ପର୍ଯ୍ୟଟନରେ ନୂଆ ଆଶା ଯୋଡ଼ିଛି ଐତିହ୍ୟ ରାଜପ୍ରାସାଦ

୭ ରାଜପ୍ରାସାଦରେ ୪୦ ହୋମ୍ ଷ୍ଟେ’ ସୁଯୋଗ, ଯୋଡ଼ି ହେବ ଆଉ ୬ ରାଜପ୍ରାସାଦ

ଭୁବନେଶ୍ବର : ଜଣେ ରାଜା ଥିଲେ….। ପିଲା ବେଳେ ସାଧାରଣତଃ ଗପଟିଏ ଆରମ୍ଭ ହେବା ମାତ୍ରେ ଆଈ ମା’ ପାଟିରୁ ବାହାରି ଆସେ ଏଇ ଆପ୍ତ ବାକ୍ୟ। ରାଜାଘର କଥା ପଡ଼ିଲେ, ମନ ଆପେଆପେ ସେ ଆଡ଼କୁ ଟାଣି ହୋଇଯାଏ। ବାସ୍ତବରେ ନହେଉ ପଛେ ରାଜା ଭଳି ଜୀବନଟେ ଜିଇଁବାକୁ କାହାର ବା ଇଚ୍ଛା ନଥାଏ। ଝଲମଲ ରାଜ ଉଆସରେ ବଞ୍ଚିବାର ସ୍ବପ୍ନ କିଏ ବା ନଦେଖେ। ରାଜା ଘର ଖାଦ୍ୟରେ ଆପ୍ୟାୟିତ ହେବାର ଅଭିଳାଷ କାହାର ବା ନଥାଏ। ତେବେ ଦିନେ ସ୍ବପ୍ନ ଭଳି ଲାଗୁଥିବା, ରାଜକୀୟ ଜୀବନକୁ ପାଖରୁ ଉପଲବ୍ଧି କରିବାର ସୁଯୋଗ ଦେଇଛି ‘ଐତିହ୍ୟ ରାଜପ୍ରାସାଦ ହୋମ୍‌ଷ୍ଟେ ସଂଘ ଓଡ଼ିଶା’। ୨୦୦୯ରୁ ଢେଙ୍କାନାଳ ରାଜପ୍ରାସାଦରେ ମାତ୍ର ୨ଟି ରୁମ୍‌ରୁ ଏହାର ପରିକଳ୍ପନା କରାଯାଇଥିବା ବେଳେ ସଂପ୍ରତି ଏହି ଧାରାରେ ଯୋଡ଼ି ହୋଇଛନ୍ତି ୧୦ଟି ରାଜପ୍ରାସାଦର ଦାୟାଦମାନେ। ସଂପ୍ରତି ୭ଟି ରାଜପ୍ରାସାଦରେ ୪୦ଟି ରୁମ୍‌ ବୁକିଂ କରିବାର ସୁଯୋଗ ସୃଷ୍ଟି ହୋଇଛି। ଖୁବ୍‌ଶୀଘ୍ର ଏଇ ଧାରାରେ ଆଉ ୬ଟି ରାଜପ୍ରାସାଦ ଯୋଡ଼ି ହେବାକୁ ଯାଉଛନ୍ତି।

ଢେଙ୍କାନାଳ ରାଜପ୍ରାସାଦରେ ସଂପ୍ରତି ୧୩ଟି ରୁମ୍‌ର ବନ୍ଦୋବସ୍ତ ରହିଥିବା ବେଳେ ୨୦ଜଣ ଅତିଥିଙ୍କୁ ଆତିଥ୍ୟ ଦିଆଯାଉଛି। ପୁରୁଣା କାଳର କଳାତ୍ମକ ସାଜସଜା ହିଁ ଜଣକୁ କିଛି କ୍ଷଣ ଏହା ମଧ୍ୟରେ ରାଜା ଭଳି ରହିବାର ଉପଲବ୍ଧି ଦେବ। ପାରମ୍ପରିକ ସ୍ବାଗତ ପରେ ଆତିଥ୍ୟ ଯୋଗାଇ ଦେବ‌େ ଖୋଦ୍‌ ରାଜ ପରିବାରର ଦାୟାଦମାନେ। ବାର ମୁତାବକ ଓଡ଼ିଆ ପାରମ୍ପରିକ ଖାଦ୍ୟରେ ହିଁ ଆପ୍ୟାୟିତ ହେବାର ସୁଯୋଗ ମିଳିବ। ରାଜ ପରିବାରର ଦାୟାଦଙ୍କ ସହ ଏକାଠି ଟେବୁଲ୍‌ରେ ବସି ଭୋଜନ କରିବା ନିଆରା ଅନୁଭବ ଦେବ। ଏଠାରେ ରହଣି କାଳରେ ଜଣେ ସପ୍ତଶଯ୍ୟାର ପିତଳ କାରିଗରୀ, ନୂଆପାଟଣାର ହସ୍ତତନ୍ତ କଳା, କପିଳାସ ପର୍ବତରେ ଚନ୍ଦ୍ରଶେଖରଙ୍କ ଦର୍ଶନ, ଯୋରନ୍ଦାର ଅଲେଖ ମହିମା, ହାତୀ, ମହୁ ସଂଗ୍ରହ, ପତ୍ର ଘର ଭିତରେ ମାଙ୍କିଡ଼ିଆଙ୍କ ରହଣିକୁ ବୁଲି ଦେଖିପାରୁଛି। ଆଳି ରାଜପ୍ରାସାଦରେ ୭ଟି ରୁମ୍‌ ରହିଥିବା ବେଳେ ଭିତରକନିକାକୁ ଯିବା ବାଟରେ ଏହା ପଡ଼େ। ୧୭ଶହ ଖ୍ରୀଷ୍ଟାବ୍ଦର ଏହି ଐତିହ୍ୟ କୋଠାରେ ମୋଗଲ ସମୟର କଳାକୃତି ଆଜି ବି ରାଜମହଲକୁ ଝଲମଲ କରୁଥିବା ବ‌େଳେ ଏହା ସମ୍ମୁଖରେ ଖରସ୍ରୋତା ନଦୀ ଓ ପ୍ରାକୃତିକ ପରିବେଶକୁ ଉପଭୋଗ କରିବା ପାଇଁ ଭିଡ଼ ଜମୁଛି।

ରାଜ ପରିବାରର ଦାୟାଦ ବ୍ରଜକେଶରୀ ଦେବଙ୍କ କହିବା ମୁତାବକ, ୨୦୦୯ରୁ ଆମେ ହୋମ୍‌ଷ୍ଟେ ବ୍ୟବସ୍ଥା ଆରମ୍ଭ କରିଥିଲେ ହେଁ ୨୦୧୨ ମସିହା ବେଳକୁ ହିଁ ପର୍ଯ୍ୟଟକ ଆସିବା ଆରମ୍ଭ କଲେ। ବିଶେଷକରି ବିଦେଶୀ ପର୍ଯ୍ୟଟକମାନେ ଏଠାରେ ରହିବାକୁ ପସନ୍ଦ କଲେ। ଏପରିକି ବିଦେଶୀମାନେ ପଖାଳ ଖାଇ ବାଃ ବାଃ କରିଛନ୍ତି। ତେବେ ଆଗରୁ ୩୦-୪୦ ଜଣ ଗୋଟେ ପର୍ଯ୍ୟଟନ ଋତୁରେ ଆସୁଥିବା ବେଳେ ଏବେ ୧୦୦ ପର୍ଯ୍ୟଟକଙ୍କୁ ଆମେ ଆତିଥ୍ୟ ଦେଉଛୁ। ବିଶେଷକରି ଏଠାରେ ରହଣି କାଳରେ କାୟାକିଙ୍ଗ୍‌, ରୋଇଙ୍ଗ ଓ ପହଁରା ଭଳି ଜଳକ୍ରୀଡ଼ାର ଭରପୂର ସୁଯୋଗ ଥିବା ବେଳେ ଭିତରକନିକା ଜାତୀୟ ଉଦ୍ୟାନ ବୁଲିବା ପାଇଁ ବୋଟ ସଫାରିର ବ୍ୟବସ୍ଥା କରାଯାଉଛି। ଏହାବ୍ୟତୀତ ଏଠାରୁ ୪୫କିଲୋମିଟର ଦୂରରେ ରତ୍ନଗିରି ଓ ଲଳିତଗିରିର ବୌଦ୍ଧ ସ୍ମାରକୀ ଦେଖିବାର ସୁଯୋଗ ମିଳୁଛି।

ଏହା ବ୍ୟତୀତ ବାଲେଶ୍ବରର ନୀଳଗିରି ରାଜପ୍ରାସାଦରେ ୪ଟି ରୁମ୍‌, ଚୌଦ୍ବାରସ୍ଥିତ ମଙ୍ଗରାଜପୁର ଗ୍ରାମର ଡାଲିଯୋଡ଼ା ରାଜପ୍ରାସାଦରେ ୫ଟି ରୁମ୍‌, ଢେଙ୍କାନାଳ ବୋରାପଦାର ଗଜଲକ୍ଷ୍ମୀ ରାଜପ୍ରସାଦରେ ୫ଟି ରୁମ୍‌, ପୁରୀ ଜିଲ୍ଲା ପାରିକୁଦ ରାଜପ୍ରାସାଦରେ ୪ଟି ରୁମ୍‌, କଳାହାଣ୍ଡି ରାଜପ୍ରାସାଦରେ ୨ଟି ରୁମ୍‌ ଉପଲବ୍ଧ ହେଉଛି। ଖୁବ୍‌ଶୀଘ୍ର ନୂଆପଡ଼ାସ୍ଥିତ ଖରିଆର ରାଜପ୍ରାସାଦରେ ମଧ୍ୟ ଏହି ରାଜକୀୟ ହୋ‌ମ୍‌ଷ୍ଟେର ସୁବିଧା ଉପଲବ୍ଧ ହେବ। ଏହାର ନବୀକରଣ କାମ ଚାଲୁ ରହିଛି। ତେବେ ବଡ଼ମ୍ବା ରାଜପ୍ରାସାଦରେ କେବଳ ମଧ୍ୟାହ୍ନ ଭୋଜନର ଲାଭ ଉଠାଇପାରିବେ ପର୍ଯ୍ୟଟକ। ଏଠାରେ ରହଣି ନେଇ କୌଣସି ସୂଚନା ନଥିଲେ ମଧ୍ୟ ଖାଣ୍ଟି ଓଡ଼ିଆ ଖାଦ୍ୟ‌‌ରେ ଆପ୍ୟାୟିତ ହେବାର ଭରପୂର ସୁବିଧା କରାଯାଇଛି।

ବଡ଼ କଥା ହେଉଛି, ସଂପ୍ରତି ୧୯ଟି ରାଜବାଟୀ ମଧ୍ୟରୁ ଧୀରେଧୀରେ ଅନ୍ୟ ରାଜବାଟୀ ମଧ୍ୟ ଯୋଡ଼ି ହେବାକୁ ଯାଉଛନ୍ତି। ନିକଟରେ କଳାହାଣ୍ଡି ରାଜପ୍ରାସାଦରେ ଆଉ ୬ଟି ରୁମ୍‌ ହୋମ୍‌ଷ୍ଟେ ପାଇଁ ବନ୍ଦୋବସ୍ତ କରାଯାଉଛି। ସେହିପରି ସୁନ୍ଦରଗଡ଼, ନୟାଗଡ଼, ଗଂଜାମର ଧରାକୋଟ, ପାରଳାଖେମୁଣ୍ଡି, ସାନଖେମୁଣ୍ଡି, ଆଠମଲ୍ଲିକ, ତାଳଚେର, ତାଳଚେରସ୍ଥିତ ସ୍କଟ୍‌ଲାଣ୍ଡ୍‌ପୁରରେ ମଧ୍ୟ ଏହି ରାଜକୀୟ ଜୀବନ ଜିଇଁବା ପାଇଁ ସୁ‌ଯୋଗ ମିଳିବ।

ଅନ୍ୟ ରାଜପ୍ରାସାଦ ଯୋଡ଼ି ହେବା ପରେ ‘ଐତିହ୍ୟ ରାଜପ୍ରାସାଦ ହୋମ୍‌ଷ୍ଟେ ସଂଘ ଓଡ଼ିଶା’ ପକ୍ଷରୁ ରାଜ୍ୟ ପର୍ଯ୍ୟଟନ ବିଭାଗ ସହ ଏକ ଚୁକ୍ତିପତ୍ର ସ୍ବାକ୍ଷରିତ ହେବ। ବ୍ର‌ଜକେଶରୀ ଦେବଙ୍କ କହିବା ମୁତାବକ, ରାଜପ୍ରାସାଦ ହୋମ୍‌ଷ୍ଟେ ପାଇଁ ସବୁଠୁ ବଡ଼ ଆବଶ୍ୟକତା ହେଉଛି ଏହାର ପ୍ରଚାରପ୍ରସାର ଓ ବିପଣନ ତଥା ମାର୍କେଟିଂ। ଏ କ୍ଷେତ୍ରରେ ସରକାର ସହଯୋଗ କରିବା ସହ ଆବଶ୍ୟକ ସୁବିଧା ଯୋଗାଇଦେବେ ବୋଲି ଆଶା। ତେବେ ଯଦି ଆମକୁ ରିହାତି ଦରରେ ଋଣ ଆକାରରେ କିଛି ଆର୍ଥିକ ସହାୟତା ଯୋଗାଇ ଦିଆଯାଆନ୍ତା ତେବେ ରାଜପ୍ରାସାଦର ମୌଳିକତାକୁ ବଜାୟ ରଖି ଆହୁରି ଆନୁଷଙ୍ଗିକ ସୁବିଧା କରାଯାଇ ପାରନ୍ତା ବୋଲି ଶ୍ରୀ ଦେବ କହିଛନ୍ତି।

ପର୍ଯ୍ୟଟନ କ୍ଷେତ୍ରରେ ଏହିଭଳି ଧାରା ଯୋଡ଼ି ହେବା କେବଳ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରକୁ ସମୃଦ୍ଧ କରି ନାହିଁ, ବରଂ ପ୍ରତ୍ୟେକଙ୍କର ରାଜା ହେବାର ଆକାଂକ୍ଷାକୁ କେଇ କ୍ଷଣ ପାଇଁ ହେଉ ପଛେ ସାକାର କରିବାରେ ସମର୍ଥ ହୋଇଛି।

ସମ୍ବନ୍ଧିତ ଖବର