ଐତିହାସିକ କଟକ ବାଲିଯାତ୍ରା ଉଦ୍‌ଘାଟିତ: ୧୦ ଦିନ ଚାଲିବ, ମେଳାରେ ଲାଗିଛି ୧୩୦୦ରୁ ଅଧିକ ସ୍ଥାୟୀ ଷ୍ଟଲ

କଟକ: କଟକ ମହାନଦୀ କୂଳରେ ଶୁକ୍ରବାର ସନ୍ଧ୍ୟାରେ ଐତିହାସିକ ବାଲିଯାତ୍ରା ଉଦ୍‌ଘାଟିତ ହୋଇଯାଇଛି। ଦେଶର ସର୍ବବୃହତ୍‌ ମୁକ୍ତାକାଶ ବାଣିଜ୍ୟିକ ମେଳା ବୈଷ୍ଣବ ପାଣି ମଂଚରୁ ବାଲିଯାତ୍ରା  ଉତ୍ସବ ୨୦୧୮କୁ ମନ୍ତ୍ରୀ ଶଶିଭୂଷଣ ବେହେରା ଉଦ୍‌ଘାଟନ କରିଛନ୍ତି। ବାଲିଯାତ୍ରାରେ ଏଥର ୧୩୦୦ରୁ ଅଧିକ ସ୍ଥାୟୀ ଷ୍ଟଲ ଏବଂ ତା’ଠାରୁ ଅଧିକ ଅସ୍ଥାୟୀ ଷ୍ଟଲ ଲାଗିଛି।

ପୂର୍ବରୁ ବାଲିଯାତ୍ରା ଚଳିତବର୍ଷ ଠାରୁ ପ୍ରଥମ ଥର ପାଇଁ ୧୦ ଦିନ ପାଇଁ ଚାଲିବ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଆ ନୌବାଣିଜ୍ୟ ପରଂପରାର ପ୍ରତୀକ ବାଲିଯାତ୍ରା ଆଗାମୀ ଡିସେମ୍ବର ୨ରେ ଶେଷ ହେବ।

ବାଲିଯାତ୍ରା ସହିତ ଚଳିତବର୍ଷ ଅନେକ କିଛି ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଯୋଡ଼ି ହେଇଯାଇଛି। ଆସନ୍ତା ୨୮ତାରିଖ ହକି ପୁରୁଷ ବିଶ୍ବକପ୍ ଉପଲକ୍ଷେ ବାରବାଟୀ ଷ୍ଟାଡିୟମ୍‌ରେ ଏ.ଆର୍. ରହେମାନ୍ ନାଇଟ୍  ହେବାର କାର୍ଯ୍ୟକ୍ରମ ରହିଛି। କେବଳ ସେତିକି ନୁହେଁ, ଚଳିତବର୍ଷ ପ୍ରଥମର ଥର ପାଇଁ ବୈଷ୍ଣବ ପାଣି ମଂଚରୁ ପ୍ରତିଦିନ ସଂଧ୍ୟାରେ ପାରମ୍ପରିକ ଲୋକନୃତ୍ୟ ସହିତ ପ୍ରତିଷ୍ଠିତ କଣ୍ଠିଶିଳ୍ପୀଙ୍କ ଦ୍ବାରା ଆକର୍ଷଣୀୟ ସଂଗୀତି ଭିତ୍ତିକ କାର୍ଯ୍ୟକ୍ରମ ଦର୍ଶକ ଉପଭୋଗ କରିବେ।

ଅନ୍ୟପକ୍ଷରେ ଗୁରୁବାର ସୁଦ୍ଧା ତହସିଲ୍‌ ପକ୍ଷରୁ ସମୁଦାୟ ୧୦୮୬ଟି ପ୍ଲଟ୍ ଆବଣ୍ଟିତ ହୋଇଥିବା ବେଳେ ଏ ବାବଦରେ ମୋଟ୍ ୧ କୋଟି ୧୧ଲକ୍ଷ ୩ହଜାର ୬୪୦ଟଙ୍କା ରାଜସ୍ବ ଆୟ ହୋଇଛି। ଓରମାସ୍‌ ପକ୍ଷରୁ ବି ତଳ ପଡ଼ିଆରେ ୩୮୦ଟି ସ୍ବତନ୍ତ୍ର ଷ୍ଟଲ୍ ହୋଇଛି। କିନ୍ତୁ ପ୍ରଶାସନର ବାରମ୍ବାର ନିୟମ ବଦଳ ଯୋଗୁଁ ଦୋଳି କିମ୍ବା ବଡ଼ ଷ୍ଟଲ୍ କାମ ଶେଷ ହୋଇପାରିନାହିଁ। ଶେଷ ମୁହୂର୍ତ୍ତରେ ପ୍ଲଟ୍ ମିଳିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କ୍ଷୋଭର ସହ ବ୍ୟବସାୟୀ କହିଛନ୍ତି। ଏଭଳି ସ୍ଥିତିରେ ସଂପୂର୍ଣ୍ଣ ଭାବେ ସମସ୍ତ ଷ୍ଟଲ୍ ଓ ଦୋଳି ଚାଲୁ ହେଲା ବେଳକୁ ୨୪ କିମ୍ବା ୨୫ତାରିଖ ହେଇଯିବ ବୋଲି ଅନୁମାନ କରାଯାଉଛି।

 

ସମ୍ବନ୍ଧିତ ଖବର