ଏସ୍‌ସିବିରେ ଐତିହାସିକ ଅସ୍ତ୍ରୋପଚାର: ମେରୁଦଣ୍ଡରେ ଲାଗିଲା ଟାଇଟାନିଅମ୍‌ ଜାଲି

କଟକ : ଏସସିବି ମେଡିକାଲର ସ୍ନାୟୁଶଲ୍ୟ ବିଭାଗ ପୁଣି ଏକ ଇତିହାସ ସୃଷ୍ଟି କରିଛି। ଯାଜପୁର ଜିଲ୍ଲାର ଜଣେ ୨୦ ବର୍ଷିୟା ଯୁବତୀଙ୍କ ମେରୁଦଣ୍ଡରେ ଅସ୍ତ୍ରୋପଚାର କରାଯାଇ ଏହି ଇତିହାସ ରଚାଯାଇଛି। ୩ ମାସ ତଳେ ଯୁବତୀଙ୍କ ପିଠିରେ କଷ୍ଟ ଅନୁଭବ ହୋଇଥିଲା। କ୍ରମେ ତାଙ୍କର ଗୋଡ଼ ଦୁର୍ବଳ ହୋଇଯିବା ସହ ସେ ଠିକ୍‌ରେ ଚାଲି ପାରୁନଥିଲେ। ପରୀକ୍ଷାରୁ ଜଣା ପଡିଲା ଯେ ତାଙ୍କ ମେରୁଦଣ୍ଡର ଗୋଟିଏ ହାଡ଼ ଯକ୍ଷ୍ମା ଯୋଗୁଁ ନଷ୍ଟ ହୋଇଯାଇଛି। ଫଳରେ ଏହା ଆଗକୁ ନଇଁ ପଡିବାରୁ ତା ଭିତରେ ଥିବା ସୁଷୁମ୍ନା କାଣ୍ଡ ଚାପି ହୋଇ ଯାଉଥିଲା। ସ୍ନାୟୁଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର ଏକ ଭିନ୍ନ ପଦ୍ଧତିରେ ମେରୁଦଣ୍ଡର ପୁନର୍ଗଠନ ସହ ସୁଷୁମ୍ନା କାଣ୍ଡକୁ ଢିଲା କରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ। ଏହା ରୋଗୀ ପାଇଁ ଲାଭଦାୟକ ହୋଇଥିଲା ବେଳେ ଏସ୍‌ସିବି ମେଡିକାଲ୍‌ ପାଇଁ ଏଭଳି ଅସ୍ତ୍ରୋପଚାର ସଂପୂର୍ଣ୍ଣ ନୂଆ ଥିଲା।

ପ୍ରଫେସର ମିଶ୍ରଙ୍କ ସହିତ ନିଶ୍ଚେତକ ବିଭାଗର ପ୍ରଫେସର ଡାକ୍ତର ନିବେଦିତା ପାଣିଙ୍କ ନିର୍ଦ୍ଦେଶରେ ଡାକ୍ତର ଦେବାଶିଷ ସ୍ବାଇଁ ଏବଂ ତାଙ୍କ ଦଳ ଅସ୍ତ୍ରୋପଚାରରେ ସହାୟତା କରିଥିଲେ। ସିଟିଭିଏସ୍‌ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକଙ୍କ ଉଦ୍ୟମରେ ରୋଗୀର ଦୁଇଟି ପଂଜରା ହାଡ ମଧ୍ୟ ଦେଇ, ଛାତି ଭିତରେ ପ୍ରବେଶ କରିବା ସହ ବାମ ଫୁସଫୁସକୁ ସଂକୁଚିତ କରି ମେରୁଦଣ୍ଡରେ ଅସ୍ତ୍ରୋପଚାର କରାଯାଇଥିଲା। ଭଗ୍ନ ଅସ୍ଥିକୁ ବାହାର କରି ସେଠାରେ ଏକ ପ୍ରସାର ସକ୍ଷମ ଟାଇଟାନିଅମ୍ ଜାଲି ଲଗାଯାଇଥିଲା। ଏକ ପ୍ଲେଟ୍ ଓ ସ୍କୃ ଦ୍ବାରା ଉକ୍ତ ଜାଲିକୁ ଲଗାଯାଇଥିଲା। ପରିଶେଷରେ ବକ୍ଷ ଗହ୍ବରକୁ ବନ୍ଦ କରାଯାଇଥିଲା। ବତ୍ତର୍ମାନ ସୁଦ୍ଧା ରୋଗୀ ସଂପୂର୍ଣ୍ଣ ସୁସ୍ଥ ଅଛି ଏବଂ ଗୋଡର କ୍ଷମତା ଫେରି ଆସୁଛି। ଏହି ଅସ୍ତ୍ରୋପଚାର ସଫଳ କରିବା ପାଇଁ ଡାକ୍ତର ଦୀପକ ଦାସ, ଡାକ୍ତର ପ୍ରତୋଷ, ସିଷ୍ଟର ମଞୁଳା, ଜ୍ୟୋସ୍ନା ଓ ଶ୍ୟାମଳି ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର