ସୁଦୀପ୍ତ ଷଡ଼ଙ୍ଗୀ
ବ୍ରହ୍ମପୁର: କଞ୍ଚାମାଲ ଅଭାବ ସହିତ ଅହେତୁକ ରାଜସ୍ବ ବୃଦ୍ଧି ଯୋଗୁ ଲବଣ ଉତ୍ପାଦନ ବନ୍ଦ ହୋଇଗଲା। ରାଜ୍ୟ ସରକାର ଲବଣ ଚାଷୀଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଲେ ନାହିଁ। ଫଳରେ କେନ୍ଦ୍ର ସରକାର ପର୍ଯ୍ୟାୟ କ୍ରମେ ହୁମ୍ମାରେ ଥିବା ପ୍ରାୟ ୧୫ଶହ ଏକର ଜମି ଫେରାଇ ନେଲେ। ସେହି ଜମି ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଲବଣ ବିଭାଗ ଅଧୀନରେ ରହିଛି। ଲବଣ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା ଗଞ୍ଜାମ ଜିଲ୍ଲାର ହୁମ୍ମା। ଯାହାକି ବର୍ତ୍ତମାନ ଇତିହାସ ପାଲଟିଛି। ହୁମ୍ମା ଓ ବିଞ୍ଝଣାପଲ୍ଲୀ ଲବଣ ଉତ୍ପାଦନ ଓ ବିକ୍ରି ସମବାୟ ସମିତି ଅଧୀନରେ ଥିବା ସେହି ଜମି କେନ୍ଦ୍ର ଠାରୁ ଫେରାଇ ଆଣିବା ଦିଗରେ କୌଣସି ଠୋସ୍‌ ଉଦ୍ୟମ ହୋଇ ନାହିଁ। ଫଳରେ ହୁମ୍ମା ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଶହଶହ ଏକର ଜମି ବ୍ୟବହାର ନହୋଇ ପଡ଼ିଆ ପଡ଼ିଛି।
ଦେଶ ସ୍ବାଧୀନତା ପୂର୍ବରୁ ହୁମ୍ମାରେ ଆରମ୍ଭ ହୋଇଥିଲା ଲବଣ ଚାଷ। ଏପରିକି ଭାରତ ସ୍ବାଧୀନତା ଲଢ଼େଇ ପାଇଁ ମହାତ୍ମା ଗାନ୍ଧୀ ଦେଇଥିବା ଲବଣ ସତ୍ୟାଗ୍ରହରେ ହୁମ୍ମାର ଲବଣ ଚାଷୀ ସାମିଲ ହୋଇଥିଲେ। ଏଣୁ ହୁମ୍ମାର ଏକ ‌ଐତିହାସିକ ପରିଚୟ ମଧ୍ୟ ରହିଛି। ପ୍ରାୟ ୧୫ବର୍ଷ ହେଲା ହୁମ୍ମାରେ ଲୁଣ ଉତ୍ପାଦନ ବନ୍ଦ ହୋଇଛି। ପୂର୍ବରୁ ଏଠାରେ ପ୍ରାୟ ୧୫ଶହ ଏକର ଜମିରେ ଲବଣ ଚାଷ ହେଉଥିଲା।

Advertisment

୧୫ ବର୍ଷ ହେଲା ଉତ୍ପାଦନ ବନ୍ଦ, ପଡ଼ିଆ ପଡ଼ିଛି ଲୁଣଗାଲି
କେନ୍ଦ୍ର ସରକାରଙ୍କ ଅଧୀନରେ ୧୫ଶହ ଏକର ଜମି
୧୦ ହଜାର ଶ୍ରମିକ ଜୀବିକା ହରାଇଛନ୍ତି

ହୁମ୍ମା ଓ ବିଞ୍ଝଣାପଲ୍ଲୀ ଲବଣ ଉତ୍ପାଦନ ଓ ବିକ୍ରି ସମବାୟ ସମିତି ଅଧୀନରେ ଭଡ଼ାସୂତ୍ରରେ ପ୍ରାୟ ୭୩୦ ଏକର ଜମି ରହିଥିବା ବେଳେ ପ୍ରାୟ ୭ଶହ ଏକର ଜମିରେ ଘରୋଇ ବ୍ୟବସାୟୀ ଲୁଣ ଚାଷ କରୁଥିଲେ। ୧୯୪୨ରେ ଲବଣ ସମିତି ଗଠନ ହୋଇଥିଲା। ଲୁଣ ଉତ୍ପାଦନ କାର୍ଯ୍ୟରେ ଗଞ୍ଜାମ ଜିଲ୍ଲାର ପ୍ରାୟ ୧୦ ହଜାର ଶ୍ରମିକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କାମ କରୁଥିଲେ। ଲୁଣ ଚାଷ ବନ୍ଦ ଯୋଗୁ ଉପରୋକ୍ତ ସଂଖ୍ୟକ ଶ୍ରମିକଙ୍କ ପରିବାର ପ୍ରଭାବିତ ହୋଇଛନ୍ତି। ଚାଷୀମାନେ ଦାଦନ ଖଟିବାକୁ ଯାଉଥିବା ବେଳେ ପଡ଼ିଆ ପଡ଼ିଥିବା ଶହଶହ ଏକର ଜମିର ସଦ୍‌ବିନିଯୋଗ ହୋଇପାରୁ ନାହିଁ। ପୂର୍ବରୁ ହୁମ୍ମା ଅଞ୍ଚଳରୁ ବାର୍ଷିକ ପ୍ରାୟ ୧ଲକ୍ଷ ମେଟ୍ରିକ୍‌ ଟନ୍‌ ପର୍ଯ୍ୟନ୍ତ ଲୁଣ ଉତ୍ପାଦନ ସମ୍ଭବ ହେଉଥିଲା। ଲୁଣିଜମି କେନ୍ଦ୍ର ସରକାରଙ୍କ ଅଧୀନରେ ଥିବାରୁ ସମିତି ଓ ଅନ୍ୟ ବ୍ୟବସାୟୀମାନେ ଭଡ଼ାରେ ନେଇ ଚାଷ କରୁଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସରକାର ପ୍ରାୟ ୫ ପ୍ରତିଶତ ପର୍ଯ୍ୟନ୍ତ ରାଜସ୍ବ ବୃତ୍ତି କରିଥିବା ବେଳେ ଜମିଭଡ଼ା ମଧ୍ୟ ବୃଦ୍ଧି କରିଥିଲେ। ଫଳରେ ଚାଷୀ କ୍ଷତି ସହିଥିଲେ। ୧୯୯୫ ପରେ ଆୟୋଡିନ୍‌ଯୁକ୍ତ ଲୁଣ ଉତ୍ପାଦନକୁ ସରକାର ଗୁରୁତ୍ବ ଦେଇଥିଲେ। କିନ୍ତୁ ଆୟୋଡିନ୍‌ଯୁକ୍ତ ଲୁଣ ଉତ୍ପାଦନରେ ଚାଷୀଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥିଲା। ହୁମ୍ମାରୁ ଉତ୍ପାଦିତ ଲୁଣର ବିକ୍ରି ପାଇଁ ସଠିକ୍‌ ବଜାର ବ୍ୟବସ୍ଥା ହୋଇପାରି ନଥିବାରୁ ଚାଷୀ ହଇରାଣ ହୋଇଥିଲେ। ବିଭିନ୍ନ କାରଣ ଯୋଗୁ ଚାଷୀ ଶେଷରେ ଲୁଣ ଚାଷରୁ ମୁହଁ ମୋଡ଼ି ନେଇଥିଲେ ବୋଲି ସମିତିର ପୂର୍ବତନ ସମ୍ପାଦକ ଦୁର୍ଯ୍ୟୋଧନ ରେଡ୍ଡି କହିଛନ୍ତି।