କଟକ: ରାଜ୍ୟର ବେସରକାରୀ ଅନୁଦାନପ୍ରାପ୍ତ କଲେଜ ଗୁଡିକରେ ଇତିହାସ ଅଧ୍ୟାପକ ନିଯୁକ୍ତି ପାଇଁ ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ (ଏସ୍‌ଏସ୍‌ବି)କୁ ଆଉ ସାନି ପରୀକ୍ଷା କରିବାକୁ ପଡ଼ିବ ନାହିଁ। ଇତିହାସ ଅଧ୍ୟାପକ ନିଯୁକ୍ତି ପାଇଁ ମାର୍ଚ୍ଚ ୧୦ର ଲିଖିତ ପରୀକ୍ଷା ରଦ୍ଦ କରିବା ସହିତ ସାନି ପରୀକ୍ଷା ୬ ସପ୍ତାହ ଭିତରେ କରିବା ପାଇଁ ହାଇକୋର୍ଟର ଜଣିକିଆ ବିଚାରପତି ପ୍ରଦାନ କରିଥିବା ୨୦୧୯, ଡିସେମ୍ବର ୩ର ରାୟକୁ ଜଷ୍ଟିସ ସଞ୍ଜୁପଣ୍ଡା ଓ ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ରଦ୍ଦ କରିଛନ୍ତି।

Advertisment

ସାନି ପରୀକ୍ଷା ଅନାବଶ୍ୟକ ବୋଲି ଖଣ୍ଡପୀଠ ମତ ଦେବା ସହିତ ବିଶେଷଜ୍ଞ କମିଟି ରିପୋର୍ଟ ଅନୁସାରେ ତଥା ସଂଶୋଧିତ ପ୍ରକ୍ରିୟା ଆଧାରରେ ଏସ୍‌ଏସ୍‌ବି ସାନି ମେଧା ତାଲିକା ପ୍ରସ୍ତୁତ କରି ଏ ସଂପର୍କିତ ନିଯୁକ୍ତି ପରୀକ୍ଷା ଫଳାଫଳ ପ୍ରକାଶ କରି ପାରିବ ବୋଲି ନି‌ର୍ଦ୍ଦେଶ ଦେଇଛନ୍ତି। ପ୍ରଶ୍ନପତ୍ରରେ ଉଲ୍ଲେଖ କରାଯାଇଥିବା କେତେକ ପ୍ରଶ୍ନ ତ୍ରୁଟିପୂର୍ଣ୍ଣ ଥିବା ବେଳେ ଆଉ କେତେକକୁ ନେଇ ଦ୍ବନ୍ଦ୍ବ ଦେଖାଦେଇଥିବା ଅଭିଯୋଗ ହୋଇଥିଲା। ଏଭଳି ସ୍ଥିତିରେ ବିଶେଷଜ୍ଞ କମିଟିର ମତାମତ ଲୋଡ଼ା ଯାଇଥିଲା। ବିଶେଷଜ୍ଞ କମିଟି ରିପୋର୍ଟ ଆଧାରରେ ୧୧ଟି ପ୍ରଶ୍ନ ପାଇଁ ସମସ୍ତ ପରୀକ୍ଷାର୍ଥୀଙ୍କୁ ସଂପୂର୍ଣ୍ଣ ନମ୍ବର ପ୍ରଦାନ କରାଯାଇଥିଲା। ଏଥି ସହିତ ସ୍ବଚ୍ଛତା ରକ୍ଷା ପାଇଁ ସଂଶୋଧିତ ଉତ୍ତର ‘କି’ ମଧ୍ୟ ସର୍ବସାଧାରଣଙ୍କ ପାଇଁ ପ୍ରକାଶ କରାଯାଇଥିଲା। ଏସଏସବି ବିଶେଷଜ୍ଞଙ୍କ ପରାମର୍ଶ ଆଧାରରେ ପୂର୍ବର ଦ୍ବନ୍ଦ୍ବ ଦୂର କରିବା ପାଇଁ ଯଥେଷ୍ଟ ପଦକ୍ଷେପ ନେଇଥିଲା। ଏଭଳି ସ୍ଥିତିରେ ସାନି ପରୀକ୍ଷା ଅନାବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି।

ସାନି ପରୀକ୍ଷା ଦ୍ବାରା ଅଯଥା ପ୍ରାର୍ଥୀମାନଙ୍କ ପାଇଁ ଅସୁବିଧା ସୃଷ୍ଟି ହେବ। ଏସଏସ୍‌ବି ମଧ୍ୟ ସମସ୍ୟାର ସମ୍ମୁଖୀନ ହେବ। ରାଜକୋଷରୁ ମଧ୍ୟ ଅର୍ଥ ବ୍ୟୟ ହେବ। ଅନ୍ୟପକ୍ଷରେ ପ୍ରାର୍ଥୀଙ୍କ ଯୋଗ୍ୟତା ପରଖିବା ପାଇଁ ଅନୁଷ୍ଠିତ ପରୀକ୍ଷାରେ ପଡୁଥିବା ପ୍ରଶ୍ନ ନେଇ କୌଣସି ଦ୍ବନ୍ଦ୍ବ ବା ସନ୍ଦେହ ରହିବା ଉଚିତ ନୁହେଁ। ଏହି ପ୍ରସଂଗରେ ନିଯୁକ୍ତି ଏଜେନ୍ସି ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିବା ଉଚିତ। ଏହି ମାମଲାରେ ପ୍ରଶ୍ନ ପ୍ରସ୍ତୁତକାରୀ ବ୍ୟାପକ ଦ୍ବନ୍ଦ୍ବ ସୃଷ୍ଟି କରିଥିବା ବେଳେ ଏସଏସବି ସଂପୂର୍ଣ୍ଣ ଭାବେ ଚୁପ୍ ରହିବା ଉଚିତ ନୁହେଁ। ତ୍ରୁଟି କରିଥିବା ପ୍ରଶ୍ନ ପ୍ରସ୍ତୁତକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇ ନିଯୁକ୍ତି ପ୍ରକ୍ରିୟାର ପବିତ୍ରତା ରକ୍ଷା କରିବା ଉଚିତ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୧୮ରେ ଏସ୍‌ଏସ୍‌ବି ପକ୍ଷରୁ ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ ୮୩୩ଟି ଅଧ୍ୟାପକ ପଦ ପୂରଣ ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଏଥି ମଧ୍ୟରେ ୮୧ଟି ଇତିହାସ ଅଧ୍ୟାପକ ପଦ ଥିଲା। ଅନଲାଇନ ଆବେଦନର ଶେଷ ତାରିଖ ୨୦୧୮ ଡିସେମ୍ବର ୧୧ ଧାର୍ଯ୍ୟ କରାଯାଇଥିଲା। ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ଥିବା ଆବେଦନକାରୀ ଇତିହାସ ଅଧ୍ୟାପକ ପାଇଁ ଦରଖାସ୍ତ ଦାଖଲ କରିଥିବା ବେଳେ ଏହା ଗ୍ରହଣ କରାଯାଇଥିଲା ଓ ପରୀକ୍ଷା ପାଇଁ ଏସ୍‌ଏସ୍‌ବି ପକ୍ଷରୁ ଆଡମିଟ କାର୍ଡ ପ୍ରଦାନ କରାଯାଇଥିଲା। ନିଯୁକ୍ତି ବିଜ୍ଞପ୍ତିରେ ଅନ୍ୟ ବିଭାଗ ସହିତ ଇତିହାସ ପାଇଁ ପାଠ୍ୟକ୍ରମ ପ୍ରକାଶ କରାଯାଇଥିଲା। ୧୬୫ ମାର୍କ ପାଇଁ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ବେଳେ କ୍ୟାରିଅର ମାର୍କ ୨୫ ଓ ସାକ୍ଷାତକାର ମାର୍କ ୧୦ ଧାର୍ଯ୍ୟ କରାଯାଇଥିଲା। ଏପରି ଭାବେ ତିନି ବର୍ଗର ମାର୍କ୍‌କୁ ଆଧାର କରି ପ୍ରାର୍ଥୀଙ୍କ ଚୟନ କରାଯିବ ବୋଲି ନିଯୁକ୍ତି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା।

୨୦୧୯ ମାର୍ଚ୍ଚ ୧୦ରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଓଏମ୍‌ଆର ଉତ୍ତରଖାତାରେ ସଂକ୍ଷିପ୍ତ ପ୍ରଶ୍ନର ଉତ୍ତର ଦେବାକୁ ପ୍ରାର୍ଥୀଙ୍କୁ କୁହାଯାଇଥିଲା। ପ୍ରତି ପ୍ରଶ୍ନର ୪ଟି ସମ୍ଭାବ୍ୟ ଉତ୍ତର ଓଏମ୍‌ଆର ଉତ୍ତରଖାତାରେ ରହିଥିବା ବେଳେ ପ୍ରାର୍ଥୀଙ୍କୁ ଗୋଟିଏ ଉତ୍ତର ସ୍ଥାନକୁ କଳା କରିବାକୁ କୁହାଯାଇଥିଲା। ୧୬୫ଟି ପ୍ରଶ୍ନ ପଡିଥିବା ବେଳେ ଠିକ୍ ଉତ୍ତର ପାଇଁ ପ୍ରାର୍ଥୀଙ୍କୁ ୧ ମାର୍କ ମିଳିବ ଓ ଭୁଲ ଉତ୍ତର ପାଇଁ .୨୫ ମାର୍କ କଟିବ (ନେଗେଟିଭ୍ ମାର୍କ ମିଳିବ) ବୋଲି ବ୍ୟବସ୍ଥା ରହିଥିଲା। ପରୀକ୍ଷାରେ ପଡିଥିବା ୧୬୫ଟି ପ୍ରଶ୍ନ ମଧ୍ୟରୁ ୩୧ଟି ତ୍ରୁଟିପୂର୍ଣ୍ଣ ଥିଲା ବୋଲି ପ୍ରାର୍ଥୀ ଅଭିଯୋଗ କରିଥିଲେ। ୬ଟି ଭୁଲ ପ୍ରଶ୍ନ ଥିଲା। ତା’ଛଡ଼ା, ୨୫ଟି ପ୍ରଶ୍ନ ଭିତରୁ କେତେକ ପାଠ୍ୟକ୍ରମ ବାହାରୁ ଆସିଥିବା ବେଳେ ଅନ୍ୟ କେତେକ ପ୍ରଶ୍ନରେ ବନାନ ଭୁଲ ରହିଥିଲା, ପ୍ରଶ୍ନ ଅସ୍ପଷ୍ଟ ରହିଥିଲା, ବ୍ୟାକରଣ ସମ୍ବନ୍ଧୀୟ ତ୍ରୁଟି ରହିଥିଲା, ପ୍ରଶ୍ନର ଠିକ୍ ଉତ୍ତର ସମ୍ଭାବ୍ୟ ୪ଟି ଉତ୍ତର ମଧ୍ୟରେ ନଥିଲା ବୋଲି ଅଭିଯୋଗ ହୋଇଥିଲା।

ଏସଏସବି ପକ୍ଷରୁ ୨୦୧୯ ମାର୍ଚ୍ଚ ୧୬ରେ ପ୍ରକାଶିତ ପ୍ରଶ୍ନର ଉତ୍ତର (କି’ ଆନସର୍)ରୁ ଏଭଳି ଅଭିଯୋଗରେ ସତ୍ୟତା ଥିବା ଜଣାପଡିଥିଲା। ନେଗେଟିଭ୍ ମାର୍କିଂ ବ୍ୟବସ୍ଥା ଥିବା ପରୀକ୍ଷାର ପ୍ରଶ୍ନପତ୍ରରେ ତ୍ରୁଟି ଯୋଗୁଁ ଯୋଗ୍ୟ ପ୍ରାର୍ଥୀଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇ ଯାଇଥିବା ଅଭିଯୋଗ ହୋଇଥିଲା। ଏ ନେଇ କେତେକ ପ୍ରାର୍ଥୀ ଏସ୍‌ଏସ୍‌ବି ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା। ଏହାପରେ ଏ ନେଇ କେତେକ ପ୍ରାର୍ଥୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ୨୦୧୯ ମାର୍ଚ୍ଚ ୧୦ରେ ଅନୁଷ୍ଠିତ ଲିଖିତ ପରୀକ୍ଷାକୁ ରଦ୍ଦ କରିଥିଲେ।  ୬ ସପ୍ତାହ ଭିତରେ ଏସ୍‌ଏସ୍‌ବି ଇତିହାସ ଅଧ୍ୟାପକ ନିଯୁକ୍ତି ପାଇଁ ସାନି ଲିଖିତ ପରୀକ୍ଷା ଆୟୋଜନ ପାଇଁ ବ୍ୟବସ୍ଥା କରିବ।

ସାନି ପରୀକ୍ଷା ପାଇଁ ପ୍ରାର୍ଥୀଙ୍କୁ ସାନି ଆଡମିଟ୍ କାର୍ଡ ପ୍ରଦାନ କରାଯିବ ନାହିଁ। ଯେଉଁ ପ୍ରାର୍ଥୀମାନେ ପୂର୍ବରୁ ମାର୍ଚ୍ଚ ୧୦ରେ ପରୀକ୍ଷା ଦେଇଥିଲେ ସେମାନେ କବେଳ ସାନି ପରୀକ୍ଷାରେ ବସି ପାରିବେ।  ଯେପରି ପ୍ରଶ୍ନରେ କୌଣସି ଦ୍ବନ୍ଦ୍ବ ନ ରହିବ ତାହା ଏସ୍‌ଏସ୍‌ବି ସୁନିଶ୍ଚିତ କରିବ ବୋଲି ୨୦୧୯, ଡିସେମ୍ବର ୩ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମାର୍ଚ୍ଚ ୧୦ର ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସାକ୍ଷାତକାରରେ ବସିଥିବା ପ୍ରାର୍ଥୀଙ୍କ ସହିତ ଅନ୍ୟ କେତେକ ପ୍ରାର୍ଥୀ ଏହି ରାୟ ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ପ୍ରଶ୍ନପତ୍ରରେ ସାମାନ୍ୟ ଦ୍ବନ୍ଦ୍ବ ଥିବା ବେଳେ ସଂପୂର୍ଣ୍ଣ ଭାବେ ଲିଖିତ ପରୀକ୍ଷାକୁ ରଦ୍ଦ କରାଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ଏହା ଦ୍ବାରା ଶହ ଶହ ପ୍ରାର୍ଥୀଙ୍କ ଜୀବନ ଅନ୍ଧକାର ଭିତରକୁ ଠେଲି ଦିଆଯିବ ବୋଲି ଦର୍ଶାଇ ସେମାନେ ଡିସେମ୍ବର ୩ର ରାୟ ବିରୋଧରେ ରିଟ୍ ଅପିଲ ଦାୟର କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ, ଗୌତମ ମିଶ୍ର, ଏସ୍.ଏସ୍.ଦାସ, ଆଇନଜୀବୀ ସମୀର କୁମାର ମିଶ୍ର ଓ ଶାଶ୍ବତ ଦାସ ମାମଲା ପରିଚାଳନା କରୁଥିଲେ।