। ଅସ୍ଥାୟୀ ପୀଠ କାମ ଚୂଡ଼ାନ୍ତ ହୋଇଥିବା ବେଳେ ଏହାକୁ ଅଧିକ ଆକର୍ଷଣୀୟ କରାଯାଇଛି। କୋଲକାତାରୁ ଆସିଥିବା କାରିଗରମାନେ ତୋରଣ ଓ ଅସ୍ଥାୟୀ ପୀଠ ନିର୍ମାଣ କାମରେ ନିୟୋଜିତ ହୋଇଛନ୍ତି।

Advertisment

publive-image

ସେହିପରି ଏନ୍‌ଏସି ପକ୍ଷରୁ ସହରର ମୁଖ୍ୟରାସ୍ତାକୁ ଝୋଟିଚିତାରେ ଚିତ୍ରିତ କରିବାକୁ ସ୍ବତନ୍ତ୍ର କଳାକାର ଆସିଥିବା ବେଳେ କାନ୍ଥ ଗୁଡିକରେ ଥ୍ରିଡି ପଟ୍ଟଚିତ୍ର ମାଧ୍ୟମରେ ଭଞ୍ଜନଗରର ପର୍ଯ୍ୟଟନସ୍ଥଳୀକୁ ନିଖୁଣ ଭାବେ ଦର୍ଶାଯାଇଛି। ସେହିପରି ଠାକୁରାଣୀଙ୍କ ନଗର ଭ୍ରମଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସାଙ୍ଗକୁ ରାଜ୍ୟର ବହୁ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଓ କଳାକାର ଏଥିରେ ଯୋଗ ଦେବେ। ଏଥିସହ ସହରର ବିଭିନ୍ନ ସ୍ଥାନରେ ମୀନାବଜାର ଓ ଅପେରା ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

publive-image

ଚଳିତ ମାସ ୩ ତାରିଖରୁ ୨୧ଦିନବ୍ୟାପୀ ଏହି ଯାତ୍ରା ଆରମ୍ଭ ହେବାକୁ ଯାଉଛି। ୨୪ ତାରିଖ ଯାଏ ଅନୁଷ୍ଠିତ ହେବ। ଏହି ଯାତ୍ରାରେ ବ୍ୟାଘ୍ରଦେବୀ ଅତିଥି ଭାବେ ଯୋଗଦେଉଥିବା ବେଳେ ଅନ୍ତିମ ଦିନରେ ୨ ଦେବୀଙ୍କ ଭେଟ ପରେ ଯାତ୍ରା ଶେଷ ହୋଇଥାଏ। ଆସନ୍ତା ୩ ତାରିଖ ଦିନ ଅପରାହ୍‌ଣରେ କୁଲାଡ଼ରୁ ଭଞ୍ଜରାଜାଙ୍କ ଅଧିଷ୍ଠାତ୍ରୀ ଦେବୀଙ୍କୁ ପାରମ୍ପରିକ ରୀତିନୀତି ଅନୁଯାୟୀ ଏକ ଶଗଡ଼ରେ କୟାଁ ବାଗ୍‌ଦେବୀ ମନ୍ଦିରକୁ ଅଣାଯିବ। ସେଠାରୁ ବିରାଟ ପଟୁଆର ଓ ଆତସବାଜିରେ ଦେବୀଙ୍କୁ ଅସ୍ଥାୟୀପୀଠକୁ ଅଣାଯିବ। ‌ଏହାପରେ ଗ୍ରାମଦେବତୀ ଠାକୁରାଣୀଙ୍କ ଆଜ୍ଞାମାଳକୁ ମାଆଘର ତଥା ଦେଶୀବେହେରାଙ୍କ ପରିବାର ସଦସ୍ୟ ଏକ ଚାଙ୍ଗୁଡ଼ିରେ ଆଣିବା ପରେ ଯାତ୍ରାର ଶୁଭାରମ୍ଭ ହେବ। ଯାତ୍ରାକୁ ଅଧିକ ଆର୍କଷଣୀୟ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥିବା ଯାତ୍ରା କମିଟିର ସଭାପତି ରାଜେନ୍ଦ୍ର ବିଶୋୟୀ, ସଙ୍ଗଠନ ସମ୍ପାଦକ ଗୋପବନ୍ଧୁ ମହାପାତ୍ର, ସମ୍ପାଦକ ସୁଧୀର ରଞ୍ଜନ ବେହେରାଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଥିବା ପ୍ରକାଶ କରିଛନ୍ତି। ସେହିପରି ସ୍ଥାନୀୟ ବିଧାୟକ ତଥା ବାଚସ୍ପତି ବିକ୍ରମକେଶରୀ ଆରୁଖ ମୁଖ୍ୟ ଉପଦେଷ୍ଟା ରହିଥିବା ବେଳେ ଉପଜିଲ୍ଲାପାଳ ଯାତ୍ରାର ପୁରୋଧା ଭାବେ ଦାୟିତ୍ବ ସମ୍ପାଦନା କରୁଛନ୍ତି। ଯାତ୍ରା କମିଟି ପକ୍ଷରୁ ଚଳିତବର୍ଷ ଯାତ୍ରାକୁ ମହାଆଡ଼ମ୍ବର ସହକାରେ ପାଳନ ପାଇଁ ପ୍ରସ୍ତୁତିକୁ ତ୍ବରାନ୍ବିତ କରାଯାଇଥିବା ଦେଖିବାକୁ ମିଳିଛି।