ପାଟଣାଗଡ଼/ବେଲପଡ଼ା: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ନୁନହାଡ଼ ଗ୍ରାମରେ ଘଟିଛି ହିଟ୍‌ ଆଣ୍ଡ ରନ୍‌ ଘଟଣା। ନିଜ ଘର ଅଗଣାରେ ଛିଡ଼ା ହୋଇଥିବା ତିନି ଭଉଣୀଙ୍କ ଉପରେ କାର୍‌ ମାଡ଼ି ଯାଇଛି। ଏଥିରେ ଜଣକର ମୃତ୍ୟୁ ଘଟିଥିବାବେଳେ ଉତ୍ତ୍ୟକ୍ତ ଲୋକେ ପାଟଣାଗଡ଼-କଣ୍ଟାବାଞ୍ଜି ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି। ବେଲପଡ଼ା ବ୍ଲକ ନୁନହାଡ଼ ନିକଟସ୍ଥ ସନସାଇନ୍ ଢାବା ମାଲିକ ସୁଶୀଳ ସାହୁ ନିଜ କାର (ଓଡି ୦୩ଏସି ୩୭୭୧)ରେ ବେଲପଡ଼ା ପଟକୁ ଆସୁଥିଲେ। ଏହି ସମୟରେ ନୁନହାଡ଼ ଗ୍ରାମର ତିନି ଭଉଣୀ ବୋଲେଶ୍ବରୀ ମାଝୀ, ପ୍ରତିମା ମାଝୀ ଓ ଦେମତି ମାଝୀ ଘର ସମ୍ମୁଖରେ ବସି କଥା ହେଉଥିବା ବେଳେ କାର୍‌ଟି ସେମାନଙ୍କୁ ଧକ୍କା ଦେଇ ଘୋଷାଡ଼ି ନେଇଥିଲା।

Advertisment

ଏଥିରେ ତିନି ଭଉଣୀ ଗୁରୁତର ହୋଇଥିଲେ। ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ବେଲପଡ଼ା ସିଏଚ୍‌ସି ଓ ପରେ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ବୋଲେଶ୍ବରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସେହିପରି ପ୍ରତିମା ଓ ଦେମତିଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଗ୍ରାମବାସୀ ପାଟଣାଗଡ଼-କଣ୍ଟାବାଞ୍ଜି ମୁଖ୍ୟରାସ୍ତା ଅବରୋଧ କରିଥିଲେ। ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଲୋକେ ଭାଙ୍ଗି ଦେଇଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ (ରାତି ୯ଟା) ଗାଁରେ ଉତ୍ତେଜନା ଲାଗି ରହିଥିବା ବେଳେ ପୁଲିସ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛି। ଢାବା ମାଲିକ ସୁଶୀଳ ସାହୁଙ୍କୁ ପୁଲିସ ଗିରଫ କରିଛି।