ପୁରୀ: ୧୮୮୭ ମସିହା ମେ’ ୨୫ ତାରିଖ। ଭାରତ ବ୍ରିଟିସ ଶାସନାଧୀନ ଥିବା ସମୟରେ ମ୍ୟାକଲିନ୍ ଆଣ୍ଡ୍ କମ୍ପାନିର ‘ସାର ଜନ୍ ଲରେନ୍ସ’ ବାଷ୍ପୀୟ ପାଣିଜାହାଜରେ ଶ୍ରୀକ୍ଷେତ୍ରକୁ ବୁଲିବାକୁ ଆସୁଥିଲେ ୭୬୨ ତୀର୍ଥଯାତ୍ରୀ। ସେମାନଙ୍କ ମଧ୍ୟରେ ଅଧିକାଂଶ ଥିଲେ ମହିଳା ଓ ଶିଶୁ। ୬ ଇଂରେଜଙ୍କ ସହ ୩୦ ଜଣ କର୍ମଚାରୀଙ୍କ ସହ ଜାହାଜ ବଙ୍ଗୋପସାଗରରେ ଜଳଯାତ୍ରା ଆରମ୍ଭ କରିଥିଲା। ଯାତ୍ରା ଆରମ୍ଭର ମାତ୍ର ଦୁଇଘଣ୍ଟା ମଧ୍ୟରେ ଜାହାଜଟି ବୁଡ଼ିଯାଇଥିଲା। ଏଥିରେ ଥିବା ସମସ୍ତ ତୀର୍ଥଯାତ୍ରୀ ସଲିଳ ସମାଧି ନେଇଥିଲେ। ଏ ଘଟଣା ପରେ ‘ବଙ୍ଗବାସୀ’ ଖବରକାଗଜର ବ୍ରିଟିସ ସରକାରଙ୍କୁ ଖୋଲା ସମାଲୋଚନା ଓ ସାଧାରଣ ଲୋକଙ୍କ ହୋହଲ୍ଲା ପରେ ୧୮୮୯ ମସିହାରେ ପୁରୀ ପର୍ଯ୍ୟନ୍ତ ରେଳଲାଇନ୍ ନିମନ୍ତେ ସର୍ଭେ କରିବାକୁ ମଞ୍ଜୁରି ମିଳିଥିଲା। ଏଇଠାରୁ ଶ୍ରୀକ୍ଷେତ୍ର ତଥା ଓଡ଼ିଶାକୁ ରେଳପଥ ସଂପ୍ରସାରଣର ଯାତ୍ରା ଆରମ୍ଭ ହୋଇଥିଲା ବୋଲି ଗବେଷକ ଅନିଲ ଧୀର କହିଛନ୍ତି।
ଏ ସମ୍ପର୍କିତ ଐତିହାସିକ ତଥ୍ୟକୁ ସାର୍ବଜନୀନ କରି ଶ୍ରୀ ଧୀର କହିଛନ୍ତି, କୋଲକାତା ଧର୍ମସଭାରେ ଅଭୟ ମିଳିଥିଲା ଯେ ରେଳଯାତ୍ରା ଦ୍ବାରା ଜାତି, ଧର୍ମ ଯିବାର ଭୟ ନାହିଁ। ତେଣୁ ଭାରତରେ ସେଇସମୟରେ ଦୁଇ ପ୍ରମୁଖ ବ୍ରିଟିସ ରେଳବାଇ ନିର୍ମାଣକାରୀ ସଂସ୍ଥା, ମାର୍ସମ୍ୟାନ୍ ଓ ଷ୍ଟିଫେନସନ ୧୮୬୦ ମସିହାରୁ ଓଡ଼ିଶାରେ ରେଳଧାରଣାର ଯୋଜନା କରିଥିଲେ। ସେଇସମୟରୁ ବହୁ ବଙ୍ଗୀୟ ତୀର୍ଥଯାତ୍ରୀ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଆସୁଥିବାରୁ ହାୱଡ଼ା-ପୁରୀ ମଧ୍ୟରେ ରେଳପଥ ନିର୍ମାଣ ପାଇଁ କଟକ ଅଧିବାସୀ ଏକ ଦରଖାସ୍ତ ଲେଖିଥିଲେ। କିନ୍ତୁ, ୧୮୬୬ ମସିହାରେ ତତ୍କାଳୀନ ପ୍ରଶାସନ ଏହାକୁ ଖାରଜ କରିଦେଇଥିଲେ। ୧୮୭୪ରୁ ୧୮୭୮ରେ ମଧ୍ୟ ଆଉ ଥରେ ପ୍ରାର୍ଥନା କରାଯାଇଥିଲା। ୧୮୮୧ ମସିହାରେ ସେତେବେଳର ବିଶିଷ୍ଟ ଜମିଦାର ବୈକୁଣ୍ଠନାଥ ଦେଙ୍କ ଦ୍ବାରା ଗଠିତ ବାଲେଶ୍ବର ରେଲୱେ କମିଟି ମଧ୍ୟ ପୁଣି ଏନେଇ ପ୍ରସ୍ତାବ ଦେଇଥିଲେ। କୋଲକାତା-ମାନ୍ଦ୍ରାଜ ଭିତରେ ରେଳପଥର ଏକ ଶାଖା ଶ୍ରୀକ୍ଷେତ୍ରକୁ ସ୍ପର୍ଶ କରିବା ପାଇଁ ପ୍ରସ୍ତାବ ରହିଥିଲା। ଶ୍ରୀ ଦେ ସେତେବେଳେ କହିଥିଲେ ବାର୍ଷିକ ୫ରୁ ୬ଲକ୍ଷ ବଙ୍ଗୀୟ ହିନ୍ଦୁଯାତ୍ରୀ ପୁରସ୍ତମ ଯାଉଥିବାରୁ ରେଳଲାଇନରେ ନିବେଶ କଲେ ଖୁବ ଲାଭ ମିଳିବ। ଆର୍ଥିକ ସ୍ବଚ୍ଛଳତା ବଢ଼ିବା ସହ ହଇଜା ଓ ସଂକ୍ରମଣ ଲାଘବ ହେବ।
ତେବେ ୧୮୮୭ ମସିହାରେ ସାର୍ ଜନ୍ ଲରେନ୍ସ ଜାହାଜ ବୁଡ଼ି ଘଟଣା ରେଳପଥ ନେଇ ଆଖି ଖୋଲିଦେଲା। ସେତେବେଳେ ଏ ଦୁର୍ଘଟଣାର ତଦନ୍ତ କରୁଥିବା ମେରାଇନ କୋର୍ଟ ଅଫ ଇନ୍କ୍ବାରିର ପ୍ରଦତ୍ତ ରିପୋର୍ଟ ଅନୁଯାୟୀ ନାବିକଙ୍କ ତ୍ରୁଟିପୂର୍ଣ୍ଣ ଜାହାଜ ଚାଳନା ଓ କ୍ଷମତାଠାରୁ ଅଧିକ ଯାତ୍ରୀ ବୋଝେଇ ଯୋଗୁ ଜଳଯାତ୍ରାର ମାତ୍ର ଦୁଇ/ତିନି ଘଣ୍ଟା ମଧ୍ୟରେ ଜାହାଜ ପାଣିରେ ବୁଡ଼ି ଯାଇଥିଲା। ବହୁ ମହିଳା, ଶିଶୁ ଓ ବ୍ରିଟିସ ପଦାଧିକାରୀଙ୍କ ପତ୍ନୀ ମଧ୍ୟ ବୁଡ଼ି ପ୍ରାଣ ହରାଇଥିଲେ। ଏ ଘଟଣା ରେଳପଥ ଦାବିକୁ ଶାଣିତ କରିଥିଲା। ବଙ୍ଗବାସୀ ଖବରକାଗଜ ଲେଖିଥିଲା, କେବଳ ୟୁରୋପୀୟଙ୍କ ଗମନାଗମନ ଓ ବାଣିଜ୍ୟିକ ସୁବିଧା ପାଇଁ ରେଳପଥ ହେଉଛି। ଅଥଚ ୧୬କୋଟି ହିନ୍ଦୁ ତୀର୍ଥଯାତ୍ରୀଙ୍କ ଜୀବନର ସୁରକ୍ଷା ପାଇଁ ରେଳଲାଇନଟିଏ ସରକାର କରୁନାହାନ୍ତି। ଆସାମରେ ଚା ବେପାର ଓ ୟୁରୋପୀୟମାନେ ଦାର୍ଜିଲିଂରେ ପର୍ବତାରୋହଣ ଲାଗି ଟ୍ରେନ୍ ଚାଲିଲା, କିନ୍ତୁ ପୁରସ୍ତମ ଯାତ୍ରୀଙ୍କ ଜୀବନକୁ ନିରାପତ୍ତା ଦେବାକୁ ଟ୍ରେନ୍ ନାହିଁ। ଏହାପରେ ରେଳଲାଇନ୍ ସର୍ଭେ ପାଇଁ ମଞ୍ଜୁରି ମିଳିଥିଲା। ତେବେ, ଓଡ଼ିଶାର ପ୍ରମୁଖ ନଦୀଗୁଡ଼ିକ ଉପରେ ସେତୁ ନିର୍ମାଣ ପରେ ହିଁ ୧୯୦୦ ମସିହାରେ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଥିଲା ବୋଲି ଶ୍ରୀ ଧୀର କହିଛନ୍ତି।