ଐତିହାସିକ ପୁରୁଣା ଜେଲ୍ ପ୍ରକଳ୍ପରେ ତାଲା

୨୦୧୦ ନେତାଜୀ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ କରିଥିଲେ ଶିଳାନ୍ୟାସ

କଟକ : ଠିକ୍‌ ଦଶବର୍ଷ ତଳେ ନେତାଜୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଐତିହାସିକ ପୁରୁଣା ଜେଲର ପୁନରୁଦ୍ଧାର ପାଇଁ ଶିଳାନ୍ୟାସ କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ କେବଳ ଫଳକରେ ସୀମିତ ରହିଛି ପ୍ରକଳ୍ପ। ୨୦୧୦ ଜାନୁଆରି ୨୩ରେ ଏହି ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଥିଲେ। ପ୍ରକଳ୍ପ ପାଇଁ ବିଭିନ୍ନ ସମୟରେ ବସୁଛି ବୈଠକ, ହେଲେ ଆଗେଇ ପାରୁନି ପ୍ରକଳ୍ପ। ସମନ୍ବୟ ଓ ଆନ୍ତରିକତା ଅଭାବରୁ ଏଭଳି ଏକ ପ୍ରକଳ୍ପ ଶୀତଳଭଣ୍ଡାରରେ ପଡି ରହିଛି।

କଟକର ଦରଘା ବଜାରରେ ପୂର୍ବରୁ ଥିଲା ଜେଲ୍। ସ୍ବାଧୀନତା ସଂଗ୍ରାମର ଅନେକ ସ୍ମୃତି ରଖିଥିବା ଏହି ଐତିହାସିକ ଜେଲ ଏବେ ଆଉ ସେଠାରେ ନଥିଲେ ବି ସ୍ବାରକୀ ସଦୃଶ କେ‌ତୋଟି ସେଲ୍ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି। ଆଜିକୁ ଦଶ ବର୍ଷ ତଳେ ଏହି ଐତିହାସିକ ସ୍ମାରକୀକୁ ନୂଆ ରୂପ ଦେବା ପାଇଁ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୬ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ଜେଲର ୧୫ ନମ୍ବର ସେଲକୁ ମ୍ୟୁଜିୟମ୍‌ କରାଯିବ, ସ୍ବାଧୀନତା ସଂଗ୍ରାମର ସ୍ମୃତି ସବୁକୁ ବ୍ୟାଖ୍ୟାନ କେନ୍ଦ୍ରରେ ସ୍ଥାନିତ କରାଯିବ। ପାଇକ ବିଦ୍ରୋହଠାରୁ ଆରମ୍ଭ କରି ସ୍ବାଧୀନତା ସଂଗ୍ରାମ, ଓଡିଆ ସଂଗ୍ରାମୀଙ୍କ ଗାଥା ସବୁ ସ୍ଥାନିତ ହେବ ଏହି ମ୍ୟୁଜିୟମ୍‌ରେ। ହେଲେ ଏବେ ଶୀତଳ ଭଣ୍ଡାରରେ ପଡି ରହିଛି ପ୍ରକଳ୍ପ। ଗତବର୍ଷ ଡିସେମ୍ବରରେ ପୁରୁଣା ଜେଲର ରକ୍ଷଣାବେକ୍ଷଣ ଓ ଏହାର ପରିସରରେ ମ୍ୟୁଜିୟମ ପାଇଁ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଅନେକ ଯୋଜନା କରାଯିବା ସହ କିପରି ଶୀଘ୍ର କାମ ଆରମ୍ଭ କରାଯିବ ସେ ସଂପର୍କରେ ସମୀକ୍ଷା କରାଯାଇଥିଲା। ଇନଟାକ୍‌, ସିଡିଏର ଅଧିକାରୀ ଓ ଯନ୍ତ୍ରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ଏ ସଂପର୍କରେ ଆଲୋଚନା କରିଥିଲେ। ଏପରିକି ବୈଠକରେ ଇନଟାକର ରାଜ୍ୟ ନିର୍ଦ୍ଦେଶକ ମ୍ୟୁଜିୟମର କାର୍ଯ୍ୟଧାରା ସମ୍ପର୍କରେ ପ୍ରସ୍ତାବ ରଖିଥିଲେ। କିନ୍ତୁ ସେସବୁ ବି ଏବେ ଶୀତଳଭଣ୍ଡାରରେ। ଏ ସଂପର୍କରେ ସିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ହେଲା ପ୍ରକଳ୍ପ ନେଇ ଯୋଜନା ହୋଇଛି। କିନ୍ତୁ ଆଗାମୀ ଦିନରେ କିଛି ବଡ ଯୋଜନା ହେବାକୁ ଥିବାରୁ ଏଯାଏ କାମ ଆରମ୍ଭ ହୋଇ ପାରି ନାହିଁ ।

ସମ୍ବନ୍ଧିତ ଖବର