ବାଲେଶ୍ବର (କବିତା ପାତ୍ର): ବାଲେଶ୍ବର ଟେକ୍ନିକାଲ୍ ସ୍କୁଲ୍। ଓଡ଼ିଶାର ସର୍ବପ୍ରଥମ ବୈଷୟିକ ଶିକ୍ଷାନୁଷ୍ଠାନ। ଯାହାକି ଆଜି ପର୍ଯ୍ୟନ୍ତ ବୈଷୟିକ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରି ଆଗେଇ ଚାଲିଛି। ୧୯୦୬ ମସିହାରେ ବାଲେଶ୍ବର ଛାତି ଉପରେ ଛିଡ଼ା ହୋଇଥିବା ଏହି ଘରୋଇ ଅନୁଷ୍ଠାନ ଆଜି ତା’ର ଇତିହାସକୁ ନେଇ ରୁଦ୍ଧିମନ୍ତ ହୋଇଛି। ବ୍ରିଟିସ୍ ଅମଳର ଏହି ଅନୁଷ୍ଠାନ ଯଦିଓ ଆଧୁନିକତାର ଛାପରେ ମଳିନ ପଡ଼ିଯାଇଛି, ଏହାର ଭୂମିକା ଇତିହାସରେ ଲିପିବଦ୍ଧ ହୋଇ ରହିଛି। କିଛି ଏମିତି ପୁରୁଣା ସ୍ମୃତି ଅଛି; ଯାହା ଅନାଲୋଚିତ। ଖାଲି ବାଲେଶ୍ବର ନୁହେଁ, ରାଜ୍ୟ ଏବଂ ରାଜ୍ୟ ବାହାରେ ଏହାର ସ୍ବତନ୍ତ୍ର ପରିଚୟ ରହିଥିବା ଇତିହାସ ପୃଷ୍ଠାରୁ ଜଣାପଡ଼େ।
Sambad is now on WhatsApp
Join and get latest news updates delivered to you via WhatsApp
୧୮୩୯ ମସିହାରେ ଇଂରେଜମାନେ ବାଲେଶ୍ବର ଆସିଥିବା ବେଳେ ଏଠାକାର ଅନାଥ ଓ ଗରିବ ପିଲାଙ୍କୁ ରୋଜଗାରକ୍ଷମ କରିବା ଉଦ୍ଦେଶ୍ୟରେ ଲୁହା ଓ କାଠ କାମ ପାଇଁ ବୟେଜ୍ ଇଣ୍ଡଷ୍ଟ୍ରିଆଲ୍ ନାମରେ ଏକ ବୈଷୟିକ ଶିକ୍ଷାନୁଷ୍ଠାନ ଆରମ୍ଭ କରିଥିଲେ। ଇଂରେଜମାନେ ହିଁ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଥିଲେ। ପ୍ରଥମେ ୨ ଜଣ ପିଲାକୁ ନେଇ ପାଠ ପଢ଼ା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ; ଅର୍ଥାତ୍ ୧୯୦୬ ମସିହାରେ ଏହାକୁ ବାଲେଶ୍ବର ଟେକ୍ନିକାଲ୍ ସ୍କୁଲ୍ ନାମରେ ନାମିତ କରାଗଲା। ପରେ ବିଭିନ୍ନ ବିଭାଗ ଖୋଲିବା ସହ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବି ବୃଦ୍ଧି ପାଇଲା। ଇଂରେଜମାନେ ଭାରତ ଛାଡ଼ିବା ପରେ ଏହି ଶିକ୍ଷାନୁଷ୍ଠାନର ଅବସ୍ଥା ଶୋଚନୀୟ ହୋଇ ପଡ଼ିଲା। ୧୯୫୬ ମସିହାରେ ସରକାର ଉକ୍ତ ଟେକ୍ନିକାଲ୍ ସ୍କୁଲ୍ ଥିବା ଜାଗା ଅଧିଗ୍ରହଣ କରିବାକୁ ପ୍ରସ୍ତାବ ରଖିଲେ। ହେଲେ ତାହା ମିସନାରି ଜାଗା ହେତୁ ଦେବାକୁ ଅନିଚ୍ଛା ପ୍ରକାଶ କଲେ ଦାୟିତ୍ବରେ ଥିବା ଅଧିକାରୀ। କାଳକ୍ରମେ ଅନୁଷ୍ଠାନର କର୍ମଚାରୀଙ୍କ ଉଦ୍ୟମ ଯୋଗୁ ଏହାର ସ୍ଥିତିରେ ଧୀରେ ଧୀରେ ସୁଧାର ଆସିଲା। ସେତେବେଳେ ସରକାରୀ ଆଇଟିଆଇର ଛାତ୍ରଛାତ୍ରୀ ଏହି ପୁରାତନ ଟେକ୍ନିକାଲ୍ ସ୍କୁଲ୍କୁ ଆସି ଶିକ୍ଷା ଗ୍ରହଣ କରୁଥିଲେ।
୧୯୯୮ ମସିହାରେ ପ୍ରଥମେ କାର୍ପେଣ୍ଟର ଓ ୱେଲ୍ଡର ବିଭାଗ ପାଇଁ ଏସ୍ସିଭିଟି (ଷ୍ଟେଟ୍ କାଉନ୍ସିଲ୍ ଭୋକେସନାଲ୍ ଟ୍ରେନିଂ) ପାଖରୁ ଆଫିଲିଏସନ୍ ମିଳିଲା। ୯ଟି ଟ୍ରେଡ୍ ରହିଥିବା ଏହି ଟେକ୍ନିକାଲ୍ ସ୍କୁଲ୍ରେ ଛାତ୍ରଛାତ୍ରୀଙ୍କ ଅଭାବରୁ ଦୁଇଟି ଟ୍ରେଡ୍ ବନ୍ଦ ହୋଇଯାଇଛି। ବିଭିନ୍ନ ବିଭାଗରେ ଏବେ ମୋଟ୍ ୨ ଶହ ଛାତ୍ରଛାତ୍ରୀ ଅଛନ୍ତି। ଏହି ଟେକ୍ନିକାଲ୍ ସ୍କୁଲ୍ରେ ବ୍ରିଟିସ୍ ଅମଳର ବହୁ ମେସିନ୍ ସହ ଅନ୍ୟାନ୍ୟ ସାମଗ୍ରୀ ରହିଛି। ଯେପରି କାଠ କାମରେ ବ୍ୟବହୃତ ହେଉଥିବା ଆମେରିକାର ବିଭିନ୍ନ ମେସିନ୍।
ସଂସଦକୁ ଯାଇଛି କାଠ ସାମଗ୍ରୀ
ସ୍ବର୍ଗତ ପୂର୍ବତନ ବିଧାୟକ ଅରୁଣ ଦେ’ଙ୍କ କହିବା ଅନୁସାରେ ବାଲେଶ୍ବର ଟେକ୍ନିକାଲ୍ ସ୍କୁଲ୍ର କାଠରେ ତିଆରି ସାମଗ୍ରୀ ସଂସଦରେ ବ୍ୟବହାର ହୋଇଛି। ଏଠାରେ ଯେଉଁସବୁ କାଠ ସାମଗ୍ରୀ ତିଆରି କରାଯାଏ, ସେଥିରେ ସ୍କୁଲ୍ର ସ୍ବତନ୍ତ୍ର ଷ୍ଟାମ୍ପ୍ ଲାଗିଥାଏ। ଯେଉଁ ଷ୍ଟାମ୍ପ ସଂସଦର କାଠ ଜିନିଷରେ ଲାଗିଥିବା ସ୍ବର୍ଗତ ଦେ କହିଥିଲେ। ଏ କଥାକୁ ସ୍କୁଲ୍ର କର୍ମଚାରୀମାନେ ବି ଜାଣିଥିବା କହିଛନ୍ତି। ସେହିପରି ବାଲେଶ୍ବରର ବ୍ରିଟ୍ସ ଅମଳର ଫୁଲାଡ଼ି ଲୁହାପୋଲ ବାଲେଶ୍ବର ଟେକ୍ନିକାଲ୍ ସ୍କୁଲର ଛାତ୍ରମାନେ ତିଆରି କରିଥିବା କୁହାଯାଏ। ଟେକ୍ନିକାଲ୍ ସ୍କୁଲର ଛାତ୍ରଛାତ୍ରୀମାନେ ବାଲେଶ୍ବରର ପ୍ରଥମ ନଳକୂଅ ତିଆରି କରିଥିବା ଇତିହାସ ରହିଛି। ଜେନେରେଟର ପ୍ରଥମେ ଇଂରେଜମାନେ ବାଲେଶ୍ବରକୁ ଆଣିଥିଲେ। ସେହିପରି ବାଲେଶ୍ବରରେ ପ୍ରଥମେ ରାଇସ୍ମିଲ୍ ବାଲେଶ୍ବର ଟେକ୍ନିକାଲ୍ ସ୍କୁଲ୍ ପରିସରରେ ରହିଥିବା ବେଳେ ଏବେ ତା’ର ଭଗ୍ନ ଅଂଶ ଦେଖିବାକୁ ମିଳୁଛି। ସୂଚନା ଥାଉକି ସରକାରୀ ଭାବେ ସମ୍ବଲପୁର, କଟକ ଓ ତକତପୁର ଆଇଟିଆଇରେ କାର୍ପେଣ୍ଟ୍ରି ଟ୍ରେନିଂ ଦିଆଯାଉଥିବା ବେଳେ କାଳକ୍ରମେ ବନ୍ଦ ହୋଇଯାଇଛି। କେବଳ ବାଲେଶ୍ବର ଟେକ୍ନିକାଲ୍ ସ୍କୁଲ୍ ପିଲାଙ୍କୁ କାର୍ପେଣ୍ଟ୍ରି ଟ୍ରେନିଂ ଦିଆଯାଉଛି ବୋଲି ସ୍କୁଲ୍ର ଆକାଉଣ୍ଟାଣ୍ଟ ଅରୁଣ କୁମାର ଗୋଚ୍ଛାୟତ କହିଛନ୍ତି।
ଆଗରେ ବିଟିଏସ୍
ଓଡ଼ିଶା ସ୍କିଲ୍ ଡେଭ୍ଲପ୍ମେଣ୍ଟର ଅଧ୍ୟକ୍ଷ ସୁବ୍ରତ ବାଗଚୀ ୨୦୧୯ ମସିହା ଫେବ୍ରୃଆରି ୧୩ ତାରିଖରେ ବାଲେଶ୍ବରର ଏକ କାର୍ଯ୍ୟକ୍ରମକୁ ଆସି ଟେକ୍ନିକାଲ୍ ସ୍କୁଲ୍ର ଇତିହାସ ନେଇ ମତ ରଖିଥିଲେ। ଯେଉଁ ସମୟରେ ଦକ୍ଷତା ବିକାଶ ସମ୍ପର୍କରେ ଦେଶ ଜାଣି ନଥିଲା, ଓଡ଼ିଶା ଜାଣି ନଥିଲା। ସେତେବେଳେ ବାଲେଶ୍ବର ଠାରେ ଟେକ୍ନିକାଲ୍ ସ୍କୁଲ୍ ଆରମ୍ଭ ହୋଇଥିଲା। ଏ ପର୍ଯ୍ୟନ୍ତ ଏହି ସ୍କୁଲ୍ ଆଗଧାଡ଼ିର ଦକ୍ଷତା ବିକାଶ ଅନୁଷ୍ଠାନ ଭାବେ ନିଜର ସୁନାମ ବଜାୟ ରଖିଥିବା ସେ କହିଥିଲେ।
‘ପିଲାଙ୍କ ଦକ୍ଷତା ବୃଦ୍ଧି ଓ ଶୃଙ୍ଖଳିତ କରିବା ଲକ୍ଷ୍ୟ’
ବାଲେଶ୍ବର ଟେକ୍ନିକାଲ୍ ସ୍କୁଲ୍ର ଇତିହାସ ବହୁତ ପୁରୁଣା। ବିଭିନ୍ନ କ୍ଷେତ୍ରରେ ସ୍କୁଲ୍ର ଯେଉଁ ସବୁ ଗୁଣବତ୍ତା ଥିଲା- ଏବେ ବି ଆମେ ତାକୁ ବଜାୟ ରଖିଛି। ସବୁ ଟ୍ରେଡ୍ରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କୁ ରୋଜଗାରକ୍ଷମ କରିବା ଆମ ସ୍କୁଲ୍ର ଲକ୍ଷ୍ୟ। ତେବେ ଛାତ୍ରଛାତ୍ରୀ କମିବାର ବହୁତ କିଛି କାରଣ ରହିଛି। ଛାତ୍ରଛାତ୍ରୀ କମ୍ ହେଲେ ବି ସମସ୍ତଙ୍କ ଭବିଷ୍ୟତକୁ ଗୁରୁତ୍ବ ଦେଇଆସିଛୁ। ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି କରିବା ଏବଂ ଶୃଙ୍ଖଳିତ କରିବା ଆମ ଅନୁଷ୍ଠାନର ମୁଖ୍ୟ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବୋଲି କହିଛନ୍ତି ଅଧ୍ୟକ୍ଷ ପି. ରମେଶ କୁମାର।