ଭୁବନେଶ୍ବର: ନୌବାଣିଜ୍ୟର ସ୍ମୁତି, ଉତ୍କଳର ସାଧବପୁଅମାନଙ୍କର ବ୍ୟବସାୟ ତଥା ଐତିହାସିକ କଟକ ବାଲିଯାତ୍ରା ଆସନ୍ତା ୨୨ ତାରିଖ ବଦଳରେ ୨୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଦର୍ଶକ, ବ୍ୟବସାୟୀ, କଳାକାରଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ଓ ପ୍ରଶାସନ କଟକ ବାଲିଯାତ୍ରା-୨୦୨୪କୁ ଗୋଟିଏ ଦିନ ଅଧିକ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। 

Advertisment

ଏହି ଖବର ପଢ଼ନ୍ତୁ: କଟକ ବାଲିଯାତ୍ରାରେ ଅଘଟଣ 

ସିଏମ୍‌ଓ ପକ୍ଷରୁ ସାମାଜିକ ଗଣମାଧ୍ୟମ ଜରିଆରେ କୁହାଯାଇଛି ଯେ, ଲୋକଙ୍କ ଆଗ୍ରହ ଓ ଉତ୍ସାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଐତିହାସିକ ବାଲିଯାତ୍ରା ଅବଧିକୁ ଆଉ ଏକ ଦିନ ବୃଦ୍ଧି କରିଛନ୍ତି। ଚଳିତ ନଭେମ୍ବର ୧୫ କାର୍ତ୍ତିକ ପୂର୍ଣ୍ଣିମାଠାରୁ ୮ଦିନ ପର୍ଯ୍ୟନ୍ତ ଆୟୋଜିତ ଏହି ମହୋତ୍ସବ ନବମ ଦିବସରେ ଉଦ୍‌ଯାପନ ହେବ। 

ରାଜ୍ୟର ମହାମେଳା ଐତିହାସିକ କଟକ ‘ବାଲିଯାତ୍ରା’କୁ ଗତ ୧୫ ତାରିଖ ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ‌ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।  ନଭେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବାଲିଯାତ୍ରାରେ ଏଥର ଅନେକ କିଛି ଆକର୍ଷଣୀୟ ଆଉ ନୂଆ କଥା ଯୋଡ଼ା ହୋଇଛି। ‌ବାଲିଯାତ୍ରାକୁ ଅନ୍ତର୍ଜାତୀୟ ମାନ୍ୟତା ଦେବା ପ୍ରକ୍ରିୟାରେ ପ୍ରଥମଥର ପାଇଁ ୧୩ଟି ଦେଶର ରାଷ୍ଟ୍ରଦୂତ ଓ ହାଇକମିସନରଙ୍କ ସମେତ ୮ଟି ଦେଶର କଳାକାର ବାଲିଯାତ୍ରାରେ ସାମିଲ ହୋଇଛନ୍ତି। ବାଲିଯାତ୍ରାର ଉଦ୍‌ଘାଟନୀ ଉତ୍ସବରେ ଶ୍ରୀଲଙ୍କା, ବାଂଲାଦେଶ, ଥାଇଲାଣ୍ଡ, ଲାଓ ପିଡିଆର, ଭୁଟାନ, ସିଙ୍ଗାପୁର, ନେପାଳ, ମାଲେସିଆ, ଇଣ୍ଡୋନେସିଆ, ନାଉରୁ, ସୋଲୋମନ ଆଇଲାଣ୍ଡ, ନ୍ୟୁଜିଲାଣ୍ଡ, ଭିଜି, ଟିମୋର ଲେସେ ଓ ବୁର୍ଣ୍ଣେଇର ରାଷ୍ଟ୍ରଦୂତ ଓ ହାଇକମିସନର ଯୋଗଦେଇଥିଲେ। 

ଏହି ଖବର ପଢ଼ନ୍ତୁ: ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟ ଅଧଘଣ୍ଟା ବଢ଼ିଲା

ପ୍ରଥମଥର ପାଇଁ ଦକ୍ଷିଣ-ପୂର୍ବ ରାଷ୍ଟ୍ରସମୂହ ସହ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ନେଇ ସ୍ବତନ୍ତ୍ର ପାଭିଲିୟନ୍‌ କରାଯାଇଥିବାବେଳେ ଓଡ଼ିଆ ଅସ୍ମିତାକୁ ନେଇ ପୁରୁଣା ଓଡ଼ିଆ ସିନେମାକୁ ନେଇ କଟକ-ଇନ୍‌-କଟକରେ ପ୍ରଦର୍ଶନୀ ଆୟୋଜନ କରାଯାଇଛି। ଫିଲ୍ମ ଫେଷ୍ଟିଭାଲ, ଚଳଚ୍ଚିତ୍ର ପ୍ରଦର୍ଶନ, ଡ୍ରୋନ୍‌ ସୋ, ପିଠା ମହୋତ୍ସବ, ଓରମାସ୍‌ର ସ୍ବତନ୍ତ୍ର ଷ୍ଟଲ୍‌ ସହ ପ୍ରଥମ ଥର ପାଇଁ କଟକ ମାଟିରେ ‘ଆହେ ନୀଳଶଇଳ’ ମଞ୍ଚସ୍ଥ ହୋଇଛି।