ବଲାଙ୍ଗୀରରେ ହିଟ୍‌ ଆଣ୍ଡ ରନ୍‌: ଫିଲ୍ମ ଷ୍ଟାଇଲରେ ହତ୍ୟା ଷଡ୍‌ଯନ୍ତ୍ର!

ଫିଲ୍ମ ଷ୍ଟାଇଲରେ ହତ୍ୟା ଷଡ୍‌ଯନ୍ତ୍ର!

ବଲାଙ୍ଗୀର : ଜାତୀୟ ରାଜପଥ ୨୬। ସ୍ଥାନ ବଲାଙ୍ଗୀର ଆର୍‌ଟିଓ ଛକ। ସମୟ ୧୨ଟା ପାଖାପାଖି। ହଠାତ୍‌ ଏକ ମିନିଟ୍ରକ୍‌ ବାଇକ୍‌କୁ ଧକ୍କା ଦେଇଥିଲା। ତାପରେ ବାଇକ ଯାଇ ରାସ୍ତାକଡ଼ ଇନୋଭାରେ ପଶିଯାଇଥିଲା। ବାଇକ୍‌ରେ ଥିବା ଦୁଇ ଜଣକଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ମୃତକ ଜଣକ ଶ୍ରୀକାନ୍ତ ବାଗ ଓ ସେ ବରଗଡ଼ର ବୋଲି ଜଣାପଡ଼ିଛି। ଆଉ ଜଣେ ସାନୁ ନାୟକ ଗୁରୁତର ଆହତ ହୋଇ ରାସ୍ତାକଡ଼ରେ ପଡ଼ିଥିଲେ। ଘଟଣାର ପାଖାପାଖି ୧୫ରୁ ୨୦ ମିନିଟ ପରେ ଆମ୍ବୁଲାନ୍ସ ଆସି ସାନୁ ନାୟକଙ୍କୁ ଡାକ୍ତରଖାନା ନେଇଥିଲା। ଆରଟିଓ ଛକ ଅଞ୍ଚଳ ବାସିନ୍ଦା ସାନୁ ନାୟକଙ୍କ ଏକ ଜଳଖିଆ ଦୋକାନ ଅଛି ଏବଂ ଏହି ଦୋକାନରେ ଶ୍ରୀକାନ୍ତ କରୁଥି‌ବା ଜଣାଯାଇଛି। ଦୁର୍ଘଟଣା ସମୟରେ ସମ୍ମୁଖରୁ ଆସୁଥିବା ଅନ୍ୟ ଏକ ଗହମ ବୋଝେଇ ଟ୍ରକ୍‌ ରାସ୍ତା କଡ଼ ଗଛରେ ପିଟି ହୋଇଥିଲା। ପ୍ରାଥମିକ ସୂଚନାରୁ ଜଣାପଡିଥିଲା, ଏକ ଗାଈକୁ ବଞ୍ଚାଇବା ପାଇଁ ଭାରସାମ୍ୟ ହରାଇଥିଲା ମିନିଟ୍ରକ୍‌। କାରଣ ଧକ୍କାରେ ଗାଈ ବି ଗୁରୁତର ଆହତ ହୋଇଥିଲା। କିନ୍ତୁ ଘଟଣାର ଅଧଘଣ୍ଟା ପରେ ମିନିଟ୍ରକ୍‌ର ଡ୍ରାଇଭରକୁ ଖୋଜାଖୋଜି କଲା ପରେ ସାମ୍ନାକୁ ଆସିଥିଲା ଚାଞ୍ଚଲ୍ୟକର ତଥ୍ୟ। ଏହି ଘଟଣାରେ ଜଣେ ନୁହେଁ, ଆଉ ଜଣେ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଥିଲା। ଅନ୍ୟ ଆହତ ଯୁବକ ଜଣକ ଚିତ୍ତ ମହାନ୍ତି। ସେ ଡାକ୍ତରଖାନାରେ ଯାଇ ଭର୍ତ୍ତି ହୋଇସାରିଥିଲେ। ତାଙ୍କ ଗୋଡ଼ ଭାଙ୍ଗିଥିବା ଓ ମୁଣ୍ଡରେ ଆଘାତ ଲାଗିଥିବା ସୂଚନା ମିଳିଥିଲା। ଆହତ ଚିତ୍ତ ମହାନ୍ତିଙ୍କ ଘର ବି ସେଇ ଆରଟିଓ ଛକ ପାଖରେ।

ତେବେ, ଘଟଣାସ୍ଥଳରେ ଥିବା କିଛି ଲୋକ କହୁଥିଲେ, ମିନିଟ୍ରକ୍‌ଟି ଚିତ୍ତ ମହାନ୍ତି ଚଳାଉଥିଲେ। ହେଲେ ତୁରନ୍ତ ଆଉ କିଛି ଲୋକ ଏଥିରେ ହସ୍ତକ୍ଷେପ କରି କହୁଥିଲେ, ଚିତ୍ତ ମହାନ୍ତି ନୁହେଁ, ତାଙ୍କ ଭାଇ ମନ ମହାନ୍ତି ଗାଡ଼ି ଚଳାଉଥିଲେ। ଯଦି ଭାଇ ମନ ମହାନ୍ତି ଚଳାଉଥିଲେ, ତାହେଲେ ଚିତ୍ତ ମହାନ୍ତି କେମିତି ଗୁରୁତର ଆହତ ହେଲେ? ଆଉ ଚିତ୍ତ ମହାନ୍ତି ଯଦି ଚଳାଉଥିଲେ ତାହେଲେ କାହିଁକି ମିନିଟ୍ରକ୍‌ ଚଳାଉଥିଲେ? କାରଣ ସବୁ ଦିନ ଏସ୍‌ୟୁଭି ଗାଡ଼ିରେ ସେ ବୁଲାବୁଲି କରନ୍ତି। ଏଭଳି ସନ୍ଦେହ ଭିତରେ ସାମ୍ନାକୁ ଆସିଥିଲା ଷଡ଼୍‌ଯନ୍ତ୍ରର ବାସ୍ନା। ଦୁର୍ଘଟଣାର ଘଟଣାଇଥିବା ମିନିଟ୍ରକ୍‌ର ନମ୍ବର ପ୍ଲେଟ୍‌କୁ ନେଇ ହଇଚଇ ସୃଷ୍ଟି ହୋଇଥିଲା। କାରଣ ଆଗପଟ ନମ୍ବର ପ୍ଲେଟ୍‌ରୁ ରଂଗ ମାରି ନମ୍ବରକୁ ଲିଭାଯାଇଥିଲାବେଳେ ପଛପଟ ନମ୍ବର ପ୍ଲେଟ୍‌ରେ ବି କାଳି ଘଷା ଯାଇଥିଲା। ପୋଛାପୋଛି କଲା ପରେ ଜଣାପଡ଼ିଥିଲା ଗାଡ଼ିର ନମ୍ବର ଓଆର୍‌ ୦୩ ଏ ୫୩୯୦ । ହେଲେ ପରିବହନ ଆପ୍‌ରେ ଏହା ଏକ ଅବୈଧ ନମ୍ବର ବୋଲି ଜଣାପଡ଼ିଥିଲା। କଣପାଇଁ ମିନିଟ୍ରକ୍‌ର ଆଗପଟ ନମ୍ବର ପ୍ଲେଟ୍‌କୁ ଲିଭାଇଯାଇଥିଲା? ପଛପଟ ନମ୍ବର ପ୍ଲେଟ୍‌ରେ କାହିଁକି କାଳି ଲଗାଯାଇଥିଲା? କୌଣସି ମନ୍ଦ ଉଦ୍ଦେଶ୍ୟରେ ଏସବୁ କରାଯାଇଥିଲା କି? ନା ବେଆଇନ କାମରେ ଲାଗୁଥିଲା ଗାଡ଼ି? ଏ ଗାଡ଼ିର ଅସଲ ମାଲିକ କିଏ? ହତ୍ୟା ଷଡ଼୍‌ଯନ୍ତ୍ରରେ ଗାଡ଼ି ବ୍ୟବହାର କରାଯାଇଥିଲା କି? ଏଭଳି ନା ନା ପ୍ରକାର ପ୍ରଶ୍ନ ଉଠୁଥିବା ସମୟରେ ହସ୍‌ପିଟାଲରେ ଚିକିତ୍ସିତ ସାନୁ ନାୟକ ବି‌ସ୍ଫୋରକ ବୟାନ ଦେଇ ଦୁର୍ଘଟଣାର ମୋଡ଼ ବଦଳାଇ ଦେଇଥିଲେ।

ସେ କହିଥିଲେ, ଚିତ୍ତ ମହାନ୍ତି ତାଙ୍କୁ ମାରିବାକୁ ଷଡ଼୍‌ଯନ୍ତ୍ର କରିଥିଲେ। ତାଙ୍କୁ ଧମକ ଦେଇ ତାଙ୍କ ପୂରା ପରିବାରକୁ ହତ୍ୟା କରିବା ପାଇଁ ଚେତାବନୀ ଦେଇଥିଲେ। ଆଗରୁ ତାଙ୍କ ବଡ଼ଭାଇଙ୍କୁ ମଧ୍ୟ ସେଇ ସ୍ଥାନରେ ସମାନ ଢଙ୍ଗରେ ଦୁର୍ଘଟଣା ଘଟାଇ ଆକ୍ରମଣ କରାଯାଇଥିଲା। ଏବେବି ସେ ଚିକିତ୍ସାଧୀନ। ସେପଟେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଚିତ୍ତ ମହାନ୍ତି ମଧ୍ୟ ତାଙ୍କୁ ମାରିବାକୁ ଉଦ୍ୟମ କରାଯାଇଛି ବୋଲି ଅଭିଯୋଗ ଆଣିଥିଲେ। ସେ କହିଥିଲେ କି ସେ ରାସ୍ତାରେ ଛିଡ଼ା ହୋଇଥିଲେ ଓ ଗାଡ଼ି ମାଡ଼ିଆସିଥିଲା। ନାୟକ ପରିବାର ସହ କୌଣସି ବିବାଦ ନଥିବା କହିଥିଲେ। ହେଲେ ଏତେ ସବୁ ପରେ ବି ଏ ଦିଗରେ ତଦନ୍ତ କରିନଥିଲା ପୁଲିସ। ପୂରା ଦୁର୍ଘଟଣାର ଗୋଟିଏ ଘଣ୍ଟା ଭିତରେ ସ୍ପଷ୍ଟ ଜଣାପଡ଼ିଥିଲା ଇଏ ଏକ ଦୁର୍ଘଟଣା ନଥିଲା। ପୂର୍ବ ଯୋଜନା ମୁତାବକ ସବୁ ଘଟଣାରେ ହତ୍ୟାର ଷଡ଼୍‌ଯନ୍ତ୍ର ଥିବାର ସନ୍ଦେହ କରାଯାଉଛି। ଏହାରି ଭିତରେ ସାନୁ ନାୟକଙ୍କ ବାପା ଟାଉନ ଥାନାକୁ ପହଞ୍ଚିବା ସହ ଚିତ୍ତ ମହାନ୍ତିଙ୍କ ବିରୋଧରେ ଲିଖିତ ଅଭିଯୋଗ ଦେବେ ଓ ତାଙ୍କୁ ନ୍ୟାୟ ଦରକାର ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି। ଅନ୍ୟପଟେ ବଲାଙ୍ଗୀର ଏସ୍‌ଡିପିଓ ତୋଫନା ବାଗ କହିଛନ୍ତି, ଘଟଣାର ତଦନ୍ତ ଚାଲିଛି। ଦୁଇ ଜଣ ଗୁରୁତର ହୋଇଛନ୍ତି ଓ ଜଣକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ନା ଆଉ କିଛି ତଦନ୍ତ ପରେ ଜଣାପଡ଼ିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର