ଭୁବନେଶ୍ବର/ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଅନୁଷ୍ଠିତ ଜିଏସ୍ଟି ପରିଷଦ ବୈଠକରେ ଆଜି ଐତିହାସିକ ନିଷ୍ପତ୍ତି ନିଆଯାଇଛି। ସାଧାରଣ ଜନତା ଓ ମଧ୍ୟବିତ୍ତ ପରିବାରର ଆର୍ଥିକ ବୋଝ ଲାଘବ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଚାରିଥାକିଆ ଜିଏସ୍ଟି ଢାଞ୍ଚାକୁ ଦୁଇଥାକିଆ କରିଛନ୍ତି। କେବଳ ୫ ପ୍ରତିଶତ ଓ ୧୮ ପ୍ରତିଶତ ଜିଏସ୍ଟି ସ୍ଲାବ୍କୁ ରଖାଯାଇଥିବା ବେଳେ ୧୨ ପ୍ରତିଶତ ଓ ୨୮ ପ୍ରତିଶତ ସ୍ଲାବ୍କୁ ଉଚ୍ଛେଦ କରାଯାଇଛି। ଏଥିସହିତ ୪୦ ପ୍ରତିଶତର ଏକ ନୂଆ ସ୍ଲାବ୍ ଲାଗୁ କରାଯାଇଛି, ଯାହା ହାନିକାରକ ପଦାର୍ଥ ଓ ଅତି ବିଳାସପୂର୍ଣ୍ଣ ସାମଗ୍ରୀଗୁଡ଼ିକ ଉପରେ ଲାଗୁ କରାଯିବ। ନୂଆ ଜିଏସ୍ଟି ସ୍ଲାବ୍ ଚଳିତ ବର୍ଷ ନବରାତ୍ରିର ପ୍ରଥମ ଦିନ ସେପ୍ଟେମ୍ବର ୨୨ରୁ ଲାଗୁ ହେବ। ଜିଏସ୍ଟି ସ୍ଲାବ୍ କମ୍ ହେବାରୁ ରାଜ୍ୟଗୁଡ଼ିକ ସହିବାକୁ ଥିବା କ୍ଷତି ଭରଣା ପାଇଁ ପାଣ୍ଠି ସଂଗ୍ରହ ନିମନ୍ତେ ତମାଖୁ ଦ୍ରବ୍ୟ ଉପରେ ପୂର୍ବଭଳି ୨୮ ପ୍ରତିଶତ ଜିଏସ୍ଟି ଓ ସେସ୍ ବଳବତ୍ତର ରହିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। ଜିଏସ୍ଟି ହ୍ରାସ ଦ୍ବାରା ଦେଶର ଚାଷୀ, ସାଧାରଣ ଜନତା, ମଧ୍ୟବିତ୍ତ ପରିବାର, ଶ୍ରମ ସମ୍ବେଦନଶୀଳ କ୍ଷେତ୍ର, ସ୍ବାସ୍ଥ୍ୟ, ଶିକ୍ଷା, ଅଟୋମୋବାଇଲ୍ ଓ ଇଲେକ୍ଟ୍ରୋନିକ୍ସ ଆପ୍ଲାଏନ୍ସେସ୍ କ୍ଷେତ୍ର ଉପକୃତ ହେବେ।
ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ସ୍ବରୂପ ସମସ୍ତ ବ୍ୟକ୍ତିଗତ ଜୀବନ ବୀମା, ସ୍ବାସ୍ଥ୍ୟ ବୀମା, ରି-ଇନ୍ସ୍ୟୁରାନ୍ସ ଏବଂ ୩୩ଟି ଜୀବନରକ୍ଷାକାରୀ ଔଷଧ ଉପରୁ ଜିଏସ୍ଟି ଉଚ୍ଛେଦ କରାଯାଇଛି। ସେହିପରି ଦୁଗ୍ଧ, ପନିର, ଛେନା, ସବୁପ୍ରକାର ରୁଟି ଓ ପରଟା ଏବଂ ପାଉଁରୁଟିକୁ ଟିକସମୁକ୍ତ କରାଯାଇଛି। ଶିକ୍ଷାରେ ବ୍ୟବହାର ହେଉଥିବା ମାନଚିତ୍ର, ଚାର୍ଟ ଓ ଗ୍ଲୋବ୍ସ, ପେନ୍ସିଲ୍, ସାର୍ପେନର୍, କ୍ରେୟନ୍, ପାଷ୍ଟେଲ୍, ଏକ୍ସସରସାଇଜ୍ ବୁକ୍, ନୋଟ୍ବୁକ୍ ଓ ଲିଭାଇବା ରବର୍ ଉପରୁ ମଧ୍ୟ ଜିଏସ୍ଟି ଉଚ୍ଛେଦ କରାଯାଇଛି। ପୂର୍ବରୁ ଏହି ଜିନିଷଗୁଡ଼ିକ ୧୨ ପ୍ରତିଶତ ଓ ୫ ପ୍ରତିଶତ ସ୍ଲାବ୍ରେ ଥିଲା। ଜିଏସ୍ଟି ପରିଷଦ ଜାରି କରିଥିବା ସୂଚନା ଅନୁସାରେ କେଶ ତୈଳ, ସାମ୍ପୁ, ଟୁଥ୍ପେଷ୍ଟ, ଶୌଚାଳୟ ସାବୁନ, ବାର୍, ଦାନ୍ତଘଷା ବ୍ରସ୍ ଓ ସେଭିଂ କ୍ରିମ୍, ବଟର, ଘିଅ, ଚିଜ୍, ଦୁଗ୍ଧ ସ୍ପ୍ରେଡ୍, ପ୍ୟାକିଂ ପୂର୍ବରୁ ନମକିନ୍, ଭୁଜିଆ, ମିକ୍ସଚର୍, ବାସନକୁସନ, ଶିଶୁଙ୍କୁ ପାନ କରାଯାଉଥିବା ବୋତଲ, ଶିଶୁଙ୍କ ନାପ୍କିନ୍ ଓ କ୍ଲିନିକାଲ୍ ଡାଇପର୍, ସିଲାଇ ମେସିନ୍ ଓ ତାହାର ପାର୍ଟସ୍କୁ ୫ ପ୍ରତିଶତ ସ୍ଲାବ୍ରେ ସାମିଲ କରାଯାଇଛି। ପୂର୍ବରୁ ଏହି ଜିନିଷଗୁଡ଼ିକ ମଧ୍ୟରୁ ଅଧିକାଂଶ ୧୨ ପ୍ରତିଶତ ସ୍ଲାବ୍ରେ ଓ ଅଳ୍ପ ୧୮ ପ୍ରତିଶତ ସ୍ଲାବ୍ରେ ଥିଲା।
ଦୁଇଥାକିଆ ହେଲା ଜିଏସ୍ଟି/ରହିଲା ୫%, ୧୮% ସ୍ଲାବ୍/ହଟିଲା ୧୨%, ୨୮%
ଚାଷୀ, ସାଧାରଣ ଜନତା, ମଧ୍ୟବିତ୍ତ ଆଶ୍ବସ୍ତ
ହାନିକାରକ, ଅତି ବିଳାସପୂର୍ଣ୍ଣ ସାମଗ୍ରୀ ଉପରେ ୪୦% ଟିକସ
ଜୀବନ, ସ୍ବାସ୍ଥ୍ୟ ବୀମାରୁ ଟିକସ ଉଚ୍ଛେଦ, ଦାମୀ ଗାଡ଼ି, ପାନ ମସଲା, ସିଗାରେଟ୍ ମହଙ୍ଗା
ସେହିପରି, ଟ୍ରାକ୍ଟର, ଟାୟାର ଓ ପାର୍ଟସ୍, ଜୈବ-କୀଟନାଶକ, ଲଘୁ-ପୋଷକ ତତ୍ତ୍ବ, ସିଞ୍ଚନ ଜଳସେଚନ ବ୍ୟବସ୍ଥା ଓ ସ୍କ୍ରିଙ୍କଲର୍ ଏବଂ କୃଷି, ଉଦ୍ୟାନ କୃଷି କିମ୍ବା ବନୀକରଣରେ ବ୍ୟବହୃତ ଉପକରଣ, ମୃତ୍ତିକା ପ୍ରସ୍ତୁତି ଉପକରଣ, ଚାଷ, ଅମଳ ଆଦିରେ ବ୍ୟବହାର ହେଉଥିବା ଉପକରଣଗୁଡ଼ିକୁ ୫ ପ୍ରତିଶତ ସ୍ଲାବ୍ରେ ସାମିଲ କରାଯାଇଛି। ସ୍ବାସ୍ଥ୍ୟ କ୍ଷେତ୍ର ସାମଗ୍ରୀ ମଧ୍ୟରେ ଥର୍ମୋମିଟର, ମେଡିକାଲ୍ ଅକ୍ସିଜେନ୍, ସମସ୍ତ ନିଦାନ କିଟ୍ ଓ ରିଜେଣ୍ଟ୍, ଗ୍ଲୁକୋମିଟର, ପରୀକ୍ଷା ଷ୍ଟ୍ରିପ୍ ଓ ଦୃଷ୍ଟିଶକ୍ତି ସୁଧାରିବାରେ ବ୍ୟବହାର କରାଯାଉଥିବା ଚଷମାକୁ ୫ ପ୍ରତିଶତ ସ୍ଲାବ୍ରେ ସାମିଲ କରାଯାଇଛି। ୧୨୦୦ ସିସି ଓ ୪୦୦୦ ଏମ୍ଏମ୍ରୁ କମ୍ ଲମ୍ବର ପେଟ୍ରୋଲ୍, ଡିଜେଲ୍, ହାଇବ୍ରିଡ୍, ଏଲ୍ପିଜି ଓ ସିଏନ୍ଜି କାର୍, ୧୫୦୦ ସିସିରୁ କମ୍ ଡିଜେଲ୍ ଓ ଡିଜେଲ୍ ହାଇବ୍ରିଡ୍ କାର୍, ତିନିଚକିଆ ଯାନ, ୩୫୦ ସିସିରୁ କମ୍ ମୋଟରସାଇକଲ୍, ମାଲବାହୀ ମୋଟର ଗାଡ଼ିକୁ ୨୮ ପ୍ରତିଶତ ସ୍ଲାବ୍ରୁ ବାହାର କରି ୧୮ ପ୍ରତିଶତ ସ୍ଲାବ୍ରେ ସାମିଲ କରାଯାଇଛି। ସେହିପରି, ସବୁପ୍ରକାର ଟିଭି, ଏୟାର କଣ୍ଡିସନର୍, ମନିଟର ଓ ପ୍ରୋଜେକ୍ଟର, ଡିସ୍ ୱାସର୍କୁ ମଧ୍ୟ ୨୮ ପ୍ରତିଶତ ସ୍ଲାବ୍ରୁ ବାହାର କରି ୧୮ ପ୍ରତିଶତ ସ୍ଲାବ୍ରେ ଯୋଡ଼ାଯାଇଛି।
ନୂଆ ୪୦ ପ୍ରତିଶତ ସ୍ଲାବ୍କୁ ହାନିକାରକ ଓ ଅତି ବିଳାସପୂର୍ଣ୍ଣ ସାମଗ୍ରୀ ପାଇଁ ଲାଗୁ କରାଯାଇଛି। ସେହି ଜିନିଷଗୁଡ଼ିକ ହେଉଛି ପାନ ମସଲା, ସିଗାରେଟ୍, ଗୁଟ୍ଖା, ତମାଖୁ ଦ୍ରବ୍ୟ, ଜର୍ଦା, ଚିନି ବ୍ୟବହୃତ ହୋଇଥିବା ପାନୀୟ, କାର୍ବୋନେଟେଡ୍ ପାନୀୟ, ଫଳ ପାନୀୟ, ମଧ୍ୟମ ଧରଣର ଓ ବୃହତ୍ ଆକାରର କାର୍ ଏବଂ ୩୫୦ ସିସିରୁ ଅଧିକ ଇଞ୍ଜିନ କ୍ଷମତାର ମୋଟରସାଇକଲ୍, ବ୍ୟକ୍ତିଗତ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିବା ବିମାନ, ହେଲିକପ୍ଟର ଓ ୟଟ୍। ବୈଠକରେ ଜିଏସ୍ଟି ପ୍ରକ୍ରିୟା ସମ୍ପର୍କିତ କେତେକ ସଂସ୍କାରକୁ ମଧ୍ୟ ଅନୁମୋଦନ କରାଯାଇଛି। ସ୍ବୟଂକ୍ରିୟ ପଞ୍ଜୀକରଣ ଆବେଦନର ୩ ଦିନ ମଧ୍ୟରେ ହେବ। ସ୍ବଳ୍ପ ମୂଲ୍ୟର ରପ୍ତାନି ପାଇଁ ଜିଏସ୍ଟି ରିଫଣ୍ଡ୍ର ବ୍ୟବସ୍ଥା କରାଯାଇଛି। କ୍ଷୁଦ୍ର ଶିଳ୍ପ ଏବଂ କମ୍ ବିପଦ ଥିବା ବ୍ୟବସାୟ ପାଇଁ ଜିଏସ୍ଟି ପଞ୍ଜୀକରଣ ସ୍କିମ୍ର ସରଳୀକରଣ କରାଯାଇଛି। ଏହା ଦ୍ବାରା ୯୬ ପ୍ରତିଶତ ନୂଆ ଆବେଦନକାରୀ ଉପକୃତ ହେବେ।
ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଛନ୍ତି ଯେ ଜିଏସ୍ଟି ପରିଷଦ ବୈଠକରେ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ସବୁ ରାଜ୍ୟ ସାମିଲ ହୋଇଥିଲେ। ଏକମତ ହୋଇ ସମସ୍ତେ ଜିଏସ୍ଟି ସଂସ୍କାର ପଦକ୍ଷେପଗୁଡ଼ିକୁ ସମର୍ଥନ କରିଥିଲେ। ସେଥିପାଇଁ ସେ ସବୁ ରାଜ୍ୟ ଓ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି। ଆଜିର ବୈଠକରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଦିଲ୍ଲୀ, ଗୋଆ, ହରିୟାଣା, ଜମ୍ମୁ ଓ କାଶ୍ମୀରର ମୁଖ୍ୟମନ୍ତ୍ରୀ ଏବଂ ଅରୁଣାଚଳପ୍ରଦେଶ, ବିହାର, ମଧ୍ୟପ୍ରଦେଶ ଓ ତେଲେଙ୍ଗାନାର ଉପମୁଖ୍ୟମନ୍ତ୍ରୀ, ମଣିପୁର ରାଜ୍ୟପାଳ, ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀ, ରାଜସ୍ବ ବିଭାଗର ସଚିବ, ସିବିଆଇସିର ଅଧ୍ୟକ୍ଷ ପ୍ରମୁଖ ଯୋଗ ଦେଇଥିଲେ।
ସ୍ବାଧୀନତା ଦିବସରେ କହିଥିଲି: ମୋଦୀ
ଜିଏସ୍ଟି ପରିଷଦରେ ଦୁଇଥାକିଆ ଜିଏସ୍ଟି ଢାଞ୍ଚାକୁ ନେଇ ହୋଇଥିବା ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବାଗତ କରିଛନ୍ତି। ସେ କହିଛନ୍ତି ଯେ ଜିଏସ୍ଟିରେ ପରବର୍ତ୍ତୀ ସଂସ୍କାର ଆଣିବା ସମ୍ପର୍କିତ ମୋ ଆଭିମୁଖ୍ୟ ବିଷୟରେ ମୁଁ ସ୍ବାଧୀନତା ଦିବସ ଅଭିଭାଷଣରେ କହିଥିଲି। ମୁଁ ଅତ୍ୟନ୍ତ ଆନନ୍ଦିତ ଯେ କେନ୍ଦ୍ର ସରକାର ଓ ରାଜ୍ୟମାନଙ୍କୁ ନେଇ ଗଠିତ ଜିଏସ୍ଟି ପରିଷଦ ମିଳିତ ସହମତିରେ କେନ୍ଦ୍ର ସରକାର ଦେଇଥିବା ଜିଏସ୍ଟି ହାର କମ୍ କରିବା ଏବଂ ସଂସ୍କାର ପ୍ରସ୍ତାବଗୁଡ଼ିକୁ ଅନୁମୋଦନ ପ୍ରଦାନ କରିଛନ୍ତି। ଏହା ଦ୍ବାରା ସାଧାରଣ ଜନତା, ଚାଷୀ, ଏମ୍ଏସ୍ଏମ୍ଇ, ମଧ୍ୟବିତ୍ତ ବର୍ଗ, ମହିଳା ଓ ଯୁବପିଢ଼ି ଉପକୃତ ହେବେ। ଏହି ବ୍ୟାପକ ସଂସ୍କାର ଆମ ନାଗରିକଙ୍କ ଜୀବନକୁ ଆହୁରି ଉନ୍ନତ କରିବ ଏବଂ ସମସ୍ତଙ୍କ ପାଇଁ, ବିଶେଷକରି କ୍ଷୁଦ୍ର ବ୍ୟବସାୟୀ ଏବଂ ବ୍ୟବସାୟ ପାଇଁ ସହଜ ବ୍ୟବସାୟ ସୁନିଶ୍ଚିତ କରିବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/04/hfshffh-2025-09-04-02-58-08.jpg)