ଆମ ଦେଶର ରାଷ୍ଟ୍ରପତି: ରାଜେନ୍ଦ୍ର ପ୍ରସାଦଙ୍କ ଠାରୁ ଦ୍ରୌପଦୀ ମୁର୍ମୁଙ୍କ ଯାଏଁ ପ୍ରତିଦ୍ବନ୍ଦ୍ବିତାର ଇତିହାସ ଏମିତି

ଭୁବନେଶ୍ବର: ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତି ହୋଇଛନ୍ତି। ଆଜି ସେ ଏକ ଭବ୍ୟ ସମାରୋହରେ ପ୍ରଧାନ ବିଚାରପତିଙ୍କ ଠାରୁ ଶପଥ ଗ୍ରହଣ କରିଛନ୍ତି। ମୟୂରଭଂଜ ଜିଲ୍ଲା ରାଇରଂଗପୁର ଉପଖଣ୍ଡ ଉପରବେଡ଼ା ଗ୍ରାମର‌େ ଜନ୍ମିତ ଦ୍ରୌପଦୀଙ୍କୁ ନେଇ ଓଡ଼ିଶାବାସୀ ଗର୍ବ ଅନୁଭବ କରୁଛନ୍ତି। ଗତ ୧୮ ତାରିଖରେ ହୋଇଥିବାର ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁ ସହଜରେ ବିଜୟ ହାସଲ କରିଛନ୍ତି। ତେବେ ତାଙ୍କର ପୂର୍ବରୁ ଦେଶକୁ ମିଳିଥିବା ଅନ୍ୟ ୧୪ ଜଣ ରାଷ୍ଟ୍ରପତିଙ୍କ ଜୀବନ ଯାତ୍ରା କେମିତି ଥିଲା ଏହି ରିପୋର୍ଟରୁ ଜାଣନ୍ତୁ…

୧୯୫୨ ମସିହାରେ ଦେଶର ପ୍ରଥମ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଡକ୍ଟର ରାଜେନ୍ଦ୍ର ପ୍ରସାଦ ଏବଂ କେ. ଟି ସାହାଙ୍କ ସହିତ ମୋଟ୍ ୫ ଜଣ ପ୍ରାର୍ଥୀ ନିର୍ବାଚନରେ ଭାଗ ନେଇଥିଲେ। ରାଜେନ୍ଦ୍ର ପ୍ରସାଦ ଏହି ନିର୍ବାଚନ ଜିତି ଦେଶର ପ୍ରଥମ ରାଷ୍ଟ୍ରପତି ହେବାର ସୌଭାଗ୍ୟ ଅର୍ଜନ କରିଥିଲେ ।
୧୯୫୭ ଅନୁଷ୍ଠିତ ହୋଇଥିଲା ଦ୍ୱିତୀୟ ରାଷ୍ଟ୍ରପତି ନିର୍ବାଚନ । ଏଥିରେ ବିରୋଧୀ ପ୍ରାର୍ଥୀ ଯୋଗେନ୍ଦ୍ର ନାରାୟଣ ପ୍ରସାଦଙ୍କୁ ମାତ୍ର ଦୁଇ ହଜାର ଭୋଟ ମିଳିଥିଲା । ଦ୍ୱିତୀୟ ଥର ପାଇଁ ରାଜେନ୍ଦ୍ର ପ୍ରସାଦ ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ ।

୧୯୬୨ରେ ହୋଇଥିବା ତୃତୀୟ ରାଷ୍ଟ୍ରପତି ନିର୍ବାଚନରେ ମୋଟ୍ ୩ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ବିତା ହୋଇଥିଲା । ଏହି ନିର୍ବାଚନ ବହୁ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ।
୧୯୬୭ ରାଷ୍ଟ୍ରପତି ନିର୍ବାଚନରେ ପ୍ରଥମ ଥର ପାଇଁ ଏକ ବଡ ମୁକାବିଲା ଦେଖିବାକୁ ମିଳିଥିଲା । ନିର୍ବାଚନରେ ୧୭ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ବିତା କରିଥିଲେ । ଜାକିର ହୁସେନ ବିପୁଳ ଭୋଟରେ ବିଜୟ ଲାଭ କରିଥିଲେ । ତେବେ ମାତ୍ର ୨ ବର୍ଷ ପରେ ୧୯୬୭ରେ ଜାକିର ହୁସେନଙ୍କ ପରଲୋକ ଘଟିଥିଲା ।
ଜାକିର ହୁସେନଙ୍କ ପରଲୋକ ଯୋଗୁଁ ୧୯୬୯ରେ ଅନୁଷ୍ଠିତ ହୋଇଥିଲା ରାଷ୍ଟ୍ରପତି ନିର୍ବାଚନ । ଏଥିରେ ମୋଟ୍ ୧୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ବିତା କରିଥିଲେ ମଧ୍ୟ ମୁଖ୍ୟ ପ୍ରତିଦ୍ୱନ୍ଦ୍ବିତା ହୋଇଥିଲା। ସ୍ୱାଧୀନ ପ୍ରାର୍ଥୀ ଭି.ଭି. ଗିରି ଏବଂ କଂଗ୍ରେସ ପ୍ରାର୍ଥୀ ନୀଲମ ସଂଜୀବ ରେଡ୍ଡୀଙ୍କ ମଧ୍ୟରେ । ନିଜ ବିବେକ ଅନୁସାରେ ଭୋଟ୍ ଦେବା ପାଇଁ ସେତେବେଳେ ଇନ୍ଦିରା ଗାନ୍ଧୀ ପରାମର୍ଶ ଦେଇଥିଲେ ।

୧୯୭୪ରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଫକିରୁଦ୍ଦୀନ ଅଲୀ ଅହମଦ ଏବଂ ବିରୋଧି ପ୍ରାର୍ଥୀ ତ୍ରିଦେବ ଚୌଧୁରୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ବିତା ହୋଇଥିଲା । ଏଥିରେ ଫକିରୁଦ୍ଦିନ ଅଲ୍ଲି ଅହମ୍ମଦ ବିଜୟ ହାସଲ କରିଥିଲେ ।
୧୯୭୭ରେ ଫକିରୁଦ୍ଦିନ ଅଲ୍ଲି ଅହମ୍ମଦଙ୍କ ମୃତ୍ୟୁ ହେବାରୁ ପୁଣିଥରେ ନିର୍ବାଚନ କରିବାକୁ ପଡିଥିଲା । ଏହି ସମୟରେ ଜାତୀୟ ରାଜନୀତିରେ ବହୁ ପରିବର୍ତ୍ତନ ହୋଇସାରିଥିଲା । ପ୍ରଥମ ଥର ପାଇଁ କେନ୍ଦ୍ରରେ କଂଗ୍ରେସ କ୍ଷମତାରୁ ଦୂରରେ ରହିଥିଲା । ଏଭଳି ପରିସ୍ଥିତିରେ ରାଷ୍ଟ୍ରପତି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେଇନଥିଲା । ଫଳରେ ନୀଲମ ସଂଜୀବ ରେଡ୍ଡୀ ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହୋଇଥିଲେ ।
୧୯୮୨ରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଜ୍ଞାନୀ ଜୈଲ ସିଂହ ଏବଂ ବିରୋଧୀ ପ୍ରାର୍ଥୀ ଜଷ୍ଟିସ୍ ଏଚ୍ ଆର୍. ଖାନ୍ନାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ବିତା ହୋଇଥିଲା । ଏଥିରେ ଜ୍ଞାନୀ ଜୈଲ ସିଂହ ବିପୁଳ ଭୋଟରେ ବିଜୟ ହାସଲ କରିଥିଲେ ।
ନବମ ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା ୧୯୮୭ରେ । ଏଥିରେ କଂଗ୍ରେସ ପ୍ରାର୍ଥୀ ଆର୍. ଭେଙ୍କଟ ରମନ ଏବଂ ବିରୋଧୀ ପ୍ରାର୍ଥୀ ବି. କ୍ରିଷ୍ଣା ଆୟାରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ବିତା ହୋଇଥିଲା । ତେବେ ଆର. ଭେଙ୍କଟରମଣ ବହୁ ଭୋଟରେ ବିଜୟଲାଭ କରିଥିଲେ ।

୧୯୯୨ରେ ଅନୁଷ୍ଠିତ ନିର୍ବାଚନରେ ମୋଟ୍ ୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ତେବେ ଶଙ୍କର ଦୟାଲ ଶର୍ମା ବହୁ ଭୋଟ ବ୍ୟବଧାନରେ ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ ।
୧୯୯୭ ରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ କେ. ଆର୍ ନାରାୟଣନ ଏବଂ ବିଜେପି ସମର୍ଥିତ ପ୍ରାର୍ଥୀ ଟି.ଏନ. ଶେଷନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । ୯ ଲକ୍ଷରୁ ଅଧିକ ଭୋଟ ପାଇ କେ. ଆର୍. ନାରାୟଣନ ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲା ।
୨୦୦୨ରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ତତ୍‌କାଳୀନ ଏନଡିଏ ସରକାର ମିଶାଇଲ ମ୍ୟାନ୍ ଏ.ପି.ଜେ ଅବଦୁଲ କଲାମଙ୍କୁ ପ୍ରାର୍ଥୀ କରିଥିଲେ । କିନ୍ତୁ ବାମପନ୍ଥୀ ଦଳ ପକ୍ଷରୁୁ ପ୍ରାର୍ଥୀ ହୋଇଥିଲେ ଲକ୍ଷ୍ମୀ ସେହଗଲ । ଏହି ନିର୍ବାଚନରେ ୮ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ବିଜୟ ଲାଭ କରି ରାଷ୍ଟ୍ରପତି ହୋଇଥିଲେ କଲାମ ।

୨୦୦୭ରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ୟୁପିଏ ପ୍ରାର୍ଥୀ ପ୍ରତିଭା ଦେବୀ ସିଂହ ପାଟିଲ ଏବଂ ଏନଡିଏ ପ୍ରାର୍ଥୀ ଭୈରୋ ସିଂ ଶେଖାୱତଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । ଭୌରୋ ସିଂ ଶେଖାୱତଙ୍କୁ ପରାସ୍ତ କରି ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ହୋଇଥିଲେ ପ୍ରତିଭା ପାଟିଲ ।
୨୦୧୨ ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ପ୍ରାର୍ଥୀ ପି.ଏ. ସାଙ୍ଗମାଙ୍କୁ ପରାସ୍ତା କରି ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ ପ୍ରଣବ ମୁଖାର୍ଜୀ ।
୨୦୧୭ରେ ଏନଡିଏ ରାମନାଥ କୋବିନ୍ଦଙ୍କୁ ପ୍ରାର୍ଥୀ କରିଥିବା ବେଳେ ୟୁପିଏରୁ ପ୍ରାର୍ଥୀ ହୋଇଥିଲେ ମୀରା କୁମାର । ଏହି ନିର୍ବାଚନରେ ୭ ଲକ୍ଷରୁ ଅଧିକ ଭୋଟ୍ ପାଇ ରାମନାଥ କୋବିନ୍ଦ ଦେଶର ଚତୁର୍ଦ୍ଦଶ ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ ।
୨୦୨୨ରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଥିବା ବେଳେ ମିଳିତ ବିରୋଧୀ ପକ୍ଷରୁ ପ୍ରତିଦ୍ୱନ୍ଦ୍ବିତା କରିଥିଲେ ଯଶୋବନ୍ତ ସିହ୍ନା । ତେବେ ଯଶୋବନ୍ତଙ୍କୁ ପ୍ରାୟ ୩ ଲକ୍ଷ ଭୋଟରେ ପରାସ୍ତ କରି ଦେଶର ପଂଚଦଶ ରାଷ୍ଟ୍ରପତି ହେବାର ଗୌରବ ହାସଲ କରିଛନ୍ତି ଦ୍ରୌପଦୀ ମୁର୍ମୁ ।

ସମ୍ବନ୍ଧିତ ଖବର