ବିଧାନସଭା ସାମ୍ନାରେ ଆଜି ବି ଛୁରୀ ଧରିବା ପୂର୍ବରୁ ଜିତେନ୍ଦ୍ରଙ୍କ ହାତରେ ଲାଗିଥିଲା ରକ୍ତର ଦାଗ !

ଭୁବନେଶ୍ୱର: ବିଧାନସଭା ଚାଲିଥିବାବେଳେ ଆଜି ଜଣେ ଯୁବକଙ୍କ ଉନ୍ମତ୍ତକାଣ୍ଡ ଚର୍ଚ୍ଚା ସୃଷ୍ଟି କରିଛି | ବିଧାନସଭା ସାମ୍ନାରେ ମାଆ ବେକରେ ଛୁରୀ ଲଗାଇ ମାରିଦେବାକୁ ଉଦ୍ୟମ କରିଥିଲା ପୁଅ। ଆଜି ବିଧାନସଭା ଚାଲିଥିବା ବେଳେ ବିଧାନସୌଧର ପୂର୍ବପଟ ଗେଟ୍ ସାମ୍ନାରେ ନିଜ ମାଆଙ୍କ ବେକରେ ଛୁରୀ ଲଗାଇ ମାରିଦେବାକୁ ଉଦ୍ୟମ କରିଥିଲେ । ଏପରିକି ଏଇ ସମୟରେ ସେ କିଛି ନେତା ମନ୍ତ୍ରୀଙ୍କ ନାଁ ନେଇ ଗାଳି ଦେଉଥିବାର ଦେଖିବାକୁ ମିଳିଥିଲା । ଆଉ ଯୁବକଙ୍କ ଏହି ହାଇଡ୍ରାମା ବିଧାନସଭା ସମ୍ମୁଖରେ ବେଶ କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲା । ତେବେ ମାଆଙ୍କୁ ଆକ୍ରମଣ ପଛରେ କ’ଣ କାରଣ ରହିଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ଏହି ଯୁବକଙ୍କ ନାମ ଜିତେନ୍ଦ୍ର ପାଳ ହୋଇଥିବା ବେଳେ ନୟାଗଡ ଜିଲ୍ଲା ଦଶପଲ୍ଲାର ଖମାର ସାହି କଉଡାରେ ସେ ସପରିବାର ସହ ରହନ୍ତି ବୋଲି ଜଣାପଡ଼ିଛି।

ଛୁରୀ ଧରିବା ପୂର୍ବରୁ ବି ଜିତେନ୍ଦ୍ର ହାତରେ ଲାଗିଥିଲା ରକ୍ତର ଦାଗ !
୨୦୧୪ ମସିହା ସେପ୍ଟେମ୍ବର ୧୮ ତାରିଖ ଦିନ ଉମାକାନ୍ତ ପ୍ରଧାନ ନାମକ ୩୮ ବର୍ଷୀୟ ଯୁବକ ଜିତେନ୍ଦ୍ରଙ୍କ ଘରେ ପଶିଥିଲା | ଉମାକାନ୍ତ, ଜିତେନ୍ଦ୍ରଙ୍କ ମା’ଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବାବେଳେ ପରିବାରର ସଦସ୍ୟମାନେ ନିଦରୁ ଉଠିପଡ଼ିଥିଲେ | ଜିତେନ୍ଦ୍ର ସହ ତାଙ୍କ ବାପା ରମେଶ ପାଳ ଓ ମା’ ମିଶି ଉମାକାନ୍ତଙ୍କୁ ପିଟି ପିଟି ହତ୍ୟା କରିଥିଲେ | ଏହା ପରେ ବାପା, ମା, ପୁଅ ଜେଲ ଯାଇଥିଲେ | ସେମାନଙ୍କୁ ୭ ବର୍ଷ ଜେଲ ଦଣ୍ଡ ସହ ୪ ହଜାର ଟଙ୍କା ଜରିମାନା ମଧ୍ୟ ଦେବାକୁ କୁହାଯାଇଥିଲା | ଏହା ପରେ ହାଇକୋର୍ଟରେ ଆବେଦନ କରିବା ପରେ ୬ ମାସ ହେଲା ଜାମିନରେ ମୁକୁଳିଥିଲେ ସେମାନେ | ଜିତେନ୍ଦ୍ର ଭୁବନେଶ୍ୱରରେ ରହୁଥିବାବେଳେ ୧୦ରୁ ୧୨ ଦିନ ତଳେ ଘରକୁ ଯାଇଥିଲେ | ଗତକାଲି ମା’ଙ୍କୁ ଧରି ଜିତେନ୍ଦ୍ର ଭୁବନେଶ୍ୱର ଆସିଥିଲେ। ତେବେ ସେ ଏଭଳି କାଣ୍ଡ କାହିଁକି ଘଟାଇଲେ ସେ ବାବଦରେ କିଛି  ଜାଣନ୍ତି ନାହିଁ ବୋଲି ଜିତେନ୍ଦ୍ରଙ୍କ ବାପା କହନ୍ତି | ଯୁକ୍ତ ୩ ପାଠ ପଢିଥିବା ଜିତେନ୍ଦ୍ର କାହିଁକି ଏଭଳି କଲେ ତାହା ଏବେ ବଡ଼ ପ୍ରଶ୍ନ | ଏ ପ୍ରଶ୍ନର ଉତ୍ତର ଖୋଜାଚାଲିଛି।

ସମ୍ବନ୍ଧିତ ଖବର