ଉଦଘାଟନୀ ସଂଧ୍ୟାରେ ମନମୋହିଲା ‘ଆହେ ନୀଳଶଇଳ’; ଆଉ ତିନି ଦିନ ରବୀନ୍ଦ୍ର ମଣ୍ଡପରେ ଦେଖିବେ ଦର୍ଶକ

ଭୁବନେଶ୍ବର : ବହୁଚର୍ଚ୍ଚିତ ଐତିହାସିକ ନାଟକ ‘ଆହେ ନୀଳଶଇଳ’ର ପ୍ରଦର୍ଶନ ଆରମ୍ଭ ହୋଇଛି। ଭୁବନେଶ୍ବରର ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ଗୁରୁବାର ‘ସମ୍ବାଦ’ ଗ୍ରୁପ୍ ଅଧ୍ୟକ୍ଷ ତଥା ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ‘ଆହେ ନୀଳଶଇଳ’ର ପ୍ରାୟୋଜକ ଖିମଜୀ ଜୁଏଲର୍ସର ମୁଖ୍ୟ ଦିନେଶ ଖିମଜୀ ଓ କିଶୋର ଖିମଜୀ ଏବଂ ‘ସମ୍ବାଦ’ ଗ୍ରୁପ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ପ୍ରଦୀପ ପ୍ରଜ୍ୱଳନ କରି ନାଟକକୁ ଦର୍ଶକାର୍ପଣ କରିଛନ୍ତି। ଆଜି ପ୍ରଥମ ଦିନର ପ୍ରଦର୍ଶନ ପରେ  ଦର୍ଶକମାନେ  ନାଟକକୁ ଖୁବ୍ ପସନ୍ଦ କରିଛନ୍ତି। କାହାଣୀ, ସଂଳାପ, ଅଭିନୟ, ସଂଗୀତ ଓ ମଞ୍ଚସଜ୍ଜା ଆଦି ନାଟକର ସମସ୍ତ ଦିଗକୁ ନାଟ୍ୟପ୍ରେମୀ ପ୍ରଶଂସା କରିଛନ୍ତି। ଆସନ୍ତା ରବିବାର ପର୍ଯ୍ୟନ୍ତ ୩ ଦିନ ଧରି ( ୮ରୁ ୧୦ ତାରିଖ) ସଂଧ୍ୟା ୬ଟାରେ ଦର୍ଶକ ‘ଆହେ ନୀଳଶଇଳ’ ଦେଖିବାକୁ ପାଇବେ।

‘ଚକଲେଟ୍ ପ୍ରଡକ୍ସସନ୍ସ’ ପକ୍ଷରୁ  ପ୍ରସ୍ତୁତ ଏହି ନାଟକର କାହାଣୀ କଥାସମ୍ରାଟ୍ ସୁରେନ୍ଦ୍ର ମହାନ୍ତିଙ୍କ ପ୍ରସିଦ୍ଧ ଉପନ୍ୟାସ ‘ନୀଳଶୈଳ’ ଦ୍ବାରା ଆଂଶିକ ଭାବେ ଅନୁପ୍ରେରିତ। ଅଷ୍ଟାଦଶ ଶତାବ୍ଦୀରେ ମୋଗଲ ଶାସନାଧୀନ ଓଡ଼ିଶାରେ ହିନ୍ଦୁ ବିଦ୍ବେଷୀ ନାଏବ ନଜିମର ବିଷଦୃଷ୍ଟିରୁ କିଭଳି ମହାପ୍ରଭୁଙ୍କ ମାନରକ୍ଷା ଲାଗି ତତ୍କାଳୀନ ଗଜପତି ରାମଚନ୍ଦ୍ର ଦେବ ବହୁ କଷ୍ଟ ସହିଛନ୍ତି ଓ ଅତ୍ୟାଚାରର ଶିକାର ହୋଇଛନ୍ତି ତାହା ‘ଆହେ ନୀଳଶଇଳ’ରେ ଉପସ୍ଥାପିତ ହୋଇଛି।  ବିଶିଷ୍ଟ ନାଟ୍ୟକାର ଶଙ୍କର ତ୍ରିପାଠୀ ଓ ଡ. ପ୍ରତିମା ହୋତା ଏହା ରଚନା କରିଥିଲା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ମଞ୍ଚ ଓ ଯାତ୍ରା ଦୁନିଆର ସଫଳ ନିର୍ଦ୍ଦେଶକ ଲାଲା ବୀରେନ୍ ରାୟ। ଏଥିରେ ଓଡ଼ିଆ ସିନେମା ଓ ଛୋଟପରଦାର ଅନେକ ଜଣାଶୁଣା କଳାକାର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଅଭିନେତା ଲରେନ୍ସ ଗଜପତି ରାମଚନ୍ଦ୍ର ଦେବ, ସୋଫିଆ ଆଲମ୍ ମହାରାଣୀ, ପ୍ରକାଶ ଜେନା ତକି ଖାଁ, ଶ୍ରଦ୍ଧା ପାଣିଗ୍ରାହୀ ରେଜିଆ ଓ ମନୀଷା ରଥ ସରଦେଇ ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି। ଓଲିଉଡର ହାସ୍ୟାଭିନେତା ହାଡୁ ଷଣ୍ଢ ସୁଆର ଭୂମିକାରେ ନଜର ଆସିଥିବା ବେଳେ ଆରଜେ କେପି ମୁରାଦ ଅଲ୍ଲୀ ଚରିତ୍ର ନିଭାଇଛନ୍ତି। ଏହାବାଦ୍ ଆଶିଷ, ରାଜେନ୍ଦ୍ର, ପାର୍ଥ, ଚିନ୍ମୟ, ଶମ୍ଭୁ ହୋତା, ଗୋବିନ୍ଦ ମହାପାତ୍ର, ଉମା,ରଘୁନାଥ, ବିନୁ, ପ୍ରଭାତ, ସୁନୀଲ ଓ ରାକେଶ ପ୍ରମୁଖ କଳାକାର ଅନ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଲାଲା ବୀରେନଙ୍କୁ ନିର୍ଦ୍ଦେଶନାରେ ସହଯୋଗିତା କରିଛନ୍ତି ଅନନ୍ତ, ସୁବାସ ଓ ଜିତୁ।

ବଳିଷ୍ଠ ଅଭିନୟ, ମନଛୁଆଁ ସଂଳାପ ସହିତ ଏଥିରେ ରହିଛି ତିନିଟି ମନଛୁଆଁ ଗୀତ। ବଲିଉଡ୍ ଗାୟକ ଋତୁରାଜ୍ ମହାନ୍ତି ଗାଇଛନ୍ତି ‘ଆହେ ନୀଳଶଇଳ’ର ଶୀର୍ଷକ ଗୀତ ‘ସାରା ଦୁନିଆର ରକ୍ଷକ ଯିଏ, ନିଜ ରକ୍ଷା ପାଇଁ ଧାଉଁଛି ସିଏ..’ । ନାଟକରେ ଭକ୍ତ ସାଲବେଗଙ୍କ ରଚିତ ଲୋକପ୍ରିୟ ଗୀତ ‘ଆହେ ନୀଳଶୈଳ ପ୍ରବଳମତ୍ତ ବାରଣ..’ ବି ସଂଯୋଜିତ ହୋଇଛି। କଣ୍ଠଶିଳ୍ପୀ ନାଜିଆ ଆଲମ୍ ଓ ଅଭିଜିତ ମିଶ୍ର ଏହା ଗାଇଛନ୍ତି । ପୁଣି ଶ୍ରୀକ୍ଷେତ୍ରର ଲୋକସଂସ୍କୃତି ଆଧାରିତ ଏକ ଭାଙ୍ଗଗୀତ ବି ରହିଛି । ଲୋକପ୍ରିୟ ଗାୟକ ଶ୍ରୀଚରଣ ଏହାକୁ ଗାଇଛନ୍ତି। ସୌମିତ୍ରୀ ପଲାଇ ଏହାର ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଗୁରୁ ଶତପଥୀ ଗୀତଗୁଡ଼ିକ ରଚନା କରିଛନ୍ତି। ନୃତ୍ୟ ନିର୍ଦ୍ଦେଶନାରେ ବିଦୁ ଥିବା ବେଳେ ଫାଇଟ୍ ଦାୟିତ୍ବ ସମ୍ଭାଳିଛନ୍ତି ଫେଟ ଫାଇଟର୍ସର ଜ୍ଞାନ। କଷ୍ଟ୍ୟୁମ୍ ଡିଜାଇନ୍ କରିଛନ୍ତି ରାମୁଲି କ୍ରିଏସନ୍ ଓ ପୋଷାକ ଯୋଗାଇଛନ୍ତି ଜନତା ଚିତ୍ରାଳୟ।

ଉଦଘାଟନୀ ସଂଧ୍ୟାରେ ପୂର୍ଣ୍ଣ ପ୍ରେକ୍ଷାଳୟରେ ନାଟକ ଅଭିନୀତ ହୋଇଥିଲା। ଓଡ଼ିଆ ମଞ୍ଚ ଓ ସିନେ ଜଗତର ବହୁ ଜଣାଶୁଣା ବ୍ୟକ୍ତିତ୍ବ ରବୀନ୍ଦ୍ର ମଣ୍ଡପ ଆସି ନାଟକ ଉପଭୋଗ କରିଥିଲେ।  ବହୁ ନାଟ୍ୟପ୍ରେମୀ ଦର୍ଶକ ପୂର୍ବରୁ ଟିକେଟ୍ ସଂଗ୍ରହ କରି ନଥିବାରୁ ପ୍ରେକ୍ଷାଳୟକୁ ଆସି ନିରାଶ ହୋଇ ଫେରିଥିଲେ। ଆଗ୍ରହୀ ଦର୍ଶକଙ୍କ ଲାଗି ପୂର୍ବରୁ ଅନଲାଇନରେ ନାଟକର ଟିକେଟ ଉପଲବ୍ଧ ହୋଇଥିଲା। ‘ବୁକ୍ ମାଇଁ ସୋ’ ୱେବସାଇଟ ମାଧ୍ୟମରେ ‘ଆହେ ନୀଳଶଇଳ’ର ଟିକେଟ୍ ବିକ୍ରି କରାଯାଇଥିଲା।

ସମ୍ବନ୍ଧିତ ଖବର