ମାଟିରେ ମିଶିଲାଣି ଐତିହାସିକ ଭୀମେଶ୍ୱରୀ ପୀଠ

କପ୍ତିପଦା (ସୁଶାନ୍ତ କୁମାର ମହାନ୍ତି): ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ବ୍ଲକ୍‌ ବହୁ ପ୍ରାଚୀନ ଐତିହ୍ୟ, ପରମ୍ପରା ଓ କୀର୍ତ୍ତିରାଜିର ଗନ୍ତାଘର ହୋଇଥିଲେ ବି ଏହାର ସୁରକ୍ଷା ଓ ଗବେଷଣା ପାଇଁ ସେତିକି ପ୍ରୟାସ ହେଉନି। ଫଳରେ ମାଟିରେ ମଶିବାକୁ ବସିଛି ବହୁ ଐତିହାସିକ କୀର୍ତ୍ତିରାଜି। ଏକଦା କପ୍ତିପଦା ରାଜ୍ୟରେ ଶାସନ କରୁଥିବା ଭୁଜଙ୍ଗ ରାଜବଂଶର ଗାଥା ଓଡ଼ିଶା ଇତିହାସରେ ଯେଉଁଭଳି ସ୍ଥାନ ପାଇବା କଥା ସେମିତି ପାଇନି ବୋଲି ଅଭିଯୋଗ ହୁଏ। ଆଉ ଏହି ଭୂଜଙ୍ଗ ରାଜାଙ୍କ ସମୟରେ ନିର୍ମିତ ଭୀମେଶ୍ବରୀ ପୀଠ ଆଜି ଭଗ୍ନସ୍ତୂପରେ ପରିଣତ ହେବା ଏହାର ଏକ ନଗ୍ନ ନମୁନା।

ଏକଦା କପ୍ତିପଦା ବ୍ଲକ୍ ପେଡ଼ାଗଡ଼ି ଗ୍ରାମ ନିକଟସ୍ଥ କାଳନଦୀର ଉପକଣ୍ଠରେ ଥିବା ଭୀମେଶ୍ବରୀ ତନ୍ତ୍ରପୀଠ ଥିଲା ଓଡ଼ିଶାର ପ୍ରମୁଖ ତନ୍ତ୍ର ସାଧନା କେନ୍ଦ୍ର। ସେତେବେଳେ ଘୋର ଦାରିଦ୍ର୍ୟ ଭିତରେ ଘାଣ୍ଟି ହେଉଥିବା ମଣିଷ ତନ୍ତ୍ରପୀଠରେ ଆରାଧନା କଲେ ହିଁ ସେମାନଙ୍କ ସକଳ ଦୁଃଖ, ରୋଗ, ଶୋକରୁ ମୁକ୍ତି ମିଳିବ ବୋଲି ବିଶ୍ବାସ କରୁଥିଲେ। ତନ୍ତ୍ର ମାର୍ଗ ପରବର୍ତ୍ତୀ ସମୟରେ ସହଜଯାନୀ ମାର୍ଗ ରୂପ ନେଇ ବିକଶିତ ହୋଇଥିଲା। ଏହି ସହଜଯାନୀ ସନ୍ନ୍ୟାସୀମାନେ ନିଜ ନିଜ ଶିଷ୍ୟଙ୍କ ସହ ବିଭିନ୍ନ ଅଞ୍ଚଳ ପରିଭ୍ରମଣ କରି ଲୋକଙ୍କ ମଧ୍ୟ‌ରେ ସେମାନଙ୍କ ଚିନ୍ତାଧାରା ବାଣ୍ଟୁଥିଲେ ଓ ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ତନ୍ତ୍ର ପୀଠମାନ ଗଢ଼ି ଉଠିଥିଲା। କୁହାଯାଏ ସହଜଯାନୀ ସନ୍ନ୍ୟାସୀ ଲୁଇପା ତାଙ୍କ ଶିଷ୍ୟମାନଙ୍କ ସହିତ ତନ୍ତ୍ରପୀଠ ସୋନପୁର ପରିତ୍ୟାଗ କରି କପ୍ତିପଦା ଭୁଜଙ୍ଗ ରାଜାଙ୍କ ପୃଷ୍ଠପୋଷକତାରେ ଏଠାରେ କିଛି କାଳ ଅବସ୍ଥାନ କରିଥିଲେ। ଏହି ସମୟରେ କାଳନଦୀ କୂଳରେ ଏକ ବିରାଟ ତନ୍ତ୍ରପୀଠ ଗଢ଼ି ଉଠିଥିଲା।

ପରବର୍ତ୍ତୀ ସମୟରେ ଲୁଇପା ରାଢେ଼ା ଗ୍ରାମ ନିକଟସ୍ଥ ସିନ୍ଦୁରମୁଣ୍ତି ପାହାଡ଼ରେ ଅବସ୍ଥାନ ସମୟରେ ସିଦ୍ଧି ଲାଭ କରିଥିଲେ। ପରେ ସେ ରହୁଥିବା ଗୁମ୍ଫାଟି ‘ସିଦ୍ଧଗୁମ୍ଫା’ ନାମରେ ପରିଚିତ ହେଲା। ସିଦ୍ଧିପ୍ରାପ୍ତି ପରେ ନିଜର ଅନୁଗାମୀଙ୍କ ସହ ନୀଳଗିରି ଅଯୋଧ୍ୟା ବାଟ ଦେଇ ପଶ୍ଚିମବଙ୍ଗ, ଆସାମ ହୋଇ ନେପାଳ ଓ ତିବ୍ବତ ଅଭିମୁଖେ ଯାତ୍ରା କରିଥିଲେ ଲୁଇପା। ନେପାଳ ରାଜ ଦରବାରରେ ଥିବା ଲାଇବ୍ରେରିରେ ଆଜି ବି ଲୁଇପା ଓ ତାଙ୍କ ସମସାମୟିକ ସନ୍ନ୍ୟାସୀମାନଙ୍କ ରଚିତ ୫୦ଟି ଗୀତିକା ସମ୍ବଳିତ ‘ବୌଦ୍ଧଗାନ ଦୋହା’ ନାମକ ତାଳପତ୍ର ପୋଥି ଐତିହ୍ୟ ଭାବେ ସ୍ଥାନ ପାଇଛି। ଲୁଇପାଙ୍କ ରଚିତ ଦୋହା ଉପରେ ପରିବର୍ତ୍ତୀ ସମୟରେ ଯେମିତି ଆଲୋଚନା ଓ ଗବେଷଣା ହୋଇଛି ତାଙ୍କ ପାଦସ୍ପର୍ଶରେ ଗଢ଼ିଉଠିଥିବା ଭୀମେଶ୍ବରୀ ତନ୍ତ୍ରପୀଠ ସମ୍ପର୍କରେ ସେମିତି କିଛି ଗବେଷଣା ହୋଇନାହିଁ। ସମୟକ୍ରମେ ମୋଗଲ ଶାସକମାନଙ୍କ ଆକ୍ରମଣ ଯୋଗୁ ଭୀମେଶ୍ବରୀ ପୀଠର ପତନ ହୋଇଥିଲା।

ତେବେ କପ୍ତିପଦା ରାଜବଂଶ ପାଇଁ ଭୀମେଶ୍ବର ପୀଠର ମହତ୍ବ ଏଯାଏ ରହିଛି। ଏହି ରାଜବଂଶର କେହି ଦାୟାଦଙ୍କ ମୃତ୍ୟୁ ହେଲେ ପରବର୍ତ୍ତୀ ରାଜା ପ୍ରଥମେ ଭୀମେଶ୍ବରୀ ପୀଠକୁ ଯାଇ ପୂଜାର୍ଚ୍ଚନା କରନ୍ତି ଓ ସେଠାରେ ମା’ଙ୍କର ଆଦେଶ ପ୍ରାପ୍ତି ପରେ ଦିବଂଗତ ରାଜାଙ୍କ ଶେଷକୃତ୍ୟ ହୁଏ। ଏହାପରେ ରାଜବାଟୀରେ ନୂତନ ରାଜାଙ୍କର ଅଭିଷେକ କରାଯାଏ। ତେବେ ରକ୍ଷଣାବେକ୍ଷଣ ଅଭାବରୁ ସେହି ଐତିହାସିକ ଭୀମେଶ୍ବରୀ ପୀଠ ଆଜି ଭଗ୍ନସ୍ତୁପରେ ପରିଣତ ହେଲାଣି। ଏକଦା ଏହି ତନ୍ତ୍ର ସାଧନା କେନ୍ଦ୍ରରେ ରହିଥିଲା ମାଙ୍କଡ଼ା ପଥରରେ ନିର୍ମିତ ଏକ ବିରାଟ ମନ୍ଦିର। ଆଜି ଏହା ନିଜ ସତ୍ତା ହରାଇବାକୁ ବସିଥିବା ବେଳେ ଏଠାରେ ପଡ଼ିଛି କେଇଖଣ୍ଡ ପଥର। ଏହି ପୀଠକୁ ବିଧର୍ମୀ କଳାପାହାଡ଼ ଭାଙ୍ଗି ଦେଇଥିବା ଶୁଣିବାକୁ ମିଳେ। ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ବାରା ଖନନ କରାଯାଇ ଏହି ପୀଠରୁ ଉଦ୍ଧାର ଚାମୁଣ୍ତା, ବରାହୀ, ମାହେଶ୍ବରୀ, ଯମ ଦେବତାଙ୍କ ମୂର୍ତ୍ତି ମୁକ୍ତାକାଶ ତଳେ ଏବେ ବି ପୂଜା ପାଉଛନ୍ତି। ଏଠାରୁ ବାହାରିଥିବା ଚଣ୍ତୀ ଓ ଗଣେଶଙ୍କ ସହିତ ବହୁ ମୂଲ୍ୟବାନ ମୂର୍ତ୍ତି ତ ପୂଜାସ୍ଥଳରୁ ଚୋରି ହୋଇଗଲାଣି। ହେଲେ ଆଜିଯାଏ ପ୍ରତ୍ନତତ୍ତ୍ବ ବିଭାଗ ଏହି ପୀଠର ପୁନରୁଦ୍ଧାର କିମ୍ବା ଏଠାରେ ଗବେଷଣା କରାଯିବା ନେଇ ଗୁରୁତ୍ବ ଦେଇନି। ତେବେ ପୀଠଟି ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଯିବା ଆଗରୁ ଏହାର ପୁନରୁଦ୍ଧାର କରାଗଲେ ଅନେକ ଅଜଣା ଇତିହାସ ସମ୍ପର୍କରେ ଜାଣି ପାରନ୍ତେ ପରବର୍ତ୍ତୀ ପିଢ଼ି।

ସମ୍ବନ୍ଧିତ ଖବର