ଦେବୋତ୍ତର ବିଭାଗରେ ମହାଦୁର୍ନୀତି! ବିପଦରେ ମନ୍ଦିର, ଧାରଣାରେ ଭକ୍ତ

ବଲାଙ୍ଗୀର: ବଲାଙ୍ଗୀର ସହରରେ ତିନୋଟି ଐତିହାସିକ ମନ୍ଦିର ଏବେ ଅବହେଳିତ ଅବସ୍ଥାରେ ଅଛି। ମନ୍ଦିର ମରାମତି ନାଁରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଠିକ ଭାବେ କାମ ହେଉନଥିବା ଅଭିଯୋଗ କରି ସୂଚନା ଅଧିକାରରେ ତଥ୍ୟ ମାଗିଥିଲେ ତିନିଜଣ ସୂଚନା ଅଧିକାର କର୍ମୀ। ସବିଶେଷ ତଥ୍ୟ ପାଇବା ପରେ ମହତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ତିନିଜଣ ଆର୍‌ଟିଆଇ କର୍ମୀ ଓ କିଛି ସଂଗଠନର କର୍ମକର୍ତ୍ତା ବୁଧବାର ଧାରଣା ଦେଇଥିଲେ।

ବଲାଙ୍ଗୀର ସହରର ତିନି ପ୍ରମୁଖ ମନ୍ଦିର ମାଁ ସମଲେଶ୍ୱରୀ ମନ୍ଦିର, ମାଁ ପାଟଣେଶ୍ୱରୀ ମନ୍ଦିର ଏବଂ ଗୋପାଲଜୀ ମନ୍ଦରିକୁ ନେଇ ସୂଚନା ଅଧିକାର କର୍ମୀ ପ୍ରଶାନ୍ତ ମହାକୁଡ଼, ଶମ୍ଭୁପ୍ରସାଦ ଶତପଥୀ ଏବଂ ବିକାଶ ସା ଦେବୋତ୍ତର ବିଭାଗକୁ ତଥ୍ୟ ମାଗିଥିଲେ। ବିଭାଗର କମିଟିରେ କିଏ କିଏ ଅଛନ୍ତି? କେବେ ବୈଠକ ବସୁଛି? କେତେ ଟଙ୍କାର ଅନୁଦାନ ଆସିଛି? ମନ୍ଦିରରେ ସମ୍ପତ୍ତି କେତେ ଅଛି? କେତେ ଟଙ୍କା ଖର୍ଚ୍ଚ କରାଯାଇଛି? ଏନେଇ ତିନିଜଣ ଆରଟିଆଇ କର୍ମୀ ତଥ୍ୟ ମାଗିଥିଲେ। ତଥ୍ୟ ପାଇବା ପରେ ଧାରଣା ଦେଇଥିବା ସୂଚନା ଅଧିକାର କର୍ମୀ ଅଭିଯୋଗ କରିଛନ୍ତି, ବହୁ ଦିନ ହେଲା ଦେବୋତ୍ତର ବିଭାଗର ନୂଆ କମିଟି ଗଠନ କରାଯାଇନାହିଁ। ଏହା ସହିତ ବହୁବର୍ଷ ହେଲା କୌଣସି ବୈଠକ କରାଯାଇନାହିଁ। ମନ୍ଦିରର ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଥିଲେ ମଧ୍ୟ ସେଗୁଡ଼ିକର ସୁବିନିଯୋଗ କରାଯାଉନାହିଁ। ସମଲେଶ୍ୱରୀ ମନ୍ଦିରରେ ଏ ବର୍ଷ ଦଶ ଲକ୍ଷ ଟଙ୍କା ମରାମତି କାମ କାରଯାଇଥିବା ରିପୋର୍ଟରେ ଲେଖାଯାଇଛି। କିନ୍ତୁ ଦଶ ଲକ୍ଷ ଟଙ୍କାର କାମ ନକରି ହରିଲୁଟ ହୋଇଥିବା ଅଭିଯୋଗ କରିଛନ୍ତି।

ଦେବୋତ୍ତର ଅଧୀନରେ ଥିବା ତିନି ମନ୍ଦିର ପୁରୁଣା ହୋଇଥିବାରୁ ବାରମ୍ବାର ବିଭିନ୍ନ ପ୍ରକାର ଅଘଟଣ ଘଟୁଛି। ଗତ ଦୁଇବର୍ଷ ତଳେ ସମଲେଶ୍ୱରୀ ମନ୍ଦିରର ମୁଖଶାଳା ଭାଙ୍ଗି ଯାଇଥିଲା। ପାଟଣେଶ୍ୱରୀ ମନ୍ଦିର ଛାତରୁ ପାଣି ଝରୁଥିବା ବେଳେ ଭିତରକୁ ମଧ୍ୟ ବାହାର ପାଣି ପଶୁଛି। ଏହା ସହିତ ଗତ କିଛିବର୍ଷ ତଳେ ପାଟଣେଶ୍ୱରୀଙ୍କ ପ୍ରତିମା ମଧ୍ୟ ପୋଡ଼ି ଯାଇଥିଲା। ସେହିପରି ଗୋପାଲଜୀ ମନ୍ଦିର ମଧ୍ୟ ଭାଙ୍ଗିବା ଉପରେ। ତେଣୁ ମୋଟା ଅଙ୍କର ଟଙ୍କା ଅନୁଦାନ ଦେଇ ଠିକ ଭାବରେ କାମ କରିବାକୁ ଦାବି ହେଉଛି। କିନ୍ତୁ, ମଝିରେ ମଝିରେ ମନ୍ଦିର ଉନ୍ନତୀକରଣ ନାଁରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି ହେଉଥିବା ଅଭିଯୋଗ କରିଛନ୍ତି। ସେହିପରି ଦେବୋତ୍ତର ଅଧୀନରେ ଥିବା ଷ୍ଟଲ ଭଡ଼ାରେ ବି ଦୁର୍ନୀତି ଚାଲିଥିବା ଅଭିଯୋଗ ହୋଇଛି। ଏ ସବୁର ତଦନ୍ତ କରିବାକୁ ଦାବି କରାଯାଇଛି। ଧାରଣାସ୍ଥଳରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ମଞ୍ଚର ସଭାପତି ପ୍ରଭାକର ମିଶ୍ର, ମନୋରଞ୍ଜନ ପୁରୋହିତ, ମନୋରଞ୍ଜନ ମିଶ୍ର, ଗୋପବନ୍ଧୁ ଶତପଥୀ ଓ ବିରଞ୍ଚି ହୋତା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର