ଐତିହ୍ୟ ଖୋଜୁଛି ଜୟପୁରର ପୁରାତନ ୫ଟି ପୋଖରୀ

ଜୟପୁର : ଜୟପୁର ରାଜବ˚ଶ ପ୍ରତିଷ୍ଠା ସମୟରୁ ଜୟପୁର ସହରରେ ରହିଛି ଏକାଧିକ ଐତିହ୍ୟ ସମ୍ପନ୍ନ ପୋଖରୀ। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏହି ପୋଖରୀ ଗୁଡିକ ନିଜର ସ୍ଥିତି ହରାଇବା ସହ ଇତିହାସ ପାଲିଟିବାକୁ ବସିଲାଣି। ସହରବାସୀଙ୍କ ପାନୀୟ ଜଳ ଠାରୁ ଆରମ୍ଭ କରି ଗାଧୁଆପାଧୁଆ ପାଇଁ ରାଜରାଜୁଡ଼ା ଅମଳରେ ସହରରେ ୫ଟି ପୋଖରୀ ଖୋଲାଯାଇଥିବା ବେଳେ ଏବେ ପାନୀୟ ଜଳ ପାଇଁ ବ୍ୟବହାର କରିବା ଦୂରର କଥା ସ୍ନାନ ଶୌଚ ପାଇଁ ବି ଅନୁପଯୁକ୍ତ ହୋଇପଡିଛି । ସ୍ଥାନୀୟ ନୀଳକଣ୍ଠ ସାଗରର ଅବସ୍ଥା ଏଭଳି ହୋଇଛି ଯେ ଏହା ପୋଖରୀ ବଦଳରେ ଖେଳ ପଡିଆର ଭ୍ରମ ସୃଷ୍ଟି କରୁଛି । ଅନାବନା ଲତାରେ ସଂପୂର୍ଣ୍ଣ ପୋଖରୀ ପରିପୂର୍ଣ୍ଣ ରହିଛି । ପୋଖରୀ ପାଣିର ଅବସ୍ଥା ଏଭଳି ଯେ ଏଠାରେ ସ୍ନାନ କଲେ ଚର୍ମ ରୋଗ ହେଉଥିବା ବି ଲୋକେ ଅଭିଯୋଗ କରିଛନ୍ତି । ପୌରପାଳିକା ଅଧିନରେ ଏହି ପୋଖରୀ ଗୁଡିକ ରହିଥିଲେ ହେଁ ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବରୁ ରାଜ୍ୟ ସରକାରଙ୍କ ଜଳାଶୟ ଉଦ୍ଧାରୀକରଣ(ଵାଟର ବଡି ପିଜରଭେସନ)ରେ ସାମିଲ ହୋଇପାରିଲାନି ସହରର ଲାଇଫ ଲାଇନ କୁହାଯାଉଥିବା ସର୍ବ ପୁରାତନ ଜଗନ୍ନାଥ ସାଗର, ନୀଳକଣ୍ଠ ସାଗର, ଖଜୁରୀ ବନ୍ଧ, ପାରାବନ୍ଧ ଓ ଗୋବର୍ଦ୍ଧନ ମୁଣ୍ତା ପରି ଐତିହ୍ୟ ସମ୍ପନ୍ନ ଜଳାଶୟ। ଏ ନେଇ ଗତ ୯ ବର୍ଷ ତଳେ ଜଳାଶୟ ଉଦ୍ଧାର କାର୍ଯ୍ୟ ପାଇଁ ପୌରପାଳିକାକୁ ଏକ ଚିଠି ଓ ସବିଶେଷ ତଥ୍ୟ ସମ୍ପନ୍ନ ଗାଇଡ୍‌ ଲାଇନ୍‌ ଆସିଥିଲା। କିନ୍ତୁ ସେହି ସମୟରେ ଦାୟିତ୍ବରେ ଥିବା ପୌର ପରିଷଦ ଓ ନିର୍ବାହୀ ଅଧିକାରୀଙ୍କ ଅବହେଳା ଯୋଗୁଁ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଯୋଡି ହୋଇପାରିଲା ନାହିଁ। ଗତ ମାର୍ଚ୍ଚ ମାସରେ ଭୁବନେଶ୍ବର ମହାନଗର ନିଗମ ଅଧୀନରେ ଥିବା ବିନ୍ଦୁ ସାଗରର ପୁନଃରୁଦ୍ଧାର ପାଇଁ ପଦକ୍ଷେପ ନିଆଯାଇଥିବା ବେଳେ ସହରର ପୋଖରୀ ଗୁଡିକର ଉନ୍ନତିକରଣ ପାଇଁ ସ୍ଥାନୀୟ ପୌରପାଳିକାକୁ ଚିଠି ଆସିଥିଲା। ପୌର କର୍ତ୍ତୃପକ୍ଷ ଏଥିରେ ବି ଅଣଦେଖା କରିବାରୁ ସହରର ୫ଟି ପୋଖରୀର ପୁନରୁଦ୍ଧାର ପାଇଁ ଆସିବାକୁ ଥିବା ଅର୍ଥ ପାଇବାରୁ ବଞ୍ଚିତ ହୋଇଥିଲା ।

ମିଳିଥିବା ସୂଚନା ଅନୁଯାୟୀ ଗତ ୨୦୧୦-୨୦୧୧ ମସିହାରେ ରାଜ୍ୟ ପର୍ଯ୍ୟଟନ ବିଭାଗ ନିକଟରୁ ପୌରପାଳିକାକୁ ସହରରେ କେଉଁ କେଉଁ ଜଳାଶୟର ରହିଛି ତାହାର ତଥ୍ୟ ଦେବାକୁ ନିର୍ଦ୍ଦେଶନାମା ଆସିଥିଲା । ଏଥିରେ କେଉଁ ପ୍ରକାର ଜଳାଶୟକୁ କେତେ ପରିମାଣରେ ଅର୍ଥ ମିଳିବ ତାହାର ଏକ ସବିଶେଷ ତଥ୍ୟ ମଧୢ ପ୍ରଦାନ କରାଯାଇଥିଲା। ବିଭାଗୀୟ ଅଧିକାରୀ ଏହି ନିର୍ଦ୍ଦେଶନାମାକୁ ବି ଅଣଦେଖା କରିଥିବା ଅଭିଯୋଗ ହୋଇଛି । ସେହି ସମୟରେ ଗଞ୍ଜାମ, ଯାଜପୁର, ଭୁବନେଶ୍ବର, ଖୋର୍ଦ୍ଧା, ବଲାଙ୍ଗୀର, ପାଟଣାଗଡ ପରି ୨୦ରୁ ଅଧିକ ସହରରେ ଥିବା ଜଳାଶୟକୁ ରାଜ୍ୟସରକାର ସ୍ବତନ୍ତ୍ର ମାନ୍ୟତା ଦେଇ ଅର୍ଥ ବରାଦ କରିଥିଲେ। ଜୟପୁର ସହରରେ ଥିବା ଏହି ଐତିହ୍ୟ ସଂପନ୍ନ ପୋଖରୀ ଗୁଡିକ ଉପରେ ଆଜି ବି ଲୋକେ ବ୍ୟବହାର କରୁଥିବା ବେଳେ ପୌରପ୍ରଶାସନ ଏହାର ପୁନରୁଦ୍ଧାର ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ନକରିବା ଫଳରେ ପୋଖରୀ ଗୁଡିକ ନଷ୍ଟ ହେବାକୁ ବସିଲାଣି । ଆଜି ବି ସହରର ୨୫ରୁ ଉର୍ଦ୍ଧ୍ବ ସାହିବାସିନ୍ଦା ଏହି ପୋଖରୀ ଉପରେ ନିର୍ଭର କରୁଛନ୍ତି । କେଉଁଠି ପୋଖରୀ ନିକଟରେ ତୋଠ କରିଦେଇ ପୌରପାଳିକା ତା’ର ଦାୟିତ୍ବ ସାରିଦେଇଥିବା ବେଳେ ପୋଖରୀର ପୁନରୁଦ୍ଧାର ପାଇଁ ଆଦୌ ଗୁରୁତ୍ବ ଦେଇନଥିବା ଅଭିଯୋଗ ହୋଇଛି । ସହର ଭିତରେ ଏହି ପୋଖରୀ ଗୁଡିକ ରହିଥିବା ବେଳେ ଏହାକୁ ପୁନରୁଦ୍ଧାର କରି ଉପଯୁକ୍ତ ରକ୍ଷାଣାବେକ୍ଷଣ କରାଗଲେ କେବଳ ଯେ ସ୍ନାନଶୈଚ ପାଇଁ ନୁହଁ ବରଂ ସଂଧ୍ୟାରେ ଲୋକଙ୍କ ଆମୋଦପ୍ର‌ମୋଦ ପାଇଁ ସୁଯୋଗ ସୃଷ୍ଟି କରିପାରିଥାନ୍ତା ବୋଲି ବହୁ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି । ବିଗତ ଦିନରେ ଜିଲ୍ଲା ପ୍ରଶାସନ ଜଗନ୍ନାଥ ସାଗରର ପୁନରୁଦ୍ଧାର ପାଇଁ ପଦକ୍ଷେପ ନେଇଥିଲେ ହେଁ ଅନ୍ୟ ପୋଖରୀ ଗୁଡିକ ଉପରେ ଆଦୌ ଗୁରୁତ୍ବ ଦେଇନାହିଁ । ପୋଖରୀ ଗୁଡିକ ଦୀର୍ଘ ବର୍ଷ ଧରି ପୁନରୁଦ୍ଧାର ନହେବା ଫଳରେ ଅନାବନା ଲତା ମାଡି ବସିବା ସହ ପଙ୍କରେ ପୋତି ହୋଇଯାଇଥିବା ଦେଖିବାକୁ ମିଳିଛି । ଜଗନ୍ନାଥ ସାଗର ଓ ନୀଳକଂଣ୍ଠ ସାଗର ପୁନଃରୁଦ୍ଧାର ପାଇଁ ଯଦିଓ କିଛିଟା ବ୍ୟବସ୍ଥା ଗ୍ରହଣ କରାଯାଉଛି ତେବେ ଖଜୁରୀ ବନ୍ଧ, ପାରାବନ୍ଧ ଓ ଗୋବର୍ଦ୍ଧନ ମୁଣ୍ତା ପରି ଐତିହ୍ୟ ସମ୍ପନ୍ନ ଜଳାଶୟ ଏବେ ମାଟିରେ ମିଶିବାକୁ ଗଲାଣି । ଏ ନେଇ ଉପଜିଲ୍ଲାପାଳ ଲୋକନାଥ ଦଳବେହେରା କହିଛନ୍ତି ଯେ କେବଳ ଜଗନ୍ନାଥ ସାଗର ନୁହେଁ ସବୁ ଜଳାଶୟକୁ ସମାନ ଭାବେ ଗୁରୁତ୍ବ ଦିଆଯାଉଛି । ଜଗନ୍ନାଥ ସାଗର ସହ ନୀଳକଣ୍ଠ ସାଗର, ଖଜୁରୀ ବନ୍ଧ, ପାରାବନ୍ଧ ଓ ଗୋବର୍ଦ୍ଧନ ମୁଣ୍ତା ପରି ଐତିହ୍ୟ ସମ୍ପନ୍ନ ଜଳାଶୟର ରକ୍ଷାଣାବେକ୍ଷଣ ଅଭାବରୁ ଏପରି ସ୍ଥିତି ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପୋଖରୀ ଗୁଡିକର ପୁନଃରୁଦ୍ଧାର ପାଇଁ ଯଥାସମ୍ଭବ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର