ଇତିହାସ ଅଧ୍ୟାପକ ନିଯୁକ୍ତି ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି : ଲିଖିତ ପରୀକ୍ଷା ରଦ୍ଦ କଲେ ହାଇକୋର୍ଟ, ୬ ସପ୍ତାହରେ ସାନି ପରୀକ୍ଷା ନିର୍ଦ୍ଦେଶ
କଟକ : ରାଜ୍ୟର ବେସରକାରୀ ଅନୁଦାନପ୍ରାପ୍ତ କଲେଜଗୁଡିକରେ ଇତିହାସ ଅଧ୍ୟାପକ ନିଯୁକ୍ତି ପାଇଁ ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ (ଏସ୍ଏସ୍ବି) ପକ୍ଷରୁ ୨୦୧୯ ମାର୍ଚ୍ଚ ୧୦ରେ ଅନୁଷ୍ଠିତ ଲିଖିତ ପରୀକ୍ଷାକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ପାଇବାର ୬ ସପ୍ତାହ ଭିତରେ ଏସ୍ଏସ୍ବି ଇତିହାସ ଅଧ୍ୟାପକ ନିଯୁକ୍ତି ପାଇଁ ସାନି ଲିଖିତ ପରୀକ୍ଷା ଆୟୋଜନ ପାଇଁ ବ୍ୟବସ୍ଥା କରିବ। ସାନି ପରୀକ୍ଷା ପାଇଁ ପ୍ରାର୍ଥୀଙ୍କୁ ସାନି ଆଡମିଟ୍ କାର୍ଡ ପ୍ରଦାନ କରାଯିବ ନାହିଁ। ଯେଉଁ ପ୍ରାର୍ଥୀମାନେ ପୂର୍ବରୁ ମାର୍ଚ୍ଚ ୧୦ରେ ପରୀକ୍ଷା ଦେଇଥିଲେ ସେମାନେ କବେଳ ସାନି ପରୀକ୍ଷାରେ ବସି ପାରିବେ ବୋଲି କୁହାଯାଇଛି। ଯେପରି ପ୍ରଶ୍ନରେ କୌଣସି ଦ୍ବନ୍ଦ୍ବ ନ ରହିବ ତାହା ଏସ୍ଏସ୍ବି ସୁନିଶ୍ଚିତ କରିବ। ଲିଖିତ ପରୀକ୍ଷା ପରେ ଫଳାଫଳ ପ୍ରକାଶ ପାଇଁ ତ୍ବରିତ ପଦକ୍ଷେପ ନିଆଯିବ। ଏଥିସହିତ ନିଯୁକ୍ତି ସଂପର୍କିତ ବିଜ୍ଞପ୍ତି ଅନୁସାରେ ଇତିହାସ ଅଧ୍ୟାପକ ନିଯୁକ୍ତି ପ୍ରସଂଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଡକ୍ଟର ଜଷ୍ଟିସ ବି.ଆର. ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଇତିହାସ ଅଧ୍ୟାପକ ନିଯୁକ୍ତି ପାଇଁ ଅନୁଷ୍ଠିତ ଲିଖିତ ପରୀକ୍ଷାର ପ୍ରଶ୍ନପତ୍ରରେ ତ୍ରୁଟି ଅଭିଯୋଗ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଜିତେନ୍ଦ୍ର ପଲାଇ ଓ ଅନ୍ୟ ୧୯ଜଣ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଏ.କେ. ମହାପାତ୍ର ମାମଲା ପରିଚାଳନା କରୁଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୧୮ରେ ଏସ୍ଏସ୍ବି ପକ୍ଷରୁ ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ ୮୩୩ଟି ଅଧ୍ୟାପକ ପଦ ପୂରଣ ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଏଥି ମଧ୍ୟରେ ୮୧ଟି ଇତିହାସ ଅଧ୍ୟାପକ ପଦ ଥିଲା। ଅନ୍ ଲାଇନ ଆବେଦନର ଶେଷ ତାରିଖ ୨୦୧୮ ଡିସେମ୍ବର ୧୧ ଧାର୍ଯ୍ୟ କରାଯାଇଥିଲା। ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ଥିବା ଆବେଦନକାରୀ ଇତିହାସ ଅଧ୍ୟାପକ ପାଇଁ ଦରଖାସ୍ତ ଦାଖଲ କରିଥିବା ବେଳେ ଏହା ଗ୍ରହଣ କରାଯାଇଥିଲା ଓ ପରୀକ୍ଷା ପାଇଁ ଏସ୍ଏସ୍ବି ପକ୍ଷରୁ ଆଡମିଟ କାର୍ଡ ପ୍ରଦାନ କରାଯାଇଥିଲା। ନିଯୁକ୍ତି ବିଜ୍ଞପ୍ତିରେ ଅନ୍ୟ ବିଭାଗ ସହିତ ଇତିହାସ ପାଇଁ ପାଠ୍ୟକ୍ରମ ପ୍ରକାଶ କରାଯାଇଥିଲା। ୧୬୫ ମାର୍କ ପାଇଁ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ବେଳେ କ୍ୟାରିଅର ମାର୍କ ୨୫ ଓ ସାକ୍ଷାତକାର ମାର୍କ ୧୦ ଧାର୍ଯ୍ୟ କରାଯାଇଥିଲା। ଏପରି ଭାବେ ତିନି ବର୍ଗର ମାର୍କକୁ ଆଧାର କରି ପ୍ରାର୍ଥୀଙ୍କ ଚୟନ କରାଯିବ ବୋଲି ନିଯୁକ୍ତି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା। ୨୦୧୯ ମାର୍ଚ୍ଚ ୧୦ରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଓଏମ୍ଆର ଉତ୍ତରଖାତାରେ ସଂକ୍ଷିପ୍ତ ପ୍ରଶ୍ନର ଉତ୍ତର ଦେବାକୁ ପ୍ରାର୍ଥୀଙ୍କୁ କୁହାଯାଇଥିଲା। ପ୍ରତି ପ୍ରଶ୍ନର ୪ଟି ସମ୍ଭାବ୍ୟ ଉତ୍ତର ଓଏମ୍ଆର ଉତ୍ତରଖାତାରେ ରହିଥିବା ବେଳେ ପ୍ରାର୍ଥୀଙ୍କୁ ଗୋଟିଏ ଉତ୍ତର ସ୍ଥାନକୁ କଳା କରିବାକୁ କୁହାଯାଇଥିଲା। ୧୬୫ଟି ପ୍ରଶ୍ନ ପଡିଥିବା ବେଳେ ଠିକ୍ ଉତ୍ତର ପାଇଁ ପ୍ରାର୍ଥୀଙ୍କୁ ୧ ମାର୍କ ମିଳିବ ଓ ଭୁଲ ଉତ୍ତର ପାଇଁ .୨୫ ମାର୍କ କଟିବ (ନେଗେଟିଭ୍ ମାର୍କ ମିଳିବ) ବୋଲି ବ୍ୟବସ୍ଥା ରହିଥିଲା। ପରୀକ୍ଷାରେ ପଡିଥିବା ୧୬୫ଟି ପ୍ରଶ୍ନ ମଧ୍ୟରୁ ୩୧ଟି ତ୍ରୁଟିପୂର୍ଣ୍ଣ ଥିଲା ବୋଲି ପ୍ରାର୍ଥୀ ଅଭିଯୋଗ କରିଥିଲେ। ୬ଟି ଭୁଲ ପ୍ରଶ୍ନ ଥିଲା। ତାଛଡ଼ା, ୨୫ଟି ପ୍ରଶ୍ନ ଭିତରୁ କେତେକ ପାଠ୍ୟକ୍ରମ ବାହାରୁ ଆସିଥିବା ବେଳେ ଅନ୍ୟ କେତେକ ପ୍ରଶ୍ନରେ ବନାନ ଭୁଲ ରହିଥିଲା, ପ୍ରଶ୍ନ ଅସ୍ପଷ୍ଟ ରହିଥିଲା, ବ୍ୟାକରଣ ସମ୍ବନ୍ଧୀୟ ତ୍ରୁଟି ରହିଥିଲା, ପ୍ରଶ୍ନର ଠିକ୍ ଉତ୍ତର ସମ୍ଭାବ୍ୟ ୪ଟି ଉତ୍ତର ମଧ୍ୟରେ ନଥିଲା ବୋଲି ଅଭିଯୋଗ ହୋଇଥିଲା। ଏସଏସବି ପକ୍ଷରୁ ୨୦୧୯ ମାର୍ଚ୍ଚ ୧୬ରେ ପ୍ରକାଶିତ ପ୍ରଶ୍ନର ଉତ୍ତର (କି ଆନସର୍)ରୁ ଏଭଳି ଅଭିଯୋଗରେ ସତ୍ୟତା ଥିବା ଜଣା ପଡିଥିଲା। ନେଗେଟିଭ୍ ମାର୍କିଂ ବ୍ୟବସ୍ଥା ଥିବା ପରୀକ୍ଷାର ପ୍ରଶ୍ନପତ୍ରରେ ତ୍ରୁଟି ଯୋଗୁଁ ଯୋଗ୍ୟ ପ୍ରାର୍ଥୀଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇ ଯାଇଥିଲା। ଏ ନେଇ ଆବେଦନକାରୀ ଏସ୍ଏସ୍ବି ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା। ଏହାପରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସହିତ ଏସ୍ଏସ୍ବି ଅଧ୍ୟକ୍ଷ ଓ ସଂପାଦକଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ୨୦୧୯ ଜୁନ୍ ୨୭ରେ ହାଇକୋର୍ଟ ମାମଲାର ପ୍ରାରମ୍ଭିକ ଶୁଣାଣି କରି ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିବା ସହିତ ଇତିହାସ ଅଧ୍ୟାପକ ନିଯୁକ୍ତି ପ୍ରସଂଗରେ ଅଦାଲତଙ୍କ ବିନା ଅନୁମତିରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ।