ପୁରୀ : ଓବିସିସି ଜରିଆରେ ଐତିହ୍ୟ ମାର୍କଣ୍ଡ ପୁଷ୍କରିଣୀ ସହ ମାର୍କଣ୍ଡେୟ ମନ୍ଦିରର ଏବେ ବିକାଶ ଚାଲିଛି। ହେଲେ, ଏହି ବିକାଶ ତଳେ ଅନେକ ଐତିହ୍ୟକୁ ସମାଧି ଦିଆଯାଉଛି। ପୁଷ୍କରିଣୀକୁ ବର୍ଷତମାମ କାଚକେନ୍ଦୁ ପାଣିରେ ଭରି ରଖୁଥିବା ଯେଉଁ ନାଳ ସବୁ ଏଠାରେ ଥିଲା, ତାହା କଂକ୍ରିଟ୍‌ ତଳେ ପୋତି ହୋଇଗଲାଣି। ଏହାର ଜ୍ବଳନ୍ତ ଉଦାହରଣ ପୋଖରୀକୁ ସଂଯୋଗ କରୁଥିବା ପଥରର ଗୁପ୍ତ ସୁଡ଼ଙ୍ଗ। ଏହା ଆଗରେ କଂକ୍ରିଟ୍‌ ପାଚେରିର ବାଡ଼ ପକାଇ ଦିଆଯାଇଛି। ଫଳସ୍ବରୂପ ଏହି ଗୁପ୍ତ ସୁଡ଼ଙ୍ଗ ଅଞ୍ଚଳବାସୀଙ୍କ ପାଇଁ ବିପଦ ସୃଷ୍ଟି କରିପାରେ। ସେପଟେ ଏହି ନାଳ ସବୁ ପୋତି ହୋଇଯିବା ପରେ ପୁଷ୍କରିଣୀ କିଭଳି ପାଣିରେ ଭରିବ, ତାକୁ ନେଇ ଅଞ୍ଚଳବାସୀ ଚିନ୍ତା ପ୍ରକଟ କରିଛନ୍ତି।

Advertisment

ଶାସ୍ତ୍ର ମତରେ ଜଗତ ପ୍ରଳୟ ଜଳରେ ବିଲୀନ ହୋଇଯାଉଥିବା ସମୟରେ ମାର୍କଣ୍ଡେୟ ଋଷି ପ୍ରଳୟ ଜଳରେ ଭାସି ଆସି ଶ୍ରୀକ୍ଷେତ୍ରର ବଟବୃକ୍ଷ ନିକଟରେ ପହଞ୍ଚିଥିଲେ। ଭଗବାନ ବିଷ୍ଣୁ ବଟବୃକ୍ଷର ଊର୍ଦ୍ଧ୍ବ ଦେଶରେ ଏକ ପତ୍ର ଉପରେ ଶୟନ କରିଥିବା ଦେଖିଲେ। ସ୍କନ୍ଦ ପୁରାଣ ବର୍ଣ୍ଣନା ଅନୁଯାୟୀ ବଟପତ୍ରାଶୟୀ ଭଗବାନ ବିଷ୍ଣୁ ମାର୍କଣ୍ଡେୟଙ୍କୁ କହିଥିଲେ, ମହାପ୍ରଳୟ ପରେ ତୁମ ପାଇଁ ନିତ୍ୟତୀର୍ଥ ତିଆରି କରିବି। ଏହି ତୀର୍ଥରେ ଯିଏ ଶିବଙ୍କ ଆରାଧନା କରିବ ସେ ମୃତ୍ୟୁଞ୍ଜୟ ହେବ। ବିଷ୍ଣୁଙ୍କ କଥା ଶୁଣି ମାର୍କଣ୍ଡେୟ ମୁନି ବଟବୃକ୍ଷର ବାୟୁକୋଣରେ ହରିଙ୍କର ଗର୍ତ୍ତଟିଏ ତିଆରି କଲେ ଓ ସେଠାରେ ଶିବଙ୍କୁ ଆରାଧନା କଲେ। ମୃତ୍ୟୁକୁ ଜୟ କଲେ। ସେବେଠୁ ଗର୍ତଟି ମାର୍କଣ୍ଡେୟ ପୁଷ୍କରିଣୀ ନାମରେ ପରିଚିତ ହୋଇଆସିଛି ବୋଲି ବର୍ଣ୍ଣନା ରହିଛି। ସ୍କନ୍ଦ ପୁରାଣ ମୁତାବକ ‌ସେଇ ପୁଷ୍କରିଣୀରେ ସ୍ନାନ କରି ଶିବ ଦର୍ଶନ କଲେ ଅଶ୍ବମେଧ ଯଜ୍ଞର ଫଳ ମିଳିଥାଏ।

publive-image ମାର୍କଣ୍ଡ ପୋଖରୀର ବିକାଶ କାର୍ଯ୍ୟ ଚାଲିଛି

ମାର୍କଣ୍ଡ ପୁଷ୍କରିଣୀ ନିକଟ ନିବାସୀ ଆଇନଜୀବୀ ଚିନ୍ମୟ ଦାଶ କହିଛନ୍ତି, ମାର୍କଣ୍ଡ ପୁଷ୍କରିଣୀର ଏହି ଗୁପ୍ତ ସୁଡ଼ଙ୍ଗ ବ୍ରିଟିଶ ଅମଳର ଓ ରାଜା କପିଳେନ୍ଦ୍ର ଦେବଙ୍କ ସମୟରେ ତିଆରି ହୋଇଥିବା କୁହାଯାଏ। ବର୍ତ୍ତମାନର ମାର୍କଣ୍ଡ ନିକଟ ଗୋଶାଳା ତଳ ଦେଇ ଏହା ମଙ୍ଗଳା ନଦୀର ଯମୁନା ଘାଟରେ ମିଶିଛି। ଏହି ସୁଡ଼ଙ୍ଗ ପ୍ରାୟ ୫ଶହ ବର୍ଷ ପୁରୁଣା। ସମ୍ପୂର୍ଣ୍ଣ ପଥରରେ ତିଆରି ଏହି ସୁଡ଼ଙ୍ଗର ଚଉଡ଼ା ପ୍ରାୟ ୫ ଫୁଟ ରହିଥିଲା। ପିଲାବେଳେ ଏହି ସୁଡ଼ଙ୍ଗ ଭିତରେ ଖେଳକୁଦ କରୁଥିଲୁ। ଅନେକଥର ମାଛ ବି ଧରିଛୁ। ପଥରର ଏହି ସୁଡ଼ଙ୍ଗ ଦେଇ ମଙ୍ଗଳା ନଈରୁ ମାର୍କଣ୍ଡ ପୁଷ୍କରିଣୀକୁ ପାଣି ଆସୁଥିଲା। ଯେହେତୁ ଏହି ବାଟ ଦେଇ ପାଣି ଆସୁଥିଲା, ବର୍ଷା ସମୟରେ ଅନେକଥର ଏଠାରେ ପାଚେରି ଭୁଶୁଡ଼ିଛି ଓ ଅନେକଥର ମରାମତି କରାଯାଇଛି। କାଳକ୍ରମେ ଏହି ପାଣି ସ୍ରୋତକୁ ଅବରୋଧ କରି ଦିଆଗଲା। ଏବେ କଂକ୍ରିଟର ପାଚେରି ଏହା ଆଗରେ ଉଠାଇ ଦିଆଯାଇଛି। ଫଳସ୍ବରୂପ ଏହି ବାଟ ଦେଇ ଯେଉଁ ପାଣି ଆସୁଥିଲା, ତାହା ବନ୍ଦ ହୋଇଯିବା ସହ ଆଖପାଖ ଅଞ୍ଚଳବାସୀଙ୍କ ପାଇଁ ବିପଦ ସାଜିଛି। ପାଣି ନିଷ୍କାସନ ହେଉନଥିବାରୁ ବିଭିନ୍ନ ସ୍ଥାନରେ ଏହା ଦବିବା ଆରମ୍ଭ କଲାଣି। ଅନେକ ଜାଗାରେ ମାଟି ବି ଧସିଗଲାଣି। ଘର ବି ଫାଟିଲାଣି। ଏହା ସମ୍ମୁଖରୁ କଂ‌କ୍ରିଟ୍‌ ପାଚେରି ହଟାଇ ସୁଡ଼ଙ୍ଗର ପୁନରୁଦ୍ଧାର ପାଇଁ ଶ୍ରୀ ଦାଶ ଦାବି କରିଛନ୍ତି।

ସେପଟେ ପୁଷ୍କରିଣୀର ପଶ୍ଚିମପାର୍ଶ୍ବରେ ଚିଙ୍ଗୁଡ଼ି ନାଳ ଥିଲା। ଏହା ବି ଜବରଦଖଲକୁ ଚାଲିଗଲାଣି। ଏହା ମିଟିଆଣି ପୋଖରୀଠାରେ ମିଶିଥିଲା। ଏହି ବାଟ ଦେଇ ବର୍ଷା ଜଳ ଆସୁଥିଲା ଓ ନିଷ୍କାସନ ହେଉଥିଲା। କିନ୍ତୁ ଏହା ବି ପୋତି ଦିଆଗଲାଣି। ଯଦି ଏଭଳି ଚାଲେ, ପୁଷ୍କରିଣୀ ଶୁଷ୍କ ହୋଇଯିବ ବୋଲି ଶ୍ରୀ ଦାଶ କହିଛନ୍ତି। ମାର୍କଣ୍ଡେୟ ଉନ୍ନୟନ କମିଟି ଉପସଭାପତି ପାପିନ କୁମାର ଶତପଥୀ କହିଛନ୍ତି, ମାର୍କଣ୍ଡ ପୁଷ୍କରିଣୀର ଏହି ଗୁପ୍ତ ସୁଡ଼ଙ୍ଗ କାଳକ୍ରମେ ପୋତି ହୋଇଗଲାଣି। ଏହି ନାଳ ଦେଇ ମଙ୍ଗଳା ନଦୀରୁ ମାର୍କଣ୍ଡ ପୁଷ୍କରିଣୀକୁ ପାଣି ଆସୁଥିଲା ବୋଲି ଶ୍ରୀ ଶତପଥୀ କହିଛନ୍ତି। ଓବିସିସି-୩ର ପରିଚାଳକ ଶ୍ରୀଧର ରାଉତ କହିଛନ୍ତି, ଏ ସମ୍ପର୍କରେ ଅବଗତ ନାହୁଁ । ଏହାର ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି ଶ୍ରୀ ରାଉତ କହିଛନ୍ତି।