ଓଡ଼ିଆ ଭାଷା ପାଇଁ ଐତିହାସିକ ଦିନ

ପୁରୀ: ୨୦୧୮ ଏପ୍ରିଲ ପହିଲାରୁ ସରକାରୀ କାମରେ ଓଡ଼ିଆ ଭାଷାକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ। ଯେଉଁମାନେ ଏହାର ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଏଥିଲାଗି ସରକାରୀ ଭାଷା ଆଇନ୍‌, ୧୯୫୪ରେ ସଂଶୋଧନ କରାଯିବ। କେବଳ ଏତିକି ନୁହେଁ, ସମସ୍ତ ଦୋକାନ, ବ୍ୟାବସାୟିକ ପ୍ରତିଷ୍ଠାନରେ ମଧ୍ୟ ଓଡ଼ିଆ ଭାଷାର ନାମଫଳକ ନିର୍ଦିଷ୍ଟ ସମୟ ସୀମା ମଧ୍ୟରେ ଲଗାଇବାକୁ ବାଧ୍ୟତାମୂଳକ କରାଯିବ। ଏଥିପାଇଁ ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ, ୧୯୫୬ରେ ଆବଶ୍ୟକ ସଂଶୋଧନ ଅଣାଯିବ। ଏଥିରେ ବି ଖିଲାପକାରୀଙ୍କ ପାଇଁ ଦଣ୍ଡର ବ୍ୟବସ୍ଥା ରହିବ। ଆଜି ଏଠାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି। ନିଷ୍ପତ୍ତିର ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଉଛି ଯେ ଓଡ଼ିଆ ଭାଷା ଆଇନର ଉଲ୍ଳଂଘନକାରୀଙ୍କ ପାଇଁ ପ୍ରଥମ ଥର ଲାଗି ଦଣ୍ଡବିଧାନର ବ୍ୟବସ୍ଥା କରାଯାଇଛି। ତେବେ ଉଭୟ କ୍ଷେତ୍ରରେ ଦଣ୍ଡବିଧାନର ସ୍ୱରୂପ କଣ ହେବ, ତାହା ଏଯାଏ ସ୍ଥିର ହୋଇନାହିଁ। ପଞ୍ଚମ ଥର କ୍ଷମତା ଦଖଲ ପ୍ରସ୍ତୁତି ପୂର୍ବରୁ ଚାରିଥରିଆ ବିଜେଡି ସରକାର ବିରୋଧରେ ଥିବା ସବୁଠାରୁ ବଡ଼ ଅପବାଦର କଳଙ୍କକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଢଙ୍ଗରେ ନିଜ ମୁଣ୍ଡରୁ ପୋଛିବାକୁ ଚେଷ୍ଟା କରିଛନ୍ତି। ପୁରୀ ସର୍କିଟ ହାଉସରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଗୋଟିଏ ଏଜେଣ୍ଡାକୁ ଅନୁମୋଦନ ମିଳିଛି ଓ ସମୁଦାୟ କ୍ୟାବିନେଟ୍‌ ବୈଠକ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ପ୍ରତି ସମର୍ପିତ ହୋଇଛି। ଯେଉଁଥିରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରତି ସରକାର ନିଷ୍ଠା ପ୍ରକଟ କରିବା ସହିତ ଏ ସଂକ୍ରାନ୍ତ ୨୦ଟି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଲାଗି ସରକାର ସଂକଳ୍ପ ନେଇଛନ୍ତି। ଏଥିରେ ଓଡ଼ିଆ ଭାଷାର ପ୍ରସାର ଓ ସଂରକ୍ଷଣ ପାଇଁ ଓଡ଼ିଆ ଭାଷା ଆୟୋଗ ଗଠନ କରାଯିବାକୁ ମଧ୍ୟ ସ୍ଥିର ହୋଇଛି। ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ଜଳସଂପଦ ବିଭାଗର ପ୍ରମୁଖ ସଚିବ ପ୍ରଦୀପ କୁମାର ଜେନା ଓ ସଂସ୍କୃତି ସଚିବ ମନୋରଂଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏ ସଂକ୍ରାନ୍ତରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏବଂ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଆଜି ପ୍ରଥମ ଥର ପାଇଁ ରାଜ୍ୟ କ୍ୟାବିନେଟ୍‌ ବୈଠକ ରାଜଧାନୀ ବାହାରେ ଅର୍ଥାତ୍‌ ପୁରୀରେ ହୋଇଥିଲା।

ପୁରୀରେ କ୍ୟାବିନେଟ ବୈଠକ

ଭାଷା ଆଇନର ଉଲ୍ଲଂଘନ ହେଲେ କାର୍ଯ୍ୟାନୁଷ୍ଠାନ
ଗଠିତ ହେବ ଓଡ଼ିଆ ଭାଷା ଆୟୋଗ
ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ଏଣିକି ନୂଆ ବିଭାଗ
ଐତିହ୍ୟ କ୍ୟାବିନେଟ୍‌ ହେବ, ୫ବର୍ଷରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

କ୍ୟାବିନେଟ୍‌ ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ ମନ୍ତ୍ରୀମାନେ କହିଥିଲେ, ‘ପର୍ଯ୍ୟଟନ ଓ ସଂସ୍କୃତି’ ବିଭାଗରୁ ସଂସ୍କୃତି ବିଭାଗକୁ ପୃଥକ୍‌ କରାଯିବ। ‘ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି’ ନାମରେ ସଂସ୍କୃତି ବିଭାଗର ନୂଆ ନାମକରଣ ହେବ। ଓଡ଼ିଶାର ସଂସ୍କୃତି, ଐତିହ୍ୟ, ଭାଷା ଓ ସାହିତ୍ୟର ସଂରକ୍ଷଣ ତଥା ପରିବର୍ଧନ ନିଶ୍ଚିତ କରିବା ଲାଗି ଐତିହ୍ୟ କ୍ୟାବିନେଟ୍‌ ଗଠନ ହେବ। ଏଥିରେ କେଉଁ ବିଭାଗର ମନ୍ତ୍ରୀଙ୍କୁ ନିଆଯିବ, ତାହା ସରକାର ସ୍ଥିର କରିନାହାନ୍ତି।ମନ୍ତ୍ରୀ କହିଥିଲେ, ପ୍ରତି ୫ ବର୍ଷରେ ଥରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯିବ। ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟସ୍ତରରେ ସ୍ନାତକ ଏବଂ ସ୍ନାତକୋତ୍ତର ଓଡ଼ିଆ ପାଠ୍ୟକ୍ରମରେ ଅଧ୍ୟୟନ ପାଇଁ ଏଣିକି ଆଉ କୌଣସି ପାଉଣା ଦେବାକୁ ପଡିବ ନାହିଁ। ବ୍ୟାସକବି ଫକୀର ମୋହନ ଛାତ୍ରବୃତ୍ତି ପ୍ରଦାନର ସର୍ତ କୋହଳ କରାଯିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା ଯୁକ୍ତ ଦୁଇ ସ୍ତରରେ ଏବଂ ଯୁକ୍ତ ତିନିରେ ଓଡ଼ିଆ ବିଷୟରେ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରାଯିବ। ବିଶ୍ୱବିଦ୍ୟାଳୟ ମ଼ଞ୍ଜୁରି କମିସନ ଢାଞ୍ଚାରେ ଓଡ଼ିଆ ଭାଷା ସାହିତ୍ୟରେ ଗବେଷଣା ପାଇଁ ଅଧିକ ପ୍ରୋତ୍ସାହନ ଦେବାକୁ ସରକାର ସ୍ଥିର କରିଛନ୍ତି। ଏହାର ପରିମାଣ ନିର୍ଣ୍ଣୟ ହୋଇନାହିଁ। ଓଡ଼ିଆ ଭାଷା ସାହିତ୍ୟରେ ପିଏଚ୍‌ଡି ସଂଖ୍ୟା ବୃଦ୍ଧି କରାଯିବ ଏବଂ ଆବଶ୍ୟକ ପଡିଲେ ଓଡ଼ିଆ ଭାଷାରେ ପ୍ରାଧ୍ୟାପକ ସଂଖ୍ୟା ମଧ୍ୟ ବଢିବ। ଉଚ୍ଚଶିକ୍ଷା ବିଭାଗ ସମସ୍ତ ସରକାରୀ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟସ୍ତରରେ ଓଡ଼ିଆ ଭାଷା ଏବଂ ସାହିତ୍ୟ ସଂପର୍କିତ କର୍ମଶାଳା ଆୟୋଜନ କରି ସେଥିରେ ଉପସ୍ଥାପିତ ପ୍ରବନ୍ଧକୁ ପ୍ରକାଶିତ କରିବେ। ସହଭାଗିତା ଭିତ୍ତିରେ ଓ଼ଡ଼ିଆ ଭାଷାର ସାହିତ୍ୟକୃତିକୁ ଅନ୍ୟ ଭାରତୀୟ ଭାଷାରେ ଅନୁବାଦ ତଥା ଅନ୍ୟ ଭାଷାର ସାହିତ୍ୟକୃତିକୁ ଓଡ଼ିଆ ଭାଷାରେ ଅନୁବାଦ ପାଇଁ ପଦକ୍ଷେପ ନେବେ ସରକାର। କ୍ୟାବିନେଟ୍‌ ଆହୁରି ନିଷ୍ପତ୍ତି ନେଇଛନ୍ତି ଯେ ଓଡ଼ିଆ ଭାଷା ସାହିତ୍ୟକୁ ଅବିସ୍ମରଣୀୟ ଅବଦାନ ନିମନ୍ତେ ପୁରସ୍କାର ପ୍ରଦାନ ବ୍ୟବସ୍ଥାର ଏକତ୍ରୀକରଣ କରାଯିବ। ଐତିହାସିକ ଗବେଷଣା, ଶିଶୁ ସାହିତ୍ୟ, ବିଜ୍ଞାନ ପୁସ୍ତକ, ଓଡ଼ିଆ େଓ୍ଵବ୍‌ସାଇଟ୍‌, ଓଡ଼ିଆ ବ୍ଲକ ଲିଖନ ଆଦିକୁ ପ୍ରୋତ୍ସାହନ ପାଇଁ ନୂତନ ପୁରସ୍କାର ବ୍ୟବସ୍ଥା ହେବ। ଓଡ଼ିଆ ସଫ୍‌ଟେଓ୍ଵୟାର ପ୍ରସ୍ତୁତିରେ ଉତ୍କର୍ଷ ହାସଲ କରିଥିବା ବ୍ୟକ୍ତି ତଥା ଅନୁଷ୍ଠାନର ଭୂମିକା ଚିହ୍ନଟ କରାଯାଇ ପ୍ରତିବର୍ଷ ପୁରସ୍କାର ଦିଆଯିବ।

ଜିଲ୍ଲା ଓ ରାଜ୍ୟସ୍ତରୀୟ ପୁସ୍ତକ ମେଳାର ଆୟୋଜନ ଏଣିକି ସରକାର କରିବେ। ପ୍ରତି ଜିଲ୍ଲାରେ ସର୍ବସାଧାରଣ ପାଠାଗାର ପ୍ରତିଷ୍ଠା କରାଯିବ। ଏଥିରେ ଓଡ଼ିଆ ସାହିତ୍ୟ ପୁସ୍ତକ, କାଳଜୟୀ ଓଡ଼ିଆ ପୁସ୍ତକ ଓ ଓ଼ଡ଼ିଆରେ ଭାଷାନ୍ତରିତ ହୋଇଥିବା ଅନ୍ୟଭାଷାରେ ପୁରସ୍କୃତ ସାହିତ୍ୟ କୃତିକୁ ସରକାର ଉପଲବ୍ଧ କରାଇବେ। ପର୍ଯ୍ୟାୟକ୍ରମେ ଏଗୁଡିକ ସ୍ମାର୍ଟ ପାଠାଗାରରେ ପରିବର୍ତ୍ତନ ହେବ। ସମସ୍ତ ଉଚ୍ଚବିଦ୍ୟାଳୟରେ ପାଠାଗାର ସ୍ଥାପନ କରାଯିବ ଓ ଏଥିରେ ଓଡ଼଼ିଆ ଓ ଓଡ଼ିଆରେ ଅନ୍ୟ ଭାଷାରୁ ଅନୁବାଦିତ ପୁରସ୍କାର ପ୍ରାପ୍ତ ପୁସ୍ତକ ସରକାର ଯୋଗାଇଦେବେ। ପ୍ରବାସୀ ଓଡ଼ିଆଙ୍କ ପାଇଁ ଓଡ଼ିଆ ଭର୍ଚୁଆଲ ଏକାଡେମି ମାଧ୍ୟମରେ ଇଂରାଜୀ, ଫରାସୀ, ଜର୍ମାନୀ, ଜାପାନୀ ଏବଂ ସ୍ପେନୀୟ ଭାଷାରେ ସହଜ ଶିକ୍ଷା ପ୍ରଣାଳୀ ସହିତ ଓଡ଼ିଆ ପ୍ରାରମ୍ଭିକା ପ୍ରସ୍ତୁତ କରାଯିବ।

ସରକାର ଆଜି ଘୋଷଣା କରିଛନ୍ତି, ସର୍ବସାଧାରଣଙ୍କ ଠାରୁ ମିଳୁଥିବା ଓଡ଼ିଆ ଚିଠି, ଅଭିଯୋଗ ପତ୍ର ଓ ପତ୍ରାଳାପର ଉତ୍ତର ଓଡ଼ିଆ ଭାଷାରେ ହିଁ ଦିଆଯିବ। ରାଜ୍ୟ ଭିତରେ ସମସ୍ତ ସରକାରୀ ଉତ୍ସବ ଓଡ଼ିଆ ଭାଷାରେ ପରିଚାଳନା କରାଯିବ। ସେହିପରି ଅତିବଡ଼ି ଜଗନ୍ନାଥ ଦାସଙ୍କର ଜନ୍ମତିଥିରେ ରାଜ୍ୟସ୍ତରରେ, ତାଙ୍କ ଜନ୍ମସ୍ଥାନ କପିଳେଶ୍ୱରପୁର ଓ ପୁରୀର ସାତଲହଡ଼ି ମଠରେ ପ୍ରତିବର୍ଷ ବିଭାଗ ପାଳନ କରିବ। ଉଭୟ ପୀଠର ପୁନରୁଦ୍ଧାର ମଧ୍ୟ ସରକାର କରିବେ। ଏଥିସହିତ ଭାଗବତ ପ୍ରଚାର ଓ ପ୍ରସାର ପାଇଁ ଭାଗବତ ଟୁଙ୍ଗୀର ପୁନରୁଦ୍ଧାର ସଂଖ୍ୟା ଓ ଦିଆଯାଉଥିବା ଅନୁଦାନ ପରିମାଣ ଦୁଇଗୁଣ ବୃଦ୍ଧି କରାଯିବ। ଏବେ ଯାଏ ୩୬୦୦ ଭାଗବତ ଟୁଙ୍ଗୀର ଚିହ୍ନଟ ହୋଇଥିବା ମନ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର