ଓଡିଆ ଭାଷା ଓ ଭାଷା ବିଜ୍ଞାନରେ ଅନନ୍ୟ ଅବଦାନ ପାଇଁ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାରରେ ସମ୍ବର୍ଦ୍ଧିତ କରାଯିବ।
ଏତଦ୍ବ୍ୟତୀତ ଜ୍ଞାନପୀଠ ପୁରସ୍କାର ବିଜେତା, ପଦ୍ମପୁରସ୍କାର ବିଜେତା, ସାହିତ୍ୟ ଅକାଦେମି ପୁରସ୍କାରପ୍ରାପ୍ତ ବ୍ୟକ୍ତି, କବୀର ସମ୍ମାନ ପୁରସ୍କାରପ୍ରାପ୍ତ, ରାଜ୍ୟ ଏକାଡ଼େମୀର ସର୍ବୋଚ୍ଚ ପୁରସ୍କାର ବିଜେତାମାନଙ୍କୁ ସମ୍ମାନିତ କରାଯିବ।
ଏହି ସମ୍ମିଳନୀରେ ଓଡ଼ିଶାର ଗୌରବମୟ ଅତୀତ ଓ ପରିବର୍ତ୍ତନଶୀଳ ବର୍ତ୍ତମାନ ଏବଂ ପ୍ରେରଣାଦାୟୀ ଭବିଷ୍ୟତର ଏକ ସୁସଜ୍ଜିତ ପ୍ରଦର୍ଶନୀ ପ୍ରଦର୍ଶିତ ହେବ। ଏହି ପ୍ରଦର୍ଶନୀ ତିନୋଟି ବିସ୍ତୃତ ବିଷୟ ଏବଂ ସମୟସୀମା ଉପରେ ଆୟୋଜିତ ହୋଇଛି ଯଥା- ପ୍ରାଚୀନ, ମଧ୍ୟ ଓ ଆଧୁନିକ।
ଏହି ପ୍ରଦର୍ଶନୀରେ ଓଡ଼ିଆ ଭାଷା ଏବଂ ଲିପିର ଉତ୍ପତ୍ତି ଓ ବିବର୍ତ୍ତନ, ପ୍ରାଚୀନ ପ୍ରସ୍ତର ଅଭିଲେଖ, ତାମ୍ରଫଳକ, ତାଳପତ୍ର ପୋଥି, କଳିଙ୍ଗଶୈଳୀର ମନ୍ଦିର ସ୍ଥାପତ୍ୟ, ଓଡ଼ିଶାର ନୌବାଣିଜ୍ୟ ସମ୍ପର୍କିତ କଳାକୃତିଗୁଡ଼ିକ ସୁଦୃଶ୍ୟ ଚିତ୍ରପଟ୍ଟ ମାଧ୍ୟମରେ ପ୍ରଦର୍ଶିତ ହେବ।
ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟର ନବଜାଗରଣ ପ୍ରଦର୍ଶିତ ହେବ। ଓଡ଼ିଶାର କଳା ଏବଂ ଭାସ୍କର୍ଯ୍ୟ, ନୃତ୍ୟ ଏବଂ ସଙ୍ଗୀତ ପରମ୍ପରାଗୁଡ଼ିକ ପ୍ରଦର୍ଶିତ ହେବ।
ଛାପାଖାନାର ଆଗମନ ଏବଂ ଓଡିଆ ଭାଷାର ପ୍ରସାରରେ ଏହାର ପ୍ରଭାବ ଉପଯୁକ୍ତ କଳାକୃତି ଫଟୋ ସହିତ ପ୍ରଦର୍ଶିତ ହେବ। ସମସାମୟିକ ସମ୍ବାଦପତ୍ର, ପତ୍ରପତ୍ରିକା ଏବଂ ଆଧୁନିକ ଚିନ୍ତାନାୟକମାନଙ୍କର ଭାବଧାରା ପ୍ରଦର୍ଶିତ ହେବ।
ଏହା ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ ପ୍ରଦର୍ଶନ, ଉଇକିପିଡ଼ିଆ ଏବଂ ଓଡ଼ିଆ ଫଣ୍ଟ ସମ୍ପର୍କରେ ଆଲୋକପାତ କରିବ।
୪ ଫେବ୍ରୁଆରିରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଏକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ।
ସ୍କୁଲ ପିଲା ଓ ଯୁବକମାନଙ୍କ ମଧ୍ୟରେ ପଠନ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ଏକ ମୋବାଇଲ୍ ଲାଇବ୍ରେରି, ବସ୍ ଓ ମୋବାଇଲ୍ ବୁକ୍ଆର୍ଟ ମାଧ୍ୟମରେ ‘ଆସ ପଢ଼ିବା’ର ଏକ ଧାରଣା ପ୍ରଦର୍ଶିତ ହେବ।
ଅତୀତର କୃତବିଦ୍ୟ ସାଧକମାନଙ୍କର ଅବଦାନକୁ ସ୍ମରଣକରି ତାଙ୍କର ଆବକ୍ଷ ପ୍ରତିମୂର୍ତ୍ତି ଓ ତୈଳଚିତ୍ର ପ୍ରଦର୍ଶିତ ହେବ। ବିଶିଷ୍ଟ ବ୍ୟକ୍ତିବିଶେଷଙ୍କର ଓଡ଼ିଆ ଦସ୍ତଖତ ପ୍ରଦର୍ଶିତ ହେବ।
ପ୍ରଦର୍ଶନୀକୁ ପିଲାମାନଙ୍କ ପାଇଁ ଅଧିକ ଚଳଚଞ୍ଚଳ କରିବାକୁ ଡାକ ପ୍ରକୋଷ୍ଠ ଓ ସୂଚନା ଫଳକ ପ୍ରଦର୍ଶିତ ହେବ।
ଏକ ପୂର୍ଣ୍ଣାଙ୍ଗ ‘କୋଣାର୍କ ଅଶ୍ୱ’ ପ୍ରତିମୂର୍ତ୍ତିକୁ ପ୍ରତୀକ ଭାବରେ କେନ୍ଦ୍ରୀୟ ସ୍ଥଳରେ ସ୍ଥାନିତ କରାଯିବ।
ବୌଦ୍ଧିକ ଅଧିବେଶନ ଏବଂ ସମ୍ମିଳନୀ କାର୍ଯ୍ୟକ୍ରମଗୁଡିକ ଜୀବନ୍ତଭାବରେ ପ୍ରସାରିତ ହେବ।
ଭୁବନେଶ୍ୱରର କିଟ୍ଠାରେ ଏକ ଆନ୍ତର୍ଜାତିକ କବିତା ମହୋତ୍ସବ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଦ୍ୱାରା ଅନ୍ତର୍ଜାତୀୟ ସାହିତ୍ୟ ମହୋତ୍ସବ ଅନୁଷ୍ଠିତ ହେବ। ରେଭେନ୍ସା ବିଶ୍ୱବିଦ୍ୟାଳୟ ଦ୍ୱାରା ଓଡ଼ିଆ ଚଳଚ୍ଚିତ୍ର ଓ ଥିଏଟର ମହୋତ୍ସବ ସହିତ ଓଡ଼ିଆ ସିନେମା ଓ ମଞ୍ଚର ଭୂମିକା ଉପରେ ଏକ ଆଲୋଚନାଚକ୍ର
ଶିଳାରେ ଅ... ଆ ଭାଷା ସମ୍ମିଳନୀ ସ୍ମୃତି ବଖାଣିବ ଅକ୍ଷର ଭୂମି
ଭାଷା ହେଉଛି ଗୋଟିଏ ଜାତିର ପରିଚୟ। ଭାଷା ଅତୀତର ଅସ୍ତିତ୍ୱ, ଭାଷା ହିଁ ଭବିଷ୍ୟତ। ଶାସ୍ତ୍ରୀୟ ଓଡ଼ିଆ ଭାଷାକୁ ଆହୁରି ବ୍ୟାପକ କରିବାକୁ ବଡ଼ ପଦକ୍ଷେପ ନେଇଛନ୍ତି ଓଡ଼ିଶା ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିକଳ୍ପନାରେ ଆସନ୍ତା ଫେବ୍ରୁଆରି ୩ରୁ ୫ ତାରିଖ ତିନି ଦିନ ସ୍ଥାନୀୟ ଜନତା ମଇଦାନରେ ଆରମ୍ଭ ହେବାକୁ ଯାଉଛି ପ୍ରଥମ ‘ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’। ଦିନ ୧୧ଟା ୩୦ ମିନିଟ୍ରେ ମୁଖ୍ୟମନ୍ତ୍ରୀ ଏହି ଐତିହାସିକ ସମ୍ମିଳନୀକୁ ଉଦ୍ଘାଟନ କରିବେ। ଏହି ସମ୍ମଳିଳନୀକୁ ସବୁ ଦିନ ପାଇଁ ଓଡ଼ିଆଙ୍କ ସ୍ମୃତିପଟରେ ଉଜ୍ଜୀବିତ କରିବାକୁ ସରକାର ଏକ ନିଆରା ପଦକ୍ଷେପ ନେଇ ନିର୍ମାଣ କରୁଛନ୍ତି ‘ଅକ୍ଷର ଭୂମି’। ଗଜପତିନଗର କଳାମଣ୍ଡଳ ପରିସରରେ ନିର୍ମାଣ ହେଉଥିବା ଏହି ‘ଅକ୍ଷର ଭୂମି’ ପ୍ରତିଟି ଓଡ଼ିଆଙ୍କୁ ଆକର୍ଷିତ କରିବ। ୪୦ ମିଟର ଲମ୍ବ ଓ ୩୦ ମିଟର ଚଉଡ଼ାର ଏହି ପ୍ରୋଜେକ୍ଟକୁ ସ୍ପାନ୍ ଇନ୍ଫ୍ରା ବିଲଡର୍ସ ନିର୍ମାଣ କରୁଛି। ଏଥିରେ ପ୍ରାୟ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ସମସ୍ତ ନିର୍ମାଣ ଖଣ୍ଡୋଲାଇଟ୍ ପଥରେ କରାଯାଇଛି। ସ୍ଥପତି ରାଜେନ୍ଦ୍ର ଓ ଟିମ୍ଙ୍କ ହାତ ଛୁଆଁରେ ପଥରର କାରୁକାର୍ଯ୍ୟ ଜୀବନ୍ତ ହୋଇ ଉଠିଛି। ଅକ୍ଷର ଭୂମି ମଝି ଅଂଶରେ ମୁକ୍ତେଶ୍ବର ମନ୍ଦିର ପରିସରରେ ଥିବା ତୋରଣ ଶୈଳୀରେ ଏକ ସୁନ୍ଦର ତୋରଣ ନିର୍ମାଣ କରାଯାଇଛି। ତ୍ବରଣର ଠିକ୍ ପଛରେ ଓଡ଼ିଆ ଲିପି ‘ଅ’ର ଏକ ବୃହତ ଅକ୍ଷର କରାଯାଇଛି। ଏହାର ଦୁଇ ପାର୍ଶ୍ବରେ ୬ଟି ଅକ୍ଷର କାନ୍ଥ ରହିଛି। କାନ୍ଥ ଗୁଡ଼ିକରେ ଖଣ୍ଡୋଲାଇଟ୍ ପଥରକୁ ଖୋଦେଇ କରାଯାଇ ଓଡ଼ିଆ ବର୍ଣ୍ଣମାଳାକୁ ସ୍ଥାନ ଦିଆଯାଇଛି। ଖୋଦେଇ ଅକ୍ଷର ଭିତରେ ଅତ୍ୟାଧୁନିକ ଆଲୋକ ଲଗାଯାଇଛି। ଯାହା ରାତି ସମୟରେ ପରିସରକୁ ଅଧିକ ସୁନ୍ଦର କରୁଛି। ଖାଲି ସେତିକି ନୁହେଁ, ଏଠାରେ ପଥରର କାରୁକାର୍ଯ୍ୟ ସହ ସବୁଜମୟ ପରିବେଶ ଆଖିଦୃଶିଆ ହୋଇଛି। ଚାରି କୋଣରେ ପାନ ପତ୍ର ଆକାରରେ ସବୁଜ ଘାସ ସହ ଫୁଲ ଗଛ ଲଗାଯାଇଛି। ଏଥିସହ ଫୁଟ୍ ପାଥ୍, ସେଲଫି ଜୋନ୍ ମଧ୍ୟ କରାଯାଇଛି। ପାଚେରି ଚାରିପାଖରେ ବଡ଼ ବଡ଼ ବଉଳ ଗଛ ଓ ଆଲୋକୀକରଣ ପରିବେଶକୁ ସ୍ବତନ୍ତ୍ର ପରିଚୟ ଦେଉଛି। ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ପ୍ରତି ପାଞ୍ଚ ବର୍ଷରେ କରାଯିବ। ହେଲେ ଭାଷା ସମ୍ମିଳନୀର ସ୍ମାରକୀ ଭାବେ ‘ଅକ୍ଷର ଭୂମି’ ସବୁ ବେଳେ ସମ୍ମିଳନୀର ସ୍ମୃତିକୁ ସତେଜ କରି ରଖିବ।
ଭାଷା, ସାହିତ୍ୟ, ସଂସ୍କୃତିକୁ ସମୃଦ୍ଧ କରିବ ଓଡ଼ିଆ ବିଶ୍ବବିଦ୍ୟାଳୟ
ଇଂରେଜ ଶାସନ ସମୟ। ଗୋରାଙ୍କ ଅକଥନୀୟ ଅତ୍ୟାଚାର ଓ ଶୋଷଣ ଭିତରେ ୧୯୦୯ ମସିହା ଅଗଷ୍ଟ ୧୨ ତାରିଖ କୁମାରପୂର୍ଣ୍ଣିମା ତିଥିରେ ଗଢ଼ି ଉଠିଥିଲା ସତ୍ୟବାଦୀ ବନବିଦ୍ୟାଳୟ। ଗୋପବନ୍ଧୁ ଦାସଙ୍କ ସହ ଆଧୁନିକ ଯୁଗର ପଞ୍ଚସଖାଙ୍କ ପ୍ରଚେଷ୍ଠାରେ ଦେଶର ପ୍ରଥମ ମୁକ୍ତ ବିଦ୍ୟାଳୟ ଭାବରେ ଖ୍ୟାତି ଅର୍ଜନ କରିଥିଲା ଏହି ଐତିହାସିକ ବିଦ୍ୟାଳୟ। ବନ ବିଦ୍ୟାଳୟ ମାଧ୍ୟମରେ ସେତେବେଳେ ଶିକ୍ଷାର ଯେଉଁ ଭିତ୍ତି ପଡ଼ିଥିଲା, ତାହା ଆଜି ଓଡ଼ିଶା ବିଶ୍ବବିଦ୍ୟାଳୟର ରୂପ ନେଇ ଓଡ଼ିଆଙ୍କ ଅସ୍ମିତା ଓ ଗୌରବର ପ୍ରତୀକ ଭାବେ ମୁଣ୍ଡ ଟେକିଛି। ଏବେ ଏହି ପବିତ୍ର ଭୂମିରେ ଓଡ଼ିଆ, ଭାଷା, ସାହିତ୍ୟ, ସଂସ୍କୃତିକୁ ସମୃଦ୍ଧ କରିବାକୁ ସତ୍ୟବାଦୀ ବକୁଳବନରେ ପ୍ରତିଷ୍ଠା କରାଯାଇଛି ଭାଷା ଭିତ୍ତିକ ‘ଓଡ଼ିଆ ବିଶ୍ବବିଦ୍ୟାଳୟ’। ଭାଷା ଗୋଟେ ଜାତିର ଅସ୍ମିତାର ପରିଚୟ। ଗୋଟେ ଜାତିର ମୁକୁଟ ହେଉଛି ତା’ର ଭାଷା। ଭାଷାର ବ୍ୟବହାର ବଢ଼ିଲେ ଏହା ସମୃଦ୍ଧ ହୋଇଥାଏ ଏବଂ ଜାତିର ଗୌରବ ବୃଦ୍ଧି କରିଥାଏ। ଓଡ଼ିଆ ଭାଷା ପ୍ରତି ଯୁବଗୋଷ୍ଠୀଙ୍କୁ ଆକୃଷ୍ଟ କରିବା ସହ ଏହାର ବ୍ୟବହାର ବୃଦ୍ଧି ଓ ଗବେଷଣା ଉପରେ ଗୁରୁତ୍ୱ ଦେଇ ରାଜ୍ୟ ସରକାର ୨୦୧୮ ମସିହା ସେପ୍ଟେମ୍ବର ମାସରେ ରାଜ୍ୟ କ୍ୟାବିନେଟ୍ରେ ଓଡ଼ିଆ ବିଶ୍ବବିଦ୍ୟାଳୟକୁ ମଞ୍ଜୁରି ଦେଇଥିଲେ। ସେହିବର୍ଷ ଅକ୍ଟୋବର ୯ ତାରିଖରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମଦିନରେ ବକୁଳବନଠାରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ବିଶ୍ବବିଦ୍ୟାଳୟର ଭିତ୍ତିପ୍ରସ୍ତର ପକାଇଥିଲେ। ଗତ ଜାନୁଆରି ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ଏହି ବିଶ୍ବବିଦ୍ୟାଳୟକୁ ଓଡ଼ିଆ ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ କରିଥିଲେ। ୯.୬୦ ଏକର ଜମିରେ ବନ ବିଦ୍ୟାଳୟ ଢାଞ୍ଚାରେ ନିର୍ମାଣ ହୋଇଥିବା ଏହି ବିଶ୍ବବିଦ୍ୟାଳୟରେ ଓଡ଼ିଆ ଭାଷାରେ ସ୍ନାତକୋତ୍ତର ପାଠ୍ୟକ୍ରମ ସହ ଇତିହାସ ଓ ଅନ୍ୟାନ୍ୟ ବିଷୟ ଉପରେ ଗବେଷଣା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ୨୦୨୩ ସେପ୍ଟେମ୍ବର ୫ ଗୁରୁ ଦିବସ ଠାରୁ ସାକ୍ଷୀଗୋପାଳ ପାନ୍ଥନିବାସ ଅସ୍ଥାୟୀ କ୍ୟାମ୍ପସରେ ପାଠପଢ଼ା ଆରମ୍ଭ ହୋଇଛି। ଏବେ ଅତ୍ୟାଧୁନିକ ଓ ସୁଦୃଢ଼ ଭିତ୍ତିଭୂମି ସହ ଶୈକ୍ଷିକ ବାତାବରଣରେ ନୂଆ କ୍ୟାମ୍ପସ୍ ବିଦ୍ୟାର୍ଥୀଙ୍କୁ ଆକର୍ଷିତ କରୁଛି।
ଅତ୍ୟାଧୁନିକ, ସୁଦୃଢ଼ ଭିତ୍ତିଭୂମି ସହ ଶୈକ୍ଷିକ ବାତାବରଣ
ଆକର୍ଷଣୀୟ ନିର୍ମାଣ ଶୈଳୀ, ଓଡ଼ିଆ ବର୍ଣ୍ଣମାଳାର ଛାପ
ଓଡ଼ିଆ ଭାଷା ଉପରେ ହେବ ଅଧିକ ଗବେଷଣା
ଓଡ଼ିଆ ବିଶ୍ବବିଦ୍ୟାଳୟରେ ଅତ୍ୟାଧୁନିକ ପରିପାଟ୍ଟୀ ସମ୍ବଳିତ ଶିକ୍ଷଣ ଭିତ୍ତିଭୂମି ସହ ଓଡ଼ିଆ ବର୍ଣ୍ଣମାଳାର ଛାପ କ୍ୟାମ୍ପସକୁ ଅଧିକ ଆକର୍ଷଣୀୟ କରୁଛି। କାନ୍ଥ ବାଡ଼ଠାରୁ ଆରମ୍ଭ କରି ପ୍ରଶାସନିକ କୋଠାରେ ଖୋଦେଇ ହୋଇଛି ଓଡ଼ିଆ ଲିପି। ପ୍ରବେଶ ପଥରୁ ସମ୍ପୂର୍ଣ୍ଣ କ୍ୟାମ୍ପସ ଭିତରକୁ ଯେକେହି ଦେଖିଲେ ମନରେ ଜାଗରଣ ହେଉଛି ଓଡ଼ିଆ ଭାବ। କ୍ୟାମ୍ପସରେ ସବୁଜିମା ଭରା ପ୍ରାକୃତିକ ପରିବେଶ ପାଠ ପଢ଼ା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଅତ୍ୟାଧୁନିକ ପ୍ରଶାସନିକ କୋଠା, ଶ୍ରେଣୀଗୃହ, ସେମିନାର୍ ହଲ୍, ଅଧ୍ୟାପକଙ୍କ କକ୍ଷ କରାଯାଇଛି। ଛାତ୍ରଛାତ୍ରୀ ଓ ଗବେଷକଙ୍କ ପାଇଁ ଉନ୍ନତ ଛାତ୍ରାବାସ ଓ ଗ୍ରନ୍ଥାଗାର ରହିଛି। ବିଶ୍ବବିଦ୍ୟାଳୟ ପରିସରରେ ଥିବା ରାଧାକୁଣ୍ଡ ପୁଷ୍କରିଣୀ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ପୁଷ୍କରିଣୀ ଚାରି ପାଖରେ ଐତିହ୍ୟ ଛାପ ଦେଇ ପାହାଚ ଓ ସେଡ୍ କରାଯାଇଛି। ସେଡ୍ରେ ଓଡ଼ିଆ ବର୍ଣ୍ଣମାଳା ସହ ଅତ୍ୟାଧୁନିକ ଆଲୋକ ପରିସରକୁ ଅଧିକ ମନୋରମ କରୁଛି। ପାଖରେ ଏକ ମନ୍ଦିର ନିର୍ମାଣ କରାଯାଇଛି। ଯେଉଁଠି ସନ୍ଧ୍ୟା ହେଲେ ଓଡ଼ିଆଙ୍କ ମହାଗ୍ରନ୍ଥ ଭାଗବତ ପାଠ ଓ ଓଡ଼ିଆ ଭାଷା ସମ୍ପର୍କରେ ଆଲୋଚନା କରାଯିବ। ପରିସରରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ପାଇଁ ରହିଛି ରେସ୍ତୋରାଁ। ଏଠାରେ ତିନି ବେଳୋ ଉଚ୍ଚମାନର ଖାଦ୍ୟର ବ୍ୟବସ୍ଥା କରାଯାଇଛି। କ୍ୟାମ୍ପସର ବିଭିନ୍ନ ସ୍ଥାନରେ ଖଣ୍ଡୋଲାଇଟ୍ ପଥରରେ ସୁନ୍ଦର କାରୁକାର୍ଯ୍ୟ, ଆଲୋକୀକରଣ ଓ ଫାଉଣ୍ଟେନ୍ ଇତ୍ୟାଦି ବିଶ୍ବବିଦ୍ୟାଳୟର ସୌନ୍ଦର୍ଯ୍ୟ ବୃଦ୍ଧି କରୁଛି।
ବର୍ଣ୍ଣବୋଧ
‘ବର୍ଣ୍ଣବୋଧ’ କୋଟି କୋଟି ଓଡ଼ିଆଙ୍କ ଭାଷା ସାହିତ୍ୟ ଶିକ୍ଷାରେ ଧାଈମାଆର ଭୂମିକା ଗ୍ରହଣ କରି ଆସିଛି। ଏହି ଶୀର୍ଣ୍ଣକାୟ ଚଟିବହିର ପ୍ରାୟ ପ୍ରତିଟି ଧାଡ଼ି କୋଟି କୋଟି ଓଡ଼ିଆଙ୍କ ଜିଭ ଅଗରେ। ଯେମିତିକି- ‘‘ବଂଶୀ ବାଜୁଛି ନଦା ତୀରେ। ହଂସ ଖେଳୁଛି ନଦୀ ନୀରେ’‘, ‘‘ଚକା ଚକା ଭଉଁରୀ, ମାମୁଘର ଚଉଁରୀ’’, ‘‘ରାତି ପାହିଲାଣି ରାବଇ କାଉ/ ଉଠ ଉଠ ମଠ ନକର ଆଉ’’ ଇତ୍ୟାଦି। ବିଗତ ଦୁଇ ତିନିଟି ପିଢ଼ିରେ କ୍ବଚିତ୍ ଓଡ଼ିଆ ଥିବେ, ଯେଉଁମାନେ ପିଲାଦିନେ ‘‘ଆ’ରେ ଜହ୍ନମାମୁ ଶରଦଶଶୀ/ ମୋ’ କାହ୍ନୁ ହାତରେ ପଡ଼ରେ ଖସି’’ ଓ ‘‘ଝୁଲ୍ରେ ହାତୀ ଝୁଲ୍/ ବାଆ ପାଣି ଖାଇ ଫୁଲ୍’’ ଶୁଣି ଶୁଣି ଆହ୍ଲାଦିତ ହୋଇ ଶୋଇ ନଥିବେ। କେବଳ କବିତା ବା ଗୀତ ନୁହେଁ, ଏହାର ଗଦ୍ୟ ମଧ୍ୟ ସ୍ମରଣୀୟ, ଯେମିତି ‘‘ବୈଶାଖ ମାସେ ବଡ଼ ଖରା। ଅତି ତପତ ହୁଏ ଧରା’’ ବା ‘‘ମଧୁର ବିନୟ ବଚନ। କହି ତୋଷିତ ଜନମନ’’। ଅତି ସାଧାରଣ ମନେ ହେଉଥିବା ଏସବୁ ଧାଡ଼ିରେ କି ଅଦୃଶ୍ୟ କୁହୁକ ଅଛି ସତେ?
ବିଗତ ପ୍ରାୟ ୧୫୦ ବର୍ଷ ଧରି ଓଡ଼ିଆ ଜନଜୀବନର ଅନ୍ତରଙ୍ଗ ଅଂଶ ପାଲଟିଥିବା ଏ ବହିଟିର ଲେଖକ ହେଉଛନ୍ତି ମଧୁସୂଦନ ରାଓ। ମୁଖ୍ୟତଃ ଜଣେ କବି ଭାବରେ ସ୍ବୀକୃତ ତଥା ସାଧାରଣରେ ‘ଭକ୍ତକବି’ ଭାବେ ପରିଚିତ ରାଓ ପେସାରେ ଥିଲେ ଶିକ୍ଷକ। ସ୍ବତନ୍ତ୍ର ଭାଷାର ସ୍ବୀକୃତି ପାଇଁ ସଂଗ୍ରାମ ଚାଲିଥିବା ସମୟରେ ରାଓ ଅନୁଭବ କରିଥିଲେ ଯେ ଭାଷା ଶିକ୍ଷା ପାଇଁ ଓଡ଼ିଆରେ ପାଠ୍ୟପୁସ୍ତକର ଘୋର ଅଭାବ ଅନୁଭବ କରିଥିଲେ। ତେଣୁ ସେ ଏହି ବହିଟି ରଚନା କରିଥିଲେ। ଏ ସଂପର୍କରେ ଅନେକ କୌତୂହଳପୂର୍ଣ୍ଣ କଥା ଶୁଣାଯାଏ, ଶୁଣାଯାଏ ଯେ ବହିଟି ପ୍ରକାଶ ହେବା ଅତି ଜରୁରି ଥିବାରୁ ରାଓ ଏହାକୁ ଗୋଟିଏ ରାତି ଭିତରେ ଲେଖିଥିଲେ! ଈଶ୍ବରଚନ୍ଦ୍ର ବିଦ୍ୟାସାଗରଙ୍କ ଦ୍ବାରା ବଙ୍ଗଳାରେ ଲିଖିତ ‘ବର୍ଣ୍ଣପରିଚୟ’ ବହିର ପ୍ରଭାବ ଏହା ଉପରେ ପଡ଼ିଛି। ତେବେ ‘ବର୍ଣ୍ଣବୋଧ’ ନିଜସ୍ବ ମହିମାରେ ମହିମାନ୍ବିତ, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ।
୧୮୮୫ ମସିହାରେ ପ୍ରଖ୍ୟାତ ମାକ୍ମିଲନ୍ ଆଣ୍ଡ କମ୍ପାନି ଲିମିଟେଡ୍ (କାଲକାଟା, ବମ୍ବେ ଆଣ୍ଡ ଲଣ୍ଡନ) ‘ବର୍ଣ୍ଣବୋଧ’ ପ୍ରକାଶ କରିଥିଲେ। ଇତିମଧ୍ୟରେ ବହିଟିର ଶହଶହ ସଂସ୍କରଣ ପ୍ରକାଶିତ ହୋଇ ସାରିଛି। ବିଭିନ୍ନ ରୂପରେ ମଧ୍ୟ ଏହା ପ୍ରକାଶିତ। ଏହାର ଆଧାରରେ ବା ପ୍ରେରଣାରେ ମଧ୍ୟ ଆହୁରି ଅନେକ ବହି ଲେଖା ହୋଇଛି। ଗୋଟିଏ ପାଠ୍ୟପୁସ୍ତକ ଏତେ ଲୋକପ୍ରିୟ ଓ ସ୍ମରଣୀୟ ହେବାରେ ଏହା ତୁଳନୀୟ ଅନ୍ୟ ଉଦାହରଣ ନାହିଁ।