ସମ୍ବଲପୁର: ସମୟ ଶୁକ୍ରବାର ରାତି ୯ଟା। ଏକ କାର୍‌ ଦ୍ରୁତଗତିରେ ଆସି ପଛପଟୁ ଧକ୍କା ଦେଇ ଚାଲିଲା। ଏକାଧିକ ଲୋକଙ୍କୁ ଧକ୍କା ଦେଇ କାର୍‌ଟି ଘଟଣାସ୍ଥଳରୁ ଫେରାର୍‌ ହୋଇଗଲା। ଏତିକି ସମୟ ମଧ୍ୟରେ ଚାଲିଗଲା ଜଣଙ୍କ ଜୀବନ। ଧକ୍କା ଏତେ ଜୋର୍‌ରେ ଥିଲା ଯେ, କାର୍‌ର ବନେଟ୍‌, ଲାଇଟ୍‌ ଭାଙ୍ଗି ଯାଇଥିଲା। ଏଭଳି ଏକ ହିଟ୍‌ ଆଣ୍ଡ୍‌ ରନ୍‌ ଘଟଣା ଘଟିଛି ସମ୍ବଲପୁର ସଦର ଥାନା ଅଧୀନ ଧନକଉଡ଼ା ନିକଟରେ। ମିଳିଥିବା ସୂଚନା ଅନୁଯାୟୀ, ରାତି ୯ଟା ପାଖାପାଖି ଧନକଉଡ଼ାର ଜୟଗୁରୁ ମନ୍ଦିରରୁ ଚୌଧୁରୀ ଛକ ମଧ୍ୟରେ କିଛି ଲୋକ ସର୍ଭିସ ରୋଡ୍‌ରେ ଚାଲି ଚାଲି ଯାଉଥିଲେ।

Advertisment

ସେହି ସମୟରେ ଏକ କାର୍‌ ଦ୍ରୁତ ଗତିରେ ଆସିଥିଲା। ଲୋକେ କିଛି ବୁଝିବା ଆଗରୁ ଜଣକ ପରେ ଜଣଙ୍କୁ ଧକ୍କା ଦେଇ କାର୍‌ଟି ମାଡ଼ି ଚାଲିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, କାର୍‌ଟି ଜଣ ଜଣ କରି ୪ ଜଣଙ୍କୁ ଧକ୍କା ଦେଇଥିଲା। କାରକୁ ଲୋକେ ଅଟକାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଫେରାର ହୋଇଯାଇଥିଲା। ସ୍ଥାନୀୟ ଲୋକେ ଉଦ୍ଧାର କରି ଆହତଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଧନକଉଡ଼ା ମାଲଦାପଡ଼ାର ଦୟାସାଗର ପ୍ରଧାନ (୫୦)ଙ୍କୁ ମୃତ ଘୋଷଣା କରିଥିଲେ। ଆଉ ଜଣେ ଆହତ ଡାକ୍ତରଖାନାରେ ମଧ୍ୟ ଭର୍ତ୍ତି ହୋଇଥିଲେ। ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବଗୃହରେ ରଖା ଯାଇଛି। ଶୁକ୍ରବାର ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ବୁର୍ଲା ପଠାଯିବ ବୋଲି ପୁଲିସ କହିଛି।