ଇତିହାସ ପାଲଟିଲା ତାଳଚେର ଥର୍ମାଲ, ୨୦ ହଜାର ଲୋକ ପ୍ରଭାବିତ

ଲିଭିଗଲା ଓଡ଼ିଶାର ଆଲୁଅ

ଅନୁଗୁଳ : ଦିନେ ତାଳଚେର ଥର୍ମାଲ ପାୱାର ଷ୍ଟେସନ(ଟିଟିପିଏସ୍‌) ଓଡ଼ିଶାର ଟେକ ରଖିଥିଲା। ରାଜ୍ୟର ଏହି ପ୍ରଥମ ତାପଜ ବିଦ୍ୟୁତ ପ୍ରକଳ୍ପ ତାଳଚେରବାସୀଙ୍କ ଭାତହାଣ୍ଡି ପାଲଟିଥିଲାବେଳେ ଓଡ଼ିଶା ପାଇଁ ଥିଲା ଶକ୍ତିର ଉତ୍ସ। ଅନେକ ସଫଳ କାହାଣୀର ସାକ୍ଷୀ ପାଲଟିଥିବା ଏହି ଟିଟିପିଏସ୍‌ କିନ୍ତୁ ଏବେ ମାଟିରେ ମିଶିବାକୁ ଦିନ ଗଣୁଛି। ଆୟୁଷ ପୂରିଗଲା କହି ଏହାକୁ ସବୁଦିନ ପାଇଁ ବନ୍ଦ କରି ଦିଆଯାଇଛି। ଏପଟେ ଟିଟିପିଏସ୍‌ର ଚିମିନିରୁ ଧୂଆଁ ବନ୍ଦ ହେବା ସହ ଠପ୍‌ ହୋଇଯାଇଛି ହଜାର ହଜାର କର୍ମଚାରୀଙ୍କ ତେଲଲୁଣର ସଂସାର। ପ୍ରଭାବିତ ହୋଇଛି ୨୦ ହଜାରରୁ ଅଧିକ ଲୋକଙ୍କ ଜୀବନଜୀବିକା। ଟିଟିପିଏସ୍‌ ଚାଲୁ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ଓ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀଙ୍କ ଚିଠି ସତ୍ତ୍ବେ ଏନ୍‌ଟିପିସି ଏହାକୁ ଗୁରୁତ୍ବ ଦେଇନି। ବରଂ, ଏହି ପ୍ରକଳ୍ପ ଆଉ ଚାଲି ପାରିବ ନାହିଁ ବୋଲି ରୋକଠୋକ୍ ଶୁଣାଇ ଦେଇଛି। ଏହାକୁ ନେଇ ତାଳଚେରରେ ଶ୍ରମିକ ଅଶାନ୍ତି ଆନ୍ଦୋଳନ ଆଡ଼କୁ ମୁହାଁଉଥିଲାବେଳେ ଆଗକୁ ସ୍ଥିତି ବିଗିଡ଼ିବାର ଆଶଙ୍କା ଦେଖା ଦେଲାଣି।

Twitter

ଓଡ଼ିଶାରେ ଶିଳ୍ପ ବିପ୍ଲବର ଭିତ୍ତି ପକାଇଥିବା ଏହି ଟିଟିପିଏସ୍‌ ପ୍ରକଳ୍ପକୁ କିନ୍ତୁ ସବୁଦିନ ପାଇଁ ବନ୍ଦ କରିବାକୁ ଗତକାଲି ନୋଟିସ ଜାରି କରିଛନ୍ତି ଏନଟିପିସି କର୍ତ୍ତୃପକ୍ଷ। ଏଥିସହ ଆଜିଠାରୁ ବିଦ୍ୟୁତ ଉତ୍ପାଦନ ବନ୍ଦ ହୋଇଯାଇଛି। ବନ୍ଦ ପଛରେ ଏକାଧିକ କାରଣ ଦର୍ଶାଯାଇଛି। ଟିଟିପିଏସ୍‌ର ଗୋଷ୍ଠୀ ମହାପ୍ରବନ୍ଧକ ଦେବେନ୍ଦ୍ର ନାଥ ତିୱାରୀ କହିଛନ୍ତି ଯେ ଏହି ପ୍ରକଳ୍ପର ଆୟୁଷ ପୂରି ଯାଇଥିଲା। ବହୁ ପୁରୁଣା ପ୍ରକଳ୍ପ ହୋଇଥିବାରୁ ଏହାର ଯନ୍ତ୍ରପାତି ଆଉ ବଜାରରେ ଉପଲବ୍ଧ ହୋଇପାରୁନି। ଫଳରେ ଖରାପ୍ ହେଲେ ସଜାଡ଼ିବାରେ ସମସ୍ୟା ହେଉଛି। ଏପଟେ କିଛି ସ୍ଥାନ ବିପଦସଙ୍କୁଳ ହୋଇ ପଡ଼ିଥିବାରୁ କର୍ମଚାରୀ ଓ ଶ୍ରମିକଙ୍କ ସୁରକ୍ଷା ନେଇ ଆଶଙ୍କା ଲାଗି ରହିଥିଲା। ପ୍ରଦୂଷଣ ବୋର୍ଡର ଥିବା ସର୍ତ୍ତାବଳି ମଧ୍ୟ ପୂରଣ କରିବାରେ ସମସ୍ୟା ହେଉଥିଲା ବୋଲି ସେ କହିଛନ୍ତି।

ଏମିତି ଅନେକ କାରଣ ଦେଖାଇ ଟିଟିପିଏସ୍‌ର ୬ଟି ଯାକ ୟୁନିଟ୍‌ରେ ଆଜିଠାରୁ ତାଲା ଝୁଲୁଛି। ଏଠାରେ କାମ କରୁଥିବା ପ୍ରାୟ ଦେଢ ହଜାର ଠିକା ଶ୍ରମିକ ପ୍ଲାଣ୍ଟ ଭିତରକୁ ଯିବା ପାଇଁ ଅନୁମତି ପାଇ ନ ଥିଲାବେଳେ ଫାଟକ ସାମନାରେ ଧାରଣା ଦେଉଛନ୍ତି। ପ୍ଲାଣ୍ଟକୁ ଚଳାଇବା ପାଇଁ ସେମାନେ ଅଡ଼ି ବସିଛନ୍ତି। ନ ହେଲେ, ସମଗ୍ର ତାଳଚେରରେ ଅର୍ଥନୈତିକ ଅବରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଏନ୍‌ଟିପିସି, ନାଲ୍‌କୋକୁ କୋଇଲା ରପ୍ତାନି ବନ୍ଦ କରିବା ସହ ଏଠାରୁ କୋଇଲା ବାହାରକୁ ଛଡ଼ାଯିବ ନାହିଁ ବୋଲି କହିଛନ୍ତି। ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଆଜି ଆନ୍ଦୋଳନରତ ଶ୍ରମିକଙ୍କ ପାଖରେ ପହଞ୍ଚି ନୈତିକ ବଳ ଦେଇଛନ୍ତି। ହେଲେ, ଏନଟିପିସିର କୌଣସି ଅଧିକାରୀ ଏହି ଶ୍ରମିକଙ୍କ ପାଖକୁ ଆସି ନାହାନ୍ତି। ଏହା ଠିକା କର୍ମଚାରୀଙ୍କୁ ଅଧିକ ତତାଇ ଦେଇଛି। ଆଗକୁ ଏହା ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଥିବାରୁ ଅଞ୍ଚଳକୁ ପୁଲିସ ଛାଉଣୀ କରି ଦିଆଯାଇଛି। ଏହା ଶ୍ରମିକ ଅଶାନ୍ତିକୁ ଦବାଇବା ବଦଳରେ ଅଧିକ ତେଜାଇ ଦେଇଛି।

ସମ୍ବନ୍ଧିତ ଖବର