ଓଡ଼ିଶା ଇତିହାସର ବହୁଚର୍ଚ୍ଚିତ ଅଧ୍ୟାୟକୁ ନେଇ ଆସୁଛି ମଞ୍ଚ ନାଟକ ‘ଆହେ ନୀଳଶଇଳ’; ମହାପ୍ରଭୁଙ୍କ ମାନରକ୍ଷା ପାଇଁ ଗଜପତି ସହିଥିଲେ ଅପମାନ, ଅତ୍ୟାଚାର

ଭୁବନେଶ୍ବର : ଶ୍ରୀମନ୍ଦିରରେ ବିରାଜିଛନ୍ତି ମହାପ୍ରଭୁ, କିନ୍ତୁ ଏକା ! ସାଥୀରେ ଭାଇ ବଳଭଦ୍ର ନାହାନ୍ତି କି ଭଉଣୀ ସୁଭଦ୍ରା। ସିଂହଦ୍ବାର ଦେଇ ଶ୍ରୀମନ୍ଦିରକୁ ପଶିବା ମାତ୍ରେ ହିଁ ଦର୍ଶନ ଦିଅନ୍ତି ସେ। ସିଂହଦ୍ବାର ଗୁମୁଟର ଦକ୍ଷିଣ ପାର୍ଶ୍ବରେ ବିରାଜୁଛନ୍ତି କାଳିଆ ସାଆନ୍ତ, ଏଠି କିନ୍ତୁ ନାମ ତାଙ୍କର ‘ପତିତପାବନ’ ! ରତ୍ନସଂହାସନରେ ଥାଉ ଥାଉ ପୁଣି କାହିଁକି ମହାପ୍ରଭୁ ବିରାଜିଛନ୍ତି ଗୁମୁଟରେ ? କ’ଣ ଏହାର କାରଣ ? କେବେ, କାହିଁକି ଓ କେଉଁ ପରିସ୍ଥିତିରେ ସେ ଓହ୍ଲାଇ ଆସିଥିଲେ ବାଇଶି ପାହାଚ ତଳକୁ ? କ’ଣ ଏହା ପଛର ରହସ୍ୟ ?

ଏସବୁ ପ୍ରଶ୍ନର ଉତ୍ତର ଖୋଜିବା ଲାଗି ଆପଣଙ୍କୁ ଫେରିଯିବାକୁ ପଡ଼ିବ ଅଷ୍ଟାଦଶ ଶତାବ୍ଦୀକୁ। ପଢ଼ିବାକୁ ପଡ଼ିବ ତତ୍କାଳୀନ ଓଡ଼ିଶାର ଇତିହାସକୁ। ଅନୁଶୀଳନ କରିବାକୁ ହେବ କିପରି ଥିଲା ଗଜପତି ରାମଚନ୍ଦ୍ର ଦେବଙ୍କ ଶାସନକାଳ ? କ’ଣ ଘଟିଥିଲା ସେଇ କାଳଖଣ୍ଡରେ? ଏବେ ଆଉ ଏତେ ପରିଶ୍ରମର ଲୋଡ଼ା ନାହିଁ। ଏପ୍ରିଲ ମାସରେ ଭୁବନେଶ୍ବରର ରବିନ୍ଦ୍ର ମଣ୍ଡପରେ ଅଭିନୀତ ହେବାକୁ ଯାଉଥିବା ମଞ୍ଚନାଟକ ‘ଆହେ ନୀଳଶଇଳ’ରୁ ହିଁ ଆପଣ ଜାଣିପାରିବେ ଏହି ବହୁଚର୍ଚ୍ଚିତ ଘଟଣପ୍ରବାହ ପଛର ପୂରା କାହାଣୀ।

ଅଷ୍ଟାଦଶ ଶତାବ୍ଦୀର ଓଡ଼ିଶା ଇତିହାସର ଅନନ୍ୟ ଅଧ୍ୟାୟକୁ ଆଧାର କରି ‘ଚକଲେଟ୍ ପ୍ରଡକ୍ସସନ୍ସ’ ପ୍ରସ୍ତୁତ କରୁଛି ଐତିହାସିକ ନାଟକ ‘ଆହେ ନୀଳଶଇଳ’। ମୋଗଲ ଶାସନାଧୀନ ଓଡ଼ିଶାରେ ହିନ୍ଦୁ ବିଦ୍ବେଷୀ ନାଏବ ନଜିମର ବିଷଦୃଷ୍ଟିରୁ କିଭଳି ମହାପ୍ରଭୁଙ୍କ ମାନରକ୍ଷା ଲାଗି ତତ୍କାଳୀନ ଗଜପତି ରାମଚନ୍ଦ୍ର ଦେବ ବହୁ କଷ୍ଟ ସହିଛନ୍ତି ଓ ଅତ୍ୟାଚାରର ଶିକାର ହୋଇଛନ୍ତି ତାହା ଉପସ୍ଥାପିତ ହୋଇଛି ‘ଆହେ ନୀଳଶଇଳ’ରେ। ଇତିହାସର ସେଇ ଅଭୁଲା ଫର୍ଦ୍ଦକୁ ମଞ୍ଚରେ ଜୀବନ୍ତ କରି ତୋଳିବ ଏହି ନାଟକ । ଏହାର କାହାଣୀ କଥାସମ୍ରାଟ୍ ସୁରେନ୍ଦ୍ର ମହାନ୍ତିଙ୍କ ପ୍ରସିଦ୍ଧ ଉପନ୍ୟାସ ‘ନୀଳଶୈଳ’ ଦ୍ବାରା ଆଂଶିକ ଭାବେ ଅନୁପ୍ରେରିତ।

‘ଆହେ ନୀଳଶଇଳ’ର ରିହରସାଲ୍…

ଖିମଜୀ ଜୁଏଲର୍ସ ସହଯୋଗିତାରେ ପ୍ରସ୍ତୁତ ‘ଆହେ ନୀଳଶଇଳ’ର ରଚନା କରିଛନ୍ତି ବିଶିଷ୍ଟ ନାଟ୍ୟକାର ଶଙ୍କର ତ୍ରିପାଠୀ ଓ ଡ. ପ୍ରତିମା ହୋତା। ନିର୍ଦ୍ଦେଶନା ଦେଇଛନ୍ତି ମଞ୍ଚ ଓ ଯାତ୍ରା ଦୁନିଆର ସଫଳ ନିର୍ଦ୍ଦେଶକ ଲାଲା ବୀରେନ୍ ରାୟ। ଏଥିରେ ଓଡ଼ିଆ ସିନେମା ଓ ଛୋଟପରଦାର ଅନେକ ଜଣାଶୁଣା କଳାକାର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଲରେନ୍ସ ଗଜପତି ରାମଚନ୍ଦ୍ର ଦେବ ଚରିତ୍ର ନିଭାଇ ଥିବା ବେଳେ ସୋଫିଆ ଆଲମ୍ ଅଛନ୍ତି ମହାରାଣୀ ଭୂମିକାରେ। ସେହିପରି ପ୍ରକାଶ ଜେନା ତକି ଖାଁ, ଶ୍ରଦ୍ଧା ପାଣିଗ୍ରାହୀ ରେଜିଆ ଓ ମନୀଷା ରଥ ସରଦେଇ ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି। ଓଲିଉଡର ହାସ୍ୟାଭିନେତା ହାଡୁ ଷଣ୍ଢ ସୁଆର ଭୂମିକାରେ ନଜର ଆସିଥିବା ବେଳେ  ଆରଜେ କେପି ମୁରାଦ ଅଲ୍ଲୀ ଚରିତ୍ର ନିଭାଇଛନ୍ତି। ଏହାବାଦ୍ ଆଶିଷ,ରାଜେନ୍ଦ୍ର, ପାର୍ଥ, ଚିନ୍ମୟ, ଶମ୍ଭୁ ହୋତା, ଗୋବିନ୍ଦ ମହାପାତ୍ର, ଉମା,ରଘୁନାଥ, ବିନୁ, ପ୍ରଭାତ, ସୁନୀଲ ଓ ରାକେଶ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଲାଲା ବୀରେନଙ୍କୁ ନିର୍ଦ୍ଦେଶନାରେ ସହଯୋଗିତା କରିଛନ୍ତି ଅନନ୍ତ, ସୁବାସ ଓ ଜିତୁ।

ନାଟକ ପ୍ରସଙ୍ଗରେ ନିର୍ଦ୍ଦେଶକ ଲାଲା ବୀରେନ୍ ରାୟ କହନ୍ତି, ‘‘ ଏହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କାହାଣୀ। ଆମେ ସମସ୍ତେ ଲାଗିଛୁ କିପରି ସବୁ ଦିଗରୁ ନାଟକଟି ମନଛୁଆଁ ହେବ। ପିଲାମାନେ ସମସ୍ତେ ବହୁତ ପରିଶ୍ରମ କରୁଛନ୍ତି। ଆଶା କରୁଛି ଜଗନ୍ନାଥ ଆମକୁ ପରିଶ୍ରମର ଭଲ ଫଳ ଦେବେ। ’’ ଅନ୍ୟ ପକ୍ଷରେ ‘ଆ‌ହେ ନୀଳଶଇଳ’ର ନାଟ୍ୟକାର ଶଙ୍କର ତ୍ରିପାଠୀ ମତ ଦିଅନ୍ତି, ’’ ଏହି  ନାଟକଟି ମୁଁ ବହୁ ବର୍ଷ ଆଗରୁ  ରଚନା କରିଥିଲି। ବତ୍ତମାନ୍ ଏହାକୁ ନୂତନ ଶୈଳୀରେ, ନୂଆ ଢ଼ାଞ୍ଚାରେ ଉପସ୍ଥାପନ କରାଯାଉଛି। ତେଣୁ ମୁଁ ମଞ୍ଚରେ ନାଟକଟି ଦେଖିବାକୁ ଖୁବ୍ ଉତ୍ସୁକତାର ସହିତ ଅପେକ୍ଷା କରିଛି।’’

ବଳିଷ୍ଠ ଅଭିନୟ, ମନଛୁଆଁ  ସଂଳାପ ସହିତ ଏଥିରେ ରହିଛି ତିନିଟି ସୁମଧୁର ଗୀତ। ବଲିଉଡ୍ ଗାୟକ ଋତୁରାଜ୍ ମହାନ୍ତି ଗାଇଛନ୍ତି  ‘ଆହେ ନୀଳଶଇଳ’ର ଶୀର୍ଷକ ଗୀତ ‘ସାରା ଦୁନିଆର ରକ୍ଷକ ଯିଏ, ନିଜ ରକ୍ଷା ପାଇଁ ଧାଉଁଛି ସିଏ..’  । ନାଟକରେ ଭକ୍ତ ସାଲବେଗଙ୍କ ରଚିତ ଲୋକପ୍ରିୟ ଗୀତ ‘ଆହେ ନୀଳଶୈଳ ପ୍ରବଳମତ୍ତ ବାରଣ..’ ବି ସଂଯୋଜିତ ହୋଇଛି।  କଣ୍ଠଶିଳ୍ପୀ ନାଜିଆ ଆଲମ୍ ଓ ଅଭିଜିତ ମିଶ୍ରଙ୍କ କଣ୍ଠରେ ଏହା ରେକର୍ଡ ହୋଇଛି । ପୁଣି ଶ୍ରୀକ୍ଷେତ୍ରର ଲୋକସଂସ୍କୃତି ଆଧାରିତ ଏକ ଭାଙ୍ଗଗୀତ ବି ରହିଛି । ଲୋକପ୍ରିୟ ଗାୟକ ଶ୍ରୀଚରଣ ଏହାକୁ ଗାଇଛନ୍ତି। ସୌମିତ୍ରୀ ପଲାଇ ଏହାର ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଗୁରୁ ଶତପଥୀ ଗୀତଗୁଡ଼ିକ ରଚନା କରିଛନ୍ତି। ନୃତ୍ୟ ନିର୍ଦ୍ଦେଶନାରେ ବିଦୁ ଥିବା ବେଳେ ଫାଇଟ୍ ଦାୟିତ୍ବ ସମ୍ଭାଳିଛନ୍ତି ଫେଟ ଫାଇଟର୍ସର ଜ୍ଞାନ। କଷ୍ଟ୍ୟୁମ୍ ଡିଜାଇନ୍ କରିଛନ୍ତି ରାମୁଲି କ୍ରିଏସନ୍ ଓ ପୋଷାକ ଯୋଗାଇଛନ୍ତି ଜନତା ଚିତ୍ରାଳୟ। ଲକ୍ଷ୍ମୀ ସାଗରର ଯବାନ କ୍ଲବରେ ଏହାର ରିହରସଲ ଚାଲିଛି।

‘ଆହେ ନୀଳଶଇଳ’  ଆସନ୍ତା ଏପ୍ରିଲ ୭ରୁ ୧୦ ଯାଏ, ୪ ଦିନ ଧରି ସଂଧ୍ୟା ୬ଟାରେ ଭୁବନେଶ୍ବରର ରବିନ୍ଦ୍ର ମଣ୍ଡପରେ ଅଭିନୀତ ହେବ। ଆଗ୍ରହୀ ଦର୍ଶକଙ୍କ ଲାଗି ଅନଲାଇନରେ ନାଟକର ଅଗ୍ରୀମ ଟିକେଟ ଉପଲବ୍ଧ ହୋଇଛି। ‘ବୁକ୍ ମାଇଁ ସୋ’ ୱେବସାଇଟରୁ (https://in.bookmyshow.com/bhubaneswar/plays/ahe-nilashaila/ET00324497?fbclid=IwAR0BD18ugPqLko3eoy4VRmc3WmYrCDQlBSsaI4ejhZ5n1uuZx8rQMQ62Ul0) ଏହାର ବୁକିଂ କରିହେବ। ‘ଆହେ ନୀଳଶଇଳ’ର ଟିକେଟ ସିଲଭର (ବାଲକୋନି), ଗୋଲ୍ଡ ଓ ପ୍ଲାଟିନମ୍ ଶ୍ରେଣୀରେ ଉପଲବ୍ଧ। ଏହାର ମୂଲ୍ୟ ଯଥାକ୍ରମେ ୧୯୯ଟଙ୍କା, ୨୯୯ଟଙ୍କା ଓ ୪୯୯ଟଙ୍କା ରହିଛି।  ଅଗ୍ରୀମ ଟିକେଟ୍ ପାଇବାରେ କୌଣସି ସମସ୍ୟା ହେଲେ 9853035104/ 8908020104  ନମ୍ବରରେ ଯୋଗାଯୋଗ କରିବାକୁ  ‘ଚକଲେଟ୍ ପ୍ରଡକ୍ସସନ୍ସ’ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର