ସୋନପୁର/ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ମେଟାକାନୀ ମନ୍ଦିର ନିକଟରେ ଗୁରୁବାର ଅପରାହ୍ଣରେ ଏକ ପିକ୍‌ଅପ୍ ଭ୍ୟାନ୍‌ ଧକ୍କା ଦେବାରୁ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଉଲୁଣ୍ଡା ଥାନା ଅଇଁଲାଛାଟ ଗାଁର ରାଜା କୁମ୍ଭାର (୧୯ବର୍ଷ), ନାରାୟଣଟିକିରା ଗାଁର ଦେବାନନ୍ଦ ସୁରୁଜାଲ (୨୮ବର୍ଷ), ବଳପାଲି ଗାଁର ସୁଶାନ୍ତ ସାହୁ (୨୦ବର୍ଷ)। ସେହିପରି ଗୁରୁତର ଆହତ କରନ କୁମ୍ଭାରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ଏହି ଯୁବକମାନେ ମେଟାକାନୀ ମନ୍ଦିର ନିକଟରେ ଏକ ଦୋକାନରେ ଚା’ ପିଉଥିଲେ। ଏହି ସମୟରେ ଉଲୁଣ୍ଡା ପଟରୁ ସମ୍ବଲରପୁର ପଟକୁ ଦ୍ରୁତଗତିରେ ଯାଉଥିବା ଏକ ପିକ୍‌ଅପ୍‌ ଭ୍ୟାନ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ପିକ୍‌ଅପ୍‌ ଭ୍ୟାନ୍‌ ସଂପୃକ୍ତ ଯୁବକମାନଙ୍କୁ ଧକ୍କାଦେବା ପୂର୍ବରୁ ସେଠାରେ ଥିବା ୩ଟି ବାଇକ୍‌ ଓ ଗୋଟିଏ ବାଇକ୍‌କୁ ଧକ୍କା ଦେଇଥିବା ଏବଂ ଏହାପରେ ଦ୍ରୁତଗତିରେ ସମ୍ବଲପୁର ପଟକୁ ଫେରାର୍‌ ‌ହୋଇଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଘଟଣାସ୍ଥଳରୁ ୪ ଜଣ ଗୁରୁତର ଆହତଙ୍କୁ ଉପସ୍ଥିତ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ଉଲୁଣ୍ଡା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ରାଜା, ଦେବାନନ୍ଦ ଓ ସୁଶାନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଖବର ପାଇ ଉଲୁଣ୍ଡା ଥାନା ପୁଲିସ ଏବଂ ବୀରମହାରାଜପୁର ଏସ୍‌ଡିପିଓ ବାସୁଦେବ ଛତ୍ରିଆ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଯେଭଳି ଢଙ୍ଗରେ ଦୁର୍ଘଟଣା ଘଟିଲା ଏହା ଏକ ହିଟ୍‌ ଏଣ୍ଡ ରନ୍ ଭଳି ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି। ଏ ସଂପର୍କରେ ଏସଡିପିଓ ଶ୍ରୀ ଛତ୍ରିଆଙ୍କୁ ପଚରାଯିବାରୁ ଦୁର୍ଘଟଣା ନେଇ ପ୍ରାଥମିକ ତଦନ୍ତ ଚାଲିଛି। ଏହା ସହିତ ଘଟଣାର ବିଭିନ୍ନ ଦିଗରୁ ମଧ୍ୟ ଅନୁସନ୍ଧାନ ହେବ ବୋଲି କହିଛନ୍ତି।

Advertisment

ସାକ୍ଷୀଗୋପାଳ/ବାମନାଳ/ବଳଙ୍ଗା: ବଳଙ୍ଗା ଥାନା ଅନ୍ତର୍ଗତ ଅରେଇସାହି ଛକ ନିକଟରେ ଆଜି ସନ୍ଧ୍ୟା ପ୍ରାୟ ୮ଟା ସମୟରେ ଏକ ଦୁର୍ଘଟଣାରେ ୨ ଜଣ ନାବାଳକଙ୍କର ମୃତ୍ୟ ଘଟିଛି। ଗଡ଼ଚାନ୍ଦପୁର ଗ୍ରାମର ସମୀର କୁମାର ପରିଡ଼ାଙ୍କ ପୁତ୍ର ସୁବ୍ରତ (୯ ) ଓ ସାନଭାଇ ସତ୍ୟରଞ୍ଜନ ପରିଡ଼ାଙ୍କ ପୁତ୍ର ଆୟୁଷ୍ମାନ( ୮ ) ବଳଙ୍ଗା ସରସ୍ବତୀ ଶିଶୁ ମନ୍ଦିରରେ ଚତୁର୍ଥ ଓ ତୃତୀୟ ଶ୍ରେଣୀରେ ପଢ଼ୁଥିଲେ। ସେମାନେ ଆଜି ସନ୍ଧ୍ୟା‌ବେଳେ ଟ୍ୟୁସନ ସାରି ଘରକୁ ଫେରୁଥିବା ବେଳେ ଅରେଇସାହି ଗ୍ରାମ ମୁଣ୍ଡରେ ସେମାନଙ୍କୁ ଏକ ଟ୍ରାକ୍ଟର ଧକ୍କା ଦେଇଥିଲାl ଏଥିରେ ଦୁଇଜଣ ଗୁରୁତର ଭାବେ ଆହତ ହୋଇଥିଲେ। ଚିକିତ୍ସା ନିମନ୍ତେ ସେମାନଙ୍କୁ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ଦୁଇଭାଇଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରଖାନାରେ ଏହି ଶିଶୁଦ୍ବୟଙ୍କ ମା ଓ ସମ୍ପର୍କୀୟମାନଙ୍କ କାନ୍ଦବୋବାଳିରେ ଡାକ୍ତରଖାନା ପରିସର ଫାଟିପଡ଼ିଥିଲା l ଦୁର୍ଘଟଣାପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା ଓ ଲୋକେ କିଛି ସମୟ ରାସ୍ତାରୋକ କରିଥିଲେ। ପୁଲିସ ଘଟଣାସ୍ଥଳରୁ ଟାକ୍ଟରଟିକୁ ଜବତ କରିଛି।